Latest Odisha News

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୮୨)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୮୨ 

ଜବା ଆସୁନି କାହିଁକି ଯେ ? କଣ ହେଲା ମ ତା’ର ? ଦେହ ଖରାପ  ହେଲାକି…କେଜାଣି। ଚନ୍ଦ୍ରା ନିଜକୁ ନିଜେ କହି ହେଉଥିଲା ମନେମନେ। ଆଣ୍ଟି କୋଉ ଶୁଣିବେ ନା କହିବେ,ପଚାରି କୋଉ ଲାଭ ତାଙ୍କୁ । ଟିକିଏ ଅଧିକା ସମୟ ତାଙ୍କ ପାଇଁ ଦେଉଥିବାରୁ ଅଧିକ ପଇସା ମିଳୁଚି ଏବେ। ଏ ଘରେ କାମ ଖଇଚା ହେଲେ କାଟିଦେବେ ଯେମିତି ନିର୍ଦ୍ଦୟ ଭାବରେ,ଅଧିକା କଲେ ମିଳିବ ସେମିତି ବହୁତ ଭଲରେ।ଭଲ ଏ ନୀତି। ଅନୁରୋଧ ରକ୍ଷାକରି କରିବାକୁ ହେଉଚି। ନୂଆ ଝିଅଟି  ଶିଖିଯିବ ଯେ ଧିରେ ଧିରେ।

ସଞ୍ଚିତ ପୁଞ୍ଜିରେ ପାର୍ଲୋର କାମ ଆରମ୍ଭ କରିବାକୁ ମନ ହେଉଚି ନିଜର। ଆଗେ ଆରମ୍ଭ କରିବି ମୋବାଇଲ ପାର୍ଲୋର। ଦେଖିବା, ଯେତିକି ହବ, କରିବି। ସମସ୍ତେ ଆଉ କଣ ଆସିବେ କି, ଘରକୁ ଯାଇ କଲେ କ୍ଷତି କଣ। ଟ୍ରେନିଂ ସରି ଭଲ ପ୍ରାକଟିସ ହେଲାଣି।ଆଉ କି ଡର।ନିଜେ ଖଟିଲେ ଘରଟା ହସିବ। ଚିତ୍ରା ପଢିବ। ଭାଇ ବଢିବ ଆଗକୁ। ମାଆ ଖୁସି ହବ। ବାପା ବସି ବସି ଖାଇଲେ ବି, ବାପା ତ। ଚାକିରି ନହେଲେ ନାହିଁ ଏଇଟା ତ ଭଲ ଚାଲିବ।

ଡକ୍ଟର ଆଣ୍ଟି କହୁଥିଲେ ଏଇ ଆମ ଆଣ୍ଟି ଭଲ ଆଡକୁ ଯାଉଛନ୍ତି।  ସତରେ କି…। କିଛି ତ ଜମା ଜଣାପଡୁନି। ସେ ଡାକ୍ତର, ସେ ହୁଏତ ଜାଣିପାରୁଥିବେ।

ବ୍ୟାଙ୍କ ସହିତ କଥା ହେଲି। ମୋତେ ଅଟୋଟିଏ ମିଳିବ ଋଣରେ। ସଞ୍ଚିତ କିଛି ପୁଞ୍ଜି  ଲଗେଇଲି ପ୍ରଥମେ। ସବୁ କାଗଜପତ୍ର ଯାଞ୍ଚ ପରେ ମିଳିବ କହିଲେ। ଏଥର ଡକ୍ଟର ଆଣ୍ଟିଙ୍କୁ ଜଣେଇଲି। ଆଉ କିଏ ଅଛିଯେ ପାଠପଢୁଆ କହିବି କାହାକୁ। ସେ ଖୁସି ହେଲେ। କିଛି ସରଞ୍ଜାମ କିଣିବାକୁ ମୋତେ ସାଙ୍ଗରେ ନେଇଗଲେ, କିଣିବି ଦେଲେ। କି ପ୍ରକାର  ମଣିଷ ସେ। ପଇସାକୁ ଲୋଭ ଟିକିଏ ହେଲେ ନାହିଁ ..କେଜାଣି।କୃତଜ୍ଞତା ଜ୍ଞାପନ କରିବା ସହ ଆଶିଷ ମାଗିଲି।

:ଆଣ୍ଟି, ମୋ’ ପ୍ରଣାମ ନିଅ। ତୁମ କାମ କଲି ବୋଲି ବୋଧହୁଏ ଆଜି ବଦଳୁଚି ମୋ’ ଜୀବନ । ଆଶିଷ ଦେଇଥାଅ। ଆଗକୁ ଯାଉଥାଏ ମୁଁ, କହିଲି ଓ ଭୂମିଷ୍ଠ ପ୍ରଣାମ କଲି ପ୍ରିୟ ମଣିଷଙ୍କୁ। ସତରେ ଏ ମୋର ଦେବୀ …ଠାକୁରାଣୀ ତ। ଯେମିତି ସୁନ୍ଦର ..  ଯଦି ଟିକିଏ କଥା କହନ୍ତେ କେତେ ଭଲ ଲାଗନ୍ତା…। ନା ସେ ତାଙ୍କ ପୃଥିବୀ ଭିତରେ…।

କାମ ଆରମ୍ଭ  ହେଲା। ଆରମ୍ଭହେଲା ନୂଆ ଜୀବନ। ଆଣ୍ଟିଙ୍କ କାମ ସହ ନିଜ କାମ। ଚିତ୍ରା ବେଶ ସମ୍ଭାଳୁଥିଲା  ଘରକୁ। କିସ୍ତି ଶୁଝିବା ସହିତ  ଜୀବନ ଶୈଳୀରେ ଏଥର ପରିବର୍ତ୍ତନ ଆସୁଥିଲା। ମୋତେ କିନ୍ତୁ  ବେଶ୍ ସହିବାକୁ ପଡୁଥିଲା ଲୋକଙ୍କ କଥା। କିଏ କେତେ ପ୍ରକାର ବ୍ୟବହାର କରୁଥିଲେ। କାହାର ସ୍ବିଚରେ ଢିଲା ଥିବାରୁ ମୋ’ ଜିନିଷ ପୋଡିଗଲେ, ମୁଁ  କଷ୍ଟ ପାଉଥିଲି,ସେମାନେ ଦୋଷ ତାଙ୍କର ନଦେଖି ମୋତେ ଖରାପ ଶବ୍ଦରେ ଗାଳିକରୁଥିଲେ। ଟ୍ରାଫିକ ପାଇଁ ଟିକିଏ ଡେରିହେଲେ ଅପଶବ୍ଦଟିଏ ଫିଙ୍ଗି ଦେଉଥିଲେ। ଏମିତି ନାନାଦି ପ୍ରକାର, ତା’ ସହିତ ଘରେ ଭାଇ ଓ ବାପାର ଆବଶ୍ୟକତା ବଢୁଥିଲା। କାହାର ସାଙ୍ଗ ସହ ବୁଲିବାକୁ ବାଇକ ଦରକାର ତ ଆଉ କାହାର ହାୱା ଖାଇବାକୁ ସ୍କୁଟି …ମୁଁ କେବଳ ସାଣ୍ଡୱିଚ ହୋଇଯାଉଥିଲି । କେହି ଜଣେ ସନ୍ତୁଷ୍ଟ ହେଉନଥିଲେ ମୋ’ ଉପରେ।ମାଆକୁ ବି ଚିତ୍ରା କାମ ଦିଶୁଥିଲା। ଆଉ ଲାଗୁଥିଲା ମୁଁ ଯେମିତି ବିଳାସ କରୁଚି। ଏମିତି ରେ କେତେଦିନ ଆଉ କଣ କରି ପାରନ୍ତି। ଯାହା ବି ହେଉ ଋଣ ତ ଶୁଝିବାକୁ ପଡିବ !

ମାଆ ନାମରେ ଜାଗାଟି ଥିବାରୁ ତାକୁ କହିଲି ,ବିଲ୍ଡରକୁ ଦେଇ ଆମର କରିନେବା ଘର। କାରଣ ସେତେବେଳେକୁ ଆମ ଘରକୁ  ବିଲଡରମାନେ ବାରମ୍ବାର ଆସୁଥିଲେ ଆଉ ଅଠର ଡେସିମିଲ ଜାଗାରେ ବଢିଆ ଆପାର୍ଟମେଣ୍ଟ ହୋଇ ପାରିବ କହୁଥିଲେ। ପାଞ୍ଚ ମହଲା ଘର କରି ଯେଉଁ କେତୋଟି ଘର ହେବ ସେଥିରୁ  ଦୁଇଟା ଆମକୁ ମିଳିବ ବିନା ଖର୍ଚ୍ଚରେ । ବାକି ବିଲ୍ଡରର। ସେ ତ ବ୍ୟବସାୟୀ। ଆମକୁ ଘର ଦରକାର। ୱାପସ ବୁଝାମଣା ବ୍ୟତୀତ ଥିଲା ଆଉ କ’ଣ ଯେ।

ମୁଁ ଭାବୁଥିଲି  ଚିତ୍ରା  ପଢିବ, ସ୍ବାବଲମ୍ବୀ ହବ ବାହାହବ,  ଖୁସିରେ ରହିବ।ଲିପୁନ ବି ସେମିତି  ଜୀବନ  ଜୀଇଁବ। ନିଜର ପାର୍ଲୋର ହବ… ଆଉ ଆଗକୁ  ଭାବିବାକୁ ବେଳ କାହିଁ। ମାଆକୁ ଢେର ବୁଲେଇବି …ବାପା ବଦଳିବ କି  ନାହିଁ, ଆମେ ଆଡଜଷ୍ଟ କରିବୁ ଯାହା । ପ୍ରିୟ ଆଣ୍ଟିଙ୍କ ପାଖକୁ ଏବେ ଯଦିଓ ଯାଉଥିଲି,  ମଝିରେ ମଝିରେ  ବନ୍ଦ କରିବାକୁ ପଡୁଥିଲା। ଡକ୍ଟର ଆଣ୍ଟି ବୁଝୁଥିଲେ ମୋ’ ଅସହାୟତାକୁ। ଅସନ୍ତୋଷ ପ୍ରକାଶ କରୁନଥିଲେ, ବରଂ ଉତ୍ସାହିତ କରୁଥିଲେ  ସ୍ବାବଲମ୍ବୀ ହେବାପାଇଁ। ମୋ’ ବଦଳରେ ଆସୁଥିଲା ବେଶ ଭଲ ଝିଅଟିଏ,ଧୂପିକା।

ଘର ହେଲା ବହୁତ ରଞ୍ଜଘସ ପରେ। ପାର୍ଲୋର ଆଉ ନିଜ ଘରେ କରିହେଲାନି। ସେଇ ବୁଲିବାକୁ ପଡିଲା।  ବିଲଡର ବେଶ ଠକିଲା, ଲେଖାପଢି ଖଇଚା ଥିଲା ଆମର। ଘରେ ସମସ୍ତେ ଭୀଷଣ  ବିରକ୍ତ ହେଲେ ମୋ’ ଉପରେ। ଏତେସବୁ ବର୍ବାଦ ପରେ କ’ଣ କରିଥାଆନ୍ତି ମୁଁ, ନାଚାର। ନିର୍ଦୋଷ ବୋଲି ପ୍ରମାଣିତ କରିପାରୁନଥିଲି  ଆଦୌ  ନିଜକୁ। ମୁଣ୍ଡପାତି ସହୁଥିଲି ଦହଗଞ୍ଜକୁ।

କିଛି ପୁଞ୍ଜି ସହ ନିଜର ପାର୍ଲୋର କାମ ଆଉଥରେ ଭଲ ଲୋକେସନରେ ଆରମ୍ଭ କଲି, ବହୁତ  ଯୁଦ୍ଧ ନିଜ ସହ କଲାପରେ। ଆଉ ନହଲେ ମୋ’ ସ୍ବପ୍ନର ଚିତ୍ରପଟ ବର୍ଷା କି କୁହୁଡିରେ କୁଆଡେ ନାଇ କୁଆଡେ ଧୋଇ ଯାଇଥାଆନ୍ତା। ଅସ୍ତିତ୍ବ ହଜେଇଥାଆନ୍ତା। । ନାମ ଦେଲି ‘ଧାରା’। ବହିଯାଉସବୁ ଅଳିଆ ମଳିଆ, ଝରଣା ଭଳି ଶବ୍ଦାୟିତ ହେଉ ଖୁସି … ନିତ୍ୟ ଅଭ୍ୟାସ ଜାରି ରହୁ ମୋ’ର। ଶ୍ରଦ୍ଧାରସହ କାମ ଆରମ୍ଭ କଲି। ନର୍ସିଂ ପାଠ ଏଥିରେ ଭଲ କାମ ଦେଲା। ସ୍ବାସ୍ଥ୍ୟରକ୍ଷା ସହ କେଶ, ନଖ ଓ ଚର୍ମର ଯତ୍ନ …ଆକୃଷ୍ଟ କଲା ଚିହ୍ନା ଅଚିହ୍ନାଙ୍କୁ।

ଆଶା ପୂରଣ ହେଉଥାଏ ଧିରେ ଧିରେ । ସମୟ ବଦଳୁଥାଏ। ସବୁ ଯେମିତି ଏକ ନିର୍ଦ୍ଧିଷ୍ଟ ଗତିରେ ଧାଉଁଥାଏ। ସଫଳତାର ସିଡିରେ ପାଦଥାପି ଦୃଢ ବିଶ୍ବାସରସହ ଆଗଉଥାଏ ମୁଁ।

ବରାଦିଆ ଜିନିଷ ସବୁ ବାପା ଓ ଲିପୁନ ପାଇଁ କିଣାଯାଉଥାଏ।ମାଆ ହସୁଥାଏ ମନ ଖୋଲି। ସ୍ବପ୍ନ ଏବେ ଚିତ୍ରା ଦେଖୁଥାଏ ଭବିଷ୍ୟତକୁ ନେଇ। ସୁରକ୍ଷା ମୋ’ କାମ …ନିରୁପଦ୍ରବ ଭବିଷ୍ୟତ ଗଢିବା ମୋ’ର ଅଭ୍ୟାସ …। ପ୍ରଚୁର ଆନନ୍ଦ ସେଥିରେ। ଅତୀତକୁ ନେଇ ଯେତିକି ଶିଖିଚି, ସେତିକି ସତର୍କ ଭବିଷ୍ୟତକୁ ନେଇ। ବର୍ତ୍ତମାନ ମୋ’ ହାତମୁଠାରେ।ସମସ୍ତଙ୍କ ହସ ସହ ମୁଁ ବି ହସୁଥିଲି ଅକଳ୍ପନୀୟ ଭବିଷ୍ୟତକୁ ଭଲପାଇ, ବାସ୍ତବତାସହ ସନ୍ଧିକରି।

Leave A Reply

Your email address will not be published.