Latest Odisha News

ଗୁଗୁଲ କ୍ରୋମ ବ୍ୟବହାର କରୁଥିଲେ ସାବଧାନ, ସରକାର ଦେଲେ ଚେତାବନୀ

ନୂଆଦିଲ୍ଲୀ: ଯଦି ଆପଣ ଡେସ୍କଟପ୍, ଲାପଟପ୍, କିମ୍ବା ମ୍ୟାବୁକ୍ ରେ ଗୁଗୁଲ୍ କ୍ରୋମ୍ ବ୍ୟବହାର କରୁଛନ୍ତି ତେବେ ହୋଇଯାଆନ୍ତୁ ସାବଧାନ । କ୍ରୋମ ଜରିଆରେ ଚୋରି ହୋଇପାରେ ଆପଣଙ୍କ ତଥ୍ୟ । ଏନେଇ ସତର୍କ ସୂଚନା ଦେଇଛନ୍ତି କେନ୍ଦ୍ର ସରକାର । ବାସ୍ତବରେ ଏହି ବ୍ରାଉଜରର ଦୁଇଟି ତ୍ରୁଟି ବିଷୟରେ ସରକାର ଚେତାବନୀ ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ଭାରତୀୟ କମ୍ପ୍ୟୁଟର ଜରୁରୀକାଳୀନ ପ୍ରତିକ୍ରିୟା ଦଳ (CERT-In) କହିଛି ଯେ ଏହି ତ୍ରୁଟି ହେତୁ ହ୍ୟାକର୍ସମାନେ ଆପଣଙ୍କ ସିଷ୍ଟମରେ ଅତି ସହଜରେ ପ୍ରବେଶ କରି ଆପଣଙ୍କ ଗୁରୁତ୍ଵପୁର୍ଣ୍ଣ ତଥ୍ୟ ଚୋରି କରିନେବେ । ଏହା ସହିତ, CERT-In ଏଥିରୁ ସୁରକ୍ଷିତ ରହିବାର ଉପାୟ ମଧ୍ୟ କହିଛି ।

CERT-In କହିଛି ଯେ ବର୍ତ୍ତମାନ ଗୁଗୁଲ୍ କ୍ରୋମରେ CIVN-2025-0007 ଏବଂ CIVN-2025-0008 ନାମକ ଦୁଇଟି ତ୍ରୁଟି ରହିଛି । ପ୍ରଥମ ତ୍ରୁଟି 132.0.6834.83/8r ରୁ ପୁରୁଣା ଭର୍ସନ ବ୍ୟବହାର କରୁଥିବା ଉପଭୋକ୍ତାମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ ଏବଂ ଦ୍ୱିତୀୟ ତ୍ରୁଟି 132.0.6834.110/111 ରୁ ପୁରୁଣା ଭର୍ସନ ବ୍ୟବହାର କରୁଥିବା ଉପଭୋକ୍ତାଙ୍କୁ ପ୍ରଭାବିତ କରିପାରେ । ଗୁଗୁଲ୍ କ୍ରୋମର ଏହି ତ୍ରୁଟି ହେତୁ ହ୍ୟାକର୍ସମାନେ ଆପଣଙ୍କ ସିଷ୍ଟମରେ ପଶି ଆପଣଙ୍କ ଗୁରୁତ୍ଵପୁର୍ଣ୍ଣ ତଥ୍ୟ ଚୋରି କରିବା ସହ ସେମାନେ ସିଷ୍ଟମର ସିକ୍ୟୁରିଟିକୁ ମଧ୍ୟ ବାଇପାସ୍ କରିପାରିବେ । ଯାହା ଉପଭିକ୍ତାଙ୍କୁ ସମସ୍ୟା ଭିତରକୁ ଠେଲି ଦେଇପାରେ ।

ଏହି ତ୍ରୁଟିଗୁଡିକର ଲାଭ ଉଠାଇ ହ୍ୟାକରମାନେ ଏକ ୱେବ୍ ପୃଷ୍ଠା ସାହାଯ୍ୟରେ ସିଷ୍ଟମରେ ପ୍ରବେଶ କରନ୍ତି ଏବଂ ତାପରେ ଏହାକୁ ସେମାନଙ୍କ ନିଜ ସୁବିଧା ପାଇଁ ବ୍ୟବହାର କରିଥାନ୍ତି । ଏହି ତ୍ରୁଟିଗୁଡିକ ଦ୍ଵାରା ହୋଇଥିବା କ୍ଷତିରୁ ରକ୍ଷା ପାଇବା ପାଇଁ, CERT-In ସମସ୍ତ ଉପଭୋକ୍ତାଙ୍କୁ ସେମାନଙ୍କର କ୍ରୋମକୁ ଅପଡେଟ୍ କରିବାକୁ ପରାମର୍ଶ ଦେଇଛି । ଏଥିସହ ଜରୁରୀ ସିକ୍ୟୁରିଟି ପ୍ୟାଚେଜ ଲଗାଇବାକୁ ପରାମର୍ଶ ଦେଇଛି ।

Comments are closed.