Latest Odisha News

BREAKING NEWS

Garudastra: ଆତ୍ମନିର୍ଭର ଭାରତର ନୂଆ ଅସ୍ତ୍ର, ଶତ୍ରୁଙ୍କ ପାଇଁ କାଳ ହେବ “ଗରୁଡ଼ାସ୍ତ୍ର”

ନୂଆଦିଲ୍ଲୀ: ଭାରତର ସ୍ବଦେଶୀ ଅସ୍ତ୍ର

ଶତ୍ରୁଙ୍କୁ ମିଳିବନି ସୁଯୋଗ!

୧୦ କିମି ଦୂରରୁ ସଠିକ୍ ଆଘାତ କରିବ ‘ଗରୁଡ଼ାସ୍ତ୍ର’

ଆକାଶରେ ଗରୁଡ଼ର ବେଗ, ଭୂମିରେ ଘାତକ ଆକ୍ରମଣ। ଭାରତୀୟ ସେନାର ଶକ୍ତିକୁ ଆଉ ଏକ ନୂଆ ପାହାଚ ଦେବାକୁ ପ୍ରସ୍ତୁତ ହୋଇଛି ‘ଗରୁଡ଼ାସ୍ତ୍ର’। ‘ଆତ୍ମନିର୍ଭର ଭାରତ’ ଅଧୀନରେ ଦେଶୀୟ କମ୍ପାନୀ ନିବେ ଲିମିଟେଡ୍ ପକ୍ଷରୁ ବିକଶିତ ଏହି ଅତ୍ୟାଧୁନିକ ୧୨୦ ମିଲିମିଟର ଭେହିକଲ୍-ମାଉଣ୍ଟେଡ୍ ମୋର୍ଟାର ସିଷ୍ଟମ୍ ଏବେ ଭାରତୀୟ ସେନାରେ ସାମିଲ ହେବାକୁ ପ୍ରସ୍ତୁତ। ମଧ୍ୟପ୍ରଦେଶର ଇନଫାଣ୍ଟ୍ରି ସ୍କୁଲ୍ ମହୁଠାରେ ହୋଇଥିବା ପ୍ରଦର୍ଶନରେ ଗରୁଡ଼ାସ୍ତ୍ର ନିଜର ଘାତକ କ୍ଷମତାର ଝଲକ ଦେଖାଇଛି।

ପ୍ରଦର୍ଶନ ଆରମ୍ଭ ହୋଇଥିଲା ‘ଶୁଟ୍ ଆଣ୍ଡ ସ୍କୁଟ୍’ ମିଶନ୍ ସହ। ଯୁଦ୍ଧକ୍ଷେତ୍ରରେ ଯେପରି ହଠାତ୍ ଆକ୍ରମଣ କରି ତୁରନ୍ତ ସ୍ଥାନ ବଦଳାଯାଏ, ଗରୁଡ଼ାସ୍ତ୍ର ଠିକ୍ ସେହିପରି କୌଶଳ ପ୍ରଦର୍ଶନ କରିଥିଲା। ମାତ୍ର ୩୦ ସେକେଣ୍ଡ ମଧ୍ୟରେ ଏହା ଫାୟାରିଂ ପୋଜିସନ୍ ନେଇଥିଲା ଏବଂ ୧୫ ସେକେଣ୍ଡରୁ କମ୍ ସମୟ ମଧ୍ୟରେ ଦୁଇଟି ୨ ରାଉଣ୍ଡ ଗୁଳି ସହିତ ଲକ୍ଷ୍ୟଭେଦ କରିଥିଲା। ଏହାପରେ ଶତ୍ରୁ ପକ୍ଷରୁ ହୋଇପାରୁଥିବା କାଉଣ୍ଟର ଆକ୍ରମଣକୁ ଏଡ଼ାଇବା ପାଇଁ ଗରୁଡ଼ାସ୍ତ୍ର କେବଳ ୧୫ ସେକେଣ୍ଡ ମଧ୍ୟରେ ସ୍ଥାନ ପରିବର୍ତ୍ତନ କରି ପୁଣି ନୂଆ ସ୍ଥାନରୁ ଆକ୍ରମଣ କରିଥିଲା।

ଗରୁଡ଼ାସ୍ତ୍ରର ସବୁଠୁ ବଡ଼ ଶକ୍ତି ହେଉଛି ଏହାର ଦ୍ରୁତ ଫାୟାରିଂ କ୍ଷମତା। ଏହା ମାତ୍ର ୬୦ ସେକେଣ୍ଡ ମଧ୍ୟରେ ୧୨ ରାଉଣ୍ଡ ଗୁଳି ନିକ୍ଷେପ କରି ସଠିକତାର ନୂଆ ଉଦାହରଣ ସୃଷ୍ଟି କରିଥିଲା। ଏହା ସହିତ ‘ମଲ୍ଟିପଲ୍ ରାଉଣ୍ଡସ୍ ସିମଲ୍ଟେନିୟସ୍ ଇମ୍ପାକ୍ଟ’ ମିଶନ୍‌ରେ ଭିନ୍ନ ଭିନ୍ନ ସମୟରେ ଛାଡ଼ାଯାଇଥିବା ତିନୋଟି ଗୁଳି ଏକାସାଙ୍ଗରେ ଲକ୍ଷ୍ୟସ୍ଥଳରେ ପହଞ୍ଚି ଘାତକ ପ୍ରଭାବ ସୃଷ୍ଟି କରିଥିଲା।

ତେବେ ପ୍ରଦର୍ଶନର ସବୁଠୁ ବଡ଼ ଆକର୍ଷଣ ଥିଲା ପ୍ରିସିଜନ୍-ଗାଇଡେଡ୍ ମ୍ୟୁନିସନ୍। GPS ଓ ଲେଜର ଗାଇଡେନ୍ସ ବ୍ୟବସ୍ଥାରେ ସଜ୍ଜିତ ଏହି ଗୁଳି ୧୦ କିଲୋମିଟର ଦୂରରୁ ଫାୟାର୍ କରାଯାଇଥିଲା। ଆଶ୍ଚର୍ଯ୍ୟର କଥା, ଏହା ୩ ମିଟର × ୩ ମିଟର ଆକାରର ଛୋଟ ଟାର୍ଗେଟକୁ ସିଧାସଳଖ ଆଘାତ କରିଥିଲା।

ଏହି ସଫଳ ପରୀକ୍ଷଣ ସହ ଭାରତୀୟ ସେନା ପ୍ରଥମ ଥର ପାଇଁ ଦେଶରେ ବିକଶିତ ଏକ ପରବର୍ତ୍ତୀ ଜେନେରେସନ୍ ଲଙ୍ଗ୍ ରେଞ୍ଜ୍ ମୋର୍ଟାର ସିଷ୍ଟମ୍ ପାଇବାକୁ ଯାଉଛି। ଗରୁଡ଼ାସ୍ତ୍ର କେବଳ ଏକ ଅସ୍ତ୍ର ନୁହେଁ, ବରଂ ଆତ୍ମନିର୍ଭର ଭାରତର ସାମରିକ ଶକ୍ତି ଓ ସ୍ୱଦେଶୀ ପ୍ରଯୁକ୍ତିର ଏକ ନୂଆ ପ୍ରତୀକ।

Leave A Reply

Your email address will not be published.