Latest Odisha News

ଡିଆରଡିଓ ଏବଂ ଭାରତୀୟ ବାୟୁସେନା ପକ୍ଷରୁ ଦୂରଗାମୀ ବୋମାର ସଫଳ ପରୀକ୍ଷଣ

ଭୁବନେଶ୍ବର : ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ଓ ଭାରତୀୟ ବାୟୁସେନା ପକ୍ଷରୁ ଦୂରଗାମୀ ବୋମାର ସଫଳ ପରୀକ୍ଷଣ ହୋଇଛି । ଭାରତରେ ନିର୍ମିତ ଦୂରଗାମୀ ବୋମାକୁ ଆକାଶମାର୍ଗରେ ସଫଳତାର ସହ ପରୀକ୍ଷଣ କରାଯାଇଛି । ଏହି ଦୂରଗାମୀ ବୋମା ଭାରତୀୟ ବାୟୁସେନାର ବିମାନରୁ ନିକ୍ଷେପ କରାଯିବାର ନିର୍ଦ୍ଧାରିତ ସମୟ ମଧ୍ୟରେ ଭୂପୃଷ୍ଠରେ ଥିବା ଲକ୍ଷ୍ୟସ୍ଥଳକୁ ଟାର୍ଗେଟ୍ କରିଥିଲା ।

ଏହି ଅବସରରେ ଇଲେକ୍ଟ୍ରୋ ଅପଟିକାଲ ଟ୍ରାକିଂ ସିଷ୍ଟମ ଓ ଚାନ୍ଦିପୁର ସମନ୍ବିତ କ୍ଷେପଣାସ୍ତ୍ର ଘାଟୀରେ ମୁତୟନ ଟେଲି ମେଟ୍ରି ଓ ରାଡାର ଦ୍ବାରା ବୋମା ପରୀକ୍ଷା ଦକ୍ଷତାର ଟିକିନିକି ପର୍ଯ୍ୟବେକ୍ଷଣ କରାଯାଇଥିଲା । ଏହି ଦୂରଗାମୀ ବା (ଏଲଆର) ବୋମା ହାଇଦ୍ରାବାଦସ୍ଥିତ ଡିଆରଡିଓ ଇମରାଓ ଗବେଷଣା କେନ୍ଦ୍ରଦ୍ବାରା ବିକଶିତ ହୋଇଥିଲା । ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଏହି ସଫଳତା ପାଇଁ ଡିଆରଡିଓ, ଭାରତୀୟ ବାୟୁସେନା ଓ ଏଥିରେ ଜଡିତ ଥିବା ସମସ୍ତଙ୍କ ଅଭିନନ୍ଦନ ଜଣାଇଛନ୍ତି । ଏହି ଦୂରଗାମୀ ବୋମାର ସଫଳ ପରୀକ୍ଷା ଭାରତର ନିଜସ୍ବ ଆୟୁଧ ନିର୍ମାଣର ଏକ ଗୁରୁତ୍ବପୂର୍ଣ୍ଣ ମାଇଲଖୁଣ୍ଟ ବୋଲି କହିଛନ୍ତି ଡିଆରଡିଓ ଅଧ୍ୟକ୍ଷ ଡକ୍ଟର ଜି. ସତୀଶ ରେଡ୍ଡୀ ।

Leave A Reply

Your email address will not be published.