Latest Odisha News

BREAKING NEWS

ଜିଲା ବୁଲି ତୃଣମୂଳସ୍ତରରେ ସମସ୍ୟା ବୁଝୁଛନ୍ତି ରାଜ୍ୟପାଳ

ଭୁବନେଶ୍ୱର: ରାଜ୍ୟର ତୃଣମୂଳ ସ୍ତରର ଲୋକଙ୍କ ସହିତ ମିଶୁଛନ୍ତି ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସ। ବିଭିନ୍ନ ଜିଲ୍ଲା ଗସ୍ତ ସମୟରେ ମାନ୍ୟବର ରାଜ୍ୟପାଳ ମହିଳା, କୃଷକ ତଥା ଜିଲ୍ଲାବାସୀଙ୍କ ସହିତ ବ୍ୟକ୍ତିଗତ ସ୍ତରରେ ମିଶିବା ସହିତ ମୌଳିକ ସମସ୍ୟା ଉପରେ ଆଲୋଚନା କରୁଥିବା ଦେଖିବାକୁ ମିଳିଛି। ନିକଟରେ କେନ୍ଦ୍ରାପଡ଼ା ଗସ୍ତ ସମୟରେ ଜଣେ ଗରିବ ଶ୍ରେଣୀର ମହିଳା ତାଙ୍କ ନିକଟକୁ ଆସି ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ। ମହିଳାଙ୍କ ଅନୁରୋଧ ରକ୍ଷା କରି ତାଙ୍କ ଭଙ୍ଗା କୁଡିଆକୁ ଦେଖିବାକୁ ପ୍ରୋଟୋକଲ ଭାଙ୍ଗିଥିଲେ। ସେହିଠାରେ ହିଁ ଜିଲ୍ଲାପାଳଙ୍କୁ ପ୍ରଧାନମନ୍ତ୍ରୀ ଆୱାସ ଯୋଜନାରେ ଘର ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ସେହି ମହିଳାଙ୍କ ସହିତ ସ୍ଥାନୀୟ ଜଜାଙ୍ଗ ଗ୍ରାମବାସୀଙ୍କ ଦୁଃଖ ମଧ୍ୟ ଶୁଣିଥିଲେ।

ତେବେ କେବଳ କେନ୍ଦ୍ରାପଡ଼ା ନୁହେଁ, ମାଲକାନଗିରି ଠାରୁ ଆରମ୍ଭ କରି ରାଜ୍ୟର ଅନ୍ୟ ଜିଲ୍ଲା ମଧ୍ୟ ଗସ୍ତ କରିଛନ୍ତି, ଆଗକୁ ଅନ୍ୟ ଜିଲ୍ଲା ମଧ୍ୟ ଗସ୍ତ କରିବେ ବୋଲି ଜଣାପଡ଼ିଛି। ତେବେ ଏହି ଗସ୍ତ ସମୟରେ ସ୍ଥାନୀୟ ବାସିନ୍ଦା, ଛାତ୍ରଛାତ୍ରୀଙ୍କ ସହିତ ମୌଳିକ ସମସ୍ୟା ସହିତ ସ୍ୱାସ୍ଥ୍ୟ, କୃଷି ଆଦି ଉପରେ ବ୍ୟକ୍ତିଗତ ସ୍ତରରେ ଆଲୋଚନା କରୁଛନ୍ତି। ସମସ୍ୟା ସମ୍ପର୍କରେ ଅବଗତ ମଧ୍ୟ ହେଉଛନ୍ତି।

ଯେଉଁ ସବୁ କ୍ଷେତ୍ରରେ ସରକାର ବିଫଳ ହୋଇ ମଧ୍ୟ ସଫଳତାର ଡେଙ୍ଗୁରା ପିଟୁଛନ୍ତି, ସେ ସବୁ କ୍ଷେତ୍ରରେ କିପରି ଉପଭୋକ୍ତାମାନେ ଲାଭ ପାଇପାରିବେ ତାହା ଉପରେ ମଧ୍ୟ ଲୋକମାନଙ୍କୁ ବୁଝାଉଛନ୍ତି। କେନ୍ଦ୍ର ସରକାର ଲୋକମାନଙ୍କ ହୀତ ପାଇଁ କଣ ସବୁ ଯୋଜନା କରୁଛନ୍ତି ବା କରିଛନ୍ତି ସେ ସମ୍ପର୍କରେ ମଧ୍ୟ ଲୋକମାନଙ୍କୁ ଅବଗତ କରୁଛନ୍ତି। ଏପରିକି ରାଜ୍ୟପାଳ ଲୋକମାନଙ୍କ ସମସ୍ୟାକୁ ସମାଧାନ କରିବାକୁ ପ୍ରୟାସ ମଧ୍ୟ କରୁଥିବା ଦେଖିବାକୁ ମିଳିଛି। ବିଶେଷ କରି ଶିକ୍ଷା, ସ୍ୱାସ୍ଥ୍ୟ ଓ କୃଷି କ୍ଷେତ୍ରକୁ ଅଧିକ ଫୋକସ କରୁଥିବା ଦେଖିବାକୁ ମିଳିଛି।

ସେପଟେ ରାଜ୍ୟପାଳ ଯେଉଁ ସବୁ କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି ତାହାର ଟିକିନିକି ରିପୋର୍ଟ ସୋସିଆଲ ମିଡ଼ିଆରେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କୁ ଟ୍ୟାଗ କରି ପୋଷ୍ଟ କରୁଛନ୍ତି। ରାଜ୍ୟପାଳଙ୍କ ଏହି ଗସ୍ତକୁ ନେଇ ରାଜନୈତିକ ମହଲରେ ବେଶ ଚର୍ଚ୍ଚାର ଖୋରାକ ଯୋଗାଇଛି। ରାଜନୈତିକ ମହଲରେ ଏହାକୁ ନେଇ ଅନେକ ପ୍ରକାରର ଆକଳନ କରାଯାଉଛି। ଆଗକୁ ନିର୍ବାଚନ ରହିଥିବା ବେଳେ ରାଜ୍ୟପାଳଙ୍କ ଏହି ଗସ୍ତ ଶାସକ ବିଜୁ ଜନତା ଦଳ ଉପରେ କି ପ୍ରଭାବ ପକାଇବା ତାହା ଆକଳନ କରାଯାଉଛି। କାରଣ ବିଜେଡ଼ି ସଫଳତାର ଡେଙ୍ଗୁରା ପିଟୁଥିବା ବେଳେ ରାଜ୍ୟପାଳ ବ୍ୟକ୍ତିଗତ ସ୍ତରରେ ଲୋକମାନଙ୍କ ସହିତ ଆଲୋଚନା କରି ଅସଲ ଚିତ୍ର ସାମ୍ନାକୁ ଆଣିବାକୁ ଚେଷ୍ଟା କରୁଥାଇ ପାରନ୍ତି। କେଉଁଠି ଗରିବ ଲୋକ ସରକାରୀ ଯୋଜନାର ଲାଭ ଉଠାଇ ପାରିନଥିବା ବେଳେ ମୋଦି ସରକାର କଣ ସବୁ ଯୋଜନା କରୁଛନ୍ତି ତାହାର ଚିତ୍ର ଲୋକମାନଙ୍କ ସାମ୍ନାରେ ରଖିଛନ୍ତି। ଆଉ ରାଜ୍ୟପାଳଙ୍କ ଏହି ଗସ୍ତ ଯେ ବିଜେଡ଼ି ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି ନ କରିବ ତାହା କହି ହେଉନାହିଁ।

ଯଦିଓ ନାନା କଳ୍ପନାଜଳ୍ପନା ପ୍ରକାଶ ପାଉଛି କିନ୍ତୁ କୌଣସି ରାଜନୈତିକ ଦଳ ବା ବ୍ୟକ୍ତି ଏପର୍ଯ୍ୟନ୍ତ ଏହା ଉପରେ କିଛି ଟିପ୍ପଣୀ ରଖିନାହାନ୍ତି। ନିକଟରେ ରାଜ୍ୟପାଳ ଜଣେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀଙ୍କୁ ମୁଖ୍ୟ ପରାମର୍ଶଦାତା ଭାବେ ଓ ଅନ୍ୟ ଦୁଇ ଜଣଙ୍କୁ ପରାମର୍ଶଦାତା ଭାବେ ନିଯୁକ୍ତି ଦେଇଛନ୍ତି। ଯାହା ରାଜନୈତିକ ମହଲକୁ ଚର୍ଚ୍ଚା ପାଇଁ ନୂଆ ନିଦାନ ଯୋଗାଇଛନ୍ତି।

Leave A Reply

Your email address will not be published.