ଗଞ୍ଜାମ: ବିନା ମାସ୍କରେ ବାହାଘରରେ ନାଚିବା ଏବଂ ସାମାଜିକ ଦୂରତା ନିୟମ ଉଲ୍ଲଂଘନ କରିବା ପଡିଲା ମହଙ୍ଗା । ବରପକ୍ଷ ଓ କନ୍ୟାପକ୍ଷ ନାଁରେ ଥାନାରେ ରୁଜୁ ହେଲା ଦୁଇଟି ମାମଲା । ବ୍ରହ୍ମପୁରର ଜଣେ ବଡ ବ୍ୟସାୟୀୟଙ୍କ ପୁଅ ବାହାଘରରେ କୋଭିଡ ନିୟମ ଉଲ୍ଲଂଘନ କରାଯାଇଥିବାର ଭିଡିଓ ଭାଇରାଲ ହେବା ପରେ ଏଭଳି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏଥିସହ ଏହି ମାମଲାରେ ୨ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି । କେବଳ ସେତିକି ନୁହେଁ ୫୦ ହଜାର ଟଙ୍କାର ଜରିମାନା ମଧ୍ୟ ଆଦାୟ କରାଯାଇଛି । ଏନେଇ ଗଂଜାମ ଜିଲ୍ଲାପାଳ ଟୁଇଟ କରି ସୂଚନା ଦେଇଛନ୍ତି ।
ଜିଲ୍ଲାପାଳଙ୍କ ଟୁଇଟ୍ ଅନୁସାରେ ବିବାହ ଶୋଭାଯାତ୍ରା ସମୟରେ କୋଭିଡ୍ ନିୟମ ଭାଙ୍ଗିବା ଘଟଣା ସାମ୍ନାକୁ ଆସିବା ପରେ ଉଭୟ ପକ୍ଷ ବିରୋଧରେ ମାମଲା ରୁଜ୍ଜୁ ହେବା ସହ ୫୦,୦୦୦ ଟଙ୍କା ଜରିମାନା କରାଯାଇଛି। ବରଯାତ୍ରୀ ଶୋଭାଯାତ୍ରାରେ ବ୍ୟବହୃତ ଗାଡ଼ିକୁ ଆରଟିଓ ଜବତ କରିଛନ୍ତି। ତା ସହିତ ବର ପିତା ଅଟକ ମଧ୍ୟ ରହିଛନ୍ତି। କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସମସ୍ତଙ୍କୁ ହୋମ କ୍ୱାରେଣ୍ଟିନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।
ସୂଚନା ଅନୁସାରେ, ଗତ କାଲି ଏହି ବିବାହ ଉତ୍ସବ ଗୋପାଳପୁରସ୍ଥିତ ଏକ ପଞ୍ଚତାରକା ହୋଟେଲରେ ଅନୁଷ୍ଠିତ ହୋଇଥିଲା । ବରଯାତ୍ରୀମାନେ ବିନା ମାସ୍କରେ ସାମାଜିକ ଦୂରତ୍ୱ ନ ରଖି ଡିଜେ ଗୀତରେ ନାଚିଥିଲେ । ଏହି ଦୃଶ୍ୟର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ସାଧାରଣତଃ ଲୋକଙ୍କୁ ବିବାହ ପାଇଁ ଅନୁମତି ମିଳୁ ନଥିବା ବେଳେ ଏଠି ଏହି ହୋଟେଲ ଭିତରେ କରାଯାଉଥିବା ବିବାହରେ ସବୁ ନିୟମ ଭଙ୍ଗ ହୋଇଥିଲା । ସୋସିଆଲ ମିଡ଼ିଆରେ ଏହା ଭାଇରଲ ହେବା ପରେ ଲୋକେ ଜିଲା ପ୍ରଶାସନର କଡା ନିୟମ ଉପରେ ପ୍ରଶ୍ନ ଉଠାଇଛନ୍ତି।
Comments are closed.