Latest Odisha News

BREAKING NEWS

ଉତ୍ତରାଖଣ୍ଡର ରହସ୍ୟମୟ ଗୋଲୁ ମନ୍ଦିର; ଯେଉଁଠି ଠାକୁରଙ୍କୁ ଦିଆଯାଏ ଦରଖାସ୍ତ !

ଭାରତର ପୁରାତନ ସଂସ୍କୃତି ତଥା ପ୍ରାଚୀନ ପରମ୍ପରାକୁ ଗୁରୁତ୍ୱବହନ କରି ଅନେକ କଥାବସ୍ତୁ ତଥା କିମ୍ବଦନ୍ତୀ ରହିଛି । ବିଭିନ୍ନତା ମଧ୍ୟରେ ଏକତା ବହନ କରୁଥିବା ଏହି ପ୍ରାଚୀନ ପରମ୍ପରାର ଦେଶ ଭାରତରେ ଅନେକ ପ୍ରମୁଖ ଓ ରହସ୍ୟମୟ ତୀର୍ଥସ୍ଥଳୀ ରହିଛି ।

ସେହିପରି ଏକ ରହସ୍ୟମୟ ସ୍ଥାନ ମଧ୍ୟରେ ରହିଛି ଉତ୍ତରାଖଣ୍ଡର ଆଲମୋରା ଗୋଲୁ ମନ୍ଦିର । ମାନ୍ୟତା ରହିଛି ଏଠାକାର ଗୋଲୁଦେବତା ଆଲମୋରାର ରହସ୍ୟମୟ ମନ୍ଦିରରେ ଭକ୍ତମାନଙ୍କ ହଜାର ହଜାର ଦରଖାସ୍ତକୁ ଗ୍ରହଣ କରିଥାଆନ୍ତି । ସବୁଠୁ ଆଶ୍ଚର‌୍ୟ୍ୟଜନକ କଥାହେଲା କେବଳ ଗୋଲୁଦେବତା ଦରଖାସ୍ତ ଗ୍ରହଣ କରିନଥାନ୍ତି, ସେ ମଧ୍ୟ ଦରଖାସ୍ତ ଅନୁଯାୟୀ ସମସ୍ତ ଶ୍ରଦ୍ଧାଳୁମାନଙ୍କ ମନୋସ୍କାମନା ପୂରଣ କରୁଥିବା ନେଇ ବିଶ୍ୱାସ କରାଯାଏ ।

ଆଲମୋରାର ଗୋଲୁମନ୍ଦିରରେ ହଜାର ହଜାର ଛୋଟ ବଡ଼ ଘଣ୍ଟି ବନ୍ଧା ଯାଇଥିବାର ନଜରକୁ ଆସିଥାଏ । ଭାରତର ପ୍ରାୟ ପ୍ରମୁଖ ମନ୍ଦିର ମଧ୍ୟରେ କପଡ଼ା, ଗୋଡ଼ି, ସୂତା ବା ପଥର ବନ୍ଧାଯାଇଥିବାର ଦେଖାଯାଇଥାଏ, କିନ୍ତୁ ଏଠାରେ ଥିବା ବିଭିନ୍ନ ବୃକ୍ଷରେ ଆପଣ ହଜାର ହଜାର ସଂଖ୍ୟାରେ ଘଣ୍ଟି ବନ୍ଧା ଯାଇଥିବାର ଦେଖିବାକୁ ପାଇବେ ।

ଆଲମୋରା ମନ୍ଦିରରେ କେବଳ ଗୋଟିଏ ପ୍ରକାରର ଘଣ୍ଟି ନୁହେଁ ବରଂ ବିଭିନ୍ନ ମେଟାଲ୍ ସହିତ ବିଭିନ୍ନ ଆକାରର ଘଣ୍ଟି ଦେଖିବାକୁ ମିଳିଥାଏ । ଏହି ଘଣ୍ଟି ଗୁଡ଼ିକୁ ଭକ୍ତମାନଙ୍କର ମନୋସ୍କାମନା ପୂର୍ଣ୍ଣ ହେବାପରେ ସେମାନେ ଏହିଠାରେ ଥିବା ଗଛରେ ବାନ୍ଧି ଦେଇଥାଆନ୍ତି ।

କଥାରେ ଅଛି ‘ବିଶ୍ୱାସେ ମିଳଇ ହରି’, ତେଣୁ ଯେହେତୁ ଏଠାକାର ଦେବତା ଗୋଲୁମହାରାଜ ଶ୍ରଦ୍ଧାଳୁମାନଙ୍କର ସମସ୍ତ ଇଛାକୁ ବା ମନୋସ୍କାମନାକୁ ନିଶ୍ଚିତ ରୂପେ ପୂର୍ଣ୍ଣ କରିଥାଆନ୍ତି, ତେଣୁ ଏଠାରେ କେବଳ ଭାରତ ନୁହେଁ ବରଂ ବିଶ୍ୱର ଅନେକ ଦେଶରୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ ।
ଦେବଭୂମି ଉତ୍ତରାଖଣ୍ଡରେ ଥିବା ଏହି ମନ୍ଦିରକୁ ନେଇ ଏକ ଅଜବ ବିଶ୍ୱାସ ରହିଛି । ଏହି ମନ୍ଦିରକୁ ଗଲେ ଆପଣ ଦେଖିବେ ମନ୍ଦିର ବାହାରେ ଅନେକ ଘଣ୍ଟି ଓ କାଗଜ ଟଙ୍ଗା ଯାଇଥାଏ ।

ଲୋକବିଶ୍ୱାସ ରହିଛି ନିଜ ମନୋସ୍କାମନାକୁ ଯଦି ଆପଣ ଏକ ଆପ୍ଲିକେସନ ବା ଦରଖାସ୍ତ ଲେଖି ଏହି ମନ୍ଦିରରେ ରଖିଯିବେ ତେବେ ଗୋଲୁଦେବତା ଆପଣଙ୍କ ମନୋସ୍କାମନା ପୂରଣ କରିବେ । ଆଉ ଯେତେ ବେଳେ ଆପଣଙ୍କ ମନୋସ୍କାମନା ପୂରଣ ହୋଇଯିବ ସେତେବେଳେ ଆପଣ ଗୋଲୁଦେବତାଙ୍କ ମନ୍ଦିରରେ ଏକ ଘଣ୍ଟି ବାନ୍ଧିଦେବେ।

ଏଭଳି ବିଶ୍ୱାସକୁ ନେଇ ମନ ମଧ୍ୟରେ ପ୍ରଶ୍ୱ ଉଙ୍କିମାରିବା ସ୍ୱାଭାବିକ କଥା । ସତରେ କଣ ଗୋଲୁଦେବତା ମଣିଷ ମାନଙ୍କର ଆପ୍ଲିକେସନ ପଢି ପାରନ୍ତି । ଦେବତା କଣ ମଣିଷ ହାତରେ ଲେଖା ଯାଇଥିବା ଅକ୍ଷରକୁ ଚିହ୍ନି ପାରନ୍ତି । ଆଉ ଦରଖାସ୍ତକୁ ପଢି ଗୋଲୁଦେବତା ମଣିଷ ମାନଙ୍କର ମନୋସ୍କାମନା ପୂରଣ କରିଥାନ୍ତି ।

ଏହି ରହସ୍ୟମୟ ଆଲମୋରାର ଗୋଲୁଦେବତାଙ୍କ ପ୍ରସିଦ୍ଧି ଏଥିଯୋଗୁଁ ବୃଦ୍ଧି ପାଇବାରେ ଲାଗିଛି କାରଣ ଏଠାକୁ ଆସୁଥିବା ସମସ୍ତ ଭକ୍ତମାନଙ୍କ ସବୁପ୍ରକାର ମନୋସ୍କାମନା ପୂର୍ଣ୍ଣ କରିପାରୁଛନ୍ତି ।
ଏଭଳି ଲୋକ ବିଶ୍ୱାସ କେଉଁ ଯୁଗରୁ ଚାଲି ଆସିଛି । ଆଉ କେବଳ ଆଲମୋରା ଭିତରେ ସୀମିତ ନରହି ଗୋଲୁ ଦେବତାଙ୍କ ଅନେକ ମନ୍ଦିର ଉତ୍ତରାଖଣ୍ଡର ଅନେକ ସ୍ଥାନରେ ଦେଖିବାକୁ ମିଳିଥାଏ । ତେବେ ଆଲମୋରା ଠାରେ ଥିବା ଗୋଲୁଦେବତା ମନ୍ଦିରରେ ପୂଜା ପାଉଥିବା ଦେବତା ଭଗବାନ ଶିବ ବୋଲି ବିଶ୍ୱାସ କରାଯାଏ ।

ହିମାଳୟ ପର୍ବତାବଳୀର କୁମାୟୁଁ ଅଞ୍ଚଳର ପ୍ରତିଷ୍ଠିତ ଦେବତା ହେଉଛନ୍ତି ଗୋଲୁ ଦେବତା । ଆଲମୋରା ସହର ଠାରୁ ପ୍ରାୟ ୧୦ କିଲୋମିଟର ଯିବା ପରେ ପଡ଼େ ଏହି ମନ୍ଦିର । ଅନେକ ଗୋଲୁ ଦେବତାଙ୍କୁ ଭଗବାନ ଶିବଙ୍କର ଗୌର ଭୈରବ ଅବତାର ଭାବେ ଗ୍ରହଣ କରିଥାନ୍ତି । ଲୋକ ବିଶ୍ୱାସ ଅନୁସାରେ ଗୋଲୁଦେବତାଙ୍କର ମାନବୀୟ ରୂପ ରହିଥିଲା ।

ଗୋଲୁଦେବତାଙ୍କୁ ନେଇ ରହିଥିବା ଅନେକ କିମ୍ବଦନ୍ତି ଓ ଲୋକବିଶ୍ୱାସ ହିଁ ସବୁରହସ୍ୟରମୂଳ । ତାଙ୍କର ଉତ୍ପତ୍ତି ଯେପରି ହେଲେ ମଧ୍ୟ କାହିଁ କେଉଁ କାଳରୁ ଗୋଲୁଦେବତା ନ୍ୟାୟିକ ଦେବତା ଭାବେ ପୂଜା ପାଇ ଆସୁଛନ୍ତି । ଗୋଲୁ ଦେବତାଙ୍କୁ ଚାମୋଲି ଗ୍ରାମର ଅନେକ ଘରେ କୂଳ ଦେବତା ଭାବେ ମଧ୍ୟ ପୂଜା କରାଯାଏ । ଗୋଲୁଦେବତାଙ୍କୁ କେବଳ ଧଳା ରଂଗର ବସ୍ତ୍ର ପିନ୍ଧାଯାଇଥାଏ । ଧଳା ବସ୍ତ୍ର,ଧଳା ପଗଡ଼ି ଓ ଧଳା ରଂଗର ସାଲ୍ରେ ତାଙ୍କୁ ଆଭୁଷିତ କରାଯାଏ ।ତେବେ ଏହି ଦେବତାଙ୍କୁ ନେଇ ରହଥିବା ବିଶ୍ୱାସ ହିଁ ସବୁଠାରୁ ରହସ୍ୟମୟ ।

ଆଜି ପର‌୍ୟ୍ୟନ୍ତ ଏହି ରହସ୍ୟମୟ ଗୋଲୁମନ୍ଦିରର ଆଶ୍ଚର‌୍ୟ୍ୟଜନକ ଘଟଣା ରହସ୍ୟ ହୋଇରହିଛି । ପ୍ରକୃତରେ କିପରି ଏହି ଗୋଲୁଦେବତା ହଜାର ହଜାର ଲୋକମାନଙ୍କର ମନୋସ୍କାମନାକୁ ପଢିପାରନ୍ତି ! କେମିତି ଦରଖାସ୍ତ ଅନୁଯାୟୀ ଭକ୍ତମାନଙ୍କର ଇପସିତ କାର୍ଯ୍ୟଗୁଡ଼ିକ ସମାହିତ ହୋଇଥାଏ ! ଆଜିଯାଏ ଏହା ରହସ୍ୟାବୃତ୍ତ ହୋଇ ରହିଛି ।

Leave A Reply

Your email address will not be published.