Latest Odisha News

BREAKING NEWS

ଜୁନିୟର୍ କଲେଜରେ ପ୍ରସ୍ତୁତ ହେବ ଅଧ୍ୟାପକଙ୍କ ତାଲିକା; ବରିଷ୍ଠତା ଯାଞ୍ଚ କରିବ ସ୍କୁଲ ଓ ଗଣଶିକ୍ଷା ବିଭାଗ

ଭୁବନେଶ୍ୱର: ରାଜ୍ୟରେ ଥିବା ସବୁ ଜୁନିୟର କଲେଜରେ ଶିକ୍ଷାଦାନ କରୁଥିବା ଅଧ୍ୟାପକଙ୍କର ତାଲିକା ପ୍ରସ୍ତୁତ କରାଯିବ । ସେମାନଙ୍କ ମଧ୍ୟରୁ କେତେଜଣ ସରକାରୀ ଏବଂ କେତେ ଅନୁଦାନପ୍ରାପ୍ତ କଲେଜରେ ନିଯୁକ୍ତି ପାଇଛନ୍ତି ତାହା ମଧ୍ୟ ସ୍ପଷ୍ଟ କରାଯିବ । ତେବେ ଏହି ବ୍ୟବସ୍ଥାରେ କେବଳ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ ଏବଂ ଗଣିତ ଅଧ୍ୟାପକଙ୍କୁ ସାମିଲ କରାଯାଇଛି । ଏହି ତାଲିକା ୨ପ୍ରକାର ହେବ ।

ଉଭୟ ଜୁନିୟର ଏବଂ ବରିଷ୍ଟ ତାଲିକା ଯେଉଁ ଅଧ୍ୟାପକ, ଅଧ୍ୟାପିକା ରହିବେ ସେମାନଙ୍କର ଶିକ୍ଷାଦାନର ଅଭିଜ୍ଞତା ଏବଂ ସେମାନଙ୍କର ଶିକ୍ଷାଗତ ଯୋଗ୍ୟତା ମଧ୍ୟ ରିପୋର୍ଟରେ ଦର୍ଶାଯିବ । ତେବେ ରାଜ୍ୟରେ ୧୬୪୦ଟି ଜୁନିୟର କଲେଜ ରହିଛି । ସେଥିରୁ ପ୍ରାୟ ୫୫ପ୍ରତିଶତ କଲେଜରେ ଜୁନିୟର ଅଧ୍ୟାପକ ନିଯୁକ୍ତି ପାଇଥିବା ବେଳେ ନିର୍ଦ୍ଦିଷ୍ଟ ୩ଟି ବିଷୟ ଯଥା ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ ଏବଂ ଗଣିତ ପଢ଼ାଇବା ଲାଗି ବରିଷ୍ଠ ଅଧ୍ୟାପକଙ୍କ ଅଭାବ ରହିଛି । ଏପରକି ରାଜ୍ୟର ୬ଟି ଜିଲ୍ଲାରେ ୨୩୩ଟି କଲେଜରେ ଏହି ୩ଟି ବିଷୟ ଲାଗି ଆବଶ୍ୟକ ଅଧ୍ୟାପକ ଏବଂ ୧୭୦କଲେଜରେ ଆବଶ୍ୟକ ଅଭିଜ୍ଞତା ନଥିବା ଶିକ୍ଷକ ଥିବାରୁ ସମ୍ପୃକ୍ତ କଲେଜରେ ପାସ୍ ହାରରେ ପ୍ରଭାବ ପଡୁଛି ବୋଲି ଜଣାପଡ଼ିଛି । ଏହାବ୍ୟତୀତ ୫୬ଟି କଲେଜରେ ଉଭୟ ଗଣିତ ଏବଂ ପଦାର୍ଥ ବିଜ୍ଞାନ ଲାଗି ଅଧ୍ୟାପକଙ୍କ ଅଭାବ ଥିବାରୁ ସେହି କଲେଜଗୁଡିକରେ ଠିକଭାବେ ପାଠପଢ଼ା ହୋଇପାରୁ ନାହିଁ ।

ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏହି ତାଲିକା ପ୍ରସ୍ତୁତ କାର୍ଯ୍ୟ ଏକମାସ ମଧ୍ୟରେ ଶେଷ କରିବା ସହ ପୂଜାଛୁଟି ପୂର୍ବରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ନିଷ୍ପତ୍ତି ହୋଇଛି । ଏନେଇ ଏକ ୭ଜଣିଆ କମିଟି ଗଠନ କରାଯାଇଛି । ଜିଲ୍ଲାୱାରୀ ରିପୋର୍ଟ ଜିଲ୍ଲାପାଳଙ୍କୁ କଲେଜ କର୍ତ୍ତୃପକ୍ଷ ଦେବା ସହ ପ୍ରତ୍ୟେକ ବିଷୟ ଲାଗି ୨ଜଣ କନିଷ୍ଠ ଏବଂ ୨ ବରିଷ୍ଠ ଅଧ୍ୟାପକଙ୍କୁ ନିଯୁକ୍ତି ଦିଆଯିବ । ସେହିପରି ଅଧ୍ୟାପକଙ୍କ ଶିକ୍ଷାଗତ ଯୋଗ୍ୟତା ତାଲିକାରେ କେବଳ ପିଜି ଏବଂ ପିଜି ସହ ଉଭୟ ଏମ୍‌ଫିଲ୍ ଏବଂ ପିଏଚ୍‌ଡି ଥିବା ସ୍ପଷ୍ଟ କରାଯିବ । ଯେଉଁ କଲେଜରେ ଗତ ୫ବର୍ଷ ମଧ୍ୟରେ ପାସ୍ ହାର ସର୍ବନିମ୍ନ ୫୦ପ୍ରତିଶତ ତଳକୁ ରହିଛି ସମ୍ପୃକ୍ତ କଲେଜକୁ ପ୍ରଥମ ତାଲିକାରେ ରଖାଯିବା ସହ ୪୫ ପ୍ରତିଶତରୁ କମ୍ ଥିବା ପାସ୍ ହାର କଲେଜର ଅଲଗା ତାଲିକା କରାଯିବାକୁ ନିଷ୍ପତ୍ତି ହୋଇଛି ।

ଯେଉଁ ସବୁ କଲେଜରେ ଆବଶ୍ୟକ ଅଧ୍ୟାପକ ଥିଲେ ମଧ୍ୟ ପାସ୍‌ହାରରେ ପ୍ରଭାବ ରହୁଛି ସେହି କଲେଜରେ ନିଯୁକ୍ତ ଅଧ୍ୟାପକଙ୍କ ଉଭୟ ଶିକ୍ଷାଗତ ଯୋଗ୍ୟତା ଏବଂ ଅଭିଜ୍ଞତାକୁ ଯାଞ୍ଚ କରାଯିବ । ଅନେକ କଲେଜରେ ଗେଷ୍ଟ ଫାକ୍ୟୁଲଟିଙ୍କ ଉପରେ ନିର୍ଭର କରାଯାଉଥିବାରୁ ସେହି କଲେଜକୁ ମଧ୍ୟ ଭିନ୍ନ ତାଲିକା କରାଯିବ । ତେବେ ଜାନୁଆରୀ ମାସ ପୂର୍ବରୁ ଏପରି ସମସ୍ୟାର ସମାଧାନ କରାଯିବାକୁ ଲକ୍ଷ୍ୟ ଥିବା ବେଳେ ୨୦୨୦ ଶିକ୍ଷାବର୍ଷ ଆରମ୍ଭରୁ ପ୍ରତି ଜୁନିୟର କଲେଜରେ ପାସ୍ ହାର ବଢ଼ାଇବା ଲାଗି ବିଭାଗ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.