Latest Odisha News

BREAKING NEWS

‘ଯାଯାବର ମନମୋର’ ସହଜରେ ଆସିଗଲା କିନ୍ତୁ ପର ଲାଇନ୍ ଲେଖିବାକୁ ଦୁଇମାସ ଲାଗିଲା…

ସୂର୍ଯ୍ୟ ଦେଓଙ୍କ ଗୀତ ପଛର ଗପ…

ଯାଯାବର ମନ ଯା’ର

ଓଡ଼ିଆ ରକ୍ତରେ ଭେଦିଥିବା ଏହି ଗୀତ ପଛର ଗପ ଯେତେ ରୋମାଂଚିତ କରେ, ତାହାଠାରୁ ଅଧିକ ଏହି କଥାଟି ବିହ୍ୱଳ କରେ ଯେ ଯାହାଙ୍କ ମନ ଯାଯାବର, କେବଳ ସେ ହିଁ ରଚି ପାରନ୍ତି ଏମିତି ଇତିହାସ ଏବଂ କେବଳ ସେ ହିଁ କହିପାରନ୍ତି ଏମିତି ଠୋ ପଟାସ ଜବାନବନ୍ଦୀ!
ଯାଯାବର ମନ ମୋର

ଅକ୍ଷୟ ମହାନ୍ତି ଯାହା କହିଥିଲେ…

‘ଯାଯାବର’ରେ ଆଇ ୱାଜ୍ ୱାନ୍ ଅଫ୍ ଦି ଡିରେକ୍ଟର । ଆମେ ତିନିଜଣ ଡିରେକ୍ଟର ଥିଲୁ ତ, ହେମନ୍ତ ଦାସ, ବିଜୟ ମିଶ୍ର ଓ ମୁଁ । ‘ଯାଯାବର’ର ନିର୍ଦ୍ଦେଶକ ମଣ୍ଡଳୀ ‘ତ୍ରିମୂର୍ତି’ଙ୍କର ଜଣେ ମୂର୍ତି ଥିଲି ମୁଁ । ପ୍ରଯୋଜକ ସଂପୂର୍ଣ୍ଣ ନୂତନ ଥିଲେ । ହେମନ୍ତ ଦାସ ଦେଖୁଥିଲେ ନାଟକ ବିଭାଗ, ବିଜୟ ମିଶ୍ର ଦେଖୁଥିଲେ ସଂଳାପ ବିଭାଗ । ମୁଁ ଦେଖୁଥିଲି ସଂଗୀତ ଓ ନୃତ୍ୟ ବିଭାଗ, ଯାହାକୁ ଇଂଲିଶରେ କୋରିଓଗ୍ରାଫି କହାଯାଏ ।

ଆମଙ୍କୁ ଗୋଟିଏ ନିରୋଳା ଘର ଦିଆଯାଇଥିଲା । ‘ଯାଯାବର’ ଟାଇଟଲ୍ ଗୀତଟା ବୋଧେ କୋଡ଼ିଏ ଦିନ ଲାଗିଛି କମ୍ପୋଜ୍ କରିବାକୁ । ‘ଯାଯାବର’ର ଯେଉଁ ପ୍ରଯୋଜକ ଥିଲା ତା’ର ଏତେ ବଡ଼ ଛାତି ଥିଲା, ଏତେ ହିମ୍ମତ୍ ଥିଲା ଯେ ସେ କହିଥିଲା ‘ଆପଣ କରନ୍ତୁ, ଯଦି ଓଡ଼ିଆରେ ପ୍ରଥମ ଟାଇଟଲ୍ ଗୀତ କରିବାକୁ ଚାହୁଁଛନ୍ତି ତେବେ କରନ୍ତୁ । ଆପଣଙ୍କ ସଉକରେ କରନ୍ତୁ । କେତେ ଦିନ ଲାଗୁଛି ଲାଗୁ’ । କିଏ ବିଶ୍ୱାସ କଲେ କରୁ ନ ହେଲେ ନାଇଁ, ‘ଯାଯାବର’ର ଟାଇଟଲ୍ ଗୀତ ଲେଖିବାକୁ ମୋତେ ଦୁଇ ମାସ ଲାଗିଗଲା ।

ପ୍ରଥମ ଲାଇନ୍ ‘ଯାଯାବର ମନମୋର’ ସହଜରେ ଆସିଗଲା କିନ୍ତୁ ପର ଲାଇନ୍ ଲେଖିବାକୁ ଦୁଇମାସ ଲାଗିଲା । ଯେଉଁମାନେ ମୋତେ ଜାଣିଛନ୍ତି, ସେମାନେ ଜାଣନ୍ତି, ଗୁଡ଼ାଖୁ ଘସିଲାବେଳେ ବା ଲେଟ୍ରିନ୍ରେ ଥିବାବେଳେ ମୋର ଗୀତ ଲାଇନ୍ ମନକୁ ଆସେ । ‘ସୀମାହୀନ ଆଶାମୋର’ ଏହି ଲାଇନ୍ ଆସିବା ପାଇଁ କେତେ ଗୁଡାଖୁ ଡବା ଖର୍ଚ୍ଚ ହୋଇଥିବ ତାହାର ହିସାବ ନାହିଁ । ଆଉ ଏଇ ଗୀତକୁ ସକାଳ ୯ଟାରୁ ରାତି ୯ଟା ପର୍ଯ୍ୟନ୍ତ ମୁଁ ରେକର୍ଡିଂ କରିଛି । ୧୯୭୪ରେ ୯ହଜାର ଟଙ୍କା ଖର୍ଚ୍ଚ ହୋଇଥିଲା । ସେତେବେଳକୁ ଗୋଟିଏ ଗୀତ ରେକର୍ଡିଂ ପାଇଁ ୩ହଜାର ଖର୍ଚ୍ଚ ହେଉଥିଲା । ହ୍ୟାଣ୍ଡସ୍ ଟିକେ ବେଶି ନେଇଥିଲି । ପ୍ରଥମେ ବେସ୍ ଗିଟାର୍ ବ୍ୟବହାର କରିଥିଲି ।

ବିଖ୍ୟାତ ଗୀଟାର ବାଦକ ଟୋନି ସୁଦ୍ ବଗାଇ ଥିଲେ ଗୀଟାର୍ । ଏକସପେରିମେଂଟ୍ ହଉ ହଉ ଚମକ୍ରାର ଆରେଞ୍ଜମେଂଟ ହୋଇଗଲା । ଏ ଗୀତରେ ତୃପ୍ତିକୁ ନେଇଥଲି ରିଫ୍ରେନ୍ ଭଏସ୍ ଭାବରେ । ତାହା ବି ଆଉ ଏକ ଏକସପେରିମେଂଟ୍ ।

‘ଯାଯାବର’ଗୀତ ଓ ଚଳଚ୍ଚିତ୍ରଟି ସେ ବର୍ଷ ଓଡ଼ିଶାରେ ଚହଳ ପକାଇଥିଲେ ମଧ୍ୟ ମୋତେ ଏ ଗୀତ ପାଇଁ ବା ନିର୍ଦ୍ଦେଶନା ପାଇଁ ସରକାର ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶକ ଭାବରେ ପୁରସ୍କାର ଦେଇ ନ ଥିଲେ, ସେଥିପାଇଁ ମୁଁ ଦୁଃଖିତ ନ ଥିଲି । କାରଣ ମୋର ବିଶ୍ୱାସ, ଓଡ଼ିଆ ଚଳଚ୍ଚିତ୍ର ସଂଗୀତ ଥିବା ପର୍ଯ୍ୟନ୍ତ ‘ଯାଯାବର’ ଅମର ହୋଇ ରହିବ ।

ଯାଯାବର ମନମୋର

ଯାଯାବର
ମନ ମୋର
ସୀମାହୀନ ଆଶା ମୋର
ନିତି ଗଢ଼େ ନିତି ଭାଙ୍ଗେ
ନିତି ଗଢ଼େ ନିତି ଭାଙ୍ଗେ
ନିତି ଗଢ଼େ
ନିତି ଭାଙ୍ଗେ
ନିତି ଗଢ଼େ
ନିତି ଭାଙ୍ଗେ
ସ୍ୱପ୍ନର ବାଲିଘର
ଯାଯାବର

ଯାଯାବର
ମନ ମୋର
ଯାଯାବର
ମନ ମୋର

ମନ ମୋର
ମୁଁ ନିର୍ଝର ଆଲୋକର
ମୋ ଛାଇ ବନ୍ଧୁ ମୋର
ନିତି ଲେଖେ ନିତି ଜାଳେ
ନିତି ଲେଖେ ନିତି ଜାଳେ
ନିତି ଲେଖେ
ନିତି ଜାଳେ
ନିତି ଲେଖେ
ନିତି ଜାଳେ
ଗଳ୍ପ ମୋ ହୃଦୟର
ଯାଯାବର

ମୁଁ ପ୍ରେମିକ ଦିଗନ୍ତର
ମରୀଚିକା ପ୍ରିୟା ମୋର
ଭଲ ପାଏ ଭୁଲିଯାଏ
ଭଲ ପାଏ ଭୁଲିଯାଏ
ଭଲ ପାଏ

ଭୁଲିଯାଏ
ନିତିଦିନ ଖେଳ ମୋର
ଯାଯାବର
ଗୀତ: ଅକ୍ଷୟ ମହାନ୍ତି
ଗାୟନ: ଅକ୍ଷୟ ମହାନ୍ତି ଓ ତୃପ୍ତି ଦାସ
ଚଳଚ୍ଚିତ୍ର:ଯାଯାବର, ୧୯୭୫
ପ୍ରଯୋଜନା: ଅରବିନ୍ଦ ପିକଚର୍ସ
ସଂଗୀତ: ଅକ୍ଷୟ ମହାନ୍ତି

Leave A Reply

Your email address will not be published.