ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର ”
ଆମ ସଂସ୍କୃତିରେ ଶାସ୍ତ୍ର ଓ ପୁରାଣ ଅନୁସାରେ ବର୍ଷ ମଧ୍ୟରେ କାର୍ତ୍ତିକ ମାସ ହେଉଛି ଶ୍ରେଷ୍ଠ ମାସ । ଧର୍ମ କାର୍ଯ୍ୟ ପାଇଁ ଉତ୍କୃଷ୍ଟ ହୋଇଥିବାରୁ ଏଇ ମାସଟିକୁ ନିଷ୍ଠାର ସହକାରେ ପାଳନ କରାଯାଏ । ସନାତନ ଧର୍ମରେ କାତ୍ତିର୍କ ମାସକୁ ସମ୍ପୂର୍ଣ୍ଣ ଭାବେ ଶୁଭ ବୋଲି ଗ୍ରହଣ କରାଯାଇଛି । ଏହି ମାସଟି ଶରତ ପୂର୍ଣ୍ଣିମାଠାରୁ ଆରମ୍ଭ କରି କୃତ୍ତିକା ନକ୍ଷତ୍ରଯୁକ୍ତ କାର୍ତ୍ତିକ ପୂଣ୍ଣିମା ପର୍ଯ୍ୟନ୍ତ ଚାଲିଥାଏ । ସାଧାରଣତଃ ଇଂରାଜୀ ଅକ୍ଟୋବରରୁ ନଭେମ୍ବର ଭିତରେ କାର୍ତ୍ତିକ ମାସ ପଡ଼ିଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ଯେତେବେଳେ ତାଙ୍କର ଦକ୍ଷିଣାୟନ ଆରମ୍ଭ କରନ୍ତି ଓ ତୁଳାରାଶିକୁ ପ୍ରବେଶ କରନ୍ତି, କାର୍ତ୍ତିକ ମାସ ଆରମ୍ଭ ହୁଏ । ଏହି ମହା କାର୍ତ୍ତିକ ମାସରେ ଅନେକମହତ୍ୱପୂର୍ଣ୍ଣ ପର୍ବପର୍ବାଣୀ ପଡ଼ିବା ସହିତ ମାସର ଯେକୌଣସି ଦିନ ବିଭିନ୍ନ ଧର୍ମାନୁଷ୍ଠାନ କରାଯାଇଥାଏ । ପୁରାଣ ଅନୁସାରେ ଚତୁର୍ମାସ୍ୟା ଅବଧିରେ ଆଷାଢ଼଼ ଶୁକ୍ଳ ଦେବଶୟନ ଏକାଦଶୀରେ ଭଗବାନ ବିଷ୍ଣୁ ଯୋଗ ନିଦ୍ରାରେ ଗମନ କରି କାର୍ତ୍ତିକ ଶୁକ୍ଳ ଦେବପ୍ରବୋଧିନୀ ବା ଦେବଉତ୍ଥାପନ ଏକାଦଶୀରେଯୋଗନିଦ୍ରାରୁ ଉଠିଥାଆନ୍ତି ଏବଂ ପବିତ୍ର ସମୟର ଆଗମନ ହୋଇଥାଏ ।
ଆମ ସଂସ୍କୃତିରେ ଆଷାଢ଼, କାର୍ତ୍ତିକ, ମାଘ ଓ ବୈଶାଖ (ଆ, କା, ମା, ବୈ), ଏହି ଚାରି ମାସ ଅତ୍ୟନ୍ତ ପବିତ୍ର ବୋଲି କୁହାଯାଇଛି । ଏହି ଚାରି ମାସ ଧର୍ମ ଦୃଷ୍ଟିରୁ ଶୁଭପ୍ରଦ ଏବଂ ଦେବଦେବୀଙ୍କ ଉପାସନା ସକାଶେ ଅତ୍ୟନ୍ତ ଅନୁକୂଳ । ବୈଷ୍ଣବ ତତ୍ତ୍ୱ ଅନୁସାରେ ଭଗବାନ ବିଷ୍ଣୁ, ବର୍ଷର ବାର ମାସରେ ବିିଭିନ୍ନ ରୂପରେ ଯଥା ମାର୍ଗଶୀର ମାସରେ କେଶବ, ପୌଷରେ ନାରାୟଣ, ମାଘରେ ମାଧବ, ଫାଲଗୁନରେ ଗୋବିନ୍ଦ, ଚୈତ୍ରରେ ବିଷ୍ଣୁ, ବୈଶାଖରେ ମଧୁସୂଦନ, ଜ୍ୟେଷ୍ଠରେ ତ୍ରିବିକ୍ରମ, ଆଷାଢ଼ରେ ବାମନ, ଶ୍ରାବଣରେ ଶ୍ରୀଧର, ଭାଦ୍ରବରେ ହୃଷିକେଶ, ଆଶ୍ୱିନରେ ପଦ୍ମନାଭ, ଉର୍ଜ ବା କାର୍ତ୍ତିକ ମାସରେ ଦାମୋଦର, ଏହି ଭଳି ସମ୍ପୃକ୍ତ ମାସର ଅଧିପତି ଭାବରେ ପୂଜିତ ହୋଇଥାଆନ୍ତି । ଶ୍ରୀକ୍ଷେତ୍ରରେ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଏହି ମାସରେ ଦାମୋଦର ରୂପରେ ଉପାସିତ ହେଇଥିବା ଅବସରରେ ତାଙ୍କ ସହିତ ଶ୍ରୀରାଧାଙ୍କୁ ସଂଯୁକ୍ତ କରି ପ୍ରତ୍ୟହ ରାଧାଦାମୋଦର ବେଶ କରାଯାଇଥାଏ ।
ଏହି ବେଶ ପରମ୍ପରା ଷୋଡ଼ଶ ଶତାବ୍ଦୀରେ ଶ୍ରୀ ଚୈତନ୍ୟଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଅନୁମାନ । ବୈଷ୍ଣବୀୟ ଉପାସନା
ପଦ୍ଧତିରେ ମହାପ୍ରଭୁଙ୍କୁ ଶ୍ରୀକୃଷ୍ଣ ରୂପରେ ଗ୍ରହଣ କରାଯାଇଛି । ଶ୍ରୀରାଧାଙ୍କ ବିନା ଶ୍ରୀକୃଷ୍ଣଙ୍କର ଉପାସନା ବୈଷ୍ଣବମାନଙ୍କ ପାଇଁ ଗ୍ରହଣୀୟ ନୁହେଁ । ଏହି ବେଶ ଆଶ୍ୱିନ ଶୁକ୍ଳ ଏକାଦଶୀଠାରୁ ଆରମ୍ଭ ହୋଇ କାର୍ତ୍ତିକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ଚାଲିଥାଏ । ଦେବ ଉତ୍ଥାପନ ଏକାଦଶୀଠାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ଶାସ୍ତ୍ରୀୟ ମତରେ ଅନ୍ୟାନ୍ୟ ବେଶଗୁଡ଼ିକ ହୋଇଥାଏ । ଭଗବାନ ବିଷ୍ଣୁଙ୍କର ଅତି ପ୍ରିୟ ମାସ କାର୍ତ୍ତିକରେ ଅନେକ ପର୍ବପର୍ବାଣୀ ପଡ଼ିଥାଏ । କୃଷ୍ଣପକ୍ଷ ଦ୍ୱାଦଶୀ, ଧନ ତ୍ରୟୋଦଶୀ, ନରକ ଚତୁର୍ଦ୍ଦଶୀ ଓ ଅମାବାସ୍ୟାରେ କାଳୀପୂଜା, ଦିପାବଳୀ ଓ ପୟାଶ୍ରାଦ୍ଧ ପଡ଼ିଥାଏ । ସେହିପରି ଶୁକ୍ଳପକ୍ଷ ପ୍ରତିପଦ ଦିନ ଗିରି ଗୋବର୍ଦ୍ଧନ ପୂଜା, ଦ୍ୱିତୀୟାରେ ଯମ ଦ୍ୱିତୀୟା, ଅଷ୍ଟମୀରେ ଗୋଷ୍ଠାଷ୍ଟମୀ, ଅଁଳା ନବମୀ, ଦେବ ଉତ୍ଥାପନ ଏକାଦଶୀ ଇତ୍ୟାଦି ପାଳିତ ହୋଇଥାଏ । ଏକାଦଶୀ ଦିନ ରତ୍ନ ସିଂହାସନରେ ଚତୁର୍ଦ୍ଧାମୂତ୍ତିଙ୍କୁ ଲକ୍ଷ୍ମୀ ନାରାୟଣ ବେଶ ବା ଠିଆକିଆ ବେଶରେ ସଜ୍ଜିତ କରାଯାଇଥାଏ । ପୁନଶ୍ଚ ଗରୁଡ଼ ଦ୍ୱାଦଶୀରେ ବାଙ୍କଚୂଡ଼ା ବେଶ ବା ବାମନ ବେଶ, ତ୍ରୟୋଦଶୀରେ ତ୍ରିବିକ୍ରମ ବା ଆଡ଼କିଆ ବେଶ, ବୈକୁଣ୍ଠ ଚତୁର୍ଦ୍ଦଶୀରେ ଲକ୍ଷ୍ମୀନୃସିଂହ ବେଶ ବା ଡାଳିକିଆ ବେଶ ଏବଂ ଶେଷରେ କାର୍ତ୍ତିକ ପୂର୍ଣ୍ଣିମା ବା ରାସ ପୂର୍ଣ୍ଣିମା ଦିନ ରାଜରାଜେଶ୍ୱର ବା ସୁନା ବେଶରେ ମହାପ୍ରଭୁ ଦର୍ଶନ ଦେଇଥାନ୍ତି ।
କାର୍ତ୍ତିକ ମାସର ଏହି ଶେଷ ପାଞ୍ଚ ଦିନକୁ ଭୀଷ୍ମ ପଞ୍ଚୁକ , ବକ ପଞ୍ଚୁକ ବା ମହା ପଞ୍ଚୁକ କୁହାଯାଏ । ପାଞ୍ଜି ଅନୁସାରେ ପଞ୍ଚକ ଯଦି ଛ’ଦିନ ପଡ଼େ ତେବେ ଚତୁର୍ଦ୍ଦଶୀ ଦିନ ମହାପ୍ରଭୁଙ୍କର ନାଗାର୍ଜୁନ ବେଶ ଅନୁଷ୍ଠିତ ହୁଏ । ଆଧ୍ୟାତ୍ମିକତା ତଥା ସାଂସ୍କୃତିକ ଦୃଷ୍ଟିରୁ ପୂଣ୍ଣିମା ଦିନଟି କାର୍ତ୍ତିକ ମାସର ସର୍ବଶ୍ରେଷ୍ଠ ବୋଲି ଧରାଯାଏ । ମାସସାରା ପାଳିନଥିବା ଲୋକେ ଏହି ଦିନ ପ୍ରତ୍ୟୁଷରୁ ଆବାଳ ବୃଦ୍ଧବନିତା ନଦୀ ବା ପୁଷ୍କରଣୀରେ ବୁଡ଼ ପକାଇ କଦଳୀ ବାହୁଙ୍ଗା ବା ସୋଲ ତିଆରି ଛୋଟ ଡଙ୍ଗାରେ ଦୀପ ଜାଳି ଓ ସେଥିରେ ପାନ ଗୁଆ ରଖି ଭସାଇ ଥାଆନ୍ତି । ଏହା ଆମର ପ୍ରାଚୀନ ନୌବାଣିଜ୍ୟ ପରମ୍ପରାର ସାଙ୍କେତିକ ସ୍ମୃତି ବହନ କରେ । ବିଶ୍ୱାସ ରହିଛି ଯେ ଏହି ଦିନ ପ୍ରତ୍ୟୁଷରୁ ସ୍ନାନ ପୂର୍ବକ ଦେବଦର୍ଶନ କଲେ ପୁଣ୍ୟ ଲାଭ ହୋଇଥାଏ ।
କାର୍ତ୍ତିକ ମାସରେ ଶ୍ରୀକ୍ଷେତ୍ରରେ ହବିଷ୍ୟାଳୀମାନଙ୍କର ପ୍ରବଳ ସମାଗମ ହୋଇଥାଏ । ବିିିଭିନ୍ନ ମଠ ତଥା ଭଡ଼ାଘରମାନଙ୍କରେ ରହି ସେମାନେ ବ୍ରତ ପାଳିଥାଆନ୍ତି । ପହିଲି କାର୍ତ୍ତିକ ଦିନ ବ୍ରତ ଆରମ୍ଭ ପାଇଁ ଯେଉଁ ସଂକଳ୍ପ କରଯାଏ ତାହା ଏକାତ୍ମ ଭାବରେ
ପ୍ରତ୍ୟୁଷ ସ୍ନାନ, ତୁଳସୀ ପୂଜନ, ପୁରାଣ ବା ହରିକଥା ଶ୍ରବଣ, ଜପ ଓ ଧ୍ୟାନ, ହବିଷ ଭୋଜନ ଓ ସନ୍ଧ୍ୟାରେ ଦୀପଦାନ ପାଇଁ ଉଦ୍ଦିଷ୍ଟ । ଅନେକ ବ୍ରତଧାରୀ ଆଶ୍ୱିନ ଶୁକ୍ଳ ଏକାଦଶୀଠାରୁ ମଧ୍ୟ ବ୍ରତ ଆରମ୍ଭ କରିଥାଆନ୍ତି । ହବିଷ୍ୟାଳୀମାନେ ପ୍ରତ୍ୟୁଷରେ ତୀର୍ଥ ପୁଷ୍କରିଣୀମାନଙ୍କରେ ବୁଡ଼ ପକାଇ ତୁଳସୀ ଗଛ ମୂଳେ ପଞ୍ଚ ମୁରୂଜରେ ବିଭିନ୍ନ ରୂପ ଅଙ୍କନ କରି ପୂଜା କରନ୍ତି । କାର୍ତ୍ତିକ ମାସ ଶ୍ରୀ ବିଷ୍ଣୁଙ୍କ ଉପାସନା ପାଇଁ ଉଦ୍ଦିଷ୍ଟ ହେଇଥିବାରୁ ତୁଳସୀ ବୃକ୍ଷର ଅଧିକ ପ୍ରାଧାନ୍ୟ ରହିଥାଏ । କିଛି ହବିଷ୍ୟାଳୀ ଶୁକ୍ଳ ଏକାଦଶୀ ତିଥିରେ ତୁଳସୀ ଉଦ୍ୟାପନ ଅନୁଷ୍ଠାନ କରିଥାଆନ୍ତି । ଏଥିରେ ବ୍ରାହ୍ମଣମାନଙ୍କୁ ନୂତନ ବସ୍ତ୍ର, ଭୋଜନ ଓ ଦକ୍ଷିଣା ସହିତ ଏକ ତୁଳସୀ ବୃକ୍ଷ ମଧ୍ୟ ଦାନ ସ୍ୱରୂପ ଦିଆଯାଇଥାଏ ।
ମହା କାର୍ତ୍ତିକ ମାସରେ ବନସ୍ପତିର ପୂଜନ ଆମ ସଂସ୍କୃତିର ଏକ ଅନନ୍ୟ ପ୍ରସ୍ଥ । ଶୁକ୍ଳ ନବମୀ ଦିନ ଅଁଳା ଗଛର ପୂଜନ ଏହି ପ୍ରସ୍ଥର ଅନ୍ୟତମ ଅଧ୍ୟାୟ । ବ୍ରତଧାରୀମାନେ ପ୍ରତ୍ୟହ ମହାଦେବ ଦାସଙ୍କ ଦ୍ୱାରା ସଂସ୍କୃତ ପଦ୍ମ ପୁରାଣ ଆଧାରରେ ରଚିତ ‘କାର୍ତ୍ତିକ ମାହାତ୍ମ୍ୟ’ ପଠନ ବା ଶ୍ରବଣ କରିଥାନ୍ତି । ଏହି ପୁରାଣରେ ଶ୍ରୀ ବିଷ୍ଣୁଙ୍କ ଦ୍ୱାରା ମହାପ୍ରତାପୀ ଜଳନ୍ଧର ତଥା ଅନ୍ୟ ଦୁଷ୍ଟଜନମାନଙ୍କୁ ନିପାତ କରି ଧର୍ମ ସଂସ୍ଥାପନ ବିଷୟ ବର୍ଣ୍ଣିତ । ଆହୁରି ତୁଳସୀ ମାହାତ୍ମ୍ୟ, ବନସ୍ପତିର ପୂଜନ ତଥା କାର୍ତ୍ତିକ ବ୍ରତ ପାଳନ ଜନିତ ପୁଣ୍ୟଲାଭ ବିଷୟ ମଧ୍ୟ ବିଷଦ୍ ଭାବରେ କୁହାଯାଇଛି । ହବିଷ୍ୟାଳୀମାନେ ପ୍ରାତଃକାଳରେ ପୂଜା କରିବା ସମୟରେ ରାଧାକୃଷ୍ଣଙ୍କ ପ୍ରେମଲୀଳା ସମ୍ବନ୍ଧିତ ଭଜନ ଇତ୍ୟାଦି ଗାନକରି ଭକ୍ତି ରସରେ ମତ୍ତ ହୁଅନ୍ତି । ସେମାନଙ୍କ କୋଳାହଳରେ ପୂଜାସ୍ଥଳ ପ୍ରକମ୍ପିତ ହୁଏ ।
ହବିଷ ଭୋଜନ କାର୍ତ୍ତିକ ବ୍ରତର ମୁଖ୍ୟ ଅଂଶ । ଏହି ମାସରେ ସାତ୍ତ୍ୱି କ ଆହାର ଗ୍ରହଣ କରାଯାଇଥାଏ । ଗ୍ରାମାଞ୍ଚଳରେ ରହୁଥିବା ବ୍ରତଧାରୀମାନେ ହବିଷରେ ଘୃତାନ୍ନ, ମୁଗଡାଲିରେ କେବଳ କଦଳୀ, ଖମ୍ବଆଳୁ, ସାରୁ, ଓଉ, ଅଦା ଓ ନଡ଼ିଆ ସହିତ କେବଳ ଅଗସ୍ତି ଶାଗ ଅନ୍ତର୍ଭୁକ୍ତ । ଶ୍ରୀକ୍ଷେତ୍ରରେ ରହୁଥିବା ହବିଷ୍ୟାଳୀମାନେ ମହାପ୍ରଭୁଙ୍କ ଦର୍ଶନ ସହିତ ମହାପ୍ରସାଦ ଗ୍ରହଣ କରି ମହା ଆନନ୍ଦରେ ବ୍ରତ ପାଳନ କରିଥାଆନ୍ତି । ଏହି ମାସରେ ସାଧାରଣ ବର୍ଗଙ୍କ ପାଇଁ ମଧ୍ୟ ଆମିଷ ଭୋଜନ ସମ୍ପୂର୍ଣ୍ଣ ବର୍ଜନୀୟ । ଏହାର ବିଜ୍ଞାନ ସମ୍ମତ କାରଣ ହେଉଛି ଏହି କାଳରେ ସୂର୍ଯ୍ୟଙ୍କ ସ୍ଥିତି ଓ ଶିଶିର ଋତୁର ପ୍ରଚଳନ ସକାଶେ ଜଳଜ ପ୍ରାଣୀମାନଙ୍କ ଦେହରେ ଏକ ପ୍ରକାର ଜୀବାଣୁ ଉତ୍ପନ୍ନ ହୁଅନ୍ତି ଯାହା ମଣିଷ ପାଇଁ କ୍ଷତିକାରକ ।
ବ୍ରତଧାରୀମାନେ ପ୍ରତ୍ୟହ ସନ୍ଧ୍ୟାରେ ଜପତପ ଇତ୍ୟାଦି କରି ତୁଳସୀ ଗଛ ମୂଳେ ଦୀପ ଦାନ କରିଥାଆନ୍ତି । ଏହା ସହିତ ‘ଆକାଶ ଦୀପ’ ପ୍ରଦାନ କରିଥାଆନ୍ତି । ଏକ ଶିକାରେ ମାଟିହାଣ୍ଡି ରଖି ସେଥିରେ ଚତୁଃପାଶ୍ୱର୍ରେ କେତେଗୋଟି ଛିଦ୍ର କରି ତା ଭିତରେ ଜ୍ୱଳନ୍ତ ଦୀପ ସ୍ଥାପନ କରି ହାଣ୍ଡିକୁ ଅନ୍ୟ ଏକ ପାତ୍ରରେ ଘୋଡ଼ାଇ ଦିଆଯାଏ । ଏକ ବାଉଁଶର ଉପର ମୁଣ୍ଡରେ ଏକ ଶଗଡ଼ି ସାହାଯ୍ୟରେ ଏହି ଶିକାକୁ ରଶି ବାନ୍ଧି ଉପରକୁ ଉଠାଇ ଦିଆଯାଏ । ଅନ୍ତରୀକ୍ଷରେ ରହିଥିବା ଦେବୀଦେବତା ତଥା ନିଜର ପୂର୍ବପୁରୁଷଙ୍କ ଉଦ୍ଦେଶ୍ୟରେ ଆକାଶ ଦୀପ ମାଧ୍ୟମରେ ଦୀପଦାନ ପରମ୍ପରା କାର୍ତ୍ତିକ ବ୍ରତର ଏକ ଅନନ୍ୟ ବିଭବ ।
ପବିତ୍ର ମହାକାର୍ତ୍ତିକ ମାସ ସନାତନୀୟ ଭାବଧାରରେ ଅନେକ ଗୁରୁତ୍ୱ ବହନ କରେ । ଶୁଦ୍ଧପୂତ ଭାବରେ ଏହି ମାସଟି ଦାନ ଧର୍ମ ସହିତ ସଂଯମ ରକ୍ଷାକରି ପାଳନ କଲେ ପୁଣ୍ୟଫଳ ଅବଶ୍ୟ ମିଳିଥାଏ । କାର୍ତ୍ତିକ ମାହାତ୍ମ୍ୟରେ ଯଥାର୍ଥରେ କୁହାଯାଇଛି :
‘ ଭବ ଭବାନୀ ବିଷ୍ଣୁ ବିଧି । ଏ ଚାରି ବଚନ ପ୍ରସିଦ୍ଧି । ।
ପବିତ୍ର ପୁରାତନ ବାଣୀ । ଯେ ଭଣେ ଅବା କର୍ଣ୍ଣେ ଶୁଣି । ।
ସେ ପ୍ରାଣୀମାନଙ୍କର ଗତି । କେତେ କହିବା ଫଳଶ୍ରୁତି । ।
ସେ ଗୃହେ ଆଦ୍ୟପ୍ରାନ୍ତ କରି । କାର୍ତ୍ତିକ ବ୍ରତ ଫଳ ସରି । ।’
‘ କାର୍ତ୍ତିକ ମହିମା ଯେ ଶୁଣି । ଶ୍ରବଣେ ସର୍ବ ଧର୍ମ କିଣି
ହୃଦେ ରଖିବ ଯତ୍ନ କରି । ଅଶେଷ ଜନ୍ମ ପାପ ହରି । ।
ବଢ଼ଇ ଯଶ ଆୟୁ ଧର୍ମ । ଶିରୀ ସମ୍ପଦ ଶୁଭକର୍ମ । ।
ବିଶେଷ ହୁଏ ଧର୍ମବାନ । ଉତ୍ତମ ଜ୍ଞାନ ଧନ ଜନ । ।’
Comments are closed.