ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟରେ ‘ଗଜପତି ଦିବସ’ ପାଳିତ ହୋଇଯାଇଛି।
ଏହି ଅବସରରେ ଓଡ଼ିଶା ସରକାରଙ୍କ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ଯେ “କେବଳ ଓଡ଼ିଆ ବୋଲି ଗର୍ବ କରିବା ଯଥେଷ୍ଟ ନୁହେଁ, ବରଂ ଏହି ଗୌରବଶାଳୀ ଜାତିକୁ ନିଜ ଭିତରକୁ ଚାହିଁ ଆତ୍ମ-ଅନୁଶୀଳନ କରିବାକୁ ପଡ଼ିବ। ଆମେ ଭୁଲିଯିବା ଉଚିତ ନୁହେଁ ଯେ, ପ୍ରଥମ ଓଡ଼ିଆ ସମ୍ରାଟ ଗଜପତି କପିଳେନ୍ଦ୍ର ଦେବ ନିଜର ବିଶାଳ ସାମ୍ରାଜ୍ୟକୁ ସେହି ସମୟରେ ଜଗନ୍ନାଥ ସଂସ୍କୃତି ଓ ଜାତୀୟତାର ଏକ ସୂତ୍ରରେ ବାନ୍ଧିଥିଲେ। ସେ ସମଗ୍ର ବିଶ୍ୱକୁ ବାର୍ତ୍ତା ଦେଇଥିଲେ ଯେ ଉତ୍କଳ ଭୂମିର ପ୍ରକୃତ ଅଧିପତି ବା ସମ୍ରାଟ ହେଉଛନ୍ତି ସ୍ୱୟଂ ଶ୍ରୀଜଗନ୍ନାଥ ଏବଂ ଗଜପତି ମାତ୍ର ତାଙ୍କର ପ୍ରଥମ ସେବକ।
ଉତ୍କଳ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ‘ବିୟଣ୍ଡ ହେରିଟେଜ୍ ଟ୍ରଷ୍ଟ’ ଏବଂ ‘ଓଡ଼ିଶା ସାହିତ୍ୟ ଏକାଡେମୀ’ର ମିଳିତ ସହଯୋଗରେ ସୂର୍ଯ୍ୟବଂଶୀ ଗଜପତି ରାଜବଂଶର ପ୍ରତିଷ୍ଠାତା ଗଜପତି କପିଳେନ୍ଦ୍ର ଦେବଙ୍କ ୫୯୧ତମ ରାଜ୍ୟାଭିଷେକ ଉତ୍ସବ ବିଶ୍ୱବିଦ୍ୟାଳୟର ଏମ୍.କେ.ସି.ଜି. ପ୍ରେକ୍ଷାଳୟଠାରେ ଅନୁଷ୍ଠିତ ହୋଇଯାଇଛି।
ଏହି ସମାରୋହରେ କଟକ ସାଂସଦ ଭର୍ତ୍ତୃହରି ମହତାବ କହିଛନ୍ତି ଯେ, “ମଧ୍ୟକାଳୀନ ଭାରତର ଦିଗ୍ବିଜୟୀ ରାଜା କପିଳେନ୍ଦ୍ର ଦେବଙ୍କୁ ନେଇ ଅନେକ ଲୋକକଥା ରହିଛି, କିନ୍ତୁ ଆଜିର ପିଢ଼ି ତାଙ୍କର ପ୍ରକୃତ ଇତିହାସ ଜାଣିବା ନିହାତି ଜରୁରୀ। ସେ ଏହି ଦିଗରେ ଆହୁରି ଗଭୀର ଗବେଷଣା କରିବାକୁ ଇତିହାସକାର ଓ ଗବେଷକମାନଙ୍କୁ ଆହ୍ୱାନ ଦେଇଛନ୍ତି। ଅନ୍ୟତମ ବିଶିଷ୍ଟ ଅତିଥି ତଥା ଐତିହାସିକ ପ୍ରଫେସର କୁଲଦୀପ୍ ଚନ୍ଦ୍ ଅଗ୍ନିହୋତ୍ରୀ ବିଦେଶୀ ଚଷମା ଖୋଲି ଭାରତୀୟ ଦୃଷ୍ଟିକୋଣରୁ ନିଜ ପୂର୍ବପୁରୁଷଙ୍କ ବୀରତ୍ୱକୁ ଜାଣିବା ଏବଂ ଗଜପତି ରାଜାମାନଙ୍କ ତଥ୍ୟକୁ ପାଠ୍ୟପୁସ୍ତକରେ ଅଧିକ ସ୍ଥାନ ଦେବା ଉପରେ ଗୁରୁତ୍ୱାରୋପ କରିଛନ୍ତି।
ଏହି କାର୍ଯ୍ୟକ୍ରମରେ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଚଣ୍ଡୀ ପ୍ରସାଦ ନନ୍ଦ କହିଛନ୍ତି, “ଯଦି ଆମେ ପ୍ରକୃତ ‘ଓଡ଼ିଆ ଅସ୍ମିତା’ର ସନ୍ଧାନ କରିବାକୁ ଚାହୁଁ ତେବେ ଆମକୁ ଅତୀତକୁ ଚାହିଁବାକୁ ହେବ। ଆମ ମାଟିର ମହାନ ଗଜପତି କପିଳେନ୍ଦ୍ର ଦେବଙ୍କ ଶାସନ କାଳରେ ହିଁ ଓଡ଼ିଶାର ଭିତ୍ତିଭୂମି ସୁଦୃଢ଼ ହୋଇଥିଲା। ଏହି ଉତ୍ସବ ଆଜିର ‘ଜେନ-ଜି’ ଯୁବପିଢ଼ିଙ୍କୁ ଓଡ଼ିଆ ଜାତି ପ୍ରତି ଗଜପତି କପିଳେନ୍ଦ୍ର ଦେବଙ୍କ ଚିରନ୍ତନ ଅବଦାନକୁ ବୁଝିବାରେ ସାହାଯ୍ୟ କରିବ।
କାର୍ଯ୍ୟକ୍ରମରେ ଗଜପତିଙ୍କ ବୀରତ୍ୱକୁ ନେଇ ଏକ ସ୍ୱତନ୍ତ୍ର ପ୍ରଦର୍ଶନୀ “ସମର, ସମ୍ରାଟ, ଓ ସନାତନ” ଏବଂ କ୍ଷୁଦ୍ର ଚଳଚ୍ଚିତ୍ର “ଲକ୍ଷେ ରଜାର ମଉଡ଼ମଣି: ଗଜପତିଙ୍କ ଗୌରବମୟ ଗାଥା” ଉନ୍ମୋଚିତ ହେବା ସହ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏହି ସମାରୋହରେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର (ମୁଖ୍ୟବକ୍ତା), ପଦ୍ମଶ୍ରୀ ଅଦ୍ୱୈତ ଚରଣ ଗଡ଼ନାୟକ (ବିଶିଷ୍ଟ ଅତିଥି), ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଡକ୍ଟର ଚନ୍ଦ୍ରଶେଖର ହୋତା ଏବଂ ବିୟଣ୍ଡ ହେରିଟେଜ୍ ଟ୍ରଷ୍ଟର ଅଧ୍ୟକ୍ଷ ଆର୍କିଟେକ୍ଟ ସୁଭଜ ମହାନ୍ତି ପ୍ରମୁଖ ମଞ୍ଚାସୀନ ଥିଲେ।
ଅନୁଷ୍ଠିତ ଆଲୋଚନାଚକ୍ରରେ ପୂର୍ବତନ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ପ୍ରଫେସର କିଶୋର କୁମାର ବାସା, ସତ୍ୟଜିତ ଓଝା, ଜାତୀୟ ପୁରସ୍କାରପ୍ରାପ୍ତ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ ଓ ଐତିହ୍ଯ ଗବେଷକ ଦୀପକ କୁମାର ନାୟକ, ବହୁ ସଂଖ୍ୟାରେ ଇତିହାସ ପ୍ରେମୀ, ଗବେଷକ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।
Comments are closed.