ଗାଁ ସ୍କୁଲରେ ତାଲା

(ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’)

ମାମୁଁ ଘର ଗାଁ ନବୀନପୁର । ପିଲାଦିନେ ମାଆ ସାଙ୍ଗରେ ଯାଉଥିଲି । ଦିନେ ଦି ଦିନ ରହିବା ପରେ ପୁଣି ଗାଁରୁ ଜେଜେଙ୍କ ଡାକରା ଯାଏ । ତେଣୁ ମାଆ ବାପଘର ଛାଡ଼ିବାକୁ ବାଧ୍ୟହୁଏ । ଆଉ ଆମେ ପୁଣି ଘରକୁ ଫେରୁ । ହେଲେ ନବୀନପୁରର ଗୋଟିଏ କଥା ପିଲାଦିନେ ବି ମୋତେ ଆଶ୍ଚର୍ଯ୍ୟ କରୁଥିଲା । ସେ ଗାଁରେ ସ୍କୁଲ ନଥିଲା । ଗାଁ ପିଲେ ଜାତୀୟ ରାଜପଥରେ ଚାଲିଚାଲି ତିନି କିଲୋମିଟର ଯାଇ ପାଖ ସହରରେ ପାଠପଢୁଥିଲେ । ଗାଁରେ ଘର ସଂଖ୍ୟା ୩୦ । ଲୋକ ସଂଖ୍ୟା ଦେଢ଼ଶହ ପାଖାପାଖି । ସେ ଅନୁସାରେ ପିଲାସଂଖ୍ୟା ଅନୁମାନ କରାଯାଇପାରେ । କେମିତି ବୁଦ୍ଧି ଉଦୟ ହେଲା କେଜାଣି, ଶେଷରେ ଗାଁ ଲୋକଙ୍କ ଚେଷ୍ଟାରେ ପ୍ରଥମେ ନବୀନପୁର ଗାଁରେ ଆରମ୍ଭ ହେଲା ଗୋଟିଏ ଚାଟଶାଳୀ ମାନେ ନିମ୍ନ ପ୍ରାଥମିକ ବିଦ୍ୟାଳୟ ।

ଜଣେ ଶିକ୍ଷକ, ତିନିଟା ଶ୍ରେଣୀ । ଗାଁ ଲୋକେ ସମସ୍ତେ ମିଶି ଗାଁ ମୁଣ୍ଡରେ ଗୋଟିଏ ଚାଳିଆ ଘର ତିଆରି କରିଥିଲେ । ସେହି ଚାଳିଆରେ ହିଁ ଚାଲିଥିଲା ସ୍କୁଲ । ଗାଁର କୁନି କୁନି ପିଲାମାନଙ୍କ ମନରେ ଉତ୍କଣ୍ଠା, ଆଗ୍ରହ କହିଲେ ନସରେ । ସବୁପିଲା ମନ ଲଗାଇ ପଢୁଥିଲେ । ତୃତୀୟ ଶ୍ରେଣୀ ପରେ ସେହି ପିଲାମାନେ ପୁଣି ବାହାରକୁ ଯାଉଥିଲେ ପଢ଼ିବା ପାଇଁ । ଗାଁଲୋକଙ୍କ ପୁନଃ ପ୍ରଚେଷ୍ଟାରେ ଚତୁର୍ଥ ପଞ୍ଚମ ଶ୍ରେଣୀ ବି ଖୋଲିଲା । ଚାଳିଆ ଘରୁ ପକ୍କାଘରଟିଏ ତିଆରି ହେଲା । ସେଇଠି ପିଲାଏ ପାଠ ପଢ଼ିଲେ । ଆଜି ସେମାନଙ୍କ ଭିତରୁ କିଏ ସ୍ନାତକ ତ ଆଉ କିଏ ସ୍ନାତକୋତ୍ତର ଡିଗ୍ରୀଧାରୀ । କେହି କେହି କେନ୍ଦ୍ର ସରକାରୀ କର୍ମଚାରୀ, ଅଧିକାରୀ ।

ଏହାରି ଭିତରେ ତିରିଶ ବର୍ଷ ବିତିଗଲାଣି । ସରକାର କେତେ କଣ ନୂଆଯୋଜନା କଲେଣି । ସର୍ବଶିକ୍ଷା ଅଭିଯାନରେ ପିଲାଙ୍କୁ ଆକର୍ଷିତ କରିବା ପାଇଁ ମଧ୍ୟାହ୍ନ ଭୋଜନ ଦିଆଗଲାଣି । ଚାଳିଆ ଘରେ ଆରମ୍ଭ ହୋଇଥିଲା ସ୍କୁଲ ପାଖରେ ଏବେ ତିନି ଚାରିଟା କୋଠା । ଗାଁର ଜନସଂଖ୍ୟା ତିନିଶହ ହେଲାଣି । ଘର ସଂଖ୍ୟା ବି ବଢ଼ିଲାଣି । ହେଲେ ଗାଁ ସ୍କୁଲରେ ପିଲାଙ୍କ ସଂଖ୍ୟା କମି କମି ଯାଇଛି । ଆରମ୍ଭରେ ଜଣେ ଶିକ୍ଷକ ଯେତେ ପିଲାଙ୍କୁ ସମ୍ଭାଳୁଥିଲେ, ସେ ତୁଳନାରେ ତାର ଅଧାପିଲାଙ୍କୁ ସମ୍ଭାଳିବାକୁ ତିନି ତିନି ଜଣ ଶିକ୍ଷକ । ହେଲେ ପାଠପଢ଼ା ଘର ଶୂନ୍ ।

ଗତ କିଛି ବର୍ଷ ଭିତରେ ନବୀନପୁର ସ୍କୁଲରେ ପିଲା ସଂଖ୍ୟା କମି କମି ଏବର୍ଷ ମାତ୍ର ପାଞ୍ଚ ଜଣକୁ ଖସି ଆସିଛି । ସରକାରଙ୍କ ତାଗିଦ୍ ଯେ, ଯଦି ପିଲାସଂଖ୍ୟା ନବଢ଼େ ତାହେଲେ ସ୍କୁଲ ବନ୍ଦ ହେବ । ତଥାପି ନା ଶିକ୍ଷକ ନା ଅଭିଭାବକ କାହାକୁ ବି ଚିନ୍ତା ନାହିଁ । ହଁ, ଅଭିଭାବକ ବା କାହିଁକି ଚିନ୍ତା କରିବେ? ସେମାନଙ୍କ କହିବା କଥା, ସ୍କୁଲ ଥିଲେ କେତେ ନଥିଲେ କେତେ? ସ୍କୁଲ ଥାଇ ନଥିଲା ଭଳି । ପିଲା ସ୍କୁଲକୁ ଯାଇ ପାଠ ପଢୁଛି କି ପୋଖରୀରେ ଡେଉଁଛି ବା ତୋଟାକୁ ଯାଇ ତେନ୍ତୁଳି, ଆମ୍ବ ଗୋଟାଉଛି ସେ ଖବର ଶିକ୍ଷକଙ୍କ ପାଖରେ ନାହିଁ । ତେଣୁ ସ୍କୁଲକୁ ପିଲାକୁ ପଠାଇ ଲାଭ କଣ?

ଏଣେ ନବୀନପୁରର ଜଣେ ବୟୋବୃଦ୍ଧ ବ୍ୟକ୍ତି କହୁଥିଲେ, ଗାଁରେ ଯେତେବେଳେ ସ୍କୁଲ ନଥିଲା, ସେତେବେଳେ ପିଲାଙ୍କ ଭିତରେ ପାଠ ପଢ଼ିବା ପାଇଁ ଆଗ୍ରହ ଥିଲା । ଜଣେ ଶିକ୍ଷକ ଆସିଥିଲେ, ନାଁ ତାଙ୍କର ଜଗନ୍ନାଥ ଦାଶ । ସିଏ ଏ ଗାଁକୁ ସଜାଡ଼ି ଦେଇଯାଇଥିଲେ । ଘର ଘର ବୁଲି ପିଲାଙ୍କୁ ଡାକୁଥିଲେ ସେ । ମଧ୍ୟାହ୍ନ ଭୋଜନ ମିଳୁନଥିଲା କି ପିଲାକୁ ପ୍ରଲୋଭିତ କରିବାକୁ ଅନ୍ୟ କୌଣସି ଉତ୍କୋଚ ବି ନଥିଲା । କିନ୍ତୁ ସେ ପିଲାମାନଙ୍କୁ ବାପଧନ କରି ପାଖରେ ବସାଇ ପାଠ ପଢ଼ାଉଥିଲେ । ପିଲାକୁ ପାଠ ପଢ଼ାଇବା ସହିତ ତାକୁ ମଣିଷ କରି ଗଢ଼ିତୋଳିବା ପାଇଁ ଯାହା ସବୁ ଶିକ୍ଷାର ଆବଶ୍ୟକତା ରହିଛି, ସେ ସବୁ ଦେଉଥିଲେ ସେ । ସେଥିପାଇଁ ତ, ଯେଉଁଦିନ ଜଗନ୍ନାଥ ମାଷ୍ଟ୍ରେ ଗାଁରୁ ବଦଳି ହୋଇଗଲେ, ସେଦିନ ଗାଁର ପିଲାମାନେ ବାପଛେଉଣ୍ଡ ଭଳି ଭୋ ଭୋ ରଡ଼ି ଛାଡ଼ି କାନ୍ଦୁଥିଲେ । ଗାଁର ପ୍ରତିଟି ଲୋକର ଆଖିରେ ଥିଲା ଲୁହ । ହେଲେ ଆଜି ?…ଆଜି ଗାଁର ଚିତ୍ର ଅଲଗା । ତିନି ଜଣ ଶିକ୍ଷକ, ହେଲେ କାହାକୁ କାହା ସାଙ୍ଗରେ ପଡୁନି । ପରସ୍ପର କେବଳ ଆରୋପ ପ୍ରତ୍ୟାରୋପରେ ବ୍ୟସ୍ତ । ଗାଁ ରାଜନୀତିରେ ମସଗୁଲ୍ । କାହା ଝିଅକୁ କିଏ ବାହାହେବ? କେଉଁଠି ବିବାହ ପ୍ରସ୍ତାବ ପକାଇଲେ ଭଲ ଯୌତୁକ ମିଳିବ? କାହା ସାଙ୍ଗରେ କାହାର ବିବାହିତର ସମ୍ପର୍କ ରହିଛି, କିଏ କିଭଳି ଦୋ ନମ୍ବରୀ କାମରେ ଅଧିକ ରୋଜଗାର କରୁଛି, ଏ ସବୁ କଥାକୁ ନେଇ ଚର୍ଚ୍ଚା । ଏଭଳି ସ୍ଥିତିରେ କୋଉ ବାପାମାଆ ନିଜ ପିଲାକୁ ସ୍କୁଲକୁ ପଠାଇବ? ସେଥିପାଇଁ ଅଧିକାଂଶ ପିଲା ଏବେ ଘରୋଇ ସ୍କୁଲରେ ବା କିଏ ନିଜ ଅଜା ଘରେ, ପିଉସୀ ଘରେ, ମାଉସୀ ଘରେ ରହି ଅନ୍ୟଗାଁରେ ପାଠ ପଢୁଛନ୍ତି । ହେଲେ ଗାଁ ସ୍କୁଲକୁ ଯିବାକୁ ନାରାଜ । ଏ ଭଳି ସ୍ଥିତିରେ ବି ଗାଁ ସ୍କୁଲକୁ ବଞ୍ଚାଇବା ପାଇଁ ଗାଁ ଲୋକଙ୍କ କୌଣସି ଆନ୍ତରିକତା ଦେଖିବାକୁ ମିଳିନି ।

ଏମିତି ସ୍ଥଳେ ହଠାତ୍ ପ୍ରଧାନ ଶିକ୍ଷକଙ୍କ ପାଖକୁ ଆସିଲା ସରକାରୀ ଚିଠି । ଏ ବର୍ଷଠୁ ନବୀନପୁର ସ୍କୁଲରେ ଝୁଲିବ ତାଲା । ନାମଲେଖା ବନ୍ଦ । ସ୍କୁଲ ବନ୍ଦ । ପ୍ରଧାନ ଶିକ୍ଷକ ସଙ୍ଗେ ସଙ୍ଗେ ଗାଁ ବିଦ୍ୟାଳୟ କମିଟିର ବୈଠକ ଡକାଇ ସରକାରୀ ନିର୍ଦ୍ଦେଶକୁ ପଢ଼ି ଶୁଣାଇଦେଲେ । ତେବେ ବୈଠକରେ ବସିଥିବା ଗାଁ ମୁଖିଆମାନେ କେବଳ ପରସ୍ପରର ମୁହଁକୁ ଚାହିଁବା ବ୍ୟତୀତ ସେମାନଙ୍କର ନଥିଲା ଆଉ କୌଣସି ପ୍ରତିକ୍ରିୟା। ସେତିକି ବେଳେ ବୈଠକରୁ ଉଠିଯାଇ ପ୍ରଧାନଶିକ୍ଷକ ଓ ଅନ୍ୟ ସହଯୋଗୀ ଶିକ୍ଷକମାନେ ନିଜ ନିଜ ବ୍ୟାଗ୍ ଉଠାଇ ବାହାରିଗଲେ । ସ୍କୁଲ ଅଫିସରେ ତାଲା ଲଗାଇଦେଇ ଗାଁ କମିଟି ମୁଖ୍ୟଙ୍କ ହାତରେ ଚାବିଟାକୁ ଧରାଇଦେଲେ ପ୍ରଧାନଶିକ୍ଷକ । ଶେଷଥର ପାଇଁ ସେ ତିନି ଶିକ୍ଷକଙ୍କୁ ନମସ୍କାର କଲେ ଗାଁଲୋକେ । ଯେହେତୁ ସ୍କୁଲ ବନ୍ଦ ସାଙ୍ଗକୁ ପାଖ ଗାଁ ସ୍କୁଲକୁ ବଦଳି ହେବାର ସରକାରୀ ନିର୍ଦ୍ଦେଶଟା ବି ସେହି ଚିଠି ସାଙ୍ଗରେ ଥିଲା, ତେଣୁ ସେ ଶିକ୍ଷକମାନଙ୍କ ମୁହଁରେ କୌଣସି ଅନୁତାପ ବା ଅନୁଶୋଚନା ନଥିଲା । ଧୀରେ ଧୀରେ ସେମାନେ ଅପସରି ଯାଇଥିଲେ ଗାଁର ସୀମାନ୍ତରୁ । ନା ଥିଲା କୌଣସି ବିଦାୟ ସମ୍ବର୍ଦ୍ଧନା ନା ପିଲା ବା ବୟସ୍କଙ୍କ ଭିତରେ କୌଣସି ଆବେଗ । ବରଂ ଦୂରରେ ଠିଆ ହୋଇ ଜଗନ୍ନାଥ ଦାଶ ମାଷ୍ଟ୍ରଙ୍କ ବିଷୟରେ କହୁଥିବା ସେହି ବୟୋବୃଦ୍ଧ ବ୍ୟକ୍ତି ଜଣକ ଏକ ଲୟରେ ଅନାଇ ପଡ଼ିଥିଲେ ଗାଁ ସ୍କୁଲ କବାଟକୁ, ଯେଉଁଠି ଝୁଲୁଥିଲା ସାତ ଲିଭର ବିଶିଷ୍ଟ ଗୋଟିଏ ଷ୍ଟିଲ୍ ତାଲା । ଦିଗବଳୟରେ ଅସ୍ତଗାମୀ ସୂର୍ଯ୍ୟଙ୍କ ତେରଛା ସୁନେଲି କିରଣପଡ଼ି ସେହି ତାଲାଟା ଅକସ୍ମାତ୍ ଭାବେ ବିରାଟ ରୂପ ନେଉଥିଲା । ମନେ ହେଉଥିଲା ସତେ ଯେମିତି ଆଉ କେବେ ବି ନଖୋଲି ହେବାକୁ ଜିଦ୍ କରି ବସିଛି ସେ । …

ବିଭାଗୀୟ ମୁଖ୍ୟ, ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍, ଚଣ୍ଡୀଗଡ଼ ୟୁନିଭରସିଟି, ମୋହାଲି, ପଞ୍ଜାବ । ଫୋନ୍- ୯୯୩୭୨୫୨୪୬୪