Latest Odisha News

BREAKING NEWS

ଗୋଳନ୍ଥରା ହତ୍ୟାକାଣ୍ଡ !

ଜ୍ୟୋତି ପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ

ଘଟଣା ସମସ୍ତେ ଜାଣିଛନ୍ତି । ପ୍ରସଙ୍ଗଟି ଆମ ସାମ୍ନାରେ ଘଟିଛି ଓ ବେଶ ତାଜା ଅଛି । ଗଂଜାମ ଜିଲ୍ଲାର ଗୋଳନ୍ଥରାରେ ବିଜୁଳି ତାର ଚଳନ୍ତା ବସରେ ଲାଗିଗଲା । କନିଆ ଘରକୁ ଯାଉଥିବା ୧୦ ଜଣ ନିରୀହ ମଣିଷ ବିଜୁଳି ତାର ଲାଗି ଜଳିଗଲେ । ପ୍ରାଣ ହରାଇଲେ । ବସରେ ଯାଉଥିବା ଲୋକମାନଙ୍କର କଣ ଦୋଷ ଥିଲା ଯେ ସେମାନେ ମରିଗଲେ ଅଦିନରେ, ଅଚାନକ? ସେମାନେ ବସରେ ଯାଉଥିଲେ ବୋଲି? ନା ସେମାନେ ଏମିତି ଏକ ରାଜ୍ୟରେ ରହୁଛନ୍ତି, ଯେଉଁଠାରେ ମଣିଷ ଜୀବନଟି ବେଶ ଶସ୍ତା? ହଁ, ମରିଗଲେ ତ ମରିଗଲେ ବୋଲି ଭାବି ସେମାନଙ୍କୁ ଲୋକେ ଭୁଲିଯିବେ । ଆଉ ଭୁଲେଇବାର କୌଶଳ ତ ଆମ ସରକାରୀ ଅଧିକାରୀ ଓ ସରକାରଙ୍କୁ ବେଶ ଭାବେ ଜଣା ।

ଗୋଳନ୍ଥରାରେ ୧୦ ଜଣ ରାଜ୍ୟ ସରକାରଙ୍କ ଅବହେଳାରୁ ମରିଗଲା ବେଳେ ଆରମ୍ଭ ହୋଇଯାଇଛି କାଦୁଅ ଫିଙ୍ଗା । ସେଠାରେ ବିଜୁଳି କାମ ବୁଝୁଥିବା ସାଉଥକୋ କହୁଛି ଏଥିପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ଦାୟୀ । କାରଣ ବି ବେଶ ଆଶ୍ଚର୍ଯ୍ୟଜନକ । କାରଣ କଣ ନା- ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତାକୁ ଏତେ ଉଚ୍ଚ କରିଦେଇଛି ଯେ, ବିଜଳି ତାର ତଳକୁ ଖସି ଆସିଛି । ବା ନୁଆଁଣିଆ ହୋଇଯାଇଛି । ନିୟମ ଅନୁସାରେ, ବିଜୁଳି ତାର ରାସ୍ତାରୁ ୨୦ ଫୁଟ ଉପରେ ଯିବାର ଥିଲା । ଯଦି ଚଳନ୍ତା ବସରେ ବିଜୁଳି ତାର ଲାଗି ଯାଉଛି, ତାର ଅର୍ଥ ଗ୍ରାମ୍ୟ ଉନ୍ନୟନ ବିଭାଗ କଣ ଗଲା କେଇ ବର୍ଷରେ ଗାଁ ରାସ୍ତାକୁ ୧୨ ଫୁଟରୁ ଅଧିକ ଉଚ୍ଚ କରି ଦେଇଛି? ଏତେ ବିକାଶ ତ ଅନ୍ତତଃ ଆମର ହୋଇନି । କିମ୍ବା ଯଦି ରାସ୍ତା ଏତେ ଉଚ୍ଚ ହେଲା, ତେବେ ଗାଁଗଣ୍ଡା ତ ସବୁ ତଳିଆ ହୋଇ ପାଣିରେ ବୁଡ଼ିଯିବ । ଖବରକାଗଜ ରିପୋର୍ଟ ଅନୁସାରେ- ଗ୍ରାମ୍ୟ ଉନ୍ନୟନ ବିଭାଗ ଦାବି କରୁଛି, ଗଲା ବର୍ଷମାନଙ୍କରେ ରାସ୍ତା ୪ ଫୁଟ ଉଚ୍ଚା ହୋଇଛି । କିନ୍ତୁ ବାସ୍ତବରେ ଗୋଟେ ଫୁଟ ଉଚ୍ଚ ହୋଇଛି ।

ତେଣୁ ଯଦି ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ଉଚ୍ଚ କଲା, ତେବେ ବିଜୁଳି ବିଭାଗ ବା ସେଠାକାର ସାଉଥକୋ କରୁଥିଲା କଣ? ସେମାନେ କଣ ଝୁଲି ରହିଥିବା ମୃତ୍ୟୁକୁ ଦେଖି ପାରୁ ନଥିଲେ? ପ୍ରତି ମାସକୁ ତ ଦି’ ଚାରି ଥର ଗାଁ ଭିତରେ ପଶି ବିଜୁଳି ଶୁଳ୍କ ଆଦାୟ କରୁଛନ୍ତି, ତାଙ୍କୁ କଣ ଝୁଲନ୍ତା ତାର ଦେଖା ଯାଉନାହିଁ? ନା ସେବା ଦେବା ପାଇଁ ସେମାନଙ୍କର ସାମାନ୍ୟତମ ଆଗ୍ରହ ନାହିଁ? ନା ଏସବୁ ଛୋଟମୋଟ କାମ ସେମାନେ କରନ୍ତି ନାହିଁ?
ସେମାନେ ଯାହା କରନ୍ତୁ କି ନ କରନ୍ତୁ- ମନେ ରଖନ୍ତୁ ୧୦ ଜଣ ଲୋକ ବିନା ଅପରାଧରେ ମରିଗଲେ । ରାଜ୍ୟ ବିଜୁଳି ବିଭାଗ ଟାଣିଥିବା ତାର ଲାଗି ସେମାନଙ୍କର ମୃତ୍ୟୁ ହେଲା । ମୃତ୍ୟୁ ପଛରେ ସରକାରୀ କାରଣ ରହିଛି ।

ଇଆଡ଼େ ଭୁବନେଶ୍ୱରରେ ବି ଆରମ୍ଭ ହୋଇଛି ‘ବ୍ଲେମଗେମ’ । ପରିବହନ ବିଭାଗ କହିଲା ଦୋଷ ଆମର ନୁହେଁ । ବିଜୁଳି ବିଭାଗ ଦାୟୀ । ବିଜୁଳି ବିଭାଗ କହିଲା- ଗ୍ରାମ୍ୟ ଉନ୍ନୟନ ବିଭାଗ ଦାୟୀ । ରାଜ୍ୟ ସରକାର ମୃତକଙ୍କ ପାଇଁ କ୍ଷତିପୂରଣ ଘୋଷଣା କରିଦେଲେ । କହିଲେ- ଶକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ । ତଳିଆ କର୍ମଚାରୀ ଦେଖି ଦୁଇ ଜଣ କନିଷ୍ଠ ଯନ୍ତ୍ରୀ ଓ ଦୁଇ ଜଣ ସହକାରୀ ଯନ୍ତ୍ରୀଙ୍କୁ ନିଲମ୍ବିତ କରାଗଲା । ସରକାରଙ୍କୁ ଭଲ ଭାବେ ଜଣା, ଆଉ କେଇ ଦିନରେ ନୂଆ ପ୍ରସଙ୍ଗ ଆସି ଯାଇଥିବ । ଆଉ ଲୋକେ ଗୋଳନ୍ଥରା ହତ୍ୟାକାଣ୍ଡକୁ ଭୁଲି ଯାଇଥିବେ ।

ସରକାର ପୁଣି ଭୁବନେଶ୍ୱରରେ ନିର୍ଦ୍ଦେଶ ଦେଲେ- ଏଣିକି ସବୁ ବିଜୁଳି ତାର ୨୦ ପୁଟ ଉପରେ ଯିବ । ଏଥିପାଇଁ ପଦକ୍ଷେପ ନିଆଯିବ । ହେଲେ ପ୍ରଶ୍ନ ହେଉଛି- ଆଜି ପର୍ଯ୍ୟନ୍ତ କରୁଥିଲ କଣ? ଏହା କଣ କାହାରିକୁ ଦେଖାଯାଉ ନଥିଲା? ଯଦି ସତରେ ସରକାର ନିଜ ଘୋଷଣା କାର୍ଯ୍ୟକାରୀ କରିବା ପାଇଁ ଦୃଢ ପରିକର ତେବେ ରାଜ୍ୟରେ ଏପରି ହତ୍ୟାକାଣ୍ଡ ଏପରି ବାରବାର ଘଟନ୍ତା ନାହିଁ ।

ମଇ ମାସ ୨୦୧୩ ମସିହାରେ ବଲାଙ୍ଗୀର ପୁଇଁତଲାରେ ବିଜୂଳି ତାର ଲାଗି ୫ ଜଣ ବସଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା । ସେତେବେଳେ ସରକାର କହିଥିଲେ- ଏଣିକି ୨୦ ଫୁଟ ଉପରେ ତାର ଟଣାଯିବ । କିନ୍ତୁ ତାହା ଯଦି ସତରେ କାର୍ଯ୍ୟକାରୀ ହେଲା- ତେବେ ସେପ୍ଟେମ୍ବର ମାସ ୨୦୧୬ ମସିହାରେ ଢେଙ୍କାନାଳ ଜିଲ୍ଲାର ଭୁବନରେ ବସରେ ଯାଉଥିବା ୬ ଜଣ ଲୋକ ବିଜୂଳି ତାର ଲାଗି ପ୍ରାଣ ହରାଇ ନ ଥାଆନ୍ତେ । କିମ୍ବା ଅପ୍ରେଲ ମାସ ୨୦୧୮ ମସିହାରେ ଜୟପୁରରେ ବିଜୁଳି ତାର ଲାଗି ବସ କଣ୍ଡକ୍ଟର ଓ ହେଲପରର ମୃତ୍ୟୁ ହୋଇ ନଥାଆନ୍ତା ।

ରାଜ୍ୟ ସରକାର ଚତୁରତାର ସହ କହିଦେଲେ- ଏଣିକି ବିଜୁଳି ତାର ୨୦ ଫୁଟ ଉପରେ ଟଣାଯିବ । ମାତ୍ର ସେ କାମ କେବେ ସରିବ? ସେଥିପାଇଁ ସମୟସୀମା ନିର୍ଦ୍ଧାରିତ ହେବ କି ନାହିଁ? ନା ଅନିର୍ଦ୍ଧିଷ୍ଟ କାଳ ଯାଏ ଚାଲିବ? କିଏ ଦେବ ଏସବୁ ଅନେକ ପ୍ରଶ୍ନର ଉତ୍ତର ।

୨୦୧୮ ମସିହା ଅକ୍ଟୋବର ମାସରେ ବିଜୁଳି ତାର ଲାଗି ଢେଙ୍କାନାଳ ଜିଲ୍ଲାରେ ଏକାଥରେ ୭ଟି ହାତୀ ମରିଗଲେ । କେଡ଼େ ଭୟାନକ ଘଟଣା ଇଏ! ସାରା ଦେଶରେ କୋଉଠି ଏମିତି ଘଟୁ ନଥିବ । ମାତ୍ର ଆମେ କିଛି ସମାଧାନ କାଢିଲୁ କି? ନା ଗଛ ହଲିଲା ନା ପତ୍ର । ଗଲା ୧୦ ବର୍ଷରେ ରାଜ୍ୟରେ ବିଜୁଳି ତାର ଲାଗି ୧୧୯ଟି ହାତୀଙ୍କ ମୃତ୍ୟୁ ହୋଇଛି । ଏ ନମ୍ବର ଢେର ଅଧିକ । ଢେର ଅଧିକ । ସେମିତି କେବେଳ ସେସୁ ଇଲାକାରେ ବିଜୂଳି ତାର ଲାଗି ଗଲା ୧୦ ବର୍ଷରେ ୩୭୪ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । କିନ୍ତୁ ସେସୁ ସେସବୁ ଦେଖୁନାହିଁ । ବରଂ କେମିତି ପଇସା ଆଦାୟ କରିବ, କେମିତି ଟାଟାକୁ ବିକ୍ରି ହେବ, ବିଜୁଳି ଶୁଳ୍କ ନ ଦେଲେ ସ୍କୁଆଡ଼ କରି ଲୋକଙ୍କ ବିଜୁଳି କାଟିବ, ଟୁଇଟ କରିବ, ସେ ଦିଗରେ ସେସୁ ବେଶ ବ୍ୟସ୍ତ । ମଣିଷ ଜୀବନ କଥା ଚିନ୍ତା ନାହିଁ । ଆଦୌ ଚିନ୍ତା ନାହିଁ । ଏବେ ସେସୁ ଗୋଟେ ନୂଆ କଥା କରିବାକୁ ଯାଉଛି । ଉପଭୋକ୍ତାଙ୍କଠାରୁ ଟଙ୍କାଟିଏ ଆଦାୟ କରି ସେସୁ ଏକ କର୍ପସ ଫଣ୍ଡ ଗଠନ କରିବ । ଯିଏ ବିଜୁଳି ଲାଗି ମରିଗଲା, ତାକୁ କ୍ଷତିପୂରଣ ଦେବ । କି ଭୟାନକ କଥା ଇଏ ! ବିଜୂଳି ତାର କେମିତି ମଣିଷ, ହାତୀ, ପଶୁପକ୍ଷୀଙ୍କଠାରୁ ଦୂରରେ ରହିବ, ସେ ବ୍ୟବସ୍ଥା ନ କରି, ମରିଗଲେ କଣ କରିବ, ସେ ନେଇ ବ୍ୟସ୍ତ? ଧନ୍ୟ ସେ ବ୍ୟବସ୍ଥା !!!
ଭାରତରେ ମଣିଷ ଜୀବନ ଭାରି ଶସ୍ତା । ଓଡ଼ିଶା ପରି ଗରିବ ରାଜ୍ୟରେ ଏହା ଆହୁରି ଶସ୍ତା । ନ ହୋଇଥିଲେ ୧୦ ଜଣ ମରିଗଲା ପରେ (ବା ୧୦ ଜଣଙ୍କ ହତ୍ୟା ପରେ!) ଦୁଇ ଜଣ ଜେଇ ଓ ଦୁଇ ଜଣ ସହକାରୀ ଯନ୍ତ୍ରୀଙ୍କ ନିଲମ୍ବନରେ ସମସ୍ତେ ସନ୍ତୁଷ୍ଟ ହୋଇ ଥାଆନ୍ତେ କି? କେବେ ନୁହେଁ । କେବେ ବି ନୁହେଁ ।

 

(ଲେଖକ ସାମ୍ବାଦିକତା ବିଭାଗର ଅଧ୍ୟାପକ)

Leave A Reply

Your email address will not be published.