Latest Odisha News

BREAKING NEWS

ବରଯାତ୍ରୀ ବସରେ ବିଦ୍ୟୁତ ତାର ଲାଗିବା ଘଟଣା; ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ୨ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ନିକଟସ୍ଥ ରଗେଂଇଲୁଣ୍ଡା ବ୍ଲକ ଅଞ୍ଚଳରେ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଏକ ବରଯାତ୍ରୀ ବସରେ ୯ ଜଣଙ୍କ ମୃତ୍ୟୁ ହେବା ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଛନ୍ତି।

ଏଥିସହିତ ଏହି ଦୁର୍ଘଟଣାରେ ଆହତ ଲୋକଙ୍କୁ ମାଗଣାରେ ଚିକିତ୍ସା ଯୋଗାଇବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଏହି ଘଟଣାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଟ୍ୱିଟ କରି ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ଆହତମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ଉଲ୍ଲେଖଯୋଗ୍ୟ, ଗଂଜାମ ଜିଲ୍ଲା ବ୍ରହ୍ମପୁର ନିକଟସ୍ଥ ରଗେଂଇଲୁଣ୍ଡା ବ୍ଲକ ତୁଳୁ ରୋଡ ନିକଟ ଡକଂଲପଡା ଠାରେ ଏକ ବରଯାତ୍ରୀ ବସରେ ପାଖାପାଖି ୪୦ ଜଣ ବରଯାତ୍ରୀ ଥିବାବେଳେ କୌଣସି କାରଣବଶତଃ ବସରେ ନିଆଁ ଲାଗିଯାଇଥିଲା । ଏଥିରେ ୯ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ଥିବା ଜଣାପଡିଛି ।

ଘଟଣା ସ୍ଥଳରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୩ ଜଣଙ୍କର ମୃତ୍ୟ ହୋଇଥିବା ସୂଚନା ମିଳିଛି । ସମସ୍ତ ଗୁରୁତର ଆହତ ବ୍ୟକ୍ତିଙ୍କୁ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଥିବା ନେଇ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.