ପରଦାକୁ ଫେରିବ ‘ତାରା ସିଂ’ଙ୍କ ଦମ୍ଦାର୍ ଆକ୍ସନ, ଆସନ୍ତାବର୍ଷ ‘ଗଦର ୩’ର ସୁଟିଂ !
ବକ୍ସ ଅଫିସରେ ଇତିହାସ ରଚିଥିଲା 'ଗଦର'
ମୁମ୍ବାଇ: ବଲିଉଡର ସର୍ବକାଳୀନ ସୁପରହିଟ୍ ଫିଲ୍ମ ‘ଗଦର: ଏକ ପ୍ରେମ କଥା’ର ୨୫ ବର୍ଷ ପୂର୍ତ୍ତି ଅବସରରେ ଦର୍ଶକଙ୍କ ପାଇଁ ଏକ ବଡ଼ ଖୁସି ଖବର ସାମ୍ନାକୁ ଆସିଛି। ଫିଲ୍ମର ନିର୍ଦ୍ଦେଶକ ଅନିଲ ଶର୍ମା ‘ଗଦର ୩’ କୁ ନେଇ ଏକ ବଡ଼ ଅପଡେଟ୍ ଦେଇଛନ୍ତି। ଯଦି ସବୁକିଛି ଯୋଜନା ମୁତାବକ ଚାଲେ, ତେବେ ଆସନ୍ତାବର୍ଷ ଏହି ସିନେମାର ସୁଟିଂ ଆରମ୍ଭ ହୋଇଯିବ ବୋଲି ସେ ସୂଚନା ଦେଇଛନ୍ତି, ଯାହାକୁ ନେଇ ସିନେପ୍ରେମୀଙ୍କ ମଧ୍ୟରେ ଉତ୍କଣ୍ଠା ଦ୍ଵିଗୁଣିତ ହୋଇଯାଇଛି।
ବକ୍ସ ଅଫିସରେ ଇତିହାସ ରଚିଥିଲା ‘ଗଦର’
୨୦୦୧ ମସିହାରେ ମୁକ୍ତିଲାଭ କରିଥିବା ‘ଗଦର: ଏକ ପ୍ରେମ କଥା’ ଆଜି ବି ଦର୍ଶକଙ୍କ ହୃଦୟରେ ଏକ ସ୍ଵତନ୍ତ୍ର ସ୍ଥାନ ବଜାୟ ରଖିଛି। ନିର୍ଦ୍ଦେଶକ ଅନିଲ ଶର୍ମାଙ୍କ କହିବା ଅନୁଯାୟୀ, ସେହି ସମୟରେ ପ୍ରାୟ ୧୦ କୋଟି ଲୋକ ପ୍ରେକ୍ଷାଳୟକୁ ଆସି ଏହି ଚଳଚ୍ଚିତ୍ରକୁ ଦେଖିଥିଲେ, ଯାହା ଆଜି ପର୍ଯ୍ୟନ୍ତ ଏକ ରେକର୍ଡ ହୋଇ ରହିଛି। ଏହାପରେ ଆସିଥିବା ‘ଗଦର ୨’ ମଧ୍ୟ ବକ୍ସ ଅଫିସରେ ବମ୍ପର କମାଇ କରି ଏହି ଫ୍ରାଞ୍ଚାଇଜ୍ର ଲୋକପ୍ରିୟତାକୁ ପୁଣି ଥରେ ପ୍ରମାଣିତ କରିଥିଲା।
ଦମ୍ଦାର୍ ହେବ ‘ଗଦର ୩’ର କାହାଣୀ
‘ଗଦର ୩’ ର ସ୍ପେଶାଲ୍ ଅପଡେଟ୍ ଦେଇ ନିର୍ଦ୍ଦେଶକ କହିଛନ୍ତି ଯେ, ବର୍ତ୍ତମାନ ଚଳଚ୍ଚିତ୍ରର ସ୍କ୍ରିପ୍ଟ ଉପରେ କାମ ଚାଲିଛି। ସେ ଏଭଳି ଏକ କାହାଣୀ ସନ୍ଧାନରେ ଅଛନ୍ତି ଯାହା ନ୍ୟୁକ୍ଲିୟର ବମ୍ ଭଳି ଶକ୍ତିଶାଳୀ ଏବଂ ଭାବନାତ୍ମକ ଭାବେ ଅତ୍ୟନ୍ତ ଦମ୍ଦାର୍ ହୋଇଥିବ। ଥରେ ସ୍କ୍ରିପ୍ଟ ଫାଇନାଲ୍ ହେବା ପରେ ଆସନ୍ତାବର୍ଷ ଏହାର ସୁଟିଂ କାମ ଆରମ୍ଭ କରାଯିବ।
ତାରା ସିଂ ଓ ସକିନାଙ୍କ ଯୋଡ଼ିକୁ ଚାହିଁଛନ୍ତି ଦର୍ଶକ
‘ଗଦର’ ଫ୍ରାଞ୍ଚାଇଜ୍ର ଏହି ଅପାର ସଫଳତା ପଛର ସବୁଠାରୁ ବଡ଼ କାରଣ ହେଉଛି ସୁପରଷ୍ଟାର୍ ସନି ଦେଓଲ ଏବଂ ଅମିଷା ପଟେଲଙ୍କ ଚମତ୍କାର କେମିଷ୍ଟ୍ରି। ‘ତାରା ସିଂ’ ଏବଂ ‘ସକିନା’ଙ୍କ ଏହି ଅମର ପ୍ରେମ କାହାଣୀକୁ ଦର୍ଶକ ଆଜି ବି ଖୁବ୍ ଭଲପାଆନ୍ତି। ଏହି କାରଣରୁ ପ୍ରଶଂସକମାନେ ଏବେଠାରୁ ‘ଗଦର ୩’ ପାଇଁ ଚାତକ ଭଳି ଅପେକ୍ଷା କରି ରହିଛନ୍ତି।
