ଘୋଷ ଯାତ୍ରା ଓଡିଆ ସ୍ୱାଭିମାନର ପ୍ରତୀକ

ମୁଁ  ଭକ୍ତ ସାଲବେଗ ନୁହେଁ, ନା ମୁଁ ବଳରାମ ଦାସ, ନା ଦାସିଆ ବାଉରୀ, ନା ଗଣମାଧ୍ୟମରେ ସିଧା ପ୍ରସାରଣର ଭାଷ୍ୟକାର, ନା ମୁଁ ମହାପ୍ରଭୁଙ୍କୁ ରତ୍ନ ବେଦୀରେ ଅଟକାଇ ଦେବି। ହେଲେ ମହାପ୍ରଭୁଙ୍କ ସଙ୍ଗେ କିଛି ନିଜର ଭାବ ଅବା ଅଭିମାନ ଥିବା ହେତୁ ଇଚ୍ଛା ହେଲା କିଛି ପରିପ୍ରକାଶ କରିବା ପାଇଁ।

ପରମ୍ପରା ରକ୍ଷା ପାଇଁ ଶ୍ରୀମନ୍ଦିର ଚତୁଃପାର୍ଶ୍ଵରେ ୧୪୪ଧାରା ମଧ୍ୟରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ହେଲା, ଆଉ ପରମ୍ପରା ଅନୁସାରେ ଭକ୍ତଙ୍କ ପାଇଁ ଉଦ୍ଦିଷ୍ଟ ମହାପ୍ରଭୁଙ୍କ ହାତୀ ବେଶ ମଧ୍ୟ ବାରଣ ହେଲା ଭକ୍ତ ମାନଙ୍କୁ । ହେଲେ କେଉଁ ପରମ୍ପରା ଅନୁସାରେ ମହାପ୍ରଭୁଙ୍କୁ ବିଶ୍ରାମ ନ’ଦେଇ ମଧ୍ୟରାତ୍ରରୁ ପହଣ୍ଡି କରି ସନ୍ଧ୍ୟା ସୁଦ୍ଧା ଅଣସର ଘରେ ପ୍ରଵେଶ କରାଯାଇଥିଲା, ଏହା କେଉଁ ପରମ୍ପରାରେ ରହିଛି ।

ଅନ୍ୟ ପକ୍ଷରେ ଯଦି ସେବାୟତ ମାନଙ୍କୁ ମହାପ୍ରଭୁଙ୍କ ସେବା କରିବାର ସୁଯୋଗ ମିଳୁଛି, ମହାମାରୀ ତାଲାବନ୍ଦ ସମୟରେ ଅନ୍ୟ ରାଜ୍ୟର ଶ୍ରମିକ ମାନଙ୍କୁ ନିଜ ଘରକୁ ସୁରକ୍ଷିତ ଭାବରେ ପଠାଯାଇ ପାରୁଛି ଏବଂ ଓଡ଼ିଆ ଶ୍ରମିକ ମାନଙ୍କୁ ବାହାର ରାଜ୍ୟରୁ ସମ୍ମାନର ସହିତ ଆଣି ରାଜ୍ୟରେ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇ ପାରୁଛି ଏବଂ ଚିକିତ୍ସା ସହିତ ପ୍ରୋତ୍ସାହନ ରାଶି ଦିଆ ହେଇପାରୁଛି, ତେବେ ସେହିପରି ଉଦ୍ଦିଷ୍ଟ ଭକ୍ତ ମାନଙ୍କୁ ବଡ଼ ଦାଣ୍ଡରୁ ଦର୍ଶନ କରିବାର ସୁଯୋଗ ଦେବାରେ ଅସୁବିଧା କ’ଣ ପାଇଁ । ବିନା ଭକ୍ତରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ତଥା ହାତୀ ବେଶର କିଛି ସାମଞ୍ଜସ୍ୟ ରହିଲାନି, ଆଉ ରଥଯାତ୍ରା ମଧ୍ୟ ହେବ ନା ନାହିଁ ଦୋ ଛକିରେ ଅଟକିଛି।

ମହାପ୍ରଭୁଙ୍କ ସ୍ନାନଯାତ୍ରା ଏବଂ ରଥଯାତ୍ରା ପର୍ବ ଭଗବାନଙ୍କ ଏକ ମାନବୀୟ ଲୀଳା ଓ ଭକ୍ତ ସହିତ ଭଗବାନ ମିଶିବା ପାଇଁ ବଡଦାଣ୍ଡକୁ ଏକ ମାଧ୍ୟମ କରିଛନ୍ତି । ସ୍ନାନଯାତ୍ରାରେ ସେ ବଡ଼ଦାଣ୍ଡରୁ ଦର୍ଶନ ଦିଅନ୍ତି ଆଉ ରଥଯାତ୍ରାରେ ଚାଲି ଚାଲି ପହଣ୍ଡିରେ ବଡ଼ଦାଣ୍ଡକୁ ଧାଇଁ ଆସନ୍ତି ଭକ୍ତଙ୍କ ସହିତ ମିଶିବା ପାଇଁ । ରଥଯାତ୍ରା ଯେତିକି ସେବାୟତଙ୍କ ଜରୁରୀ ତା’ଠୁ ଅଧିକ ଭକ୍ତ ମାନଙ୍କ ପାଇଁ ମଧ୍ୟ ଆବଶ୍ୟକ । ଏଥିପାଇଁ ବଡ଼ଦାଣ୍ଡ ହେଉଛି ଭକ୍ତ ଏବଂ ଭଗବାନଙ୍କ ମିଳନସ୍ଥଳ, ଏହି ପର୍ବ ହେଉଛି ରଥଯାତ୍ରା।

ଏଠି ଜାଣି ରଖିବା ଦରକାର ଜଗନ୍ନାଥ ସଂସ୍କୃତିରେ ସମସ୍ତ ଭକ୍ତ ମନ୍ଦିର ମଧ୍ୟରେ ମହାପ୍ରଭୁଙ୍କ ଦର୍ଶନ କରିବା ସମ୍ଭବ ନୁହେଁ, କିଛି ଧାର୍ମିକ ଦୃଷ୍ଟି କୋଣରୁ ଏବଂ କିଛି ସାମାଜିକ ଦୃଷ୍ଟି କୋଣରୁ ମନ୍ଦିର ପ୍ରବେଶରେ କଟକଣା ଅଛି । ଯେପରି ବିନା ହିନ୍ଦୁ ଧର୍ମ ଛଡା ଅନ୍ୟଧର୍ମ ଅବା ବିଦେଶ ଲୋକଙ୍କ ପ୍ରବେଶ ବାରଣ ଅଛି । ଏବଂ ସାମାଜିକ ଦୃଷ୍ଟି କୋଣରୁ କିଛି ଜାତିଗତ କାରଣରୁ ମନ୍ଦିର ମଧ୍ୟରେ ପ୍ରବେଶ ବାରଣ । ଏହାକୁ ଛାଡି  ହିନ୍ଦୁ ଧର୍ମ ପରିବାରରେ କେହି ମୃତ୍ୟୁ ବରଣ କରିଥାନ୍ତି ସେମାନେ ମଧ୍ୟ ମନ୍ଦିର ମଧ୍ୟରେ ମହାପ୍ରଭୁଙ୍କ ଦର୍ଶନରେ ବାରଣ ରହିଛି ।

ସ୍ନାନଯାତ୍ରାରେ ଭକ୍ତଙ୍କୁ ବାରଣ କରାଗଲା ଏବଂ ବର୍ତ୍ତମାନ ଯଦି ରଥଯାତ୍ରା ହୁଏ ତେବେ ଉପରୋକ୍ତ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନରୁ ମଧ୍ୟ ବଞ୍ଚିତ ହେବେ । ପରମ୍ପରା ରକ୍ଷା କରାଯାଉ ଏବଂ ଯେଉଁ ଭକ୍ତମାନେ ମନ୍ଦିର ମଧ୍ୟକୁ ପ୍ରବେଶରେ ବାସନ୍ଦ ଅଛନ୍ତି, ସେମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବାର ସମୟ ଆସିଛି । ଯେପରି ଶ୍ରମିକମାନଙ୍କୁ ରେଜିଷ୍ଟ୍ରେସନ କରାଯାଇ ଅଣାଯାଇ ପାରୁଛି, ଠିକ ସେହିଭଳି ଇଛୁକ ଭକ୍ତମାନଙ୍କ ପାଇଁ ତାଲିକା ପ୍ରସ୍ତୁତ କରାଯାଇ ବଡ଼ଦାଣ୍ଡରେ ଦର୍ଶନର ମାଧ୍ୟମ ବାହାର କରାଯାଉ ।

ପ୍ରଳୟଙ୍କରୀ ଫାଇଲିନ୍, ଫନି ବାତ୍ୟାର ଦୃଢ଼ ମୁକାବିଲା ସହ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଜୀବିକା ବଞ୍ଚେଇ ପାରୁଥିବା ସମାଜ, ଅନ୍ୟ ରାଜ୍ୟରୁ ନିଜ ଲୋକଙ୍କୁ ସମ୍ମାନର ସହିତ ଫେରାଇ ଆଣି ସଂଗରୋଧ କେନ୍ଦ୍ରରେ ରଖି ଏବଂ ପ୍ରୋତ୍ସାହିତ ରାଶି ସହିତ କରୋନା ଭୂତାଣୁ ମାଗଣାରେ ଚିକିତ୍ସା ଦେଉଥିବା, ତଥା ଜାତିସଂଘ ଦ୍ୱାରା ବିପର୍ଯ୍ୟୟ ପରିଚାଳନା ପାଇଁ ସମ୍ମାନିତ ହେଉଥିବା ସରକାର ଏକ ବିଂଶ ଶତାବ୍ଦୀର ଓଡିଶା ରଥଯାତ୍ରା କରି ପାରିବେନି ଭାବିବା ସତେ ଯେମିତି ଆଶ୍ଚର୍ଯ୍ୟ ପରି ଲାଗୁଛି।

ଅତୀତରେ ରଥଯାତ୍ରା ବନ୍ଦ ଥିଲା କି ନଥିଲା ତର୍ଜମା ବନ୍ଦ କରି କିପରି କଳେ ବଳେ କୌଶଳେ ଏକ ମନ ଏକତ୍ରିତ ହୋଇ ଓଡିଶାବାସୀ ପୁରୀରେ ମହାପ୍ରଭୁଙ୍କ ରଥଯାତ୍ରା ସ୍ୱାସ୍ଥ୍ୟ ଏବଂ ସୁରକ୍ଷାକୁ ଧ୍ୟାନ ଦେଇ କିପରି ଘୋଷଯାତ୍ରା ହୋଇ ପାରିବ ସେ ବିଷୟରେ ବର୍ତ୍ତମାନ ଅନୁଧ୍ୟାନ କରିବା ଦରକାର ଏବଂ ଏହି ମହାମାରୀ ସମୟରେ କିପରି ରଥଯାତ୍ରା ହୋଇପାରିବ ତାହା ପରବର୍ତ୍ତୀ ପିଢିଙ୍କ ଏବଂ ସମଗ୍ର ମାନବ ସମାଜ ପାଇଁ ଉଦାହରଣ ସୃଷ୍ଟି କରିବାର ସମୟ।

ମୁଁ ଏହା ସପକ୍ଷରେ ବି ନୁହେଁ ପରମ୍ପରା ପାଇଁ ରଥଯାତ୍ରା ହବା ଦରକାର ଅବା ମହାମାରୀ ପାଇଁ ବନ୍ଦ କରାଯାଉ, ବରଂ ମୋ ମତରେ ଏକ ବିଂଶ ଶତାବ୍ଦୀରେ ରଥଯାତ୍ରା ନହବା ଆମ ପାଠପଢ଼ା, ଶିକ୍ଷା, ସଂସ୍କୃତି, ପ୍ରଯୁକ୍ତି ବିଦ୍ୟା, ପ୍ରଶାସନ, ନଗର ଯୋଜନାରେ କୋଉଠି କିଛି ଭୁଲ ହବା ଭଳି ଲାଗୁଛି।

ଏଠି ଓଡ଼ିଶାର ଅତୀତ ଗୌରବ ଗାଥା ନ’କରି ବିଗତ ତିନି ଦଶ ଦଶନ୍ଧି ବିଷୟରେ ଆଲୋକପାତ କରିବା ଶ୍ରେୟସ୍କର ହେବ। ଏହା ସତ୍ୟ ଓଡ଼ିଶା ହେଉଛି ଏଭଳି ଏକ ରାଜ୍ୟ ଯାହାର ଆରାଧ୍ୟ ଦେବତା ଏବଂ ସ୍ୱାଭିମାନର ପ୍ରତୀକ ହେଉଛନ୍ତି ସ୍ୱୟଂ ଜଗନ୍ନାଥ। ଶ୍ରୀଜଗନ୍ନାଥଙ୍କୁ ଛାଡ଼ିଲେ ଏହି ରାଜ୍ୟ କିଛି ବର୍ଷ ପୂର୍ବେ ଓଡିଶା ବାହାରେ ଓଡ଼ିଶାର ମାନ୍ୟତା ଥିଲା ଗରିବ ଏବଂ ବିପର୍ଯ୍ୟୟର ଅଞ୍ଚଳ । କିନ୍ତୁ ୧୯୯୯ ମହାବାତ୍ୟା ପରେ ଓଡ଼ିଶାର ଅଧିବାସୀ, ପ୍ରଶାସନ, ସ୍ୱେଚ୍ଛାସେବୀ ଅନୁଷ୍ଠାନ, ଗଣମାଧ୍ୟମର ସାମୂହିକ ପ୍ରଚେଷ୍ଟାରେ ଓଡ଼ିଶା ଉପରେ ଥିବା ଗରିବ ଏବଂ ବିପର୍ଯ୍ୟୟର କଳା ଦାଗ ଲିଭେଇବାରେ ସକ୍ଷମ ହୋଇପାରିଛି।

ଓଡିଶା ମହାବାତ୍ୟାର ତେର ବର୍ଷ ମଧ୍ୟରେ ନିଜକୁ ସାରା ବିଶ୍ୱର ଉଦାହରଣ ହୋଇପାରିଲା ବିପର୍ଯ୍ୟୟ ପରିଚାଳନାରେ। ଯେତେବେଳେ ଭାରତର ଅନ୍ୟ ରାଜ୍ୟ ମନା କରିଦେଲେ ଏସିଆନ ଦୌଡ଼ କ୍ରୀଡା କରିପାରିବେନି ଠିକ୍ ସେତେବେଳେ ନବେ ଦିନ ମଧ୍ୟରେ ଓଡିଶା ଅନୁଷ୍ଠିତ କରିପାରିଲା ଏହି କ୍ରୀଡା ମହୋତ୍ସବ, ସେହିପରି ବିଶ୍ୱ କପ ପୁରୁଷ ହକି ମଧ୍ୟ କରିପାରିଥିଲା, ଆଉ ଫନି ବାତ୍ୟା ଯାହା ୨୦୧୯ ମସିହାରେ ପୁରୀ ସହରକୁ ଧ୍ୱଂସ କରିଦେଇଥିଲା, କିନ୍ତୁ ଷାଠିଏ ଦିନ ଭିତରେ ସାରା ବିଶ୍ୱ ଆଗରେ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ କରି ପୁରୀ ସହରର ମହାନତା ଜଣାଇ ପାରିଥିବା ସହର ବର୍ତ୍ତମାନ ରଥଯାତ୍ରା ପାଇଁ ପଛଘୁଞ୍ଚା ନ’ଦେଇ ମହାମାରୀ ସମୟରେ କିଭଳି ସୁରକ୍ଷିତ ଭାବେ ଏହା ହୋଇପାରିବ ସେ ବିଷୟରେ ପ୍ରଚେଷ୍ଟା କରିବା ଆବଶ୍ୟକ।

ଯଦି ସର୍ବଧର୍ମ ନିର୍ବିଶେଷରେ ଓଡ଼ିଆ ମାନଙ୍କ ଆରାଧ୍ୟ ଦେବତା ହେଉଛନ୍ତି ସ୍ୱୟଂ ମହାପ୍ରଭୁ ଜଗନ୍ନାଥ, କଳିଯୁଗରେ ସ୍ୱୟଂ ବ୍ରହ୍ମାଣ୍ଡ ରକ୍ଷା କର୍ତ୍ତା । ଯାହାଙ୍କର ବାର ମାସରେ ତେର ପର୍ବ ପାଳନ କରିବା ଏବଂ ମହାପ୍ରଭୁଙ୍କ ମାନବୀୟ ଲୀଳା ପାଇଁ, ମୋ ମନରେ ବହୁତ ଦିନ ଆଗରୁ ଏକ ଚିନ୍ତା ଆସିଥିଲା, ଆଉ ଲାଗୁଛି ବର୍ତ୍ତମାନ ସେ ସମୟ ଆସିଛି ଯାହାର ପରିପ୍ରକାଶ କରିବାର।

ହଁ ଚିନ୍ତାଧାରା ଏହା ଯେ ଶ୍ରୀଜଗନ୍ନାଥ ମନ୍ଦିର, ବଡଦାଣ୍ଡ, ଗୁଣ୍ଡିଚା ମନ୍ଦିର, ରାଜପ୍ରାସାଦ, ପଞ୍ଚ ପୁଷ୍କରିଣୀ, ଜଗନ୍ନାଥ ବଲଭ ମଠ ସହିତ ଅନ୍ୟାନ୍ୟ ମଠ, ଦୋଳ ମଣ୍ଡପ, କିଛି ସଂସ୍କୃତି ଜଡିତ ସାହିକୁ ନେଇ ବର୍ତ୍ତମାନ ସହରଠାରୁ ଅଲଗା କରି ଏକ ନଗର ପରିକଳ୍ପନା କରାଯିବା ଦରକାର ଯାହାକି ଭବିଷ୍ୟତରେ ଘଟିବାକୁ ଥିବା ମହାମାରୀ ହେଉ ଅବା ବିପର୍ଯ୍ୟୟ ସମୟରେ ଜଗନ୍ନାଥ ସଂସ୍କୃତି ଏହି ସହର ମଧ୍ୟରେ ପ୍ରତିପାଦନ ହୋଇପାରିବ ।

ତେଣୁ ବର୍ତ୍ତମାନ ଯେଉଁ ମଠ ମନ୍ଦିର ଏବଂ ୭୦ ମିଟର ପର୍ଯ୍ୟନ୍ତ ଜାଗା ଅଧିଗ୍ରହଣ କରାଯାଉଛି ସୁରକ୍ଷା ଏବଂ ସୌନ୍ଦର୍ଯ୍ୟକରଣ ପାଇଁ ତାହାର ବଳୟ ବଢାଯାଉ। ଓଡ଼ିଆ ମାନଙ୍କ ସ୍ୱାଭିମାନର ପ୍ରତୀକ ଜଗନ୍ନାଥ ସଂସ୍କୃତିର ସୁରକ୍ଷା ପାଇଁ। ସ୍ୱାସ୍ଥ୍ୟ ଏବଂ ସୁରକ୍ଷାକୁ ନେଇ ଯଦି ରଥଯାତ୍ରା ହୋଇପାରୁନି, ତେବେ ଭବିଷ୍ୟତରେ ବର୍ତ୍ତମାନ ସ୍ଥିତିରେ ଆଉ ରଥଯାତ୍ରା ହେବା ମଧ୍ୟ ପ୍ରଶ୍ନବାଚୀ ହୋଇପାରେ । ତେଣୁ ବର୍ତ୍ତମାନ ପରିସ୍ଥିତି ଆଗାମୀ ଦିନ ପାଇଁ ଶିକ୍ଷା ହେଉ ।

ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି www.odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।