Latest Odisha News

BREAKING NEWS

ସ୍ୱୟଂ ସହାୟିକା ଗୋଷ୍ଠୀର ଉତ୍ପାଦକୁ ସୁପର ମାର୍କେଟରେ ଉପଲବ୍ଧ କରିବାକୁ ସରକାରଙ୍କ ଯୋଜନା

ଭୁବନେଶ୍ୱର: ରାଜ୍ୟ ସରକାର ଗ୍ରାମାଞ୍ଚଳ ଜୀବିକା ବିକାଶ ଦିଗରେ ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରିଆସୁଛନ୍ତି । ଗ୍ରାମାଞ୍ଚଳର ଉନ୍ନତିକୁ ପ୍ରାଥମିକତା ଦେଇ ବିଭିନ୍ନ ଯୋଜନାମାନ ମଧ୍ୟ କାର୍ଯ୍ୟକାରୀ କରାଇଛନ୍ତି । ଓଡିଶା ଲାଇଭଲିହୁଡ୍ ମିସନ ମାଧ୍ୟମରେ ଗ୍ରାମାଞ୍ଚଳରେ ବିଭିନ୍ନ ରୋଜଗାରର ସୁଯୋଗ ସୃଷ୍ଟି କରିପାରିଛନ୍ତି । ଯଦିଓ ଏ ଦିଗରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ବେଶ୍ ସଫଳ ଭାବେ କାର୍ଯ୍ୟ କରୁଛି, କିନ୍ତୁ ଆମକୁ କେତେକ ଦିଗରେ ବିଶେଷ ଧ୍ୟାନ ଦେବା ଆବଶ୍ୟକତା ରହିଛି । ଯେପରିକି ଉଚିତ୍ ବଜାର ମୂଲ୍ୟ, ସଂଗଠିତ କାର୍ଯ୍ୟପ୍ରଣାଳୀ, ଗୁଣାତ୍ମକ ଉତ୍ପାଦ, ବ୍ରାଣ୍ଡିଂ ଏବଂ ପ୍ୟାକେଜିଙ୍ଗ ଆଦି ବିଷୟରେ ତାଲିମ ପ୍ରଦାନ କରାଗଲେ ସେମାନଙ୍କର ରୋଜଗାର ଆହୁରି ବଢିପାରିବ । ଏଥି ସହିତ ନିଜ ଉତ୍ପାଦକୁ ସେମାନେ ବିଭିନ୍ନ ସ୍ତରରେ ପହଞ୍ଚାଇ ପାରିବେ ବୋଲି ଓଡିଶା ଲାଇଭ୍‌ଲିହୁଡ ମିସନର ରାଜ୍ୟ ମିଶନ ନିର୍ଦ୍ଦେଶକ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ରାଜେଶ ପାଟିଲ, ଓଡିଶା କର୍ପୋରେଟ ଫାଉଣ୍ଡେସନ ପକ୍ଷରୁ “ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ନିମନ୍ତେ ସ୍ୱ-ରୋଜଗାର ସୁଯୋଗ” ବିଷୟବସ୍ତୁ ଉପରେ ଆୟୋଜିତ ୱେବିନାରରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ କହିଛନ୍ତି ।

ୟୁଏନଡିପିର ରାଜ୍ୟ ମୁଖ୍ୟ ଆଭା ମିଶ୍ର କହିଥିଲେ ଯେ ସ୍ୱୟଂ ସହାୟକ ଗୋଷ୍ଠୀ ସାମାଜିକ – ଅର୍ଥନୈତିକ ଅଭିବୃଦ୍ଧି କରିବା ଦିଗରେ ମୁଖ୍ୟ ଭୂମିକା ନିର୍ବାହ କରିଥାନ୍ତି । ମହାମାରୀ ସମୟରେ ସ୍ୱୟଂ ସହାୟକ ଗୋଷ୍ଠୀ ପିପିଇ କିଟ୍ ଓ ମାସ୍କ ତିଆରି କରିବା ସହିତ ହ୍ୟାଣ୍ଡ ସାନିଟାଇଜର ପ୍ରସ୍ତୁତ କରି ସରକାରଙ୍କୁ ସହାୟତା ପ୍ରଦାନ କରିବାରେ ସହାୟ ହୋଇ ପାରିଛନ୍ତି । ସେମାନଙ୍କୁ ପ୍ରୋତ୍ସାହିତ କରିବା ନିମନ୍ତେ ନାବାର୍ଡ ଏବଂ ବ୍ୟାଙ୍କ ସହଯୋଗ କରୁଛି ।

ଜେଏସପିଏଲର ସିଏସଆର ଗ୍ରୁପ୍ ହେଡ୍ ତଥା କର୍ପୋରେଟ୍ କମ୍ୟୁନିକେସନ ମୁଖ୍ୟ ପ୍ରଶାନ୍ତ କୁମାର ହୋତା କହିଥିଲେ, ‘ଜେଏସ୍‌ପିଏଲ୍ ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଠୀ ତଥା ଗ୍ରାମାଞ୍ଚଳ ଉଦ୍ୟୋଗୀମାନଙ୍କୁ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟରେ ସାମିଲ ହେବା ପାଇଁ ସହାୟତା କରିଆସୁଛି । ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରି ମହିଳାମାନେ ସ୍ୱାବଲମ୍ବୀ ହେବା ସହ ସେମାନଙ୍କ ଜୀବନ ଶୈଳୀରେ ପରିବର୍ତ୍ତନ ଆସିପାରିଛି । ଶିଳ୍ପୋଦ୍ୟୋଗ ସର୍ବଦା ସାମାଜିକ ସଂସ୍କାରକ ଭାବେ କାର୍ଯ୍ୟ କରିବା ଆବଶ୍ୟକ । ଉଭୟ ଶିଳ୍ପ ଏବଂ ଉଦ୍ୟୋଗର ସମାନ ଭାବେ ଅଭିବୃଦ୍ଧି ହେବା ଆବଶ୍ୟକ ।

କିଟ୍‌- ଟିବିଆଇର ସୋସିଆଲ୍ ଇନକୁବେସନ ଏବଂ ସିଏସଆରର ମୁଖ୍ୟ ସୁରେଖା ରାଉତରାୟ ନୂତନ ଜ୍ଞାନ କୌଶଳ ପ୍ରୟୋଗ କରି ଜୀବିକା ନିର୍ବାହ କରିବା ପାଇଁ ବିକଳ୍ପ ସୁଯୋଗ ଉପରେ କିଟ୍ ଗୁରୁତ୍ୱ ଦେଉଥିବା କହିଥିଲେ । ଏଥି ସହିତ ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବାରେ କିଟ୍ କିପରି ସଫଳ ହୋଇପାରିଛି ସେ ନେଇ ଆଲୋଚନା କରିଥିଲେ ।

ମାର୍ଟ ମଡେଲ୍‌ର ମୁଖ୍ୟ ଅଭିଜିତ ମହାନ୍ତି ମାର୍ଟ ମାଧ୍ୟମରେ ଆମେ କିପରି ଗୋଟେ ମଡେଲକୁ ବ୍ୟାପକ କରିପାରିବା ଏବଂ ମହିଳାମାନଙ୍କୁ ଏଥିରେ କିପରି ସାମିଲ୍ କରିପାରିବା ସେ ନେଇ ଆଲୋଚନା କରିଥିଲେ । ମିସନ ଶକ୍ତିର ଓଏସ୍‌ଡି ସୁଧାଂଶୁ ଶେଖର ନାୟକ ଏହି ଆଲୋଚନାଚକ୍ରରେ କହିଥିଲେ ଯେ ମିଶନ ଶକ୍ତି ୩ ଲକ୍ଷ ଯାଏଁ ବିନା କୌଣସି ସୁଧରେ ଋଣ ପ୍ରଦାନ କରୁଛି । ସ୍ୱୟଂ ସହାୟକ ଗୋଷ୍ଠୀର ପ୍ରୋତ୍ସାହନ ନିମନ୍ତେ ଓସିଏଫ୍‌ର ସହାୟତା ଆବଶ୍ୟକ ।

ଓଡିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ଏହି ଆଲୋଚନା ଚକ୍ରରେ ମଡରେଟର ଭାବେ ଯୋଗ ଦେଇ ସ୍ୱୟଂ ସହାୟକ ଗୋଷ୍ଠୀଙ୍କର ଜୀବିକାର ବିକାଶ କରିବା ପାଇଁ ମାର୍କେଟିଙ୍ଗକୁ ଗୁରୁତ୍ୱ ଦେବାକୁ ପଡିବ ବୋଲି ମତ ଦେଇଥିଲେ। ଗୁଣାତ୍ମକ ଉତ୍ପାଦ, ଉତ୍ପାଦର ବ୍ରାଣ୍ଡିଙ୍ଗ ଉପରେ ଧ୍ୟାନ ଦେଇ ପାରିଲେ ସେମାନଙ୍କର ସାମଗ୍ରିକ ବିକାଶ ହୋଇପାରିବ ବୋଲି ସେ କହିଥିଲେ ।

Leave A Reply

Your email address will not be published.