Latest Odisha News

BREAKING NEWS

ଜମାକାରୀଙ୍କୁ ଟଙ୍କା ଫେରସ୍ତ ନେଇ ସରକାର ସମ୍ବେଦନଶୀଳ ନଥିଲେ: ସିସୋର ସଂସ୍ଥାପକ ପ୍ରଶାନ୍ତ ଦାଶ

ଭୁବନେଶ୍ୱର: ଆଗକୁ ନିର୍ବାଚନ । ପୂର୍ବଭଳି ବିଜେଡି-ବିଜେପି ମଧୁର ସମ୍ପର୍କ ନାହିଁ । ରାଜନୀତି ମଧ୍ୟ ତେଜିଲାଣି । ଏହାରି ଭିତରେ ଚିଟଫଣ୍ଡ ପ୍ରସଙ୍ଗ ମୁଣ୍ଡଟେକିବ ବୋଲି ଇସାରା ଦେଲାଣି । ୨୦୧୪ ନିର୍ବାଚନ ବେଳେ ଶାସକ ଦଳ ସମେତ ସରକାର ମଧ୍ୟ ଚିଟଫଣ୍ଡ ଟଙ୍କା ଫେରାଇବେ ବୋଲି କହିଥିଲେ । ଏହାରି ଭିତରେ ଅନେକ ଦିନ ବିତିଗଲାଣି ହେଲେ ଠକେଇର ଶିକାର ବ୍ୟକ୍ତି ଏବେ ବି ଟଙ୍କା ଫେରି ପାଇ ନାହାନ୍ତି । ଏହାରି ଭିତରେ ସିସୋର ଚିଟଫଣ୍ଡ ପକ୍ଷରୁ ସୁପ୍ରିମକୋର୍ଟରେ କୁହାଯାଇଛି, ପୁଞ୍ଜି ସ୍କିମରେ ନିବେଶକମାନଙ୍କ ଦ୍ୱାରା ନିବେଶ କରାଯାଇଥିବା ଅର୍ଥରାଶିର ଫେରସ୍ତ ନେଇ ସମ୍ବନ୍ଧିତ ରାଜ୍ୟ ସରକାରଙ୍କ କୌଣସି ସମ୍ବେଦନଶୀଳତା ନଥିଲା । ଅର୍ଥାତ ସରକାର ସେତେକି ଯତ୍ନବାନ ନୁହେଁ ।

ଅନ୍ୟପଟେ ଓଡିଶାରେ ବ୍ରହ୍ମପୁର, ବାଲେଶ୍ୱର ହେଉଛି ସର୍ବାଧିକ ଚିଟଫଣ୍ଡ ଠକେଇ ହୋଇଥିବା ଜିଲ୍ଲାରୁ ଅନ୍ୟତମ । ବାଲେଶ୍ୱର ଜିଲ୍ଲାରେ ଚିଟଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀ ଚିହ୍ନଟକୁ ନେଇ ଅସନ୍ତୋଷ ପ୍ରକାଶ କରି ଧାରଣା ଦେଇଛନ୍ତି । ଆଗାମୀ ଦିନରେ ସାରା ରାଜ୍ୟରେ ଏ ନେଇ ପ୍ରତିବାଦ କରିବେ ବୋଲି ଚେତାବନୀ ଦେଇଛନ୍ତି ।

ଏବେ କମ୍ପାନୀର ସଂସ୍ଥାପକ ପ୍ରଶାନ୍ତ ଦାଶ ସୁପ୍ରିମକୋର୍ଟରେ ହସ୍ତକ୍ଷେ ଆବେଦନ କରି କହିଛନ୍ତି, ନିବେଶକମାନଙ୍କୁ ଠକିବା କଂପାନୀର ଉଦ୍ଦେଶ୍ୟ ନଥିଲା । ଯେଉଁମାନେ ସିସୋରରେ ନିବେଶ କରିଥିଲେ ସେମାନେ ସେମାନଙ୍କର ପ୍ରାପ୍ୟ ଫେରିପାଆନ୍ତୁ । ଆବଶ୍ୟକ ହେଲେ ପ୍ରକୃତ ନିବେଶକମାନଙ୍କୁ ଚିହ୍ନଟ କରିବାରେ ସହାୟତା କରିବ ବୋଲି ଆବେଦନରେ କଂପାନୀ କହିଛି । ତଦନ୍ତକାରୀ ସଂସ୍ଥାମାନଙ୍କୁ ଧାର୍ଯ୍ୟ ସମୟ ମଧ୍ୟରେ ତଦନ୍ତ ଶେଷ କରିବା ପାଇଁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ସେ ପ୍ରାର୍ଥନା କରିଛନ୍ତି ।

କମ୍ପାନୀ କହିଛି, ସିସୋର ବିରୋଧରେ ଠକେଇ ଅଭିଯୋଗ ପରେ କ୍ରାଇମବ୍ରାଂଚ ଅର୍ଥନୈତିକ ଅପରାଧ ଶାଖା ଜୁଲାଇ ୧୮,୨୦୧୨ରେ ଏଫ୍‌ଆଇଆର ରୁଜୁ କରି ଥିଲା । ୨୦୧୨-୧୩ରେ ସିସୋର ଗ୍ରୁପ ଅଫ୍ କଂପାନିର ସ୍ଥାବର ଓ ଅସ୍ଥାବର ସଂପତ୍ତିକୁ ଜବତ କରିଥିଲା ।

ଉଲ୍ଲେଖଯୋଗ୍ୟ, ଚିଟଫଣ୍ଡ ଟଙ୍କା ଫେରାଇବା ନେଇ ସୁପ୍ରିମକୋର୍ଟ ନିକଟରେ ଶୁଣାଣି କରି ପଚାରିଛନ୍ତି । ଏହି ମାମଲାରେ ସିବିଆଇ ପକ୍ଷ ରଖି କହିଛି, ଟଙ୍କା ଫେରିପାଇବା ଦାୟିତ୍ୱ ସିବିଆଇର ନୁହେଁ । ଏହି ମାମଲାରେ ଶାସକ ଦଳ ସମେତ ରାଜ୍ୟର ପ୍ରଭାବଶାଳୀ ବ୍ୟକ୍ତିଙ୍କର ସଂପୃକ୍ତି ରହିଛି । ତେଣୁ ତଦନ୍ତ ବାଟବଣା ହୋଇଛି । ଏହି ମାମଲାରେ ସୁପ୍ରିମକୋର୍ଟ ଉଭୟ ରାଜ୍ୟ ସରକାର ଏବଂ ସୁପ୍ରିମକୋର୍ଟଙ୍କୁ ଭର୍ତ୍ସନା କରିସାରିଛନ୍ତି ।

କୁହାଯାଏ ଚିଟଫଣ୍ଡ କେଳେଙ୍କାରୀରେ ଅନେକ ବିଜେଡି ନେତାଙ୍କ ସଂପୃକ୍ତି ରହିଛି । ତେଣୁ ସିବିଆଇ ରେଡ୍ ଏବଂ ଗିରଫଦାରୀ ଭୟରେ ରାଜ୍ୟର ଶାସକ ଦଳ କେନ୍ଦ୍ରର ଶାସକ ଦଳ ସହ ଗୋଟିଏ ଅଘୋଷିତ ମେଂଟ କରିଛି । ତେଣୁ ସିବିଆଇ ଏହି ମାମଲାରେ ପୂର୍ବପରି ସକ୍ରିୟ ନାହିଁ । ହେଲେ ରାଜ୍ୟ ରାଜନୀତିରେ ବଦଳୁଥିବା ସମୀକରଣ ଆଗାମୀ ଦିନରେ ବିଜେଡିକୁ ସିବିଆଇ ଭୟ ଘାରିପାରେ । ଆଉ ତାହା ପୁଣି ଚିଟଫଣ୍ଡ ପ୍ରସଙ୍ଗରେ । ଯାହାକୁ ନେଇ ବିଜେଡି ସବୁଠୁ ଅଧିକ ବଦନାମ ହୋଇଛି ।

Leave A Reply

Your email address will not be published.