Latest Odisha News

BREAKING NEWS

ବିବିସି ଅଫିସରେ ତିନି ଦିନ ପରେ ଶେଷ ହେଲା ଆୟକର ଟିମର ସର୍ଭେ

ନୂଆଦିଲ୍ଲୀ: ଆୟକର ବିଭାଗ ପକ୍ଷରୁ ବିବିସିର ଦିଲ୍ଲୀ ଓ ମୁମ୍ବାଇସ୍ଥିତ କାର୍ଯ୍ୟାଳଳୟରେ ଚାଲିଥିବା ସର୍ଭେ ପାଖାପାଖି 60 ଘଣ୍ଟା ପରେ ଶେଷ ହୋଇଛି । ତିନି ଦିନ ପରେ ବିବିସି କାର୍ଯ୍ୟାଳୟ ପରିସର ଆୟକର ଟିମଙ୍କ ଠାରୁ ମୁକ୍ତ ହୋଇଛି। ଏହାପରେ ବିବିସି କହିଛି, ଆୟକର କର୍ତ୍ତୃପକ୍ଷଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରୁଛୁ ଏବଂ ଆଗକୁ ମଧ୍ୟ କରିବୁ। ଏହି ସର୍ଭେ ବେଳେ ବିବିସିର କିଛି କର୍ମଚାରୀଙ୍କୁ ଦୀର୍ଘ ସମୟ ଧରି ପଚରାଉଚରା କରାଯାଇଥିଲା ଏବଂ କେତେକ ରାତିରେ କାର୍ଯାଳୟ ଭିତରେ ରହିଥିଲେ ବୋଲି ବିବିସି ଏକ ବିବୃତ୍ତିରେ କହିଛି।
ସର୍ଭେ ସମୟରେ ଅଧିକାରୀମାନେ ବଛା ବଛା କର୍ମଚାରୀଙ୍କ ଆର୍ଥିକ ତଥ୍ୟ ସଂଗ୍ରହ କରିବା ସହ ବିଭିନ୍ନ ଦସ୍ତାବିଜକୁ ଖନ୍ଦାଳିଛନ୍ତି । ସର୍ଭେ କାର୍ଯ୍ୟାନୁଷ୍ଠାନର ଅଂଶବିଶେଷ ସ୍ୱରୂପ ବୋଲି ତଦନ୍ତ ଅଧିକାରୀ କହିଛନ୍ତି। କିଛି କର୍ମଚାରୀଙ୍କ ବୟାନ ରେକର୍ଡ କରାଯାଇଛି ଏବଂ କିଛି କାଗଜପତ୍ର ଜବତ କରାଯାଇଛି ବୋଲି ଅଧିକାରୀମାନେ କହିଛନ୍ତି।

କଂଗ୍ରେସ ନେତା ପବନ ଖେରା କହିଛନ୍ତି, ଯଦି କେହି ପ୍ରଧାନମନ୍ତ୍ରୀଙ୍କ ଅତୀତକୁ ଉଜାଗର କରିବାକୁ ଚେଷ୍ଟା କରନ୍ତି କିମ୍ବା ତାଙ୍କ ଅତୀତକୁ ଉନ୍ମୋଚନ କରନ୍ତି, ତେବେ ସେହି ମିଡିଆ ହାଉସକୁ ତାଙ୍କ ତଦନ୍ତକାରୀ ସଂସ୍ଥା ଦ୍ୱାରା ଧ୍ୱଂସ କରିଦିଆଯିବ।

ତେବେ ବିବିସି ଅଫିସରେ ହୋଇଥିବା ଆୟକର ସର୍ଭେକୁ ସମାଲୋଚନା କରୁଥିବା ବିରୋଧୀଙ୍କୁ କଟାକ୍ଷ କରି କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁ ଗୁରୁବାର କହିଛନ୍ତି ଯେ କେତେକ ଲୋକ ବିଦେଶୀ ଖବର ପ୍ରତିଷ୍ଠାନ ଉପରେ ବିଶ୍ୱାସ କରନ୍ତି। କିନ୍ତୁ ଭାରତୀୟ ତଦନ୍ତକାରୀ ସଂସ୍ଥା ଉପରେ ନୁହେଁ। ହଁ ସେମାନେ ଭାରତୀୟ କୋର୍ଟ ଉପରେ ଭରସା କରିବେ ନାହିଁ। ଯଦି ରାୟ ତାଙ୍କୁ ନସୁହାଇଲା ତେବେ ସେମାନେ ସୁପ୍ରିମକୋର୍ଟଙ୍କୁ ମଧ୍ୟ ଗାଳି ଦେବେ।

ସର୍ଭେ ଅପରେସନର ଏକ ଅଂଶ ସ୍ୱରୂପ ଆୟକର ବିଭାଗ କେବଳ କମ୍ପାନୀର ବ୍ୟବସାୟିକ ପରିସରରେ ଚଢ଼ଉ କରିଛି । ଏହାର ପ୍ରମୋଟର କିମ୍ବା ନିର୍ଦ୍ଦେଶକଙ୍କ ବାସଭବନ ଏବଂ ଅନ୍ୟାନ୍ୟ ସ୍ଥାନରେ ଚଢ଼ଉ କରୁନାହିଁ ବୋଲି ଶାସକ ଦଳ କହିଛି । ନିକଟରେ ବିବିସି ଗୁଜରାଟ ଦଙ୍ଗା ବେଳେ ମୋଦୀଙ୍କ ଭୂମିକାକୁ ନେଇ ଏକ ଡକ୍ୟୁମେଣ୍ଟାରୀ ଫିଲ୍ମ କରିଛି । ଯାହାକୁ ଭାରତରେ ବ୍ୟାନ କରାଯାଇଛି। ଏହାର କିଛି ସପ୍ତାହ ପରେ ବିବିସି ଅଫିସରେ ଆୟକର ଟିମ୍ ସର୍ଭେ କରିଛି। ଏହି ବିବାଦୀୟ ଡକ୍ୟୁମେଣ୍ଟାରୀକୁ ଦୃଷ୍ଟିରେ ରଖି ବିବିସି ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇବାକୁ କରାଯାଇଥିବା ଆବେଦନକୁ ସୁପ୍ରିମକୋର୍ଟ ଗତ ସପ୍ତାହରେ ଖାରଜ କରିଦେଇଥିଲେ।

 

Leave A Reply

Your email address will not be published.