ଜଳେଶ୍ୱର:ସୁବର୍ଣ୍ଣରେଖା ନଦୀରେ ପୁଣି ଚଳିତ ବର୍ଷ ଚତୁର୍ଥ ଥର ପାଇଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ ନଦୀର ନିମ୍ନ ଅବବାହିକା ଅଞ୍ଚଳ ଉତ୍ତର ବାଲେଶ୍ଵରର ୪ ଟି ବ୍ଲକ ଜଳେଶ୍ୱର, ଭୋଗରାଇ,ବାଲିଆପାଳ ଓ ବସ୍ତା ବ୍ଲକ୍ ନଦୀକୂଳିଆ ଗାଁଗୁଡ଼ିକରେ ବନ୍ୟା ପରିସ୍ଥିତି ଗମ୍ଭୀରହେବାରେ ଲାଗିଛି।
ସୁବର୍ଣ୍ଣରେଖା ନଦୀରେ ଏହି ଚତୁର୍ଥ ବନ୍ୟା ଯୋଗୁଁ ଉତ୍ତର ବାଲେଶ୍ଵରର ୩୮ ଟି ପଞ୍ଚାୟତର ୧୫୪ ଟି ଗାଁ ଏବେ ବନ୍ୟା ଜଳ ଦ୍ବାରା ପ୍ଳାବିତ ହେବାକୁ ଲାଗିଲାଣି। ବିଶେଷ କରି ଭୋଗରାଇ ବ୍ଲକ ୧୫ ଟି ପଞ୍ଚାୟତ,ବାଲିଆପାଳ ବ୍ଲକର ୯, ଜଳେଶ୍ୱରର ୮ ଓ ବସ୍ତା ବ୍ଲକ୍ ୬ ଟି ପଞ୍ଚାୟତର ଶହେ ରୁ ଉର୍ଦ୍ଧ୍ବ ଗାଁ ପାଣିଘେରରେ। ବାଲିଆପାଳ ବ୍ଲକର ସୁବର୍ଣ୍ଣରେଖା ନଦୀକୂଳରେ ଥିବା ଅସ୍ତି,ବିଷ୍ଣୁପୁର,ମଧୁପୁରା,ଜାମୁକୁଣ୍ଡା ଓ ବାଲିଆପାଳ ଓ ଭୋଗରାଇ ବ୍ଲକର ଆରୁହାବୃତ୍ତି,କୁମ୍ଭୀରଗଡି,ଖରିଦପିପଳ,ଗବଗାଁ, ଆଦି ପଞ୍ଚାୟତର ବହୁ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି।
ଜଳେଶ୍ଵର ବ୍ଲକର ପଶ୍ଚିମବାଡ ପଞ୍ଚାୟତର ଚଡ୍ ନମକନା, ଦେବକୁମାର ଗାଁର ଦଳେଇ ସାହି,ବାଇଗଣବାଡିଆ ପଞ୍ଚାୟତର ଛୋଟଖାନପୁର,ଆକନା,କାଳିକାପୁର ଝାଡପିପଳ ପଞ୍ଚାୟତର ଝାଡପିପଳ,ଘଣ୍ଟିଆଡି,ଗଡସାହି ବାଲିଆପାଳ ପଞ୍ଚାୟତର ଗାଁ ଗୁଡ଼ିକରେ ଅନେକ ପରିବାର ଗତକାଲି ବିଳମ୍ବିତ ରାତିରୁ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି।
ଏପଟେ ଗୋଟିଏ ପଟେ ଲଗାଣ ବର୍ଷା ପାଣି ଓ ଅନ୍ୟପଟେ ଝାରଖଣ୍ଡର ଗାଲୁଡିହ ବ୍ୟାରେଜର ୭ଟି ଗେଟ୍ କୁ ଗତକାଲି ସକାଳ ୮ ଟା ସମୟରେ ଖୋଲି ଦିଆଯିବା ପରେ ବନ୍ୟା ପରିସ୍ଥିତି ଏପରି ଗମ୍ଭୀର ହୋଇଥିବା କୁହାଯାଇଛି । ୭ଟି ଗେଟ୍ ଦେଇ ନଦୀକୁ ୨୮୦୮ କ୍ୟୁସେକ ପାଣି ନଦୀକୁ ନିଷ୍କାସିତ ହେଉଥିବାରୁ ସୁବର୍ଣ୍ଣରେଖା ନଦୀର ନିମ୍ନ ଅବବାହିକା ଅଞ୍ଚଳରେ ନଦୀର ଜଳପତ୍ତନ ଗତକାଲି ମଧ୍ୟାହ୍ନରୁ ବଢିବାରେ ଲାଗିଛି ।

