Latest Odisha News

BREAKING NEWS

ଟ୍ରକ ଧକ୍କାରେ ଆଖି ବୁଜିଲେ ପରିବାରର ଏକ ମାତ୍ର ରୋଜଗାରିଆ ଝିଅ ମଧୁସ୍ମିତା

କଟକ : ଚୌଦ୍ୱାର ଅଂଚଳର ମଧୁସ୍ମିତା ଦଳେଇ । ଟାଙ୍ଗୀ ସ୍ଥିତ ଏକ ଗାଡି ସୋ ରୁମର କର୍ମଚାରୀ । ଲକ୍‌ଡାଉନ ଥିଲେ ମଧ୍ୟ ଅଫିସରେ କୌଣସି ଜରୁରୀ କାମ ଥିବାରୁ ତାଙ୍କୁ ଡକାଯାଇଥିଲା । ଘରୁ ସ୍କୁଟିରେ ବାହାରିଥିଲେ ମଧୁସ୍ମିତା । କିନ୍ତୁ ବିଧିର ବିଧାନ ଥିଲା କିଛି ଅଲଗା । କାରଣ ତାଙ୍କ ପାଇଁ ବାଟରେ ଛକି ବସିଥିବା ମୃତ୍ୟୁ । ଅଫିସରୁ କାମ ସାରି ଚୌଦ୍ୱାର ଫେରୁଥିବା ବେଳେ ଜଗତପୁର ନିକଟରେ ମୃତ୍ୟୁର ଦୂତ ସାଜି ମାଡି ଆସିଲା ଏକ ଦଶଚକିଆ ଟ୍ରକ । କେହି କିଛି ଭାବିବା ପୂର୍ବରୁ ତାଙ୍କ ଉପରେ ଚଢିଗଲା । ଆଉ ସେହିଠାରେ ହିଁ ମୃତ୍ୟୁ ହୋଇଥିଲା ମଧୁସ୍ମିତାଙ୍କର ।

ମଧୁସ୍ମିତାଙ୍କ ପରିବାର କହିଲେ ମାଆ ଦୁଇ ସାନ ଭଉଣୀ ଓ ଗୋଟିଏ ଭାଇ । ବଡଭଉଣୀଙ୍କ ବାହାଘର ସରିଛି । ସାତ ମାସ ତଳେ ବାପା ବ୍ରହ୍ମାନନ୍ଦ ଦଳେଇଙ୍କର କିଡ୍‌ନୀ ରୋଗରେ ମୃତ୍ୟୁ ହୋଇଛି । କହିବାକୁ ପୁରା ପରିବାରର ଦାୟିତ୍ୱ ଥିଲା ତାଙ୍କର । ମାଆ ଏକ ଘରୋଇ କମ୍ପାନୀରେ ଜଣେ ତଳିଆ କର୍ମଚାରୀ । ତେବେ ସାନ ଭାଇ ଭଉଣୀଙ୍କର ପାଠପଢା କଥା ବୁଝିବା ସହ ଘର କେମିତି ଚଳିବ ସବୁ ଦାୟିତ୍ୱ ମଧୁସ୍ମିତାଙ୍କର ଥିଲା ।

ଲକ୍ ଡାଉନ ଚାଲିଥିବାରୁ ମଧୁସ୍ମିତା ଅଫିସକୁ ଯାଉ ନ ଥିଲେ । ତେବେ ଏହି ସମୟରେ କମ୍ପାନୀ ପକ୍ଷରୁ ଦରମା ମିଳୁ ନ ଥିବାରୁ ଘର ଚଳାଇବା ପାଇଁ ସେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ ।
ଆଜି ସକାଳେ ହଠାତ୍ ଅଫିସରୁ ଫୋନ ଆସିଲା ଯେ କିଛି କାମ ଅଛି ଅଫିସକୁ ଆସ । ତେଣୁ ସେ ଅଫିସ ବାହାରିଥିଲେ । କିନ୍ତୁ ଜାଣି ନ ଥିଲେ ଯେ ସେ ଆଉ ଫେରିବେନି । ଟାଙ୍ଗୀରୁ ଫେରୁଥିବା ବେଳେ ଏକ ଦଶଚକିଆ ଟ୍ରକ ତାଙ୍କ ସ୍କୁଟିକୁ ପଛରୁ ଧକ୍କା ଦେଇଥିଲା । ଫଳରେ ସେ ଗାଡିରୁ ତଳେ ପଡିଯାଇଥିଲେ । ଏହି ସମୟରେ ଟ୍ରକର ଚକା ତାଙ୍କ ମୁଣ୍ଡ ଉପରେ ଚଢିଯାଇଥିଲା । ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କ ମୃତ୍ୟୁ ଖବର ପାଇ ପରିବାର ଲୋକେ ଭାଙ୍ଗି ପଡିଛନ୍ତି । ସାତ ମାସ ତଳେ ବାପା ଆଉ ଏବେ ରୋଜଗାରିଆ ଝିଅର ମୃତ୍ୟୁ ପରେ କଣ ହେବ ସେମାନଙ୍କ ଅବସ୍ଥା ତାକୁ ନେଇ ସନ୍ଦିହାନ ହୋଇପଡିଛନ୍ତି ।

Leave A Reply

Your email address will not be published.