Latest Odisha News

ପୁରୀର ଗୋଷାଣୀ ଯାତ୍ରା

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର ” 

ଶ୍ରୀକ୍ଷେତ୍ରର ଅଧିଷ୍ଠାତ୍ରୀ ଦେବୀ ମା’ ବିମଳାଙ୍କର ଶ୍ରୀଜଗନ୍ନାଥଙ୍କ ସହିତ ସମ୍ପର୍କ ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ । ସେ ସମ୍ପର୍କ ମହାପ୍ରଭୁଙ୍କଠାରେ ବୈଷ୍ଣବ ତତ୍ତ୍ୱ ସହିତ ଶାକ୍ତ ଉପାସନା ସମିଶ୍ରଣର ଏକ ଗୂଢ଼଼ ତତ୍ତ୍ୱ ଉନ୍ମୋଚିତ କରେ, ଠିକ୍ ଯେମିତି ମହାଶିବରାତ୍ରୀ ଅବସରରେ ‘ହରିହର ଭେଟ’ ନୀତି ବୈଷ୍ଣବ ସହିତ ଶୈବ ଉପାସନାର ଐକତାନକୁ ଦୃଢ଼ୀଭୂତ କରିଥାଏ । ଶାରଦୀୟ ଦୂର୍ଗୋତ୍ସବ କାଳରେ ସର୍ବତ୍ର ମା’ ଦୁର୍ଗାଙ୍କର ସ୍ୱତନ୍ତ୍ର ଉପାସନା କରାଯାଏ, ମାତ୍ର ଶ୍ରୀକ୍ଷେତ୍ରରେ ଏହାର ଅନନ୍ୟତା ସ୍ପଷ୍ଟ ବାରି ହୋଇପଡ଼େ ।

ଆଶ୍ୱିନ କୃଷ୍ଣ ଅଷ୍ଟମୀଠାରୁ ମା’ ବିମଳାଙ୍କ ଷୋଳପୂଜା ନୀତିର ଅଙ୍କୁରାରୋପଣ କରାଯାଏ । ଏହିଦିନ ସହସ୍ରକୁମ୍ଭ ବରଣ କରାଯାଇ ମା’ ଦୁର୍ଗାଙ୍କୁ ଆବାହନ କରାଯିବା ସହିତ ଶୁକ୍ଳପକ୍ଷ ନବମୀ ଦିନ ପର୍ଯ୍ୟନ୍ତ ଦେବୀଙ୍କର ପୂଜାର୍ଚ୍ଚନା କରାଯାଏ । ଏହାକୁ ଦେବୀପକ୍ଷ କୁହାଯାଏ ଏବଂ ଏହି ପନ୍ଦର ଦିନ ଦୁର୍ଗାମାଧବଙ୍କୁ ଏକତ୍ର ଉପାସନା କରାଯାଏ । ଏହି କାଳରେ ଶ୍ରୀଜଗନ୍ନାଥଙ୍କ ପ୍ରତିରୂପ ଶ୍ରୀମାଧବ, ଭୈରବ(ଶାକ୍ତ ମତରେ) ରୂପରେ ଦେବୀଙ୍କ ସହିତ ଆଠଦିନ ବିମଳା ମନ୍ଦିରର ଜଗମୋହନରେ ବିଜେ କରନ୍ତି, ଆଉ ଶେଷ ଆଠଦିନ ଦୋଳମଣ୍ଡପ ସାହିରେ ଥିବା ନାରାୟଣୀ ମନ୍ଦିରକୁ ଯାତ୍ରା କରନ୍ତି ଏବଂ ସେଠାରେ କିଛି ବିଶେଷ ନୀତି ଅନୁସୃତ ହୋଇଥାଏ । ବିଶେଷ କରି ଆଶ୍ୱିନ ଶୁକ୍ଳ ପ୍ରତିପଦାଠାରୁ ମହାନବମୀ ପର୍ଯ୍ୟନ୍ତ ଶ୍ରୀମନ୍ଦିର ସହିତ ଅନ୍ୟ ଦେବୀପୀଠରେ ପୂଜିତ ସମସ୍ତ ଠାକୁରାଣୀମାନଙ୍କଠାରେ ଏହି ପୂଜା ସମାହିତ ହେଇଥାଏ ।

ଶାକ୍ତ ଉପାସକମାନଙ୍କ ପାଇଁ ଏହି ନ’ଦିନର ଉପାସନା ଅନେକ ଗୁରୁତ୍ୱ ବହନ କରେ । ଚଣ୍ଡୀପାଠରେ ଗଗନ ପବନ ମୁଖରିତ ହୁଏ । ସର୍ବେ ହୋଇ ଉଠନ୍ତି ଦେବୀମନସ୍କ । ମା’ଦୁର୍ଗାଙ୍କର ମୃଣ୍ମୟୀ ମୂର୍ତ୍ତି ଶ୍ରୀକ୍ଷେତ୍ରରେ ବିିଭିନ୍ନ ସ୍ଥାନରେ ମହା ଆଡ଼ମ୍ବରରେ ପାରମ୍ପରିକ ରୀତିନୀତିରେ ପୂଜିତ ହୁଅନ୍ତି । ଦେବୀ ଦୁର୍ଗାଙ୍କର ଜାଜ୍ଜ୍ୱ୍ୱଲ୍ୟମାନ ପ୍ରତିମା ପୂଜନ ସହିତ ଆମିଷ ଭୋଗର ମହାର୍ଘ ଅର୍ପଣରେ ପାର୍ବଣର ପ୍ରମୁକ୍ତ ପ୍ରସାରଣ ସର୍ବତ୍ର ଉପଲବ୍ଧ ହୁଏ ।

ଏହି ନବଦିନ ଯାତ୍ରା ଅନ୍ତେ ଦଶହରା ଦିନ ପ୍ରତ୍ୟେକ ଘରେ ଇଷ୍ଟପୂଜା, ଶସ୍ତ୍ରପୂଜା ଆଦି ଅନୁଷ୍ଠିତ ହୁଏ । ତା’ପର ଦିନ ଏକାଦଶୀ ତିଥିରେ ଶ୍ରୀମନ୍ଦିର ସମ୍ମୁଖରେ ବଡ଼ ଦାଣ୍ଡରେ ସମସ୍ତ ମୃଣ୍ମୟୀ ମୂର୍ତ୍ତି ଏକତ୍ର ହୋଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କଠାରୁ ମେଲାଣି ନେଇ ବିସର୍ଜିତ ହୁଅନ୍ତି, ମାତ୍ର ବିଡ଼ମ୍ବନା ଏହି ଯେ ଏହି ଶାରଦୀୟ ମେଳଣରେ ମା’ ବିମଳାଙ୍କ ମୃଣ୍ମୟୀ ମୂର୍ତ୍ତି ମା’ କାକୁଡ଼ିଖାଇ ଯେ କି ଶ୍ରୀମନ୍ଦିର ପରିସରରେ ବାହାରେ ମେଘନାଦ ପାଚେରୀର ଅଗ୍ନିକୋଣରେ ମହାସପ୍ତମୀଠାରୁ ମହାନବମୀ ପର୍ଯ୍ୟନ୍ତ ତିନିଦିନ ଛାଗବଳି ସହିତ ସମସ୍ତ ତାମସିକ ରୀତିରେ ପୂଜିତ ହୋଇ ଦଶହରା ଦିନ ନିର୍ଦ୍ଦିଷ୍ଟ କେତୋଟି ସ୍ଥାନରେ ପନ୍ତି ଖାଇ ବିସର୍ଜନ ଲଭନ୍ତି । ମହିଷାମର୍ଦ୍ଦିନୀଙ୍କ ଏହି ଦଶଭୂଜା ମୃଣ୍ମୟୀ ପ୍ରତିମା ଦୁଇପାଶ୍ୱର୍ରେ ଗଣେଶ, କାର୍ତ୍ତିକ ଓ ଗଙ୍ଗା ଯମୁନା ସଂଯୁକ୍ତ ହୋଇ ଅତୀବ କମନୀୟ ଏବଂ ପାରମ୍ପରିକ ଶୈଳୀରେ ନିର୍ମିତ ହୋଇଥିଲେ ମଧ୍ୟ ଏହାଙ୍କର ପିଠେଶ୍ୱରୀ ମା’ ବିମଳାଙ୍କ ପ୍ରତିମା ସହିତ କୌଣସି ରୂପଗତ ସାମଞ୍ଜସ୍ୟ ରହିନଥାଏ ।

ମା’ କାକୁଡ଼ିଖାଇଙ୍କର ଦଶଭୂଜରେ ଆୟୁଧ ଭାବେ ଖଣ୍ଡା, ଢ଼ାଲ, ଚକ୍ର, ଗଦା,ପାଶ, ଅଙ୍କୁଶ, ବଜ୍ର, ସର୍ପ, ଘଣ୍ଟି ଓ ତ୍ରିଶୂଳ ଆଦି ରହିଥାଏ । ଦେବୀଙ୍କର ଦେହବର୍ଣ୍ଣ ପୀତ । କହିବା ବାହୁଲ୍ୟ ଯେ ଦେବୀ ବହୁରୂପା, ସେ ମହିଷାସୁର ବଧକାଳରେ ବିଭିନ୍ନ ରୂପ ଯଥା ଚଣ୍ଡୀ, ଚାମୁଣ୍ଡା, ଗୋଷାଣୀ ଓ ଭୈରବୀ ଆଦି ଧାରଣ କରିଥିଲେ ଯାହାର ପ୍ରତିରୂପ ବିଭିନ୍ନ ଭାବରେ ପୂଜିତ ହୋଇଥାଏ ଏବଂ ପାର୍ବଣକାଳରେ ସେହି ରୂପମାନଙ୍କର ପୂଜନ ତଥା ପ୍ରଦର୍ଶନ ହୋଇଥାଏ । ତେବେ ମୁଖ୍ୟତଃ ଦେବୀଙ୍କର ମହିଷାସୁର ବଧର ଅବତାରଣା ସର୍ବାଧିକ ସ୍ଥାନରେ କରାଯିବା ସହିତ ରାମାୟଣର ଅନେକ ବିଷୟବସ୍ତୁ ତଥା ଚରିତ୍ର ମଧ୍ୟ ଏଥି ସହିତ ସଂଯୋଜିତ ହୋଇଥିବାର ଲକ୍ଷ୍ୟ କରାଯାଏ ।

ଆଶ୍ୱିନ ଶୁକ୍ଳ ଏକାଦଶୀ ଦିନ ସନ୍ଧ୍ୟାରେ ସିଂହଦ୍ୱାରଠାରେ ଅନୁଷ୍ଠିତ ଶାରଦୀୟ ମେଳଣରେ ଅନେକ ପ୍ରତିମା ଏକତ୍ରିତ ହୋଇଥାଆନ୍ତି । ଏଥିରେ ଶ୍ରୀକ୍ଷେତ୍ରର ପ୍ରାଚୀନ ପାଶ୍ୱର୍ ଅର୍ଥାତ୍ ଶ୍ରୀମନ୍ଦିରର ପୂର୍ବ, ଦକ୍ଷିଣ ଓ ପଶ୍ଚିମ ପାଶ୍ୱର୍ରେ ସ୍ଥିତ ସାହିମାନଙ୍କରେ ରହିଥିବା ଦେବୀପୀଠ, ଯାଗା, ଆଖଡ଼ା, ଗୁରୁଜ ଓ କୋଟ ଇତ୍ୟାଦି ପାରମ୍ପରିକ ତଥା ସାଂସ୍କୃତିକ ଅନୁଷ୍ଠାନରେ ପୂଜିତ ମୃଣ୍ମୟ ମୂର୍ତ୍ତି ସମୂହ ଯୋଗ ଦେଇଥାଆନ୍ତି । କାଳକ୍ରମେ ନରେନ୍ଦ୍ରକୋଣ, ବଡ଼ଦୁଆର, ମାଜଣା ଯାଗା, ବଡ଼ଶଙ୍ଖ ଓ ଘୋଡ଼ାବଜାର ଆଦି ସ୍ଥାନର ପ୍ରତିମାମାନେ ଏଥିରେ ସଂଯୋଜିତ ହୋଇଛନ୍ତି । ଶ୍ରୀକ୍ଷେତ୍ରର ହରଚଣ୍ଡି ସାହି ସଂଲଗ୍ନ ଗୌଡ଼ବାଡ଼ ସାହି ଓ ମଣିକର୍ଣ୍ଣିକା ସାହିର ସର୍ବାଧିକ ସଂଖ୍ୟକ ବିବିଧ ପ୍ରତିମା ଏହି ମେଳଣରେ ଭାଗ ନେଉଥିବା ଜଣାଯାଏ ।

ଏଥିରେ ମୁଖ୍ୟତଃ ମହିଷାମର୍ଦ୍ଦିନୀଙ୍କ ବିିଭିନ୍ନ ରୂପ ସହିତ ନାଗା , ମହାଦେବ, ରାବଣ ସ୍କନ୍ଧରେ ଶିବପାର୍ବତୀ, ହନୁମାନ ତଥା, ସମ୍ପାତି ପକ୍ଷୀର ଡେଣାରେ ଶ୍ରୀରାମଙ୍କ ଅନୁଗତମାନଙ୍କର ଉଡ଼ାଣ ତଥା ମନୋରଞ୍ଜନଧର୍ମୀ କିଛି ମୂର୍ତ୍ତି ମଧ୍ୟ ଯୋଗ ଦେଇଥାଆନ୍ତି । ଅନେକ ମୂର୍ତ୍ତି ଘରୋଇ ଭାବରେ ପୂଜିତ ହୋଇ ଏହି ମେଳଣରେ ମଧ୍ୟ ସାମିଲ ହୋଇଥାନ୍ତି ।

ନାଗା ଶ୍ରୀକ୍ଷେତ୍ର ସଂସ୍କୃତିର ଏକ ଅନନ୍ୟ ଅଧ୍ୟାୟ । ଏହା ପ୍ରାଚୀନ ଶ୍ରୀକ୍ଷେତ୍ରର ଗୌରବମୟ ପରମ୍ପରାର ବାର୍ତ୍ତା ବହନ କରେ । ଶ୍ରୀରାମାନନ୍ଦ ସମ୍ପ୍ରଦାୟର ନାଗା ସାଧୁମାନେ ଏକଦା ଶ୍ରୀମନ୍ଦିରର ସୁରକ୍ଷା ନିମନ୍ତେ ଏହି ରୂପରେ ଆବିର୍ଭୂତ ହୋଇଥିବାର ପ୍ରବାଦ ରହିଛି । ଏହି ବିଶାଳ ରୂପର ମୁଣ୍ଡରେ ସୁଦୃଶ୍ୟ ହାଣ୍ଡିଆ ଓ ପିଠିରେ ଧନୁ ଆକୃତିର ମେଢ଼ ସହିତ ପୀତ ବର୍ଣ୍ଣ ଦେହରେ ବାଘଛାଲ ପରିଧାନ ସହିତ ଷୋହଳ ହତିଆର ସଂଯୁକ୍ତ ହୋଇ ଯେତିକି ଆକର୍ଷଣୀୟ ସେତିକିି ଭୀତିପ୍ରଦ ।

ଶ୍ରୀକ୍ଷେତ୍ରର ଗଣପର୍ବ ସାହିଯାତ ତଥା ଅନ୍ୟାନ୍ୟ ଯାନିଯାତ୍ରା ଅବସରରେ ଯେଗା ଆଖଡ଼ା ସହିତ ସମ୍ପୃକ୍ତ ଦୀର୍ଘ ଅବୟବର ବଳଶାଳୀ ପୁରୁଷମାନଙ୍କ ଦ୍ୱାରା ଏହି ରୂପର ଜୀବନ୍ତ ଅବତାରଣା କରାଯାଇଥାଏ । ଶାରଦୀୟ ଦୁର୍ଗୋତ୍ସବରେ ଏହି ନାଗାର ରୂପ ପ୍ରାୟ କୋଡ଼ିଏ ଫୁଟ ବା ତତୁର୍ଦ୍ଧ ଉଚ୍ଚତା ବିଶିଷ୍ଟ ମୂର୍ତ୍ତି ମାଧ୍ୟମରେ ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ ନୀତିରେ ପୂଜିତ ହୋଇ ପ୍ରଦର୍ଶିତ ହୋଇଥାଏ ।

ଶାରଦୀୟ ପାର୍ବଣର ଶେଷଦିନରେ ସଂଗଠିତ ଏହି ଦିବ୍ୟ ମେଳଣରେ ପ୍ରଦର୍ଶିତ ବିବିଧ ପ୍ରତିମା ସମ୍ପୂର୍ଣ୍ଣ ପାରମ୍ପରିକ ଶୈଳୀରେ ସ୍ଥାନୀୟ ଶିଳ୍ପୀମାନଙ୍କ ଦ୍ୱାରା ନିର୍ମିତ ହୋଇଥାଏ । ଏଥିରେ ମୁଖ୍ୟତଃ ପ୍ରତିମା ଗଠନରେ ମୂର୍ତ୍ତିକାର, ଚିତ୍ରକାର ଓ ଜଡ଼ଉତ ବା ଅଳଙ୍କରଣ ପାଇଁ ସୋଲ ଶିଳ୍ପୀଙ୍କ ଅବଦାନ ରହିଥାଏ । ଅଧିକାଂଶ ପ୍ରତିମା ଗଠନରେ ମୂର୍ତ୍ତି ଓ ଚିତ୍ରଣ ଏକକ ଶିଳ୍ପୀଙ୍କ ଦ୍ୱାରା ସମାହିତ ହୋଇଥାଏ । ଜଡ଼ଉତ ବା ଅଳଙ୍କରଣ କାର୍ଯ୍ୟ ସାଧାରଣତଃ ତିନି ପ୍ରକାରର ହୋଇଥାଏ, ସମ୍ପୂର୍ଣ୍ଣ ସୋଲର କାମ, ସୁନେଲୀ ଜରି ଜମ୍ବୁରାର କାମ ଓ ରୂପେଲୀ ରଙ୍ଗର ଜରି ଜମ୍ବୁରାର କାମ । ସୁଦୃଶ ମେଢ଼ ସହ ଅନେକ ପ୍ରତିମାର ଆୟୁଧ ମଧ୍ୟ ଏହି ଜଡ଼ଉତ କାମରେ ପ୍ରସ୍ତୁତ ହୋଇ ଲଗାଯାଇଥାଏ । ଏହି କାର୍ଯ୍ୟ ଅତ୍ୟନ୍ତ କଳାତ୍ମକ ଶୈଳୀରେ ଶୈଳ୍ପୀକ ଦକ୍ଷତା ସମ୍ପନ୍ନ ହୋଇଥାଏ । ଏହାର ସଂଯୋଜନାରେ ପ୍ରତିମାଗୁଡ଼ିକ ଅତ୍ୟନ୍ତ ଆକର୍ଷଣୀୟ ହୋଇଥାଆନ୍ତି । ଶ୍ରୀକ୍ଷେତ୍ରରେ ପୂଜିତ ପ୍ରତିମା ଓ ଅଳଙ୍କରଣର ଅନୁକରଣ ଓଡ଼ିଶାର ଅନ୍ୟତ୍ର ପ୍ରାୟତଃ ଦେଖାଯାଏ ନାହିଁ । ବିଭିନ୍ନ ସାହିରେ ପୂଜିତ ତଥା ଏହି ଦିବ୍ୟ ମେଳଣରେ ଭାଗ ନେଉଥିବା ମୂର୍ତ୍ତିମାନଙ୍କର ସଂକ୍ଷିପ୍ତ ବିବରଣୀ ଏହିପରି ।

୧. ମା’ ବାରବାଟୀ :- ଅଷ୍ଟଭୂଜା, ଉଚ୍ଚତା ପ୍ରାୟ କୋଡ଼ିଏ ଫୁଟ-ସିଂହ ଓ ପାଶ୍ୱ ଦେବତା ନଥାନ୍ତି, ମହିଷାସୁର ମୁଣ୍ଡ ମହିଁଷୀ ଭଳି – ସାଜ ଅଳଙ୍କାର ଓ ମେଢ଼ ସୋଲ କାମରେ ହୋଇଥାଏ । ବିଶେଷତ୍ୱ- ସିଂହ ଦ୍ୱାରକୁ ପ୍ରଥମେ ଆସନ୍ତି । ଆସ୍ଥାନ- ବାରବାଟୀ ଯାଗା, ହରଚଣ୍ଡୀ ସାହି ।

୨. ମା’ ଜହ୍ନିମୁଣ୍ଡିଆ ଠାକୁରାଣୀ – ଅଷ୍ଟଭୂଜା, ଉଚ୍ଚତା ପ୍ରାୟ ଅଠର ଫୁଟ-ସିଂହ ଓ ପାଶ୍ୱର୍ ଦେବତା ନଥାନ୍ତି, ମହିଷାସୁର ମୁଣ୍ଡ ଅସୁର ଭଳି – ସାଜ ଅଳଙ୍କାର ଓ ମେଢ଼ ଜରି ଜମ୍ବୁରା କାମରେ ହୋଇଥାଏ । ଆସ୍ଥାନ – ଦୋଳମଣ୍ଡପ ସାହି

୩.  ମା’ ଜହ୍ନିଖାଇ – ଅଷ୍ଟଭୂଜା, ଉଚ୍ଚତା ପ୍ରାୟ ଦଶ ଫୁଟ-ସିଂହରୂଢ଼ା ଓ ପାଶ୍ୱର୍ ଦେବତା ଥାଆନ୍ତି, ମହିଷାସୁର ମୁଣ୍ଡ ଊର୍ଦ୍ଧ୍ୱ ମୁଖା ମହିଁଷୀ ଭଳି – ସାଜ ଅଳଙ୍କାର ଓ ମେଢ଼ ସୋଲ କାମରେ ହୋଇଥାଏ । ଆସ୍ଥାନ- ବାଲିସାହି ଆଖଡ଼ା

୪. ମା’ ଜହ୍ନିଖାଇ – ଅଷ୍ଟଭୂଜା , ଉଚ୍ଚତା ପ୍ରାୟ ଦଶ ଫୁଟ-ସିଂହରୂଢ଼ା ଓ ପାଶ୍ୱ ଦେବତା ଥାଆନ୍ତି, ମହିଷାସୁର ମୁଣ୍ଡ ଉର୍ଦ୍ଧ୍ୱମୁଖା ମହିଁଷୀଭଳି – ସାଜ ଅଳଙ୍କାର ଓ ମେଢ଼ ସୁନେଲୀ ରଙ୍ଗ ଜରି ଜମ୍ବୁରା । ଆସ୍ଥାନ- ଗୌଡ଼ବାଡ଼ ସାହି ଆଖଡ଼ା ।

୫. ମା’ ହରଚଣ୍ଡୀ – ଅଷ୍ଟଭୂଜା , ଉଚ୍ଚତା ପ୍ରାୟ ଦଶ ଫୁଟ-ସିଂହରୂଢ଼ା ଓ ପାଶ୍ୱର୍ ଦେବତା ଥାଆନ୍ତି, ମହିଷାସୁର ମୁଣ୍ଡ ଋର୍ଦ୍ଧ୍ୱ ମୁଖା ମହିଁଷୀ ଭଳି – ସାଜ ଅଳଙ୍କାର ଓ ମେଢ଼ ସୁନେଲୀ ରଙ୍ଗ । ଆସ୍ଥାନ- ଧ୍ୱଜଗଡ଼ ଯାଗା, ହରଚଣ୍ଡୀ ସାହି

୬. ମା’ ବେଲବାଇ – ଅଷ୍ଟଭୂଜା , ଉଚ୍ଚତା ପ୍ରାୟ ବାର ଫୁଟ-ସୋଲ ସାଜ ଓ ମେଢ଼, ଆସ୍ଥାନ – ଖୁଣ୍ଟିଆ ସାହି

୭. ମା’ ପଣାପ୍ରିୟା – ଅଷ୍ଟଭୂଜା , ଉଚ୍ଚତା ପ୍ରାୟ ଦଶ ଫୁଟ- ଜରି ଜମ୍ବୁରା ସାଜ ଓ ମେଢ଼, ଆସ୍ଥାନ -ବାସେଳୀ ସାହି ବୈଠକ ପିଣ୍ଡା ।

୮. ମା’ ବନଦୁର୍ଗା- ଚତୁର୍ଭୂଜା – ଶ୍ୱେତବର୍ଣ୍ଣା- କୃଷ୍ଣ ବସ୍ତ୍ର ପରିହିତା, ଆୟୁଧ ଧନୁତୀର ଚକ୍ର ଶଙ୍ଖ ଓ ମୟୂରହସ୍ତା, ପାଶ୍ୱର୍ରେ ବାମ – ଶିବ, ଦକ୍ଷିଣ- ବିଷ୍ଣୁ , ନିକଟରେ ଶ୍ୱାନ, ଉଚ୍ଚତା ପ୍ରାୟ ବାର ଫୁଟ । ଆସ୍ଥାନ – ମଣିକର୍ଣ୍ଣିକା ସାହି ।

୯. ମା’ ବନଦୁର୍ଗା- ଚତୁର୍ଭୂଜା – ଶ୍ୱେତବର୍ଣ୍ଣା- କୃଷ୍ଣ ବସ୍ତ୍ର ପରିହିତା, ଆୟୁଧ ଧନୁତୀର, ଚକ୍ର, ଶଙ୍ଖ ଓ ମୟୂରହସ୍ତା, ପାଶ୍ୱର୍ରେ ବାମ – ଶିବ, ଦକ୍ଷିଣ- ବିଷ୍ଣୁ , ନିକଟରେ ଶ୍ୱାନ, ଉଚ୍ଚତା ପ୍ରାୟ ବାର ଫୁଟ । ଆସ୍ଥାନ – ବାସେଳୀ ସାହି ।

୧୦. ମା ଗେଲବାଇ- ଅଷ୍ଟଭୂଜା, ଉଚ୍ଚତା ପ୍ରାୟ ବାର ଫୁଟ-ଜରି ଜମ୍ବୁରା ସାଜ ଓ ମେଢ଼, ଆସ୍ଥାନ-ମଣିକର୍ଣ୍ଣିକା ସାହି ।

୧୧. ମା’ ଗେଲବାଇ -ଅଷ୍ଟଭୂଜା, ଉଚ୍ଚତା ପ୍ରାୟ ଦଶ ଫୁଟ-ଜରି ଜମ୍ବୁରା ସାଜ ଓ ମେଢ଼, ଆସ୍ଥାନ- ଗୁଡ଼ିଆ ସାହି ।

୧୨. ମା’ ଶୀତଳେଶ୍ୱରୀ – ଅଷ୍ଟଭୂଜା, ଉଚ୍ଚତା ପ୍ରାୟ ଦଶ ଫୁଟ-ଜରି ଜମ୍ବୁରା ସାଜ ଓ ମେଢ଼, ଆସ୍ଥାନ- ଶୀତଳ ପିଣ୍ଡା, ହରଚଣ୍ଡୀ ସାହି ।

୧୩. ମା’ ଶୂନ୍ୟ ଗୋଷାଣୀ – ଅଷ୍ଟଭୂଜା, ମହିଷାମର୍ଦ୍ଦିନୀ, ଭୂମିଠାରୁ ଛ’ଫୁଟ ଉଚ୍ଚତାରେ ବିଦ୍ୟମାନ, ଜରି ଜମ୍ବୁରା ସାଜ । ଦୁଇ ପାଶ୍ୱର୍ରେ ଛାୟା ମାୟା, ଆସ୍ଥାନ -ମାଟିମଣ୍ଡପ ସାହି ଆଖଡ଼ା ।

୧୪. ମା’ ଭୋଗଯାଗା ଠାକୁରାଣୀ – ଅଷ୍ଟଭୂଜା, ମହିଷାମର୍ଦ୍ଦିନୀ, ଉଚ୍ଚତା- ବାର ଫୁଟ, ଜରି ଜମ୍ବୁରା ସାଜ । ଦୁଇ ପାଶ୍ୱର୍ରେ ଛାୟା ମାୟା, ଆସ୍ଥାନ -ଭୋଗଯାଗା, ମାଟିମଣ୍ଡପ ସାହି ।

୧୫. ମା’ ଯମକୋଟ ଠାକୁରାଣୀ -ଅଷ୍ଟଭୂଜା, ମହିଷାମର୍ଦ୍ଦିନୀ, ଉଚ୍ଚତା- ଦଶ ଫୁଟ, ଜରି ଜମ୍ବୁରା ସାଜ । ଦୁଇ ପାଶ୍ୱର୍ରେ ଛାୟା ମାୟା, ଆସ୍ଥାନ – ଗୁଡ଼ିଆ ସାହି , ଯମକୋଟ ।

୧୬. ମା’ ତ୍ରିିପୂରା ସୁନ୍ଦରୀ – ଅଷ୍ଟଭୂଜା, ମହିଷାମର୍ଦ୍ଦିନୀ, ଉଚ୍ଚତା- ବାର ଫୁଟ, ଜରି ଜମ୍ବୁରା ସାଜ । ଆସ୍ଥାନ -ହରଚଣ୍ଡୀ ସାହି ଆଖଡ଼ା ।

୧୭. ମା’ ଚକ୍ରକୋଟ ଠାକୁରାଣୀ -ଅଷ୍ଟଭୂଜା, ମହିଷାମର୍ଦ୍ଦିନୀ, ଉଚ୍ଚତା- ଦଶ ଫୁଟ, ସୋଲ ସାଜ । ଆସ୍ଥାନ -ଚକ୍ରକୋଟ, ହରଚଣ୍ଡୀ ସାହି ।

୧୮. ମା’ ହରପ୍ରିୟା – ଅଷ୍ଟଭୂଜା, ମହିଷାମର୍ଦ୍ଦିନୀ, ଉଚ୍ଚତା- ଦଶ ଫୁଟ, ସୁନେଲୀ ରଙ୍ଗ ଜରି ଜମ୍ବୁରା ସାଜ । ଆସ୍ଥାନ -ହଜୁରୀ ଇଷ୍ଟେଟ୍‌, ହରଚଣ୍ଡୀ ସାହି ।

୧୯. ମା’ ମହତେଶ୍ୱରୀ – ଅଷ୍ଟଭୂଜା, ମହିଷାମର୍ଦ୍ଦିନୀ, ଉଚ୍ଚତା- ଦଶ ଫୁଟ, ସୁନେଲୀ ରଙ୍ଗ ଜରି ଜମ୍ବୁରା ସାଜ । ଆସ୍ଥାନ -ଆସାମ ମଣିପୁର ଇଷ୍ଟେଟ୍‌, ପଶ୍ଚିମ ଦ୍ୱାର ।

୨୦. ମା’ ହରଚଣ୍ଡୀ – ଅଷ୍ଟଭୂଜା, ମହିଷାମର୍ଦ୍ଦିନୀ, ଉଚ୍ଚତା- ବାର ଫୁଟ, ସୁନେଲୀ ରଙ୍ଗ ଜରି ଜମ୍ବୁରା ସାଜ । ଆସ୍ଥାନ- କରତି ସାହି ।

୨୧. ମା’ ହାଡ଼ବାଇ – ଅଷ୍ଟଭୂଜା, ମହିଷାମର୍ଦ୍ଦିନୀ, ଉଚ୍ଚତା- ଦଶ ଫୁଟ, ସୁନେଲୀ ରଙ୍ଗ ଜରି ଜମ୍ବୁରା ସାଜ । ଆସ୍ଥାନ – ତିଆଡ଼ି ସାହି ।

୨୨. ରାବଣର ଦୁଇ ହସ୍ତରେ କୈଳାସ ପର୍ବତ ଉତ୍ଥାନ – ଦୁଇ ମୂର୍ତ୍ତି ( ଗୁଡ଼ିଆ ସାହି ଓ ହରଚଣ୍ଡି ସାହି)

୨୩. ହରପାର୍ବତୀ ଦୁଇ ମୂର୍ତ୍ତି

୨୪. ନନ୍ଦିଘୋଷା କୃତିରେ ହରପାର୍ବତୀ

୨୫. ଶ୍ରୀ କାମନାଶ୍ୱର ମହାଦେବ- ବାମରେ ପାର୍ବତୀ ଓ ଦକ୍ଷିଣରେ ନନ୍ଦୀ- ମାଟି ମଣ୍ଡପ ସାହି

୨୬. ମହାଦେବ – ଉଚ୍ଚତା ପ୍ରାୟ ତିନି ଫୁଟ, କାଳିକା ଦେବୀ ସାହି

୨୭. ସମ୍ପାତି – ମେଳଣର ଅନନ୍ୟ ଉପସ୍ଥାପନ – ଶ୍ରୀମନ୍ଦିରର ଦକ୍ଷିଣଦ୍ୱାର ନିକଟରେ ଥିବା ରଘୁନାଥ ମନ୍ଦିର ଉପରିଭାଗରେ ସ୍ଥିତ ମୂର୍ତ୍ତିର ଅବିକଳ ନକଲ । ବିଶାଳ ପକ୍ଷୀର ଦୁଇ ଡେଣାରେ ନଳ ନୀଳ ସୁଗ୍ରୀମ ଜାମ୍ବବାନ ଆଦି ଶ୍ରୀରାମ ସେନାଙ୍କ ବିରାଜମାନ । ଆସ୍ଥାନ – ସାତବଖରା ଯାଗା, ମାର୍କଣ୍ଡେଶ୍ୱର ସାହି ।

୨୮. ପର୍ଶୁରାମ – ଉଚ୍ଚତା ପ୍ରାୟ ତାରି ଫୁଟ, ହରଚଣ୍ଡୀ ସାହି ରାମଚନ୍ଦ୍ର ଖୁଣ୍ଟିଆଙ୍କ ଘରୋଇ ଉପସ୍ଥାପନ

୨୯. ଗାଈକୃଷ୍ଣ – ଉଚ୍ଚତା ପ୍ରାୟ ଚାରି ଫୁଟ । ମେଳଣର ଏକମାତ୍ର ଉପସ୍ଥାପନ

୩୦. ସୂର୍ଯ୍ୟମୁଖୀ ହନୁମାନ – ଦଶଭୂଜ ବିଶିଷ୍ଟ ଆୟୁଧ ସଂଯୁକ୍ତ – ଉଚ୍ଚତା ପ୍ରାୟ ଛ’ଫୁଟ । ଆସ୍ଥାନ- ଯାଦବ ପ୍ରତିହାରୀଙ୍କ ଘର , ମଣିକର୍ଣ୍ଣିକା ସାହି ।

୩୧. ପଞ୍ଚମୁଖୀ ହନୁମାନ – ଦଶଭୂଜ ବିଶିଷ୍ଟ ଆୟୁଧ ସଂଯୁକ୍ତ – ଉଚ୍ଚତା ପ୍ରାୟ ଛ’ଫୁଟ । ଆସ୍ଥାନ- ହନୁମାନଗଡ଼, ହରଚଣ୍ଡୀ ସାହି ।

୩୨. ପଞ୍ଚମୁଖୀ ହନୁମାନ – ଦଶଭୂଜ ବିଶିଷ୍ଟ ଆୟୁଧ ସଂଯୁକ୍ତ – ଉଚ୍ଚତା ପ୍ରାୟ ତିନି ଫୁଟ । ଆସ୍ଥାନ- ହରଚଣ୍ଡୀ ମନ୍ଦିର ନିକଟ ।

୩୩. ନାଗା – ପାଞ୍ଚ ମୂର୍ତ୍ତି, ଉଚ୍ଚତା- କୋଡ଼ିଏରୁ ବାଇଶ ଫୁଟ (ହରଚଣ୍ଡୀ ସାହି, ବାଲି ସାହି, ପଶ୍ଚିମ ଦ୍ୱାର, ନରେନ୍ଦ୍ର କୋଣ ଗଣେଶ ଗୁରୁଜ, ମାଜଣା ଯାଗା, ବଳଗଣ୍ଡି)

୩୪. ନାଗା- ତିନି ମୂର୍ତ୍ତି – ପାଞ୍ଚ ଫୁଟରୁ ସାତ ଫୁଟ ଉଚ୍ଚତା ।

୩୫. ବୁଢାବୁଢୀ- କଣ୍ଢେଇ ନାଚ- ମେଳଣର ଆକର୍ଷଣୀୟ ଉପସ୍ଥାପନ । ସୌଜନ୍ୟ- ବଢ଼େଇ ସାହି ।

ଏହା ବ୍ୟତୀତ ବୁଢ଼ା ବାବାଜୀ, ମଲ୍ଲ ସହିତ ବାଘର ଲଢ଼େଇ, ଡ଼୍ରାଗନ ସହିତ ମଲ୍ଲ ଲଢ଼େଇ, ହାଡ଼ିଆ ଭୂତ ଆଦି ମୂର୍ତ୍ତି ମଧ୍ୟ ପ୍ରଦର୍ଶିତ ହୋଇଥାଏ । ପାର୍ବଣର ଶେଷ ଦିନର ସନ୍ଧ୍ୟାରେ ଉପର ବର୍ଣ୍ଣିତ ଦିବ୍ୟ ଆକର୍ଷଣୀୟ ମୂର୍ତ୍ତି ସମୂହର ପ୍ରଦର୍ଶନରେ ସିଂହଦ୍ୱାର ନିକଟ ପ୍ରଶସ୍ତ ଅଞ୍ଚଳ ଜନସମାଗମରେ ମୁଖରିତ ହୁଏ । ସହରର ଗଳିକନ୍ଦିରେ ପାର୍ବଣ ଅବସରରେ ପୂଜିତ ମୂର୍ତ୍ତିମାନଙ୍କୁ ଦର୍ଶନ କରିବା ସୁଯୋଗ ସମସ୍ତଙ୍କୁ ପ୍ରାପ୍ତ ହୋଇନଥାଏ, ଏଣୁ ଏହି ମେଳଣ, ସ୍ଥାନୀୟ ତଥା ପର୍ଯ୍ୟଟକମାନଙ୍କ ପାଇଁ ବେଶ୍‌ ଉପଭୋଗ୍ୟ ହୋଇଥାଏ । ପୁରୀରେ ଏହି ମେଳଣକୁ ଗୋଷାଣୀ ମେଳଣ କୁହାଯାଏ । ଏହି ସାମୁହିକ ପ୍ରଦର୍ଶନ ଶିଳ୍ପୀମାନଙ୍କର ପାରମ୍ପରିକ ଦକ୍ଷତାର ସଜ୍ଜଳ ଉପସ୍ଥାପନ ହୋଇଥିବା ବେଳେ ଆମ ଐତିହ୍ୟର ପ୍ରଲୁବ୍ଧ ବୁନିଆଦିକୁ ଉଜ୍ଜୀବିତ କରିଥାଏ । ଶେଷରେ ମୂର୍ତ୍ତି ସମୂହକୁ ନିର୍ଦ୍ଦିଷ୍ଟ ରୀତିରେ ବିସର୍ଜନ କରାଯାଇ ଶାରଦୀୟ ପାର୍ବଣର ଅନ୍ତ ଘଟିଥାଏ ।

ଦୁଃଖର ବିଷୟ କରୋନା ଭୂତାଣୁ ଜନିତ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଗତ ବର୍ଷଠାରୁ ଏହି ମେଳଣକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି । ଏହି ମୃଣ୍ମୟ ମୂର୍ତ୍ତିମାନେ ପୂଜା ପରେ ଆସ୍ଥାନ ଛାଡ଼ି ସିଧାସଳଖ ବିସର୍ଜନ ପାଇଁ ନିଆଯିବେ । ପ୍ରଶାସନୀୟ କଟକଣା ସକାଶେ ପୂର୍ବରୁ ହେଇଆସୁଥିବା ସୁଉଚ୍ଚ ନାଗା ମୂର୍ତ୍ତିଗୁଡ଼ିକର ଉଚ୍ଚତା କମାଇ ପ୍ରାୟ ଛ’ଫୁଟ ଭିତରେ ରଖାଯାଇଥିବା ଜଣାଯାଏ । ଆସନ୍ତା ବର୍ଷ ମହାପ୍ରଭୁଙ୍କ କୃପାରୁ କରୋନା ସମସ୍ୟାର ଅବସାନ ଘଟିଲେ ପୁନଶ୍ଚ ଏହି ଗୋଷାଣୀ ମେଳନ ପୂର୍ବପରି ଅନୁଷ୍ଠିତ ହେବାର ଆଶା ।

କୁଣ୍ଢେଇବେଣ୍ଟ ସାହି, ପୁରୀ
ମୋ- ୯୪୩୭୧୬୬୩୬୯

Comments are closed.