ମୁମ୍ବାଇ: ବାହାଘର ମାନେ ଆନନ୍ଦ ଉଲ୍ଲାସର କ୍ଷଣ । ଏଥିରେ ଉପହାର ଦେବା ନେବା ଏବେ ପ୍ରଥାରେ ପରିଣତ ହୋଇଯାଇଛି । ସିଦ୍ଧେଶ୍ୱର ପେଠକର ଏବଂ ତାଙ୍କ ପରିବାର ଗ୍ରାମବାସୀଙ୍କୁ ଏ ଭଳି ଉପହାର ଦେଇଛନ୍ତି ଯାହା ସମସ୍ତଙ୍କୁ ପସନ୍ଦ ଆସିଛି । ଛତ୍ରପତି ସମ୍ଭାଜୀନଗରର ବହାଦୂରପୂରା ଗ୍ରାମର ସିଦ୍ଧେଶ୍ୱର ବିବାହ ପରେ ଗ୍ରାମବାସୀଙ୍କ ଉପହାର ବଦଳରେ କିଛି ଦେବା ପାଇଁ ଚିନ୍ତା କରିଥିଲେ । ବହୁତ ଚିନ୍ତା କରିବା ପରେ ସେ ଗ୍ରାମର ସମସ୍ତ ଲୋକଙ୍କ ପାଇଁ ୧-୧ ଲକ୍ଷ ଟଙ୍କାର ଦୁର୍ଘଟଣା ବୀମା କରିଥିଲେ । ଅନ୍ୟ ଅର୍ଥରେ ୩୩.୬ କୋଟି ଟଙ୍କାର ସୋସିଆଲ ସିକ୍ୟୁରିଟି ଏଥିରେ ସାମିଲ ହୋଇଥିଲା । ସାପ କାମୁଡା, ବିଜୁଳି ପଡିବା ଏବଂ ଅନ୍ୟ ଦୁର୍ଘଟଣାରେ ଅନେକଙ୍କ ଅକାଳ ବିୟୋଗ ଘଟିଥାଏ ।
ସିଦ୍ଧେଶ୍ୱରଙ୍କ ବଡ ଭାଇ ଅନୂପ ଦୁର୍ଘଟଣା ବୀମା ଯୋଗାଇଦେବା ପାଇଁ ପ୍ରସ୍ତାବ ଦେଇଥିଲେ । ଯାହାକୁ ପରିବାରବର୍ଗ ଗ୍ରହଣ କରି ନେଇଥିଲେ । ଏହା ସମସ୍ତଙ୍କ ମୁହଁରେ ହସ ଖେଳାଇଥିଲା । ସେମାନଙ୍କର ଅସୁବିଧା ହେଲେ ତାଙ୍କ ପରିବାରଲୋକ ବୀମା ଅର୍ଥରେ ଚଳିପାରିବେ । ପେଠକର ପରିବାର ଗ୍ରାମ ପଂଚାୟତ ନାମରେ ଏକ ଗ୍ରୁପ ଆକ୍ସିଡେଂଟ ପଲିସି କିଣିଥିଲେ । ଇନ୍ସୁରାନ୍ସ କମ୍ପାନୀଙ୍କୁ ସେମାନେ ଗ୍ରାମର ଭୋଟର ଲିଷ୍ଟ ପ୍ରଦାନ କରିଥିଲେ । ପ୍ରତ୍ୟେକ ବାସିନ୍ଦାଙ୍କ ବୀମା ସୁରୁଖୁରୁରେ ହୋଇଥିଲା । ତେବେ ଏଥିପାଇଁ କେତେ ଖର୍ଚ୍ଚ ହେଲା ତାହା କହିବାକୁ କିନ୍ତୁ ସିଦ୍ଧେଶ୍ୱର ମନା କରି ଦେଇଥିଲେ । ଆମ ସଭ୍ୟତାରେ ଦାନକୁ ନେଇ କୌଣସି ପ୍ରଚାର ପ୍ରସାର କରାଯାଏନି ।