Latest Odisha News

BREAKING NEWS

ବାହାଘର ୨ ଦିନ ପରେ ଚାଲିଗଲା ବରର ଜୀବନ, ଚତୁ୍‌ର୍ଥୀରେ ଉଠିଲା କୋକେଇ

ବାଲେଶ୍ୱର: ଉତ୍ସବ ମୁଖର ଘରଟା ଏମିତି କାରୁଣ୍ୟରେ ଭରିଯିବ ବୋଲି କେହି ଭାବି ନ ଥିଲେ । ବାହାଘରର ସାତଦୀପ ଲିଭିବା ଆଗରୁ ଏମିତି ଜୀବନଦୀପ ଲିଭିଯିବ ବୋଲି କିଏ ବା କାହିଁକି ଭାବିବ ? ବନ୍ଧୁବାନ୍ଧବଙ୍କ ଗହଣରେ ଯେଉଁ ଘର ଉଛୁଳି ପଡୁଥିଲା ସେଇ ଘରେ ଏବେ ନୀରବତା । ନୂଆ ସଂସାର ଗଢିବ ବୋଲି ଯାହା ଲାଗି ଏତେ ଆୟୋଜନ ସେ ଶୋଇଯାଇଥିଲା ଚିର ନିଦ୍ରାରେ । ଏପେଟ ମଥା ପିଟି କାନ୍ଦୁଥିଲା ନବବଧୂ । ଭାଗ୍ୟକୁ ନିନ୍ଦୁଥିଲା । ଭଗବାନଙ୍କ ପାଖରେ ଅଭିଯୋଗ କରୁଥିଲା । କି ଦୋଷ ସେ କରିଥିଲା ଯେ ତା ପାଇଁ ଏତେ ନିଷ୍ଠୁର ହୋଇଗଲେ ଭଗବାନ ? ଏମିତି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଥିଲା ବାଲେଶ୍ୱର ଜିଲ୍ଲାରେ ।

ବାଲେଶ୍ୱର ଖନ୍ତାପଡା ଥାନା ଖଡିପାହି ଗାଁର ଯୁବକ ଅଜୟ ।  ଗତ ୧ ତାରିଖ ଦିନ ବୈଦିକ ରୀତିନୀତି ଅନୁସାରେ ବିବାହ ସମ୍ପନ୍ନ ହୋଇଥିଲା   ।  ଶୁକ୍ରବାର ଥିଲା ରିସେପ୍ସନ । ଭୋଜି ପାଇଁ ସମସ୍ତେ ବ୍ୟସ୍ତଥିଲେ ।  ଚଳଚଞ୍ଚଳ ଥିଲା ଘର । ହଠାତ୍ ଯେମିତି ବଜ୍ରପାତ ହେଲା ଆଉ ଘରର ସବୁ ଖୁସି ଯେମିତି ଚୁରମାର ହୋଇଗଲା । ଖବର ଆସିଲା  ପାଣିରେ ବୁଡି ଅଜୟ ପ୍ରାଣ ହରାଇଛନ୍ତି  । ବିଶ୍ୱାସ ହେଉ ନ ଥିଲା । କିନ୍ତୁ ଘଟଣା ଥିଲା ସତ୍ୟ ।

ଘର ପାଖରେ ଥିବା ଏକ ପୋଖରୀକୁ ଶୌଚ ପାଇଁ ଯାଇଥିଲେ ଅଜୟ । ହେଲେ ଆଉ ଫେରି ନ ଥିଲେ। ଅବଶ୍ୟ ପାଣିରେ ବୁଡି ଅଜୟଙ୍କ ମୃତ୍ୟୁ ଖବର ମନରେ ଅନେକ ପ୍ରଶ୍ନ ସୃଷ୍ଟି କରେ । ମୃତ୍ୟୁର କାରଣ ଯାହା ବି ହେଉନା କାହିଁକି,  ପରିଣତି ଭୋଗଥିଲା ସେ ବୃଦ୍ଧା ମା‘ । ଯାହାର କୋଳ ସବୁଦିନ ପାଇଁ ଶୂନ୍ୟ ହୋଇଗଲା । ପରିଣତି ଭୋଗିଲା ଆଖିରେ ଆଖିଏ ସ୍ୱପ୍ନ ନେଇ ଆସିଥିବା ସେଇ ନବବଧୂ । ଯାହାର ହାତରୁ ମେହେନ୍ଦି ରଙ୍ଗ ଛାଡିବା ଆଗରୁ ଲିଭିଗଲା ସିନ୍ଦୂର ।

ପୁଅର ମଲା ମୁହଁକୁ ଦେଖି ଘର ଲୋକ ବି ପାଗଳ ଭଳି ହେଉଛନ୍ତି । କାନ୍ଦୁଛି ନୂଆ ବୋହୂ । ସେପଟେ ତା ସିନ୍ଦୂର ପାଇଁ ସଜଡା ଚାଲିଛି କୋକେଇ । ବାହାଘରର ଦୁଇଦିନ ଯାଇନି । ତା ମଥାରୁ ଲିଭିଗଲା ସିନ୍ଦୂର । ଯିଏ ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମ ହାତ ଧରି ଚାଲିବାର କଥା ଦେଇଥଲା ସେ ଦୁଇଦିନ ବି କଥା ରଖିଲାନି । ସେ ଦୃଶ୍ୟ ଯିଏ ଦେଖୁଛି, ତାର ଛାତି ଫାଟିଯାଉଛି । ହେଲେ ଏ ଦୁଃଖକୁ ସାମ୍ନା କରବାକୁ ସେ ମା‘.. ସେ ନବ ବିବାହିତା ପତ୍ନୀ ବାଧ୍ୟ ।

Leave A Reply

Your email address will not be published.