କଟକ: ସାଧାରଣତନ୍ତ୍ର ଦିବସରେ ଘଟିଥିବା ଅଘଟଣରେ ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ। ଅଂଶୁପା ରାସ୍ତାରେ ପିକଅପ୍ ଭ୍ୟାନ ଓଲଟି ଛାତ୍ର ମୃତ ଘଟଣାରେ ଗିରଫ ହେଲା ଡ୍ରାଇଭର। ଡ୍ରାଇଭର ଗଗନା ନନ୍ଦ ପୃଷ୍ଟିକୁ ଗିରଫ କରିଛି ବାଙ୍କୀ ପୋଲିସ। ମେଡିକାଲରୁ ଚିକିତ୍ସିତ ହୋଇ ଘରକୁ ଫେରୁଥିବାବେଳେ ଗଗନା ନନ୍ଦଙ୍କୁ ଗିରଫ କରାଯାଇଛି।
ଘଟଣାରେ ପୂର୍ବରୁ ଉତ୍ତର ବାଙ୍କୀ ମାଳବିହାରୀପୁର ସ୍କୁଲ ପ୍ରଧାନଶିକ୍ଷକ ନିଲମ୍ବିତ କରାଯାଇଛି। ଏହା ସହ ଜିଲ୍ଲାପାଳସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସୂଚନା ଅନୁସାରେ ଗତକାଲି ସରଣ୍ଡା ଜୋନସ୍ତରୀୟ ସାଧାରଣତନ୍ତ୍ର ଦିବସର ପ୍ୟାରେଡରେ ଭାଗ ନେବା ପାଇଁ କଟକ ଜିଲ୍ଲା ମାଳବିହାରୀପୁର ହାଇସ୍କୁଲର ଛାତ୍ରଛାତ୍ରୀ ଯାଉଥିଲେ। ହେଲେ କାର୍ଯ୍ୟକ୍ରମ ସ୍ଥଳରେ ପହଞ୍ଚିବା ପୂର୍ବରୁ ଦୁର୍ଘଟଣାର ଶିକାର ହୋଇଥିଲେ ଛାତ୍ରଛାତ୍ରୀ।
ପିକଅପ୍ ଭ୍ୟାନ୍ ପରେଡ ପଡିଆକୁ ଯାଉଥିବା ବେଳେ ଭାରସାମ୍ୟ ହରାଇ ବାଙ୍କୀ ଥାନା ସରଣ୍ଡା ବିଟହାଉସ ନିକଟ ମାଳବିହାରପୁର ଗାଁ ରାସ୍ତାରେ ଓଲଟି ପଡିଥିଲା। ଏହି ଦୁର୍ଘଟଣାରେ ଜଣେ ଛାତ୍ରଙ୍କର ମୃତ୍ୟୁ ଘଟିଥିବା ବେଳେ ୨୩ଜଣ ଛାତ୍ରଛାତ୍ରୀ ଆହତ ହୋଇଥିଲେ। ୧୦ମ ଶ୍ରେଣୀ ଛାତ୍ର ସୌମ୍ୟ ରଞ୍ଜନ ବେହେରାଙ୍କ ମୃତ୍ୟୁ ହୋଇଥିଲା। ସମସ୍ତ ଆହତଙ୍କୁ ଆଠଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ୩ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା ।
Comments are closed.