ଭୁବନେଶ୍ବର: ‘ଓଡ଼ିଶା ଯାତ୍ରୀ’ ଆପ୍ରେ ଉନ୍ନତ ସୁରକ୍ଷା ମଡ୍ୟୁଲର ଶୁଭାରମ୍ଭ କଲେ ରାଜ୍ୟ ସରକାର । ଏହି ମଡ୍ୟୁଲ୍ ସାମିଲ କରିବା ପରେ ଏହାକୁ ଦେଶର ପ୍ରଥମ ସରକାରୀ ସମନ୍ୱିତ ସୁରକ୍ଷା ଓ ଗମନାଗମନ ପ୍ଲାଟଫର୍ମ ଭାବେ ରୂପାନ୍ତରିତ କରାଯାଇଛି । ନୂଆ କରି ସାମିଲ ହୋଇଥିବା ଏହି ସୁରକ୍ଷା ମଡ୍ୟୁଲକୁ ଓଡ଼ିଶା ପୋଲିସ ଏବଂ ଜାତୀୟ ଜରୁରୀକାଳୀନ ସେବା ‘୧୧୨’ ସହ ସମନ୍ୱିତ କରାଯାଇଛି । ଯାହାଦ୍ୱାରା ଜରୁରୀକାଳୀନ ପରିସ୍ଥିତିରେ ଉପଭୋକ୍ତା ରିୟଲ୍-ଟାଇମ୍ ଲୋକେସନ୍ ଆଧାରିତ ଆଲର୍ଟ ମାଧ୍ୟମରେ ତୁରନ୍ତ ପ୍ରଶାସନିକ ସହାୟତା ପାଇପାରିବେ ।
ପୂର୍ବରୁ ଅଟୋ-ରିକ୍ସା ବୁକିଂ, କ୍ୟାବ୍ ସେବା, ‘ଆମ ବସ୍’ ସୂଚନା ଓ ଟିକଟିଂ ଏବଂ ବୋଟିଂ ସେବା ଭଳି ଦୈନନ୍ଦିନ ଗମନାଗମନ ପାଇଁ ଜନସାଧାରଣଙ୍କ ଦ୍ୱାରା ବହୁଳ ଭାବେ ବ୍ୟବହୃତ ହେଉଥିବା ‘ଓଡ଼ିଶା ଯାତ୍ରୀ’ ଆପ୍ରେ ଏବେ ବ୍ୟକ୍ତିଗତ ସୁରକ୍ଷା ପାଇଁ ଏକ ବ୍ୟବସ୍ଥା ଉପଲବ୍ଧ କରାଯାଇଛି ।
‘ୱାନ୍-ଟ୍ୟାପ୍’ ଫିଚର ମାଧ୍ୟମରେ ଉପଭୋକ୍ତା ଜରୁରୀକାଳୀନ ପରିସ୍ଥିତିରେ ପୋଲିସ ଏବଂ ନିଜର ବିଶ୍ୱସ୍ତ ବ୍ୟକ୍ତିମାନଙ୍କ ପାଖକୁ ତୁରନ୍ତ ଲାଇଭ୍ ଲୋକେସନ୍ ସହ ଆଲର୍ଟ ପଠାଇପାରିବେ । ଯଦି ମୋବାଇଲ୍ ସ୍କ୍ରିନ୍ ବ୍ୟବହାର କରିବା ସମ୍ଭବ ହେଉନଥିବା ସମୟରେ ଆଣ୍ଡ୍ରଏଡ୍ ଡିଭାଇସକୁ ଟିକେ ହଲାଇ କିମ୍ବା ଆଇଫୋନ୍ ର ପଛଭାଗକୁ ଟ୍ୟାପ୍ କରି ‘ଜେସ୍ଚର-ଟ୍ରିଗର୍ଡ’ ମାଧ୍ୟମରେ ସହାୟତା ଲୋଡ଼ିହେବ ।
ଆଗାମୀ ଦିନରେ ଏଥିରେ ଆନ୍ତଃସହର ବସ୍ ସେବା, ପ୍ରମୁଖ ପର୍ଯ୍ୟଟନସ୍ଥଳୀ ପାଇଁ ଡିଜିଟାଲ୍ ଟିକଟିଂ ଏବଂ ଅନ୍ୟାନ୍ୟ ଜନସେବାକୁ ସାମିଲ କରାଯାଇ ଏହାକୁ ଦେଶର ପ୍ରଥମ ସରକାରୀ ‘ସୁପର ଆପ୍’ ଭାବେ ପ୍ରସ୍ତୁତ କରାଯିବ ।
