ବାଲେଶ୍ଵର: ସାଙ୍ଗକୁ ଡାକି ମାରିଲା ସାଙ୍ଗ। ଅପହରଣ ପରେ ଯୁବକଙ୍କୁ ହତ୍ୟା । ମାଟିତଳେ ପୋତିଦେଲା ଅଭିଯୁକ୍ତ । ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ଜାମୁନା ଗାଁର ଏହି ଘଟଣା । ମୃତକ ହେଲେ ଏହି ଗାଁର ବୀରେନ୍ଦ୍ର ବେହେରା ।
ସୂଚନାଥାଉକି, ବୀରେନ୍ଦ୍ର ବେହେରା ନାମକ ବ୍ୟକ୍ତିଙ୍କ ଅପହରଣ ନେଇ ତାଙ୍କ ପତ୍ନୀ ସାବିତ୍ରୀ ବେହେରା ଗତ ୩୧ ତାରିଖରେ ଥାନାରେ ଅଭିଯୋଗ କରିଥିଲେ। ବୀରେନ୍ଦ୍ରଙ୍କ ସାଙ୍ଗ ବିରେନ ମଢ଼େଇ ତାଙ୍କୁ ଡାକି ନେଇ ହତ୍ୟା କରିଥିବା ଅଭିଯୋଗ ହୋଇଛି।
ସାବିତ୍ରାଙ୍କ ଅଭିଯୋଗ ଅନୁଯାୟୀ, ବୀରେନ୍ ମଢେଇ ନାମକ ଜଣେ ଯୁବକଙ୍କର ସହ ବୀରେନ୍ଦ୍ର ବେହେରାଙ୍କର ଭଲ ବନ୍ଧୁତା ଥିଲା। କିନ୍ତୁ ବୀରେନ୍ ମଢେଇଙ୍କ ସ୍ତ୍ରୀଙ୍କ ସହ ବୀରେନ୍ଦ୍ର ବେହେରାଙ୍କ ଅନୈତିକ ସମ୍ପର୍କ ଥିବା ଅଭିଯୋଗ ହୋଇଥିଲା। ପୂର୍ବରୁ ଏହି ମାମଲାର ଥରେ ଗାଁ ପଞ୍ଚାୟତରେ ସମାଧାନ ହୋଇଥିଲା। ବହୁ ସମୟରେ ବିରେନ ମଢେଇ ବୀରେନ୍ଦ୍ରଙ୍କୁ ଜୀବନରୁ ମାରିଦେବାର ଧମକ ମଧ୍ୟ ଦେଉଥିଲେ। ଗତ ମାସ ୨୫ ତାରିଖରେ ଏକ ଫୋନ ନମ୍ବରରୁ ବୀରେନ୍ଦ୍ରଙ୍କୁ ଡମ୍ପର ଚଳାଇବା ପାଇଁ କପ୍ତିପଦାକୁ ଡକା ଯାଇଥିଲା। ସେ କପ୍ତିପଦା ଅଭିମୁଖେ ଯିବାବେଳେ ଜାମୁନା ଛକରୁ ତାଙ୍କୁ ଅପହରଣ କରାଯାଇଥିଲା।
ଘରକୁ ନ ଫେରିବାରୁ ବୀରେନ୍ଦ୍ରଙ୍କ ଭାଇ ଥାନାରେ ଅଭିଯୋଗ କରିଥିଲେ। ବିରେନକୁ ଅଟକ ପଚରା ଉଚୁରା ପରେ ସେ ସତ ସ୍ବୀକାର କରିଥିଲା। ସାଙ୍ଗ ବିରେନ ଶ୍ୱଶୁର ଘରକୁ ନେଇ ବୀରେନ୍ଦ୍ରଙ୍କୁ ହତ୍ୟାକରି ଘରପଛ ବାରିରେ ପୋତି ଦେଇଥିବା ଜଣାପଡ଼ିଛି। ଘଟଣା ସ୍ଥଳରୁ ମାଟି ଖୋଳି ଗଳିତ ମୃତଦେହ ଉଦ୍ଧାର କରିଛି ପୋଲିସ।
