Latest Odisha News

BREAKING NEWS

ତ୍ରିରଙ୍ଗା ଝଣ୍ଡା, ଗାନ୍ଧୀଜୀ ଓ ପିଙ୍ଗାଲି ଭେଙ୍କେୟା

ପ୍ରହଲାଦ କୁମାର ସିଂହଙ୍କର ନିୟମିତ ସ୍ତମ୍ବ ‘ଗାନ୍ଧୀ କଥା’

୨୦୨୧ର ଟୋକିଓ ଅଲମ୍ପିକ୍ସରେ ଭାରତର ଖେଳାଳିମାନେ ଉଡାଇଥିଲେ ତ୍ରିରଙ୍ଗା ଝଣ୍ଡା । ତେବେ ସେହି ଟୋକିଓରେ ୧୯୪୦ରେ ଅନୁଷ୍ଠିତ ପୂର୍ବାଞ୍ଚଳ କ୍ରୀଡାରେ କିନ୍ତୁ ଭାରତୀୟ ଖେଳାଳିମାନଙ୍କୁ ଉଡାଇବାକୁ ପଡିଥିଲା ବ୍ରିଟିଶ-ଇଣ୍ଡିଆର ପତାକା । ୧୯୩୬ର ବର୍ଲିନ୍ ଅଲମ୍ପିକ୍ସରେ ଧ୍ୟାନଚାନ୍ଦ୍‌ଙ୍କୁ ଧରିବାକୁ ପଡିଥିଲା ବ୍ରିଟିଶ୍ ପତାକା । ତେବେ ସ୍ୱାଧୀନତା ପୂର୍ବରୁ ଜୁରିକ୍‌ରେ ଅନୁଷ୍ଠିତ ଆନ୍ତର୍ଜାତିକ କ୍ରୀଡାରେ ଅଲମ୍ପିଆନ୍ ଜାନକୀଦାସ ମେହେରା ତ୍ରିରଙ୍ଗା ଝଣ୍ଡା ଉଡାଇ ସମଗ୍ର ବିଶ୍ୱକୁ ଚକିତ କରିଥିଲେ ।

ଜାନକୀ ଦାସ ଜଣେ ସଫଳ କ୍ରୀଡାବିତ୍ । ୧୯୩୪ରୁ ୧୯୪୨ ମଧ୍ୟରେ ସାଇକେଲ ଚାଳନା କ୍ଷେତ୍ରରେ ସେ ବାରମ୍ବାର ନିଜ ରେକର୍ଡକୁ ନିଜେ ଭାଙ୍ଗିଥିଲେ । ତାଙ୍କରି ଉଦ୍ୟମରେ ଗଢ଼ାହୋଇଥିଲା ଜାତୀୟ ସାଇକେଲ ଚାଳନା ମହାସଙ୍ଘ । ଚଳଚିତ୍ର ଦୁନିଆରେ ବି ତାଙ୍କର ସୁନାମ ଥିଲା । ଜଣେ ଅଭିନେତା, ନିର୍ଦ୍ଦେଶକ ହିସାବରେ ସେ ଜଣାଶୁଣା । ଚଳଚିତ୍ର ସହିତ କ୍ରୀଡା ଜଗତରେ ସେ ଅଗ୍ରଣୀ ଭୂମିକା ନିଭାଇବା ସଙ୍ଗେ ସଙ୍ଗେ ସ୍ୱାଧୀନତା ସଂଗ୍ରାମରେ ବି ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ଜୁରିକ୍ କ୍ରୀଡା ପୂର୍ବରୁ ଜାନକୀ ଦାସ ମହାତ୍ମା ଗାନ୍ଧୀଙ୍କୁ ଭେଟି ଆଶୀର୍ବାଦ ଲୋଡିଥିଲେ । ପାଖରେ ଥିବା ଏକ ତ୍ରିରଙ୍ଗା ଝଣ୍ଡା ଗାନ୍ଧୀଜୀ ଜାନକୀ ଦାସଙ୍କୁ ଦେଇ ତାହାର ଟେକ ରଖିବା ପାଇଁ ସୁଚାଇଥିଲେ । ଜୁରିକ୍‌ରେ କ୍ରୀଡାବିତ୍‌ମାନେ ନିଜ ନିଜ ଦେଶର ପତାକା ଉଡାଇଥିବାବେଳେ ଜାନକୀ ଦାସ ପତାକା ସ୍ତମ୍ଭରେ ଭାରତ ପାଇଁ ଆଗରୁ ବନ୍ଧା ଯାଇଥିବା ବ୍ରିଟିଶ୍ ପତାକାକୁ ଖୋଲି ତାହା ସ୍ଥାନରେ ଚରଖା ଚିହ୍ନିତ ତ୍ରିରଙ୍ଗା ଝଣ୍ଡାଟି ଉଡାଇଥିଲେ । ଗାନ୍ଧୀଙ୍କଠାରୁ ଏହି ପତାକାଟି ଗ୍ରହଣ କରିବାବେଳେ ଜାନକୀ ଦାସ ତାହା ଉପରେ ଗାନ୍ଧୀଜୀଙ୍କ ଦସ୍ତଖତ ନେଇଥିଲେ । ଏବେ ବି ଏହି ପତାକାଟି ଦିଲ୍ଲୀର ଗାନ୍ଧୀ ଜାତୀୟ ସଂଗ୍ରହାଳୟରେ ସଂରକ୍ଷିତ ହୋଇ ରହିଛି ।

ଏହି ପତାକା ପଛରେ ରହିଛି ଏକ ସୁଦୀର୍ଘ ଇତିହାସ । ପୁରାଣ ଯୁଗରେ ବିଭିନ୍ନ ଯୁଦ୍ଧ ସମୟରେ ରାଜା ମହାରାଜାମାନେ ନିଜ ନିଜ ରାଜ୍ୟର ପତାକା ଉଡାଉଥିଲେ । ୧୮୫୭ରେ ସିପାହୀ ବିଦ୍ରୋହବେଳେ ବି ପତାକା ବ୍ୟବହୃତ ହେଉଥିଲା । ଏହାପରେ ଭାରତୀୟ ଉପନିବେଶ ପାଇଁ ବ୍ରିଟିଶ୍ ସରକାର ଏକ ନୀଳ ରଙ୍ଗର ପତାକା ସୃଷ୍ଟି କରିଥିଲେ ଯେଉଁଥିରେ ବ୍ରିଟିଶ୍ ରାଜମୁକୁଟ ସହିତ ତାରକା ଚିହ୍ନ ଥିଲା । ବିଭିନ୍ନ ସମୟରେ ଆମ ଦେଶର ଅନେକ କ୍ରାନ୍ତିକାରୀ ଗୋଷ୍ଠି ପତାକା ବ୍ୟବହାର କରୁଥିଲେ । ୧୯୦୬ ଅଗଷ୍ଟ ୫ ତାରିଖରେ କଲିକତାର ପାର୍ଶିବାଗେନ୍ ଠାରେ ଯେଉଁ ସଂଗ୍ରାମୀ ପତାକା ଉଡାଯାଇଥିଲା ସେଥିରେ ନୀଳ, ହଳଦିଆ ଓ ଲାଲ ରଙ୍ଗ ଥିଲା ଓ ତାହା ଉପରେ ଆଠଟି ପ୍ରସ୍ଫୁଟିତ ପଦ୍ମଫୁଲ ସହିତ ସୂର୍ଯ୍ୟ ଚିହ୍ନ ସାଙ୍ଗକୁ ବନ୍ଦେ ମାତରମ୍ ଲେଖାଯାଇଥିଲା । ୧୯୦୭ ଅଗଷ୍ଟ ୨୨ ତାରିଖରେ ମାଡାମ୍ ଭିଖାଜୀ ରୁସ୍ତମ୍ କାମା ଜର୍ମାନୀର ଷ୍ଟଟ୍‌ଗର୍ଟରେ ଅନୁଷ୍ଠିତ ଆନ୍ତର୍ଜାତିକ ସମାଜବାଦୀ କଂଗ୍ରେସ ଅଧିବେଶନରେ ମଧ୍ୟ ଉଡାଇଥିଲେ ଅନ୍ୟ ଏକ ଭାରତୀୟ ପତାକା । ଏହାପରେ ଓ ପୂର୍ବରୁ ବି ଭିନ୍ନ ଭିନ୍ନ ପ୍ରକାରର ପତାକା ବ୍ୟବହୃତ ହୋଇଛି ।

ସେନାବାହିନୀରୁ ଅବସରପରେ ସ୍ୱାଧୀନତା ଆନ୍ଦୋଳନରେ ସାମିଲ ହୋଇଥିବା ପିଙ୍ଗାଲି ଭେଙ୍କେୟା ନାମକ ଜଣେ ଯୁବକ ଭାରତର ଜାତୀୟ ପତାକା ପାଇଁ ଅନ୍ୟୁନ ୩୦ଟି ଡିଜାଇନ୍ ପ୍ରସ୍ତୁତ କରିଥିଲେ । ୧୯୨୧ରେ ବେଜୱାଡାଠାରେ ପେଙ୍ଗାଲି ଭେଟିଥିଲେ ଗାନ୍ଧୀଜୀଙ୍କୁ । ଉଭୟଙ୍କ ମଧ୍ୟରେ ଭାରତୀୟ ଝଣ୍ଡା ସମ୍ପର୍କରେ ଦୀର୍ଘ ଆଲୋଚନା ହେଲା । ଏହାର ଫଳ ସ୍ୱରୂପ କେଶରୀ, ଧଳା ଓ ସବୁଜ ରଙ୍ଗର ପତାକା ଖଦି କପଡାରେ ପସ୍ତୁତ ହେବ ଓ ତାହାର କେନ୍ଦ୍ର ସ୍ଥଳରେ ଚରଖା ଚିହ୍ନ ରଖିବାକୁ ନିଷ୍ପତ୍ତି ହେଲା । କଂଗ୍ରେସ ଅଧିବେଶନରେ ପତାକା ସମ୍ପର୍କିତ ପ୍ରସ୍ତାବ ଗୃହିତ ହେଲା । ସେତେବେଳେ ଏହି ପତାକା ହୋଇଗଲା ସ୍ୱାଧୀନତା ସଂଗ୍ରାମର ଦିଗବାରେଣୀ । ଲାହୋରରେ ଅନୁଷ୍ଠିତ କଂଗ୍ରେସ ଅଧିବେସନରେ ଜାନୁଆରୀ ୨୬କୁ ପୂର୍ଣ୍ଣ ସ୍ୱରାଜ ବା ସ୍ୱାଧୀନତା ଦିବସଭାବେ ପାଳନ କରିବାକୁ ନିଷ୍ପତ୍ତି ନିଆଗଲା ଏବଂ ତଦନୁଯାୟୀ ଦେଶର କୋଣ ଅନୁକୋଣରେ ତ୍ରିରଙ୍ଗା ଝଣ୍ଡା ଉଡାଇ ଲୋକେ ପୂର୍ଣ୍ଣ ସ୍ୱାଧୀନତା ଲାଗି ସଙ୍କଳ୍ପ ପାଠ କଲେ । ଲବଣ ସତ୍ୟାଗ୍ରହରୁ ଭାରତଛାଡ ଆନ୍ଦୋଳନ ପର୍ଯ୍ୟନ୍ତ ବିଭିନ୍ନ ସଂଗ୍ରାମରେ ଏହି ତ୍ରିରଙ୍ଗା ଝଣ୍ଡା ଥିଲା ସଂଗ୍ରାମୀମାନଙ୍କ ପ୍ରେରଣାର ଉତ୍ସ ।
୧୯୩୦ର ଲବଣ ସତ୍ୟାଗ୍ରହ କାଳରେ ହୋଇଥିବା ଦାଣ୍ଡି ଅଭିଯାନର ନେତୃତ୍ୱ ନେଇଥିଲେ ଗାନ୍ଧୀ । ତାଙ୍କ ପରେ ଆବାସ ତୟାବ୍‌ଜୀ ଓ ସରୋଜିନୀ ନାଇଡୁ ଏହି ସତ୍ୟାଗ୍ରହର ନେତୃତ୍ୱ ନେବେବୋଲି ଘୋଷଣା କରି ସେମାନଙ୍କ ହାତରେ ଗୋଟିଏ ଗୋଟିଏ ତ୍ରିରଙ୍ଗା ଝଣ୍ଡା ଧରାଇଦେଲେ ଗାନ୍ଧୀଜୀ । ଏ ଝଣ୍ଡାର ଟେକ ସେ କେତେବେଳ ପର୍ଯ୍ୟନ୍ତ ରଖିପାରିବେ ବୋଲି ସରୋଜିନୀ ପଚାରିବାରେ ଗାନ୍ଧୀଜୀ କହିଥିଲେ, ‘ଯେ ପର୍ଯ୍ୟନ୍ତ ବ୍ରିଟିଶ୍ ପୋଲିସ ତୁମ ହାତକଚଟି ଭାଙ୍ଗି ନ ଦେଇଛି ସେପର୍ଯ୍ୟନ୍ତ ତୁମେ ଏ ଝଣ୍ଡାର ଟେକ ରଖିଥିବ ।’ ଏଠାରେ ଉଲ୍ଲେଖନୀୟ ଯେ ବ୍ରିଟିଶ୍ ଆଇନ୍ ଭାଙ୍ଗି ସତ୍ୟାଗ୍ରହୀମାନେ ଯେଉଁ ଲୁଣ ମାରିବେ ତାହା ସେମାନଙ୍କ ସ୍ୱାଭିମାନର ପ୍ରତୀକ ବୋଲି ସ୍ମରଣ କରାଇ ଜୀବନ ଚାଲିଗଲେ ବି ସତ୍ୟାଗ୍ରହୀ ମୁଠେଇ ଧରିଥିବା ଲୁଣକୁ ନ ଛାଡିବା ପାଇଁ ଗାନ୍ଧୀ କହିଥିଲେ । କେବଳ ସରୋଜିନୀ ନୁହଁନ୍ତି ଦେଶର କୋଣ ଅନୁକୋଣରେ ସେତେବେଳେ ତ୍ରିରଙ୍ଗା ଝଣ୍ଡା ଉଡାଇ ହଜାର ହଜାର ସତ୍ୟାଗ୍ରହୀ ଗୁଳି, ଲାଠିକୁ ମୁକାବିଲା କରି ଲୁଣ ମାରିଲେ ।

ଏହି ତ୍ରିରଙ୍ଗା ଝଣ୍ଡାର ଟେକ ରଖିବା ପାଇଁ ସେତେବେଳେ ଚାଲିଥିଲା ଦେଶ ପ୍ରେମୀମାନଙ୍କ ପ୍ରତିଯୋଗିତା । ସଶସ୍ତ୍ର ପୋଲିସ ଘେରରେ ଥିବା ଆହ୍ଲାବାଦର ସୁଉଚ୍ଚ କ୍ଲକ୍ ଟାୱାର ଉପରକୁ ବୁର୍ଖା ପରିହିତା ମହିଳା ବେଶରେ ଯାଇ ଲାଲ ବାହାଦୁର ଶାସ୍ତ୍ରୀ ଉଡାଇଥିଲେ ଜାତୀୟ ଝଣ୍ଡା । ସେତେବେଳେ ଏହି ଯୁବକଙ୍କ ବାହାଦୁରୀ ଅନେକଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇଥିଲା । ଝଣ୍ଡା ଉଡାଇବାପରେ ଲୁଚି ପଳାଇ ନ ଆସି ଶାସ୍ତ୍ରୀଜୀ ଗିରଫ ହୋଇଥିଲେ । ନିରାପତ୍ତା ବଳୟ ଭେଦ କରି ମାଡ୍ରାସର ସେନା କ୍ୟାଣ୍ଟନ୍‌ମେଣ୍ଟ ଭିତରେ ପଶି ବାସ୍ୟମ୍ ନାମକ ଜଣେ ସଂଗ୍ରାମୀ ଯୁବକ ସେଠାରେ ଥିବା ଏକ ବେତାର ଟାୱାର ଉପରେ ଚଢ଼ି ଉଡାଇଥିଲେ ପତାକା । ଭଦ୍ରଖ କଚେରୀ ଉପରୁ ୟୁନିୟନ୍ ଜ୍ୟାକ୍ କାଢ଼ି ସୁଧାକର ମିଶ୍ର ଓ ୱାରିସ୍ ମିଆଁ ନାମକ ଦୁଇ ବନ୍ଧୁ ଉଡାଇଥିଲେ ତ୍ରିରଙ୍ଗା ଝଣ୍ଡା । ମାଥିଲିରୁ ନିମାପଡା ପର୍ଯ୍ୟନ୍ତ ବିଭିନ୍ନ ଥାନା ଉପରେ ତ୍ରିରଙ୍ଗା ଝଣ୍ଡା ଉଡାଇବାର ପ୍ରତିଯୋଗୀତାରେ ଅନେକ ଓଡିଆ ବି ସହୀଦ୍ ହୋଇଛନ୍ତି । ସେତେବେଳେ ରେଭେନ୍ସା କଲେଜର ଛାତ୍ର ଛାତ୍ରୀମାନେ କଲେଜ ପରିସରରେ ତ୍ରିରଙ୍ଗା ଝଣ୍ଡା ଉଡାଇ ଯେଉଁ ଅଦ୍ଭୁତପୂର୍ବ ସାହସିକତା ଦେଖାଇଥିଲେ ତାହା ଇତିହାସର କଥାବସ୍ତୁ ।

ରାୟଗଡା ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଗାଁ କୁଜେନ୍ଦ୍ରୀରେ ଉତ୍ତୋଳିତ ହୋଇଥିବା ତ୍ରିରଙ୍ଗା ଝଣ୍ଡାକୁ ପୋଲିସ ଫୋର୍ସ ଲଗାଇ ଜିଲ୍ଲାପାଳ ଓ ଏସ୍‌ପି ମଧ୍ୟ କାଢ଼ି ପାରି ନଥିଲେ । ସେଠାରେ ମାତୃଶକ୍ତି ନିକଟରେ ହାର ମାନିଥିଲା ପ୍ରଶାସନ । ଏହି ଗାଁରୁ ୨୧ ଜଣ ମହିଳାଙ୍କ ସମେତ ୫୬ ଜଣ ଗିରଫ ହୋଇଥିଲେ । ବାଗଲପୁରରୁ ପାଣିମୋରା ପର୍ଯ୍ୟନ୍ତ ଅନେକ ସ୍ୱାଧୀନତା ସଂଗ୍ରାମୀଙ୍କ ଗାଁରେ ବି ସୃଷ୍ଟି ହୋଇଥିଲା ଅନୁରୂପ ଆଲୋଡ଼ନ । ପାପଡାହାଣ୍ଡି, ଲୁଣିଆ, ତୁଡିଗଡିଆ, ଖଇରାଡିହି, କାଇପଡା, କଳାମାଟିଆ, ଇରମ୍ ଆଦି ଏହି ପତାକା ପାଇଁ ସ୍ୱାଧୀନତା ସଂଗ୍ରାମ କାଳରେ ପାଲଟି ଯାଇଥିଲା ରକ୍ତତୀର୍ଥ । ତ୍ରିରଙ୍ଗା ଝଣ୍ଡା ଧରି ଶୋଭାଯାତ୍ରାରେ ବାହାରିଥିବା ସୀମାନ୍ତ ପ୍ରଦେଶର ଖୁଦାଇଖିଦ୍‌ମତ୍‌ଗାରମାନଙ୍କ ଉପରେ ଚାଲିଥିଲା ଗୁଳି । ଏମାନଙ୍କ ଭିତରୁ ୩୨ ଜଣ ଘଟଣା ସ୍ଥଳରେ ଟଳି ପଡିଥିଲେ । ସମସ୍ତଙ୍କର ଆଗପଟରୁ ବାଜିଥିଲା ଗୁଳି । ପାଟନାରେ ପତାକା ଧରି ପୋଲିସ ଗୁଳିରେ ସହିଦ୍ ହୋଇଥିଲେ ୮ ଜଣ ଛାତ୍ର । କରାଚିରେ ଏକ ସତ୍ୟାଗ୍ରହରେ ତ୍ରିରଙ୍ଗା ଝଣ୍ଡା ଧରି ଆଗକୁ ମାଡି ଚାଲୁଥିବାବେଳେ ଗାନ୍ଧୀଜୀଙ୍କ ଜଣେ ଘନିଷ୍ଠ ସହଯୋଗୀ ଦୌଲତ୍‌ରାମ୍ ଭାଇଙ୍କ ଆଣ୍ଠୁରେ ଗୁଳି ବାଜିଲା । ଖବର ପାଇ ଗାନ୍ଧୀଜୀ ତାଙ୍କ ପାଖକୁ ପଠାଇଥିବା ତାରବାର୍ତ୍ତାରେ ଲେଖିଲେ, ‘ଆଣ୍ଠୁରେ ଗୁଳି ବାଜିଛି । ଛାତିରେ ବାଜିଥିଲେ ଭଲ ହୋଇଥାନ୍ତା ।’ ସ୍ୱାଧୀନତା ସଂଗ୍ରାମର ସେନାପତି ଗାନ୍ଧୀ କେବଳ କହି ପାରନ୍ତି, ‘ହମ୍‌ଲା ଚାହେ ଯୈସା ହୋଗା, ହାଥ୍ ହମାରା ନେହି ଉଠେଗା’ । ସତ୍ୟାଗ୍ରହୀ ଜୀବନ ଦେଇଦେବ ପଛେ କାହାର ଜୀବନ ନେବ ନାହିଁ । ସତ୍ୟାଗ୍ରହ ତ ଏମିତି ଏକ ବିରଳ ଅସ୍ତ୍ର ତାହାକୁ ଯିଏ ପ୍ରୟୋଗ କରେ ଓ ଯାହା ଉପରେ ପ୍ରୟୋଗ କରାଯାଏ ସେଥିରେ ଉଭୟଙ୍କର ମଙ୍ଗଳ ହୁଏ । ସତ୍ୟର ଧାତୁରେ ଅହିଂସାର ଶାଣ ଦେଇ ଗାନ୍ଧୀ ବିଶ୍ୱକୁ ଦେଇଛନ୍ତି ଏହି ସତ୍ୟାଗ୍ରହ ଅସ୍ତ୍ର ।

ଜାନୁଆରୀ ୨୬ ଅବସରରେ ଛାତ୍ର ଛାତ୍ରୀମାନଙ୍କୁ ପତାକା ଉଡାଇ ପୂର୍ଣ୍ଣ ସ୍ୱାଧୀନତା ଦିବସ ପାଳନ ଲାଗି ଆହ୍ୱାନ ଦେଇ ଗାନ୍ଧୀଜୀ କହିଥିଲେ, ‘ସ୍ୱାଧୀନତା ପାଇଁ ଆଇନ ଅମାନ୍ୟ ଆନ୍ଦୋଳନ ଆରମ୍ଭ ହୋଇଛି । ତମେମାନେ ଏଥିରେ ଭାଗୀଦାର ହୁଅ । ମୃତ୍ୟୁ ଭୟକୁ ଦୂରେଇ ଦିଅ । ଯେତେବେଳେ ଆମ ଦେଶର ସ୍ୱାଧୀନତା ସଂଗ୍ରାମର ନୂଆ ଇତିହାସ ଲେଖାଯିବ ସେଥିରେ ସ୍ୱାଧୀନତା ପାଇଁ ସଂଗ୍ରାମ କରି ମୃତ୍ୟୁ ବରଣ କରିଥିବା ଛାତ୍ରଛାତ୍ରୀଙ୍କ ନାମ ରହିବ । ମୃତ୍ୟୁକୁ ସାମ୍ନା କରିବା ପାଇଁ ଶକ୍ତି ଆବଶ୍ୟକ । ଏ ଶକ୍ତି ସଂଖ୍ୟାର ଖେଳରେ ସୀମିତ ନୁହେଁ । ଏଥିଲାଗି ଚରିତ୍ରବାନ୍‌, ଶକ୍ତିବାନ୍ ଓ ନିର୍ଭିିକ ଯୁବକ ଯୁବତୀଙ୍କର ଆବଶ୍ୟକତା ରହିଛି । ଇତିହାସ କେବଳ ସେଇମାନଙ୍କୁ ମନେ ରଖେ ଯେଉଁମାନେ ଦେଶମାତୃକା ଲାଗି ନିଜ ଜୀବନ ବଳି ଦେବାକୁ ପ୍ରସ୍ତୁତ ଥାନ୍ତି ।’ ଗାନ୍ଧୀଜୀଙ୍କ ଏହି ଆହ୍ୱାନ୍‌କୁ ଗ୍ରହଣ କରି ଅନେକ ଛାତ୍ର ଛାତ୍ରୀ ପାଠ ପଢ଼ା ଛାଡି ଜାତୀୟ ମୁକ୍ତି ଯଜ୍ଞରେ ଝାସ ଦେଲେ । କେତେ ଯେ କିଏ ଚାକିରୀ ଛାଡିଲେ ଓ ଆଉ କେତେ କିଏ ପରଦା ଆଢ଼ୁଆଳରୁ ରାଜରାସ୍ତାକୁ ଆସିଲେ ତାହାର ପୂର୍ଣ୍ଣାଙ୍ଗ ହିସାବ ଏ ପର୍ଯ୍ୟନ୍ତ ହୋଇନାହିଁ । ତେବେ ତ୍ରିରଙ୍ଗା ଝଣ୍ଡାକୁ ଆଗରେ ରଖି ହଜାର ହଜାର ସହିଦ ହେଲେ, ଲକ୍ଷାଧିକ କାରା ଓ ନିର୍ଯ୍ୟାତନା ବରଣ କଲେ । ଏମାନଙ୍କ ସାଧନାରୁ ଆମେ ପାଇଲୁ ସ୍ୱାଧୀନତା । ଆଉ ଏଇ କଷ୍ଟଲବ୍ଧ ସ୍ୱାଧୀନତାର ସୁରକ୍ଷା ହେଉଛି ଆମ ସମସ୍ତଙ୍କର ଜାତୀୟ କର୍ତ୍ତବ୍ୟ ।

 

ଦେଶ ସ୍ୱାଧୀନ ହେବା ପୂର୍ବରୁ ଗଢ଼ାଯାଇଥିଲା ସମ୍ବିଧାନ ପ୍ରଣୟନ ସଭା । ଏହି ସଭା କିଛି ସଂଶୋଧନ ସହ ସ୍ୱରାଜ ଝଣ୍ଡାକୁ ଜାତୀୟ ପତାକା ଭାବେ ଗ୍ରହଣ କରିନେଲା । ତ୍ୟାଗ, ଶାନ୍ତି, ପ୍ରଗତି ଓ ମୈତ୍ରୀର ପ୍ରତୀକ ଜାତୀୟ ଝଣ୍ଡାରେ ଚରଖା ପରିବର୍ତ୍ତେ ସ୍ଥାନିତ ହେଲା ଅଶୋକ ଚକ୍ର । ସେତେବେଳେ ଗାନ୍ଧୀଜୀ କହିଥିଲେ, ‘ଜାତୀୟ ପତାକା ଆମ ଜାତୀର ପ୍ରତୀକ । ଏହା ଅଫୁରନ୍ତ ପ୍ରେରଣାର ଉତ୍ସ । ବ୍ୟକ୍ତି ଜୀବନରୁ ରାଷ୍ଟ୍ର ଜୀବନ ପର୍ଯ୍ୟନ୍ତ ସମୃଦ୍ଧ କରିବା କ୍ଷେତ୍ରରେ ଜାତୀୟ ପତାକାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ । ଏହି ଧ୍ୱଜା ପ୍ରତି ଯେତେ ଅଧିକ ମମତା ଜାଗ୍ରତ ହୁଏ, ଦେଶମାତୃକା ପାଇଁ କାମ କରିବାକୁ ସେତେ ଅଧିକ ଶକ୍ତି ମିଳେ । ଏହି ପତାକାର ଟେକ ରଖିବା ପାଇଁ କେତେ ଯେ ଦେଶପ୍ରେମୀ ବଳିଦାନ ଦେଇଛନ୍ତି ଓ ସ୍ୱେଚ୍ଛାକୃତ ଦାରିଦ୍ର‌୍ୟ ତଥା ଯନ୍ତ୍ରଣା ବରଣ କରିଛନ୍ତି ତାହାର ହିସାବ ନାହିଁ । ସ୍ୱାଧୀନତା ସଂଗ୍ରାମ କାଳରୁ ସଂଗ୍ରାମୀମାନଙ୍କୁ ମାର୍ଗଦର୍ଶନ ଦେଇଆସୁଛି ଏହି ରାଷ୍ଟ୍ର ଧ୍ୱଜ । ଏହାର ଟେକ ରଖିବା ପ୍ରତିଟି ଭାରତୀୟଙ୍କ ପରମ କର୍ତ୍ତବ୍ୟ ।’ସ୍ୱାଧୀନତା ପ୍ରାପ୍ତିର ୬ମାସ ନପୁରୁଣୁ ଗାନ୍ଧୀଜୀଙ୍କୁ ହତ୍ୟା କରାଗଲା । ସେ କୌଣସି ସରକାରୀ ପଦ ପଦବୀରେ ନଥିଲେ । ତାଙ୍କ ସମ୍ମାନାର୍ଥେ ତ୍ରିରଙ୍ଗା ସମେତ ବହୁ ଦେଶର ଜାତୀୟ ପତାକା ଅର୍ଦ୍ଧନମିତ ହେଲା । ରାଷ୍ଟ୍ରୀୟ ସମ୍ମାନ ଜଣାଇ ରାଷ୍ଟ୍ରପିତାଙ୍କ ମର ଶରୀର ଉପରେ ଘୋଡାଇ ଦିଆଗଲା ତ୍ରିରଙ୍ଗା ଝଣ୍ଡା । ତ୍ରିରଙ୍ଗା ଝଣ୍ଡାର ସ୍ରଷ୍ଟା ପିଙ୍ଗାଲି ଭେଙ୍କେୟା ଗାନ୍ଧୀ ଆଦର୍ଶରେ ବ୍ରତୀ ରହି ସେବା କରିବା ସହ ଉତ୍କଟ ଦାରିଦ୍ର‌୍ୟରେ ସଢ଼ିସଢ଼ି ୧୯୬୩ ଜୁଲାଇ ୪ତାରିଖରେ ପ୍ରାଣତ୍ୟାଗ କଲେ । ତେବେ ଯେତେଦିନ ପର୍ଯ୍ୟନ୍ତ ଆମ ତ୍ରିରଙ୍ଗା ଝଣ୍ଡା ଥିବ ସେତେଦିନ ପର୍ଯ୍ୟନ୍ତ ଆମେ କେବଳ ଗାନ୍ଧୀ କି ଭେଙ୍କେୟା ନୁହନ୍ତି, ସ୍ୱାଧୀନତା ସଂଗ୍ରାମରେ ସାମିଲ ହୋଇଥିବା ଓ ଏହାର ଟେକ ରଖିବାପାଇଁ ଏବେ ବି ଉଦ୍ୟମ କରୁଥିବା କ୍ରାନ୍ତିକାମୀମାନଙ୍କୁ କୃତଜ୍ଞତାର ସହ ସ୍ମରଣ କରିବାକୁ ବାଧ୍ୟ ।

E-mail: prahalladsinha@gmail.com
ଫୋନ : ୯୪୩୭୦୧୭୩୯୫

Leave A Reply

Your email address will not be published.