Latest Odisha News

BREAKING NEWS

ଶ୍ରୀଲଙ୍କାର ସ୍ପିନ୍ ଟ୍ରାକରେ ଜିତିବାକୁ ଟିମ ଇଣ୍ଡିଆର ସ୍ୱତନ୍ତ୍ର ଯୋଜନା

କଲମ୍ବୋ: ଶ୍ରୀଲଙ୍କାର ସ୍ପିନିଂ ଟ୍ରାକରେ ବିଜୟ ହାସଲ କରିବା ପାଇଁ ଭାରତୀୟ ଦଳ କୌଣସି ସୁଯୋଗ ହାତଛଡ଼ା କରିବାକୁ ଚାହୁଁନାହିଁ । ଅଗଷ୍ଟ ୧୫ରୁ ଗାଲେରେ ଆରମ୍ଭ ହେବାକୁ ଯାଉଥିବା ପ୍ରଥମ ଟେଷ୍ଟ ପୂର୍ବରୁ ହେଡ୍ କୋଚ୍ ଗୌତମ ଗମ୍ଭୀର କଲମ୍ବୋରେ ଗାଲେ ଭଳି  ପିଚ୍ ତିଆରି କରି ବ୍ୟାଟରମାନଙ୍କୁ କଠିନ ଅଭ୍ୟାସ କରାଇଛନ୍ତି । ଗମ୍ଭୀରଙ୍କ କହିବା ଅନୁଯାୟୀ, ପ୍ରଥମ ଟେଷ୍ଟ ଆରମ୍ଭ ହେବା ସୁଦ୍ଧା ଦଳ ପ୍ରତ୍ୟେକ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପୂରା ପ୍ରସ୍ତୁତ ।

ଗାଲେର ସ୍ପିନ୍ ଏବଂ ଅସମାନ ବାଉନ୍ସ ଥିବା ପିଚକୁ ଧ୍ୟାନରେ ରଖି ହେଡ କୋଚ ଗୌତମ ଗମ୍ଭୀର ଏବଂ ବ୍ୟାଟିଂ କୋଚ୍ ସିତାଂଶୁ କୋଟକ ପଡ଼ିଆର ଗୋଟିଏ ପାର୍ଶ୍ୱରେ ୨୨ ଗଜର ଏକ ଅନ୍-କ୍ୟୁରେଟେଡ ପିଚ ତିଆରି କରାଇଛନ୍ତି । ଏହି ଟ୍ରାକରେ ଘାସ, ଫାଟ ଏବଂ ହାଲୁକା ମାଟି ଜାଣିଶୁଣି ଛଡ଼ାଯାଇଥିଲା, ଯେପରି ବ୍ୟାଟରମାନେ ଗାଲେ ଟେଷ୍ଟର ଚତୁର୍ଥ ଓ ପଞ୍ଚମ ଦିନ ଭଳି ଟର୍ନ ଏବଂ ଅସମାନ ବାଉନ୍ସର ସାମ୍ନା କରିବାକୁ ଆଗୁଆ ଅଭ୍ୟାସ କରିପାରିବେ । ଏଭଳି ଚ୍ୟାଲେଞ୍ଜିଂ ପରିସ୍ଥିତିରେ ଭାରତୀୟ ଟପ୍ ଅର୍ଡର ବ୍ୟାଟରମାନେ ଦୀର୍ଘ ସମୟ ଧରି ଅଭ୍ୟାସ କରିଥିଲେ ।

ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନସିପର ଚଳିତ ସଂସ୍କରଣରେ ଫାଇନାଲ୍ ଆଶା ବଜାୟ ରଖିବା ପାଇଁ ଭାରତ ପାଇଁ ଏହି ସିରିଜ୍ ବହୁତ ଗୁରୁତ୍ୱପୂର୍ଣ୍ଣ । ଫାଇନାଲ୍ ଦୌଡ଼ରେ ନିଜ ସ୍ଥିତି ମଜବୁତ କରିବାକୁ ହେଲେ ଶ୍ରୀଲଙ୍କା ବିପକ୍ଷରେ ଭାରତକୁ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ । ବିଗତ ଗୋଟିଏ ବର୍ଷ ମଧ୍ୟରେ ଭାରତ ଇଂଲଣ୍ଡରେ ଟେଷ୍ଟ ସିରିଜ୍ ୨-୨ରେ ଡ୍ର କରିଥିବା ବେଳେ ଦକ୍ଷିଣ ଆଫ୍ରିକାରେ ୦-୨ରେ ହାରିଥିଲା । ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଏପର‌୍ୟ୍ୟନ୍ତ ୧୭ଟି ଟେଷ୍ଟ ସିରିଜ୍ ଖେଳାଯାଇଛି । ଏଥିମଧ୍ୟରୁ ଟିମ୍ ଇଣ୍ଡିଆର ପଲା ଭାରି ରହିଛି । ଭାରତ ୧୦ଟି ସିରିଜ୍ ଜିତିଥିବା ବେଳେ ଶ୍ରୀଲଙ୍କା ମାତ୍ର ୩ଟିରେ ଜିତିଛି ଏବଂ ୪ଟି ସିରିଜ୍ ଡ୍ର ରହିଛି । ଶ୍ରୀଲଙ୍କା ଗତ ୬ଟି ସିରିଜ୍ ହେବ ଭାରତକୁ ହରାଇପାରି ନାହିଁ। ଦଳ ଶେଷଥର ପାଇଁ ୨୦୦୮ରେ ଭାରତ ବିପକ୍ଷରେ ଟେଷ୍ଟ ସିରିଜ୍ ଜିତିଥିଲା, ଅର୍ଥାତ୍ ପ୍ରାୟ ୧୮ ବର୍ଷ ହେବ ଶ୍ରୀଲଙ୍କାକୁ ଭାରତ ବିପକ୍ଷରେ ସିରିଜ୍ ବିଜୟର ପ୍ରତୀକ୍ଷା ରହିଛି ।

Leave A Reply

Your email address will not be published.