ମୁମ୍ବାଇ: ବଲିଉଡର ‘ହିରୋ ନମ୍ବର ୱାନ୍’ ଗୋବିନ୍ଦାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଚର୍ଚ୍ଚା ଚାଲିଛି । ଗଣେଶ ଚତୁର୍ଥୀ ଅବସରରେ ମୁମ୍ବାଇର ପ୍ରସିଦ୍ଧ ‘ଲାଲବାଗଚା ରାଜା’ଙ୍କ ଦର୍ଶନ କରିବାକୁ ପହଞ୍ଚିଥିବା ଗୋବିନ୍ଦାଙ୍କୁ ଏକ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଥିଲା । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଗୋବିନ୍ଦା ନିଜ ପତ୍ନୀ ସୁନିତା ଆହୁଜାଙ୍କ ପରିବର୍ତ୍ତେ ନିଜର ଆଗାମୀ ଫିଲ୍ମ ‘ରୂପା’ର କୋ-ଷ୍ଟାର ତଥା ରୁମର୍ଡ ଗର୍ଲଫ୍ରେଣ୍ଡ କୋମଳ ରାଣୀ ସ୍ୱର୍ଣ୍ଣକାରଙ୍କ ସହ ବାପ୍ପାଙ୍କ ଆଶୀର୍ବାଦ ନେବାକୁ ଆସିଥିଲେ । ଏହି ଘଟଣା ପରେ ଗୋବିନ୍ଦାଙ୍କ ୩୯ ବର୍ଷର ପୁରୁଣା ଦାମ୍ପତ୍ୟ ଜୀବନରେ ଫାଟ ସୃଷ୍ଟି ହୋଇଥିବା ନେଇ ଗୁଜବ ଜୋର ଧରିଛି ।
ଲାଲବାଗଚା ରାଜା ପେଣ୍ଡାଲରୁ ଗୋବିନ୍ଦା ଏବଂ କୋମଳଙ୍କ ଅନେକ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି । ଉଭୟ ପାରମ୍ପରିକ ପୋଷାକରେ ବେଶ୍ ସୁନ୍ଦର ଦେଖାଯାଉଥିଲେ। ଗୋବିନ୍ଦା ଏକ ଧଳା କୁର୍ତ୍ତା ପିନ୍ଧିଥିବା ବେଳେ କୋମଳ ଲାଲ୍ ରଙ୍ଗର ଏକ ସୁନ୍ଦର ଶାଢ଼ି ପିନ୍ଧିଥିଲେ । ଗୋଟିଏ ଭିଡିଓରେ ଗୋବିନ୍ଦା ପ୍ରବଳ ଭିଡ଼ ଭିତରେ ଫସି ଯାଇଥିବା ଦେଖିବାକୁ ମିଳିଥିଲା । ସେହି ସମୟରେ କୋମଳ ତାଙ୍କ ହାତ ଧରି ଭିଡ଼ରୁ ସୁରକ୍ଷିତ ଭାବେ ବାହାର କରି ଆଣୁଥିବାର ଦୃଶ୍ୟ ଉଭୟଙ୍କ ମଧ୍ୟରେ ଥିବା ଘନିଷ୍ଠତାକୁ ସ୍ପଷ୍ଟ କରୁଥିଲା ।
ଏହି ଘଟଣା ପରେ ଗୋବିନ୍ଦାଙ୍କ ପତ୍ନୀ ସୁନିତା ଆହୁଜାଙ୍କ ଏକ ବୟାନ ପରିସ୍ଥିତିକୁ ଆହୁରି ସରଗରମ କରିଦେଇଛି । ଏୟାରପୋର୍ଟରେ ପାପାରାଜିଙ୍କ ସହ କଥା ହେବା ବେଳେ ହାତରେ ଏକ ପୋଷା କୁକୁର ଧରି ସୁନିତା କହିଥିଲେ, “ମଣିଷକୁ ଯେତେ ଭଲ ପାଇଲେ ବି କିଛି ଲାଭ ନାହିଁ, ସେମାନେ କେବଳ ଧୋକା ଦିଅନ୍ତି । ମଣିଷ ବଦଳରେ ପଶୁମାନଙ୍କୁ ଭଲ ପାଆନ୍ତୁ, ସେମାନେ କେବେ ଛାଡ଼ି ଯାଆନ୍ତି ନାହିଁ ।” ଏହି ମନ୍ତବ୍ୟ ସିଧାସଳଖ ଗୋବିନ୍ଦାଙ୍କ ଉଦ୍ଦେଶ୍ୟରେ ଥିଲା ବୋଲି ସାଧାରଣରେ ଆଲୋଚନା ହେଉଛି । ଏହାଛଡ଼ା ଗୋବିନ୍ଦାଙ୍କ ବୋହୂ କାଶ୍ମୀରା ଶାହ ମଧ୍ୟ ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରିଛନ୍ତି ।
ସେ ଲେଖିଛନ୍ତି ଯେ ନିଜର ଏକନିଷ୍ଠ ପତ୍ନୀଙ୍କୁ ଛାଡି କମ୍ ବୟସର ଝିଅଙ୍କ ପଛରେ ଗୋଡ଼ାଉଥିବା ପୁରୁଷଙ୍କୁ ଲୋକେ ପ୍ରୋତ୍ସାହନ ଦେବା ବନ୍ଦ କରିବା ଉଚିତ୍। କାଶ୍ମୀରା କାହାରି ନାମ ନେଇନଥିଲେ ବି, ଲୋକେ ଏହାକୁ ଗୋବିନ୍ଦାଙ୍କ ସହ ଯୋଡ଼ି ଦେଖୁଛନ୍ତି।
ଚାରିଆଡୁ ସମାଲୋଚନା ଏବଂ ଡେଟିଂ ଗୁଜବ ଉଠିବା ପରେ ଶେଷରେ ଗୋବିନ୍ଦା ଏବଂ କୋମଳ ରାଣୀ ମୁହଁ ଖୋଲିଛନ୍ତି । ଏକ ସାକ୍ଷାତକାରରେ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ସେମାନେ କହିଛନ୍ତି, “ଯଦି ଆମେ ଫେମସ୍ ହେଉଛୁ, ତେବେ ଆପଣଙ୍କର ଅସୁବିଧା କ’ଣ ହେଉଛି?” ଏହି ଉତ୍ତର ସୋସିଆଲ ମିଡିଆରେ ନୂଆ ବିତର୍କ ସୃଷ୍ଟି କରିଛି । ତେବେ ଗୋବିନ୍ଦାଙ୍କ ପାରିବାରିକ ଜୀବନ ଏବେ କେଉଁ ମୋଡ଼ ନେବ, ତାହା ଉପରେ ସମସ୍ତଙ୍କ ନଜର ରହିଛି ।

