Latest Odisha News

BREAKING NEWS

SIR ପାଇଁ ଏହି ଜିଲ୍ଲାରେ ପଞ୍ଚାୟତସ୍ତରୀୟ ଜନଅଭିଯୋଗ ଶୁଣାଣି ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ସ୍ଥଗିତ

ଭୁବନେଶ୍ବର:ସ୍ପେଶାଲ୍ ଇଣ୍ଟେନ୍ସିଭ୍ ରିଭିଜନ୍ (ଏସ୍‌ଆଇଆର୍)କାର୍ଯ୍ୟକୁ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ଗ୍ରାମପଞ୍ଚାୟତସ୍ତରରେ ହେଉଥିବା ଜନଅଭିଯୋଗ ଶୁଣାଣିକୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଏନେଇ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କ ପକ୍ଷରୁ ସମସ୍ତ ବ୍ଲକ ଉନ୍ନୟନ ଅଧିକାରୀ (ବିଡିଓ)ଙ୍କୁ ଜରୁରୀ ନିର୍ଦ୍ଦେଶ ଜାରି କରାଯାଇଛି।

୧୮ ଜୁଲାଇରେ ଜାରି ହୋଇଥିବା ଏହି ନିର୍ଦ୍ଦେଶନାମା ଅନୁସାରେ,ଜିଲ୍ଲାରେ ଚାଲିଥିବା ଏସଆଇଆର୍ କାର୍ଯ୍ୟ ଯୋଗୁଁ ଗ୍ରାମପଞ୍ଚାୟତସ୍ତରରେ ନିର୍ଦ୍ଧାରିତ ଜନଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମକୁ ଅସ୍ଥାୟୀ ଭାବେ ବନ୍ଦ ରଖାଯାଇଛି। ତେଣୁ ପରବର୍ତ୍ତୀ ନିର୍ଦ୍ଦେଶ ନଆସିବା ପର୍ଯ୍ୟନ୍ତ କୌଣସି ବ୍ଲକ କିମ୍ବା ଗ୍ରାମପଞ୍ଚାୟତରେ ଏହି ଶୁଣାଣି ଆୟୋଜନ କରାଯିବ ନାହିଁ।

ଏହି ନିଷ୍ପତ୍ତି ସମ୍ପର୍କରେ ସମ୍ପୃକ୍ତ ସରକାରୀ ଅଧିକାରୀଙ୍କ ସହ ସାଧାରଣ ଲୋକଙ୍କୁ ମଧ୍ୟ ଅବଗତ କରାଇବାକୁ ବିଡିଓମାନଙ୍କୁ କୁହାଯାଇଛି। ଏହାଦ୍ୱାରା ଜନସାଧାରଣ ଅନାବଶ୍ୟକ ଭାବେ ଶୁଣାଣି ସ୍ଥଳକୁ ଆସି ଅସୁବିଧାରେ ନପଡ଼ିବେ ବୋଲି ପ୍ରଶାସନ ଆଶା ପ୍ରକାଶ କରିଛି।

ତେବେ କେବଳ ଗ୍ରାମପଞ୍ଚାୟତସ୍ତରୀୟ ଜନଅଭିଯୋଗ ଶୁଣାଣି ସ୍ଥଗିତ ହୋଇଥିବାବେଳେ ଜିଲ୍ଲାପାଳ ଓ ପୁଲିସ ସୁପରିଣ୍ଟେଣ୍ଡେଣ୍ଟଙ୍କ ମିଳିତ ଜନଅଭିଯୋଗ ଶୁଣାଣି ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଅପରିବର୍ତ୍ତିତ ଭାବେ ଜାରି ରହିବ ବୋଲି ନିର୍ଦ୍ଦେଶନାମାରେ ସ୍ପଷ୍ଟ କରାଯାଇଛି।

ବ୍ରହ୍ମପୁର ଓ ଗଞ୍ଜାମ ଏସ୍‌ପି, ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ପରିଷଦର ମୁଖ୍ୟ ବିକାଶ ଅଧିକାରୀ, ସମସ୍ତ ଉପଜିଲ୍ଲାପାଳ, ତହସିଲଦାର, ଥାନା ଅଧିକାରୀ ଏବଂ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ଅବଗତ କରାଯାଇଛି। ସେହିପରି ଗ୍ରାମପଞ୍ଚାୟତସ୍ତରୀୟ ଜନଅଭିଯୋଗ ଶୁଣାଣିର ତଦାରଖ ପାଇଁ ନିୟୋଜିତ ସମସ୍ତ ବରିଷ୍ଠ ନୋଡାଲ ଅଧିକାରୀଙ୍କୁ ମଧ୍ୟ ଏହି ନିର୍ଦ୍ଦେଶ ଅବଗତ କରାଯାଇଛି।

Leave A Reply

Your email address will not be published.