Latest Odisha News

BREAKING NEWS

ଗଞ୍ଜାମବାସୀଙ୍କ ସ୍ୱାସ୍ଥ୍ୟଗତ ତଥ୍ୟର ହେବ ଡିଜିଟାଲ ଡାଟାବେସ୍‌

ବ୍ରହ୍ମପୁର: ସ୍ୱାସ୍ଥ୍ୟ ବିଭାଗ ତରଫରୁ ଗଞ୍ଜାମ ଜିଲା ବ୍ୟାପି ଘରକୁ ଘର ବୁଲି ପ୍ରତ୍ୟୋକ ପରିବାରର ସଦସ୍ୟଙ୍କ ସ୍ୱାସ୍ଥ୍ୟଗତ ତଥ୍ୟ ସଂଗ୍ରହ କରାଯାଇ ଡିଜିଟାଲ ଡାଟାବେସ୍ ପ୍ରସ୍ତୁତ ହେବ। ଉକ୍ତ ଡାଟାବେସ୍ ତଥ୍ୟକୁ ଆଧାର କରି ଚିକିତ୍ସା ପଦ୍ଧତିର ମାର୍ଗ ନିରୂପଣ କରାଯିବ । ଫଳରେ ଲୋକଙ୍କ ଆବଶ୍ୟକତା ଅନୁଯାୟୀ ଡାକ୍ତର ନିଯୁକ୍ତି, ରୋଗ ନିରୂପଣ ପରୀକ୍ଷା, ଔଷଧ ବିତରଣ ଇତ୍ୟାଦି କ୍ଷେତ୍ରରେ ସୁଧାର ଆଣିବା ଦିଗରେ ସ୍ୱାସ୍ଥ୍ୟ ବିଭାଗକୁ ଅଧିକ କ୍ରିୟାଶୀଳ କରାଯିବ ବୋଲି ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା ସୂଚନା ଦେଇଛନ୍ତି।

ଶନିବାର ଜିଲାପାଳଙ୍କ ପ୍ରକୋଷ୍ଠରେ ଜିଲାବାସୀଙ୍କ ସ୍ୱାସ୍ଥ୍ୟ ସମସ୍ୟା ସମ୍ପର୍କିତ ବୈଠକ ଅନୁଷ୍ଠିତ ହୋଇଥିଲା । ଜିଲାପାଳ ପରିଡ଼ା ଅଧ୍ୟକ୍ଷତା କରିଥିଲେ । ସେ କହିଥିଲେ ଯେ, ଜିଲାର କେଉଁ ଅଞ୍ଚଳରେ କେଉଁ ରୋଗ ଅଧିକ ଦେଖାଦେଇଥାଏ, ଏକ ମାସ ମଧ୍ୟରେ ଏହି ତଥ୍ୟ ସଂଗ୍ରହ କରାଯିବ । ସେହି ତଥ୍ୟକୁ ଆଧାର କରି ଡାକ୍ତରଙ୍କୁ ନିୟୋଜିତ କରାଯିବ । ରୋଗୀଙ୍କ ସ୍ୱାସ୍ଥ୍ୟ ସମସ୍ୟା ସମାଧାନ ହୋଇପାରିବ ।

ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗ ନିରୂପଣ ନିମନ୍ତେ ବ୍ୟବହୃତ ହେଉଥିବା ଯନ୍ତ୍ରଗୁଡିକ ଆଧୁନିକୀକରଣ କରାଯିବ। ପ୍ରତିଟି ରୋଗୀଙ୍କ ରୋଗ ନିରୂପଣ ଯେପରି ସଠିକ୍ ହେବ, ସେଥି ନିମନ୍ତେ ଗୁରୁତ୍ୱ ଦିଆଯିବ ବୋଲି ଜିଲାପାଳ ପରିଡ଼ା ପ୍ରକାଶ କରିଥିଲେ ।

କୋଭିଡ୍, ମ୍ୟାଲେରିଆ, ଡେଙ୍ଗୁ, ଝାଡ଼ାବାନ୍ତି, ଯକ୍ଷ୍ମା, କୁଷ୍ଠ ରୋଗ ଏବଂ ଫାଇଲେରିଆ ଆଦି ସଂକ୍ରାମକ ରୋଗର ଲକ୍ଷଣ ଥିବା ବ୍ୟକ୍ତି ସହଜରେ ଚିହ୍ନଟ ନ ହୋଇପାରି ବିନା ଚିକିତ୍ସାରେ ରହିଯାଆନ୍ତି । ଏହା ଫଳରେ ସେମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୁଏ । ସେମାନଙ୍କୁ ଖୋଜି ବାହାର କରି ତୁରନ୍ତ ଚିକିତ୍ସା ଦେବା ପାଇଁ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ସମନ୍ବିତ ସ୍ୱାସ୍ଥ୍ୟ ସର୍ବେକ୍ଷଣ ଅଭିଯାନ ଚାଲୁ ଅଛି । ସକ୍ରିୟ ସର୍ବେକ୍ଷଣରେ ଆଶାଦିଦିଙ୍କୁ ସହଯୋଗ କରିବା ନିମନ୍ତେ ଜିଲାପାଳ ପରିଡ଼ା ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ।

ସଂକ୍ରାମକ ରୋଗର ସଅଳ ଚିହ୍ନଟ ହୋଇପାରିଲେ ଏହାର ଆଶୁ ଚିକିତ୍ସାର ସୁଫଳ ମିଳିବ । ରୋଗ ନିରୂପଣ କ୍ଷେତ୍ରରେ ଅବହେଳା ନକରି ଠିକ୍ ରୂପେ ସ୍ବାସ୍ଥ୍ୟ ପରୀକ୍ଷା କଲେ ରୋଗୀଙ୍କୁ ସହଜରେ ଚିକିତ୍ସା ମିଳିପାରିବ । ଆବଶ୍ୟକ ସ୍ଥଳେ ରୋଗ ନିରୂପଣ ସକାଶେ ବ୍ୟବହୃତ ହେଉଥିବା ନୂତନ ଯନ୍ତ୍ରପାତି କିଣାଯାଇ ଲୋକଙ୍କ ସେବାରେ ବିନିଯୋଗ କରାଯିବ । ଗ୍ରାମାଞ୍ଚଳରେ ୬୦ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କ ସକାଶେ ସେମାନଙ୍କ ଗ୍ରାମ ପଞ୍ଚାୟତ ସ୍ତରରେ ନିର୍ଦ୍ଦିଷ୍ଟ ଦିନ ଧାର୍ଯ୍ୟ କରାଯିବା ସହ ଟିକାକରଣ ହେବ ।

ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ତହସିଲଦାରମାନେ ସେମାନଙ୍କ ଅଞ୍ଚଳରେ ଥିବା ଚିକିତ୍ସାଳୟଗୁଡିକୁ ପରିଦର୍ଶନ କରି ଚିକିତ୍ସା ସୁବିଧାର ସମସ୍ତ ଦିଗପ୍ରତି ଧ୍ୟାନ ଦେବା ଉପରେ ଜିଲାପାଳ ପରିଡ଼ା ଗୁରୁତ୍ବାରୋପ କରିଥିଲେ । ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଉମା ଶଙ୍କର ମିଶ୍ର, ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ ଡା. ଆର୍‌ ଜଗଦୀଶ ପଟ୍ଟନାୟକ, ପରିବାର କଲ୍ୟାଣ ନିୟୋଜନ ସ୍ବାସ୍ଥ୍ୟ ଅଧିକାରୀ ଡା. ଭି. ସରୋଜିନୀ ଦେବୀ, ଜାତୀୟ ସ୍ବାସ୍ଥ୍ୟ ମିଶନର ଜିଲା ପ୍ରକଳ୍ପ ସଂଯୋଜକ ଶ୍ୟାମ ସୁନ୍ଦର ତ୍ରିପାଠୀ, ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା, ଭେକ୍ଟର ବାହିତ ରୋଗ ପରାମର୍ଶଦାତା ସୁଜିତ କୁମାର କାର୍ଜୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.