Latest Odisha News

ଅନ୍ଧଶ୍ରଦ୍ଧା

(ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’)

ଗୋବିନ୍ଦପୁର ଗାଁ ମଝିରେ ଥିବା ସଭା ମଣ୍ଡପ ଉପରେ ଚାଲିଛି ବୈଠକ । ଗାଁର ବୟୋବୃଦ୍ଧ ଚାରି ପାଞ୍ଚ ଜଣଙ୍କୁ ଛାଡ଼ିଦେଲେ ବାକି ସମସ୍ତେ ଭେଣ୍ଡିଆ ପିଲେ । ମଝିରେ ଯୁବ ଅଫିସର କମଲ କୁମାର । ନୂଆ କରି ଆସିଛନ୍ତି ସେ ଏ ଅଞ୍ଚଳକୁ ଉପଜିଲ୍ଲାପାଳ ହୋଇ । ଘର ପରିବାରକୁ ପଛରେ ପକାଇ ଗାଁ ଗାଁ ବୁଲି କାମ କରୁଛନ୍ତି କମଲ ବାବୁ । ହେଲେ ସେଦିନ ଲୋକମାନଙ୍କୁ ବୁଝାଇ ବୁଝାଇ ସେ ନୟାନ୍ତ ହୋଇପଡ଼ିଲେଣି । ଚୈତ୍ର ମାସର ଖରା । କମଲ ବାବୁଙ୍କ ଦେହ ମୁଣ୍ଡରୁ ଗମ୍ ଗମ୍ ଝାଳ ବହୁଛି । ବାରମ୍ବାର ପକେଟରୁ ରୁମାଲ ବାହାର କରି ସେ ନିଜ କପାଳ ଓ ମୁହଁ ପୋଛୁଛନ୍ତି, କିନ୍ତୁ ଲୋକଙ୍କୁ ବୁଝାଇବାରୁ ଓହରୁ ନାହାନ୍ତି ।

ସେପଟେ ଲୋକମାନଙ୍କ ଗୋଟିଏ ଜିଦ୍ । ଦୀର୍ଘ ବର୍ଷେ କାଳ ଆମେ ଲୋକମାନଙ୍କଠାରୁ ଅନୁଦାନ ସଂଗ୍ରହ କରିଛୁ । ଘର ଘର ବୁଲି ଚାଉଳ, ପଇସା ମାଗିଛୁ । ଶହ ଶହ ବର୍ଷ ତଳୁ ଗାଁ ତିଆରି ହେଲାଣି ସିନା, ହେଲେ ଗାଁରେ ମନ୍ଦିର ଖଣ୍ଡେ ନାହିଁ । ଗାଁ ମୁଣ୍ଡ ବରଗଛ ତଳେ ମାଆ ଦୁଆରସୁଣୀ ପଥର ଦେହରେ ସିନ୍ଦୂର ବୋଳା ହୋଇ, ମନ୍ଦାର ଫୁଲ ଲାଗି ମାଟି ଘୋଡ଼ା ଆଗରେ ଉଭା ହୋଇ ପୂଜା ପାଉଛନ୍ତି । ଗାଁ କାଳିସୀ କାହାଠୁ କଣ ମାଗଯାଚ କରି ପୂଜା କାମ ଚଳାଉଛି । ହେଲେ ଏତେ ବର୍ଷ ପରେ ଗାଁ ଲୋକଙ୍କ ଇଚ୍ଛା ହେଇଛି । ଲୋକେ ନିଜେ ଆଗକୁ ଆସି ଦାନ କରିଛନ୍ତି । ସେମାନଙ୍କଠାରୁ ସଂଗ୍ରହ ହୋଇଥିବା ଅର୍ଥରେ ଆଜି ମନ୍ଦିରଟିଏ ଗଢ଼ା ହୋଇପାରିଛି ଗାଁରେ । ଖାଲି ଗାଁ ଲୋକ ନୁହନ୍ତି, ଆଖ ପାଖର ସତେଇଶ ଖଣ୍ଡ ଗାଁ ବୁଲି ବଦାନ୍ୟ ବ୍ୟକ୍ତିଙ୍କଠାରୁ ବି ଅନୁଦାନ ମାଗିଛନ୍ତି ଗାଁ ଲୋକେ । ସ୍ଥିର ହୋଇଛି ଏଥର ବାସନ୍ତିକ ଦୁର୍ଗାପୂଜାରେ ଏହି ମନ୍ଦିରର ପ୍ରାଣ ପ୍ରତିଷ୍ଠା ହେବ । ବରଗଛ ତଳୁ ମାଆ ଦୁଆରସୁଣୀଙ୍କୁ ଆଣି ମନ୍ଦିରରେ ପ୍ରତିଷ୍ଠା କରାଯିବ । ଏଥିପାଇଁ ବିଗ୍ରହ ନିର୍ମାଣ ମଧ୍ୟ ହୋଇଛି । ମାଆଙ୍କର ସେହି ପୁରୁଣା ପଥର ଖଣ୍ଡର ପ୍ରତିମା ସାଙ୍ଗକୁ ନୂଆ ମୂର୍ତ୍ତିର ପ୍ରାଣ ପ୍ରତିଷ୍ଠା ହେବ । ଘଣ୍ଟ ଘଣ୍ଟା ମୃଦଙ୍ଗରେ ଚାରିଆଡ଼ କମ୍ପିବ । ନଅ ଦିନ ଧରି ଚାଲିବ ଏ ଧର୍ମ ଅନୁଷ୍ଠାନ । ଶହ ଶହ ଲୋକ ଆସିବେ । ଅନ୍ନ ଯଜ୍ଞ, ଘୃତ ଯଜ୍ଞ, ନାମ ଯଜ୍ଞ ଆଉ ଜ୍ଞାନ ଯଜ୍ଞ ବି ହେବ । ଲୋକଙ୍କ କହିବା କଥା, ଏ ସବୁ ଆୟୋଜନ ତ ଗାଁ ଲୋକେ କରୁଛନ୍ତି । ଏଥିରେ ଜିଲ୍ଲା ପ୍ରଶାସନର ସମସ୍ୟା କେଉଁଠି? ପ୍ରଶାସନ କାହିଁକି ଏ କାର୍ଯ୍ୟରେ ପ୍ରତିବନ୍ଧକ ହୋଇ ଠିଆ ହେଉଛି? ସେହି ଗୋଟିଏ ଜିଦରେ ସେମାନେ ଉପଜିଲ୍ଲାପାଳ କମଲ କୁମାରଙ୍କ କଥା ଶୁଣିବାକୁ ନାରାଜ ।

କମଲ କୁମାର କିନ୍ତୁ ବାରମ୍ବାର ବୁଝାଇବାକୁ ଚେଷ୍ଟା କରୁଛନ୍ତି । ତାଙ୍କ କହିବା କଥା ଯେ, ଆପଣମାନେ ମନ୍ଦିର ନିର୍ମାଣ କରିବାରେ ପ୍ରଶାସନକୁ କୌଣସି ଆପତ୍ତି ନାହିଁ । ମନ୍ଦିରରେ ଦେବୀଙ୍କ ପ୍ରାଣ ପ୍ରତିଷ୍ଠାରେ ବି କୌଣସି ଆପତ୍ତି ନାହିଁ । ମୁଁ ବ୍ୟକ୍ତିଗତ ଭାବେ ଚାହୁଁଛି ମନ୍ଦିର ପ୍ରତିଷ୍ଠା ହେଉ । ଦେବୀଙ୍କ କୃପା ସମସ୍ତଙ୍କୁ ଲାଭ ହେଉ । ତେବେ କେବଳ ଏକମାତ୍ର ସମସ୍ୟା ହେଉଛି, ଏହି କାର୍ଯ୍ୟକ୍ରମରେ ହେବାକୁ ଥିବା ଜନଗହଳିକୁ ନେଇ । ଭାବନ୍ତୁ ତ ଥରେ । ବର୍ଷେ ହେଲାଣି ସାରା ବିଶ୍ୱର କି ସ୍ଥିତି? ପୂରା ଦୁନିଆ କରୋନା ଭଳି ମାରାତ୍ମକ ମହାମାରୀ ସହିତ ସଂଘର୍ଷ କରୁଛି । ହଜାର ହଜାର ଲୋକ ପ୍ରତିଦିନ ପ୍ରାଣ ହରାଉଛନ୍ତି । ଏକ ଅକତ୍ଥନୀୟ ଆତଙ୍କ ସୃଷ୍ଟି କରିଛି ଏ ଅଦୃଶ୍ୟ ମହାମାରୀ । ଯେଉଁଥି ପାଇଁ ସମସ୍ତଙ୍କୁ ସାମାଜିକ ଦୂରତ୍ୱ ରଖିବା ସହିତ ଜନଗହଳି ନକରିବା ପାଇଁ ନିବେଦନ କରାଯାଉଛି । କହୁନାହାନ୍ତି, ଜୀବନ ମୂଲ୍ୟବାନ ନା ମନ୍ଦିର ଆଉ ଭଗବାନ? ଆମେ ବଞ୍ଚିଥିଲେ ତ ଭଗବାନଙ୍କୁ ପ୍ରାର୍ଥନା କରିବା । ଆମେ ନରହିଲେ, ଆଉ କେଉଁ ଭଗବାନ? ତେଣୁ ଆପଣମାନେ ଜିଦ୍ ଛାଡ଼ନ୍ତୁ । ଏଭଳି ଏକ ବିରାଟ କାର୍ଯ୍ୟକ୍ରମ ଆୟୋଜନ ଯୋଜନାରୁ ଦୂରେଇ ରହନ୍ତୁ । ମନ୍ଦିର ପ୍ରତିଷ୍ଠା ହେଉ, କିନ୍ତୁ ମାତ୍ର ଆଠ ଦଶ ଜଣ ପୂଜାରୀ ଓ ଅନ୍ୟାନ୍ୟ ଆୟୋଜକଙ୍କୁ ନେଇ କରାଯାଉ । ସେହିଭଳି ସମସ୍ତେ ନିଜ ନିଜ ଘରେ ରହି ଯଦି ଆମେ ଏକାଠି ନାମ ଯଜ୍ଞରେ ସାମିଲ ହୋଇପାରିବା, ତାହେଲେ ତାଠାରୁ ବଳି ବଡ଼ ସୌଭାଗ୍ୟ ଆଉ କଣ? ହଁ, ଅନ୍ନ ଯଜ୍ଞ ପାଇଁ ଆପଣମାନେ କିଛି ସମୟଦାନୀ ଯୁବକଙ୍କୁ ଠିକ୍ କରନ୍ତୁ । ସେମାନେ ମନ୍ଦିରରୁ ପ୍ରସ୍ତୁତ ପ୍ରସାଦକୁ ଘରେ ଘରେ ନେଇ ପହଞ୍ଚାଇ ଦେଇପାରିବେ । ତାହେଲେ ଆପଣଙ୍କ ଧାର୍ଯ୍ୟ ଯୋଜନା ମୁତାବକ କାର୍ଯ୍ୟକ୍ରମ ବି ହୋଇପାରିବ ଏବଂ କରୋନା ମୁକାବିଲା ପାଇଁ ନିର୍ଦ୍ଧାରିତ ନିୟମାବଳୀର ପାଳନ ବି କରାଯାଇପାରିବ । ଯଦି ଏମିତି କରାଯାଏ, ତାହେଲେ ଉଭୟ ଉଦ୍ଦେଶ୍ୟ ପୂରଣ ହୋଇପାରିବ । ଚିନ୍ତାକରି ଦେଖନ୍ତୁ ।
କିଛି ସମୟ ପାଇଁ ଗୋବିନ୍ଦପୁର ଗାଁ ଦାଣ୍ଡଟା ହଠାତ୍ ନୀରବ ହୋଇଯାଇଥିଲା । କେହି କିଛି କହୁନଥିଲେ । କମଲ କୁମାର ମଝିରେ ଠିଆ ହୋଇ କେବଳ ଗାଁ ଲୋକମାନଙ୍କ ମୁହଁକୁ ଅନାଉଥିଲେ । ଯଦୁ ମହାପାତ୍ରଙ୍କ ଚାଳ ଉପରେ ବସି ପାରା ଦୁଇଟି ଘୁମୁରାଉଥିଲେ ।ଟିକିଏ ଦୂରରେ ନରୋତ୍ତମ ସାହୁ ଘର ଦୁଆର ଆଗରେ କୁକୁଡ଼ିଟା ତା ଚିଆଁମାନଙ୍କୁ ନେଇ ମାଟି ଖୁଣ୍ଟି ପୋକ ଯୋକ ଖୋଜୁଥିଲା । ଏତିକି ବେଳେ ହଠାତ୍ ଯୁବକ ଜଣେ ଚିଲ୍ଲେଇ ଉଠିଲା । ନା .. ନା .. ଏସବୁ ଅନ୍ୟାୟ .. ପ୍ରଶାସନର ଏହା ହେଉଛି ଆମ ପ୍ରତି ସବୁଠୁ ବଡ଼ ଅନ୍ୟାୟ । ଏତେ ଦିନ ଧରି ଆମେ ଏ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି କରିଥିଲୁ । ଆଉ ଏବେ ଇଏ ଆସି ତାକୁ ଭଣ୍ଡୁର କରିବାକୁ ବସିଛନ୍ତି । ସେ କରୋନା ଫରୋନା କିଛି ନାହିଁ । ଆମେ ସ୍ଥିର କରିଛୁ ନଅ ଦିନିଆ କାର୍ଯ୍ୟକ୍ରମ ହେବ ମାନେ ହେବ । ଯାହାର ଯାହା କରିବାର ଅଛି କରୁ । ଆମେ କାହା କଥା ଶୁଣିବାର ନାହିଁ । ଏହି କଥାରେ ହଠାତ୍ ପରିବେଶଟା ଅଧିକ ଗରମ ହୋଇଉଠିଲା । ଗାଁର ଅନ୍ୟ ଯୁବକମାନେ ବି ସମତାଳ ଓ ସମସ୍ୱରରେ ସେହି କଥା କହିଲେ । କିନ୍ତୁ କୌଣସି ବୟୋବୃଦ୍ଧ ବ୍ୟକ୍ତି କିଛି କହୁନଥାନ୍ତି । କମଲ କୁମାର ବୁଝିପାରିଲେ, ଏଇଠି ବୟସ୍କମାନଙ୍କ କୌଣସି ଭୂମିକା ନାହିଁ । ଭେଣ୍ଡିଆ ପିଲେ ମାତିଛନ୍ତି । ତେଣୁ ସେମାନେ ଯାହା କହିବେ, ଏହି ବୟସ୍କମାନେ ବି ତାକୁ ବାଧ୍ୟ ହୋଇମାନିବେ ।

ପରିସ୍ଥିତିର ଗମ୍ଭୀରତାକୁ ଦେଖି କମଲ କୁମାର କହିଲେ, ଠିକ୍ ଅଛି .. ମୁଁ ଆପଣମାନଙ୍କୁ ଆଜି ରାତିକ ସମୟ ଦେଲି । ଆପଣମାନେ ପୁଣି ଆଲୋଚନା କରନ୍ତୁ । ଯଦି ଆପଣମାନେ କମ୍ ଲୋକରେ ମୁଁ କହିବା ମୁତାବକ କାର୍ଯ୍ୟକ୍ରମ କରିବେ, ତାହେଲେ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ଉଭୟେ ଆପଣଙ୍କୁ ସହଯୋଗ କରିବେ । କିନ୍ତୁ ଯଦି ଆପଣମାନେ ନିଜ ଯୋଜନା ମୁତାବକ କାର୍ଯ୍ୟକ୍ରମ କରିବେ, ତାହେଲେ ପ୍ରଶାସନ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବ । ସେ ଅନୁସାରେ ଆପଣ ମୋତେ ଜଣାଇଲେ ପରବର୍ତ୍ତୀ ପଦକ୍ଷେପ ସଂପର୍କରେ ମୁଁ ଚିନ୍ତା କରିବି । ପାଞ୍ଚ ମିନିଟ୍ ଭିତରେ ସଭା ସରିଗଲା । ଅଫିସ୍ ଗାଡ଼ିରେ ଗୋବିନ୍ଦପୁରରୁ ନିଜ କ୍ୱାର୍ଟରକୁ ଫେରିଲେ କମଲ କୁମାର ।

ବିଳମ୍ବିତ ରାତି ଯାଏଁ କମଲ କୁମାରଙ୍କ ଆଖିରେ ନିଦ ନାହିଁ । ଏଭଳି ପଦକ୍ଷେପ ଦ୍ୱାରା ସେ ଲୋକମାନଙ୍କ ଉପରେ ପ୍ରାଶାସନିକ ନିଷ୍ପତ୍ତିକୁ ଲଦି ଦେବାକୁ ଯାଉନାହାନ୍ତି ତ? ଲୋକଙ୍କ ଆସ୍ଥା ଓ ବିଶ୍ୱାସର କଥା । ତେଣୁ ମନ୍ଦିର ପ୍ରାଣପ୍ରତିଷ୍ଠା ଉତ୍ସବକୁ ବାତିଲ କରିବା ପାଇଁ କହିବା, କାହାର ଆସ୍ଥାକୁ ଧକ୍କା ଦେବନି ତ? ଏମିତି ଅନେକ ପ୍ରଶ୍ନରେ ପୋତି ହୋଇପଡୁଥିଲେ କମଲ କୁମାର । କେତେବେଳେ ତାଙ୍କ ଆଖିକୁ ନିଦ ଆସିଯାଇଥିଲା ସେ ଜାଣିନାହାନ୍ତି । ସକାଳୁ ସକାଳୁ ଡ୍ରାଇଭରର ହର୍ଣ୍ଣ ଶୁଣି ନିଦ ଭାଙ୍ଗିଲା । ତରତର ହୋଇ ଉଠି ମୁହଁ ଧୋଇ ବାହାରକୁ ଆସିଲା ବେଳକୁ ବାହାରେ ଡ୍ରାଇଭର ରାମ ସିଂ । ସେ କହିଲା, ସାର୍ .. ଗୋବିନ୍ଦପୁର ଯିବାର ଥିଲା ପରା । ଆପଣ କହିଥିଲେ ସକାଳୁ ସକାଳୁ ବାହାରିବା ପାଇଁ । ଆପଣଙ୍କ ଫୋନ୍ ଆସିଲାନି ତ, ସେଥିପାଇଁ ମୁଁ ନିଜେ ଆସିଗଲି । ଭାବିଲି କାଳେ ଆପଣ ଭୁଲି ଯାଇଥିବେ ।

କମଲ କୁମାର ଦଶ ମିନିଟ୍ ଭିତରେ ପ୍ରସ୍ତୁତ ହୋଇ ବାହାରିଲେ ଗୋବିନ୍ଦପୁର । ସାଙ୍ଗରେ ପୋଲିସ ଗାଡ଼ିରେ ସ୍ଥାନୀୟ ଥାନା ବାବୁ ଏବଂ ଚାରି ଜଣ କନଷ୍ଟେବଲ । ସେଠାରେ ପହଞ୍ଚିଲା ବେଳକୁ ମନ୍ଦିର ପାଖରେ ଜଣେ ଦି ଜଣ ଜଗୁଆଳିଙ୍କୁ ଛାଡ଼ିଲେ ଆଉ କାହାର ଦେଖାନାହିଁ । ଜୋତା ଖୋଲି, ମନ୍ଦିର ପାହାଚ ଚଢ଼ିଲେ କମଲ କୁମାର । ଉପରକୁ ଗଲାବେଳକୁ ମନ୍ଦିର ଭିତରେ ଏକ ନୂଆ ପ୍ରତିମାଙ୍କୁ ଆବରଣ ଭିତରେ ରଖାଯାଇଛି । ପ୍ରାଣ ପ୍ରତିଷ୍ଠା ଉତ୍ସବ ହୋଇଥିଲେ ବିଗ୍ରହଙ୍କ ଅନାବରଣ ହୋଇଥାନ୍ତା । କିନ୍ତୁ ସେଭଳି କୌଣସି କାର‌୍ୟ୍ୟକ୍ରମର ଲକ୍ଷଣ ନଥିଲା ସେଇଠି । ମନେ ମନେ ନବବିଗ୍ରହକୁ ପ୍ରଣାମ କରି ଓହ୍ଲାଇ ଆସିଲେ କମଲ କୁମାର । ତା ପରେ ଗାଁ ଭିତର ଆଡ଼େ ବୁଲି ଆସିଲେ ସେ । ହେଲେ କେହି ବି ତାଙ୍କ ସହିତ କଥା ହେବାକୁ ରାଜିନଥିଲେ । ଏକ ଅଦ୍ଭୂତ ଅଭିମାନ ଥିଲା ଲୋକଙ୍କ ଭିତରେ । ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକୁ ଗ୍ରହଣ କରିନପାରି ସେମାନେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ହିଁ ବାତିଲ୍ କରିଦେଇଥିଲେ ।

ସେଠାରୁ ଫେରି ଆସିଲେ କମଲ କୁମାର । କେମିତି ଏକ ଗ୍ଲାନି ଥିଲା ତାଙ୍କରି ମନରେ । ସେ ଭାବୁଥିଲେ, କରୋନା ଭଳି ଏକ ବିଶ୍ୱ ମହାମାରୀର ସଂକଟ ନଥିଲେ ହୁଏତ ଆଜି ସେଇଠି ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ଅତ୍ୟନ୍ତ ଯାକଯମକରେ ଚାଲୁଥାନ୍ତା । ଏତିକି ବେଳେ ତାଙ୍କ କଲିଂ ବେଲଟା ବାଜିଉଠିଲା । ସେ କବାଟ ଖୋଲି ଦେଖନ୍ତି ତ, ସାମ୍ନାରେ ଗୋବିନ୍ଦପୁର ଗାଁର ସବୁଠୁ ବୟସ୍କ ଦୀନବନ୍ଧୁ ମହାନ୍ତି ଠିଆ ହୋଇଛନ୍ତି । ତାଙ୍କୁ ଘର ଭିତରକୁ ଡାକି ଆଣିଲେ କମଲ କୁମାର । ତେବେ କମଲ କିଛି କହିବା ପୂର୍ବରୁ ଦୀନବନ୍ଧୁ ବାବୁ କହିଲେ, ଆପଣ ମନଉଣା କରନ୍ତୁନି ବାବୁ । ଏଥିରେ ଆପଣଙ୍କର ବା କି ଦୋଷ ଅଛି? ଆପଣ ନିଜର କର୍ତ୍ତବ୍ୟ କରୁଛନ୍ତି । ଆଉ ଯାହା ଟୋକାପିଲାମାନେ ଟିକିଏ ପାଟିତୁଣ୍ଡ କରୁଥିଲେ, ଏଇଟା ସେମାନଙ୍କ ଅନ୍ଧଶ୍ରଦ୍ଧା । ବସ୍ତୁ ସ୍ଥିତି ବୁଝିଥିଲେ ସେମାନେ ଏମିତି ହୁଅନ୍ତେନି । ହେଲେ ଏବେ ତ ସବୁକିଛି ଠିକ୍ ହୋଇଯାଇଛି । ଆଉ ଚିନ୍ତା କଣ? କଥାରେ ନାଇଁ, ଈଶ୍ୱର ଯାହା କରନ୍ତି ପ୍ରାଣୀଙ୍କ ମଙ୍ଗଳ ସକାଶେ । ଦେଖିବେ ସବୁ ମଙ୍ଗଳ ହେବ । ଆରେ ଦେବୀ ମାଆର ମନ୍ଦିର । ସିଏ ଯେତେବେଳେ ଚାହିଁବ ସେତେବେଳ ହେବ । ଏଥି ପାଇଁ ଏତେ ବ୍ୟଗ୍ର ବିବ୍ରତ ହେବାର କଣ ଅଛି? ଓଃ .. ଏତକ କଥା ଶୁଣିବା ପରେ ଦୀର୍ଘଶ୍ୱାସଟିଏ ମାରିଲେ କମଲ କୁମାର । …

ବିଭାଗୀୟ ମୁଖ୍ୟ, ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍, ଚଣ୍ଡୀଗଡ଼ ୟୁନିଭରସିଟି, ମୋହାଲି, ପଞ୍ଜାବ । ଫୋନ୍- ୯୯୩୭୨୫୨୪୬୪

Comments are closed.