Latest Odisha News

BREAKING NEWS

ଡିଏ ବୃଦ୍ଧି କରିବାକୁ ପଶ୍ଚିମବଙ୍ଗ ସରକାରୀ କର୍ମଚାରୀଙ୍କ ଅନଶନ ଜାରି; ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଜିଦ୍ ଧରିଲେ

କୋଲକାତା: ଡିଅରନେସ୍ ଆଲାଓନ୍ସ(ଡିଏ) ବଢ଼ାଇବା ପାଇଁ ଅନଶନ କରୁଥିବା ପଶ୍ଚିମବଙ୍ଗର ସରକାରୀ କର୍ମଚାରୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିବାକୁ ଦାବି କରିଛନ୍ତି। ଏନେଇ ରବିବାର ଆନ୍ଦୋଳନରତ କର୍ମଚାରୀମାନେ ରାଜ୍ୟାପାଳ ସିଭି ଆନନ୍ଦ ବୋସଙ୍କୁ ଭେଟି ନିଜର ଦାବି ଜଣାଇଛନ୍ତି। ଥରେ ମୁଖ୍ୟମନ୍ତ୍ରୀଙ୍କ ସହିତ ବୈଠକ ସ୍ଥିର କରି ସମାଧାନ କରାଇବାକୁ ସେମାନେ ଦାବି କରିଛନ୍ତି।

ତେବେ ଏହା ପୂର୍ବରୁ ମମତା ବାନାର୍ଜୀ ଡିଏ ବଢ଼ାଇବାକୁ ନେଇ ସ୍ପଷ୍ଟ ମନା କରିଦେଇଥିଲେ। ଆନ୍ଦୋଳନରତ କର୍ମଚାରୀମାନେ ତାଙ୍କ ବେକ କାଟି ଦେଲେ ବି ଡି.ଏ. ବଢ଼ାଇଯାଇ ପାରିବ ନାହିଁ ବୋଲି ମମତା କହିଥିଲେ। ହେଲେ କର୍ମଚାରୀମାନେ କିନ୍ତୁ ତାଙ୍କ  ଜିଦ୍‌ରେ ଅଟଳ ରହିଛନ୍ତି।

ଏନେଇ ଆଜି ଆନ୍ଦୋଳନରତ କର୍ମଚାରୀଙ୍କ ୫ ଜଣିଆ ପ୍ରତିନିଧୀ ଦଳ ରାଜଭବନ ଯାଇ ରାଜ୍ୟପାଳଙ୍କୁ ଭେଟିଥିଲେ। ବିଭିନ୍ନ ରାଜ୍ୟର ସରକାରୀ କର୍ମଚାରୀଙ୍କ ମିଳିତ ସଂଘ ସଂଗ୍ରାମୀ ଜଉଥୋ ମଞ୍ଚର ପ୍ରତିନିଧିମାନେ ରାଜ୍ୟପାଳଙ୍କୁ ଭେଟି ରାଜ୍ୟପାଳଙ୍କ ପାଖରେ ଲିଖିତ ଦାବି କରିଥିଲେ। ରାଜ୍ୟପାଳ ତୁରନ୍ତ ଏହି ଘଟଣାରେ ହସ୍ତକ୍ଷେପ କରି ଏହାର ସମାଧାନ କରନ୍ତୁ ବୋଲି ସେମାନେ ଚିଠିରେ ଦାବି କରିଥିଲେ।

ଘଟଣାରେ ରାଜ୍ୟାପାଳଙ୍କ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି। ଅନଶନ କରୁଥିବା ଆମ ଭାଇମାନଙ୍କ ଜୀବନ ସର୍ବୋପରି। ତେଣୁ ଦୟାପୂର୍ବକ ଅନଶନ ଭଙ୍ଗ କରି ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରିବାକୁ ରାଜ୍ୟପାଳ ସିଭି ଆନନ୍ଦ ବୋସ ଟ୍ୱିଟ୍ କରି କହିଛନ୍ତି।

Leave A Reply

Your email address will not be published.