Latest Odisha News

BREAKING NEWS

ଗୋପାଳପୁର ବନ୍ଦର ପ୍ରକଳ୍ପ ବିସ୍ତାର ପାଇଁ ବିନିଯୋଗ ଯୋଜନା

ଗୋପାଳପୁର: ଗୋପାଳପୁର ବନ୍ଦରର ବିକାଶମୂଳକ କାର୍ଯ୍ୟସହ ଜଡିତ ବିଭିନ୍ନ ପ୍ରସଙ୍ଗକୁ ନେଇ ଅନୁଷ୍ଠିତ ଏକ ବୈଠକରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଅଧ୍ୟକ୍ଷତା କରିଥିଲେ ।

ବାଣିଜ୍ୟ ଓ ପରିବହନ ବିଭାଗର ମୁଖ୍ୟ ଶାସନ ସଚିବ ମଧୁସୂଦନ ପାଢୀ, ଅର୍ଥ ବିଭାଗର ମୁଖ୍ୟ ସଚିବ ଅଶୋକ କୁମାର ମୀନା, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମୁଖ୍ୟ ଶାସନ ସଚିବ ବିଷ୍ଣୁପଦ ସେଠୀ, କାର‌୍ୟ୍ୟ ବିଭାଗର ସଚିବ କୃଷ୍ଣ କୁମାର, ମତ୍ସ୍ୟ ଓ ଏ ଆର୍ ଡି ବିଭାଗର ସଚିବ ଆର୍ ରଘୁ କୁମାର, ବାଣିଜ୍ୟ ଓ ପରିବହନ ବିଭାଗର ସ୍ୱତନ୍ତ୍ର ସଚିବ ମନୋଜ କୁମାର ମିଶ୍ର, ଗଞ୍ଜାମ ଜିଲ୍ଲା ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆୟୋଜିତ ବୈଠକରେ ଉପସ୍ଥିତ ଥିଲେ ।

ଗୋପାଳପୁର ବନ୍ଦରର ପରିଚାଳନା ନିର୍ଦ୍ଦେଶକ ଅମିତ ସାବୁ ବନ୍ଦରରେ ଚାଲିଥିବା କାର‌୍ୟ୍ୟ ଓ ଏହାର ପାରିପାଶ୍ୱିର୍କ ଅଂଚଳ ଓ ଶିଳ୍ପାୟନରେ ଭବିଷ୍ୟତ ପୁଞ୍ଜି ନିବେଶ ସମ୍ପର୍କରେ ବିସ୍ତୃତ ବିବରଣୀ ମୁଖ୍ୟ ଶାସନ ସଚିବ ତ୍ରିପାଠୀଙ୍କୁ ପ୍ରଦାନ କରିଥିଲେ।

ଗୋପାଳପୁର ବନ୍ଦରରେ ଏକ ତରଳ ପ୍ରାକୃତିକ ଗ୍ୟାସ (ଏଲ୍ ଏନ୍ ଜି ) ଟର୍ମିନାଲ ପ୍ରକଳ୍ପ ପାଇଁ ଯୋଜନା ଚାଲିଥିବା ବେଳେ ସାର ଓ ପେଟ୍ରୋକେମିକାଲ୍ ଶିଳ୍ପ ପ୍ରତିଷ୍ଠା ପାଇଁ ୨୦୦୦ କୋଟି ଟଙ୍କା ବିନିଯୋଗ ଯୋଜନା ରହିଛି ।

ସେହିପରି ଏକ ଖାଇବା ତେଲ ବିଶୋଧନାଗାର ପାଇଁ ମଧ୍ୟ ଯୋଜନା କରାଯାଇଛି ବୋଲି ବୈଠକରେ ଆଲୋଚନା କରାଯାଇଛି। ଗୋପାଳପୁର ବନ୍ଦରକୁ ଲୁହାପଥର ପରିବହନ ଉପରେ କ୍ୟାପିଂ ପ୍ରସଙ୍ଗ ମଧ୍ୟ ବୈଠକରେ ଆଲୋଚନା କରାଯାଇଥିଲା।

ଲୁହାପଥର ପରିବହନ ଉପରେ କ୍ୟାପିଂ ବନ୍ଦ କରିବା ପାଇଁ ଖଣି ବିଭାଗର ଉପ ନିର୍ଦ୍ଦେଶକଙ୍କୁ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶ ଦେଇଛନ୍ତି ।

ଉଲ୍ଲେଖଯୋଗ୍ୟ, ଆନ୍ଧ୍ରପ୍ରଦେଶର ବିଶାଖାପଟନମ୍ ଏବଂ ଗଙ୍ଗାଭରମ ବନ୍ଦର ଗୁଡିକ ପାଇଁ ଖଣିରୁ ଟ୍ରକ୍ ଲୋଡିଂ ଉପରେ କଟକଣା ଲାଗୁନଥିବା ସ୍ଥଳେ ଗୋପଳାପୁର ପାଇଁ କଟକଣା ଲାଗୁ କରାଯାଉଛି। ଫଳରେ ରପ୍ତାନିକାରୀମାନେ କଠିନ ପ୍ରତିଯୋଗିତାର ସମ୍ମୁଖୀନ ହେଉଛନ୍ତି ଏହାର
ପ୍ରଭାବ ବୈଦେଶୀକ ମୁଦ୍ରା ଉପାର୍ଜନ ଉପରେ ପଡୁଛି।

ଏହି ପ୍ରସଙ୍ଗରେ ଇସ୍ପାତ ଓ ଖଣି ବିଭାଗ ସହ ବିସ୍ତୃତ ଆଲୋଚନା କରିବା ପାଇଁ ସଚିବ ଓ ଅଧିକାରୀ ମାନଙ୍କୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

ଗୋପାଳପୁର ବନ୍ଦରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସନ୍ଦୀପ ଅଗ୍ରୱାଲ ନିଜ ପାୱାର–ପଏଣ୍ଟ ଉପସ୍ଥାପନା ମାଧ୍ୟମରେ କୋଭିଡ୍ – ୧୯ ମହାମାରୀ ସମୟରେ ସଫଳତାର ସହ ସୁଚାରୁ ରୁପେ ଜାରି ରହିଥିବା ବନ୍ଦର କାର‌୍ୟ୍ୟ ସମ୍ପର୍କିତ ତଥ୍ୟ ଉପସ୍ଥାପନ କରିଥିଲେ।

ତେବେ ଗୋପାଳପୁର ବନ୍ଦର ସମ୍ପ୍ରସାରଣ ପାଇଁ ୧୨୦୦ ଏକର ଜମିରର ଆବଶ୍ୟକତା ରହିଛି । ବତର୍ମାନ ସୁଦ୍ଧା ବନ୍ଦରକୁ ମାତ୍ର ୩୯୩ ଏକର ଜମି ଯୋଗାଇ ଦେଇଛନ୍ତି ରାଜ୍ୟ ସରକାର । ଅବଶିଷ୍ଟ ୮୦୦ ଏକର ଜମି ଯୋଗାଇଦେବାକୁ ଅନୁରୋଧ କରିଛନ୍ତି । ତେବେ ବନ୍ଦରକୁ ଖୁବଶୀଘ୍ର ୧୧୯ ଏକର ଜମିର ଏକ ଅଂଶ ପ୍ରଦାନ କରିବା ପାଇଁ ଆଶ୍ୱାସନା ଦେଇଛନ୍ତି ସରକାର।

ଏହି ଆବଣ୍ଟନ ପ୍ରକ୍ରିୟା ଖୁବଶୀଘ୍ର କାର୍ଯ୍ୟକାରୀ କରାଯିବ ବୋଲି ବୈଠକରେ କୁହାଯାଇଛି ।ଏହାସହ ରାଜ୍ୟରେ ୨୦୨୫ ସୁଦ୍ଧା ଏକ ଲକ୍ଷ କୋଟି ଟଙ୍କାର ରପ୍ତାନୀ କାରବାର ହାସଲ କରିବାର ଲକ୍ଷକୁ ନେଇ ଏକ ନୂଆ ରପ୍ତାନି ନୀତ ପ୍ରସ୍ତୁତି କରୁଛନ୍ତି ସରକାର ।

Leave A Reply

Your email address will not be published.