Latest Odisha News

BREAKING NEWS

ଜୋର୍ ଧରିଲା ସରନା କୋଡ୍ ଦାବି, ରାଞ୍ଚିରେ ଗର୍ଜିଲେ ଓଡ଼ିଶା ସମେତ ବିଭିନ୍ନ ସ୍ଥାନରୁ ଆସିଥିବା ଆଦିବାସୀ

ରାଞ୍ଚି: ଭାରତରେ ସରନା ଧର୍ମକୁ ମାନୁଥିବା ଆଦିବାସୀମାନେ ନିଜକୁ ଏକ ନୂଆ ଧାର୍ମିକ ସମୂହର ମାନ୍ୟତା ଦାବି କରି ଦେଶବ୍ୟାପୀ ସେମାନଙ୍କ ଆନ୍ଦୋଳନକୁ ତୀବ୍ର କରିବାରେ ଲାଗିଛନ୍ତି । ସେମାନଙ୍କ ଅଭିଯୋଗ ସମସ୍ତଙ୍କ ପାଇଁ କୋଡ୍ ଅଛି କିନ୍ତୁ ଆଦିବାସୀଙ୍କ ପାଇଁ କୌଣସି କୋଡ୍ ନାହିଁ । ଏହି କ୍ରମରେ ଆଜି ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ସରନା କୋଡ୍ ଲାଗୁ ଦାବି ନେଇ ଏକଜୁଟ ହୋଇଥିଲେ ଝାଡ଼ଖଣ୍ଡ, ଓଡ଼ିଶା, ଛତିଶଗଡ଼ ସମେତ ଅନ୍ୟ ରାଜ୍ୟରୁ ଆସିଥିବା ହଜାର ହଜାର ଆଦିବାସୀ ସମାଜର ପୁରୁଷ ଓ ମହିଳାଷ ।

ଏପରିକି ନେପାଳ ଓ ଭୁଟାନରୁ ମଧ୍ୟ ଆଦିବାସୀ ସଂଗଠନ ମଧ୍ୟ ପହଞ୍ଚି ଏହି ଆଦିବାସୀ ମହାସମ୍ମିଳନୀରେ ସକ୍ରିୟ ଅଂଶଗ୍ରହଣ କରିଥିବା ନଜରକୁ ଆସିଥିଲା । ଏହି ଅବସରରେ ବିଭିନ୍ନ ଆଦିବାସୀ ସଂଗଠନ ପକ୍ଷରୁ ସରକାର ତୁରନ୍ତ ସରନା ଧର୍ମ କୋଡ୍ ଲାଗୁ କରିବା ସମ୍ବନ୍ଧରେ ଦାବି କରୁଥୁବା ଦେଖିବାକୁ ମିଳିଥିଲା । ସାମିଲ ହୋଇଥିବା ଆଦିବାସୀଙ୍କର ଯୁ୍କ୍ତି, ହିନ୍ଦୁ ଧର୍ମର ଜନ୍ମ ଆମଠାରୁ ହୋଇଛି । ଆମେ ଈସାଇ ବା ଖ୍ରୀଷ୍ଟିଆନ ଧର୍ମଠାରୁ ଅଲଗା ହେବାକୁ ଚାହୁଁ । କାରଣ ଆମର ସଂରକ୍ଷଣ ଅଧିକାର ସେମାନେ ନେଇ ଯାଉଛନ୍ତି ।

ଆଜିର ମହାରାଲି ମାଧ୍ୟମରେ ଆଦିବାସୀ ସଂଗଠନ କେନ୍ଦ୍ର ସରକାର ଓ ବିଜେପି ଆଗରେ ସରନା ଧର୍ମ କୋଡ୍ ଦାବି ଦୋହରାଇବାର ଦେଖିବାକୁ ମିଳିଥିଲା । ଏପରିକି ଜଣାଶୁଣା ଆଦିବାସୀ ନେତା ଡକ୍ଟର କରମା ଉରାଙ୍ଗଙ୍କ ସମେତ ଅନେକ ବଡ଼ ଆଦିବାସୀ ନେତା ସିଧାସ‌ଳଖ ସରକାରଙ୍କୁ ଆଗାମୀ ୨୦୨୪ ଲୋକସଭା ଓ ବିଧାନସଭା ନିର୍ବାଚନକୁ ପରୋକ୍ଷରୁ ଇଙ୍ଗିତ କରି ଚେତାବନୀ ଦେଉଥିବାର ନଜର ଆସିଥିଲା । କାହିଁକି ନା ଏହି ନେତାମାନେ ସିଧାସଳଖ ନିଜ ମିଳିତ ଆହ୍ବାନରେ ସରକାରଙ୍କୁ ସଫାସଫା ଶୁଣାଇ ଦେଇଛନ୍ତି ଯେ, କୋଡ୍ ନାହିଁ ତ ଭୋଟ୍ ନାହିଁ ।

ସରନା ଧର୍ମଗୁରୁ ବନ୍ଧନ ତିଗ୍ଗାଙ୍କ କହିବା କଥା ଆଦିବାସୀଙ୍କୁ ସମାପ୍ତ କରିବାକୁ ଷଡ଼ଯନ୍ତ୍ର କରାଯାଉଛି । ଯେହେତୁ ଆଦିବାସୀ ନିଜ ପରମ୍ପରା ଓ ସମ୍ପ୍ରଦାୟର ଧାର୍ମିକ ଭାବନା ଅନୁସାରେ ନିଜ ଦେବଦେବୀଙ୍କୁ ପୂଜା କରେ । ତେଣୁ ସରନା ଧର୍ମ କୋଡ ଲାଗୁ ହେବା ଆବଶ୍ୟକ । ସୂଚନାଯୋଗ୍ଯ ଏବେ ଭାରତରେ ୧୨ କୋଟି ଆଦିବାସୀ ବସବାସ କରୁଛନ୍ତି ଓ ସେମାନଙ୍କ ମଧ୍ୟରୁ ସଂଖ୍ୟାଧିକ ଆଦିବାସୀ ସମୁଦାୟ ସରନା ଧର୍ମ ଅନୁସରଣ କରିଆସୁଛନ୍ତି । ସେପଟେ ରାଞ୍ଚିର ମୋରହାବାଦୀ ମୈଦାନରେ ଆୟୋଜିତ ଏହି ଆଦିବାସୀ ମହାରାଲି ପରେ ଉଭୟ ଜାତୀୟ ଓ ଆଞ୍ଚଳିକ ରାଜନୀତି ସରଗରମ ହୋଇଛି ।

Leave A Reply

Your email address will not be published.