Latest Odisha News

BREAKING NEWS

ବ୍ରହ୍ମପୁର ମାଁ ବୁଢୀ ଠାକୁରାଣୀ ମନ୍ଦିରର ହେବ ଉନ୍ନତିକରଣ

ବ୍ରହ୍ମପୁର: ଗଞ୍ଜମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା ତାରା ତାରିଣୀଙ୍କ ମନ୍ଦିରର ଉନ୍ନତିକରଣ ଭଳି ବ୍ରହ୍ମପୁରର ମା ବୁଢୀ ଠାକୁରାଣୀ ମନ୍ଦିର ମଧ୍ୟ ନୂଆ ରୂପ ପାଇବ।

ସୋମବାର ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡା ମନ୍ଦିର ପରିଦର୍ଶନ କରିଥିଲେ। ମନ୍ଦିର ଚାରିପାଖ ବୁଲିବା ସହ ନକ୍ସା ଦେଖିଥିଲେ। ବର୍ତ୍ତମାନ ମନ୍ଦିରର ଯେତିକି ଜାଗା ରହିଛି, ସେଠାରେ ଭକ୍ତ ସୁବିଧା ସହ ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଆଖପାଖ ଅଞ୍ଚଳର ଲୋକଙ୍କ ଯେଭଳି ଅସୁବିଧା ନ ହୁଏ, ତାହାକୁ ଗୁରୁତ୍ଵ ଦେବାକୁ କହିଥିଲେ। ପରବର୍ତ୍ତୀ ସମୟରେ ଜବରଦଖଲ ଉଚ୍ଛେଦ କରାଯାଇ ଅନ୍ୟନ୍ୟ ଉନ୍ନତି ମୂଳକ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ବ୍ରହ୍ମପୁର ମହାନଗର ନିଗମର କମିଶନର ଜେ.ସୋନାଲ କହିଥିଲେ ଯେ, ମନ୍ଦିରର ଉନ୍ନତିକରଣ ନେଇ ଯୋଜନା ପ୍ରସ୍ତୁତ କରିବାକୁ ଏକ ଆର୍କିଟ୍ରେକ୍‍ଚର ସଂସ୍ଥାକୁ ଦାୟିତ୍ଵ ଦିଆଯାଇଛି। ନକ୍ସା ପ୍ରସ୍ତୁତ ହୋଇଥିବା ସେ ସୂଚନା ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ ନିର୍ବାହୀ ଅଧିକାରୀ ତଥା ବ୍ରହ୍ମପୁର ଉପଜିଲ୍ଲାପାଳ ଭି. କିର୍ତ୍ତୀ ଭାସନ୍, ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ସଚିବ ସମ୍ବିତ ରାଉତ, ବ୍ରହ୍ମପୁର ମହାନଗର ନିଗମର ନିର୍ବାହୀ ଯନ୍ତ୍ରୀ ବସନ୍ତ ପାଢୀଙ୍କ ସମେତ ଅନ୍ୟ ଅଧିକାରୀ ଏବଂ ମନ୍ଦିରର ପୂଜକ ମାନେ ଉପସ୍ଥିତ ଥିଲେ।

ଏଠାରେ ସୂଚନାଯୋଗ୍ୟ ଯେ,ଗତ ଜୁନ୍ ୪ ତାରିଖରେ ମନ୍ଦିରର ଉନ୍ନତିକରଣ ନେଇ ପ୍ରଥମ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହା ହେଉଛି ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ମନ୍ଦିର। ଯାତ୍ରାରେ ରାଜ୍ୟ ଏବଂ ରାଜ୍ୟ ବାହାରୁ ଲୋକମାନେ ଆସିଥାନ୍ତି।

ଏଣୁ ଏହାର ବିକାଶ ନେଇ ଆଲୋଚନା ହୋଇଥିଲା। ଏକ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଯୋଜନା ହୋଇଥିଲା। ଓଡ଼ିଶାର ସଂସ୍କୃତି ଏବଂ ସ୍ଥାପତ୍ୟର ଝଲକ ଦେଖିବାକୁ ମିଳିବ। ଏଥିପାଇଁ ଯୋଜନା ପ୍ରସ୍ତୁତ କରାଯାଉଛି।

ଉନ୍ନତିକରଣ ପାଇଁ ଯୋଜନା ଏବଂ ବଜେଟ୍‍ ପ୍ରସ୍ତୁତ ହେବ ବୋଲି ସୂଚନା ମିଳିଛି।

Leave A Reply

Your email address will not be published.