Latest Odisha News

BREAKING NEWS

ମଣିପୁର ହିଂସା ବେଳେ ଓଡ଼ିଆ ଛାତ୍ରଙ୍କୁ ଉଦ୍ଧାର କରିବାରେ ଗ୍ରୁପ କ୍ୟାପଟେନ ଦେବାଶିଷଙ୍କ ବଡ଼ ଭୂମିକା

ଭୁବନେଶ୍ୱର: ଭାରତର ଉତ୍ତର-ପୂର୍ବ ରାଜ୍ୟ ମଣିପୁରରେ ସାମ୍ପ୍ରଦାୟିକ ହିଂସା ଯୋଗୁଁ ଶତାଧିକ ଲୋକ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ୨୫ ହଜାରରୁ ଅଧିକ ଲୋକ ବିସ୍ଥାପିତ ହୋଇଛନ୍ତି। ଜାତିଗତ ମାନ୍ୟତାକୁ ନେଇ ହୋଇଥିବା ଏହି ଗୋଷ୍ଠୀ ସଂଘର୍ଷରେ ଏଯାବତ ୬୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦୦ରୁ ଅଧିକ ବ୍ୟକ୍ତି ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ସାମ୍ପ୍ରଦାୟିକ ବିଶୃଙ୍ଖଳା ଭିତରେ ଓଡ଼ିଶାର ଛାତ୍ରଛାତ୍ରୀ ମଧ୍ୟ ଏହି ହିଂସାତ୍ମକ ଘଟଣା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ତେବେ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ସ୍ଥାନକୁ ଫେରାଇ ଆଣିବାରେ ଓଡ଼ିଶା ସରକାର ଓ ଭାରତୀୟ ବାୟୁସେନା ଅଧିକାରୀ ଗ୍ରୁପ୍ କ୍ୟାପଟେନ୍ ଦେବାଶିଷ ମଙ୍ଗରାଜଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି। ମଙ୍ଗରାଜ କଟକ ଫୁଲନଖରାର ବାସିନ୍ଦା।

ଦେବାଶିଷ ମଙ୍ଗରାଜ ବର୍ତ୍ତମାନ ମଣିପୁର-ନାଗାଲାଣ୍ଡ ଅଞ୍ଚଳରେ ଅଛନ୍ତି ଏବଂ ସେ ଚୀନ ସହ ପୂର୍ବାଞ୍ଚଳରେ ଥିବା ଟେକ୍ଟିକାଲ ଏୟାର ସେଣ୍ଟରର କମାଣ୍ଡର ଅଛନ୍ତି। ଏବେ ସେ ମଣିପୁର ସଙ୍କଟର ମୁକାବିଲା ପାଇଁ ସେନା ସହ ମିଶି କାମ କରୁଛନ୍ତି। ଗତ ଦୁଇ ଦିନ ମଧ୍ୟରେ ଏହି ଅଧିକାରୀ ଓ ତାଙ୍କ ଟିମ୍ ଇମ୍ଫା ଓ ଏହାର ଆଖପାଖ ଅଞ୍ଚଳର ବିଭିନ୍ନ କଲେଜର ୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ସଫଳତାର ସହ ଉଦ୍ଧାର କରି ଇମ୍ଫା ବିମାନ ବନ୍ଦରକୁ ସୁରକ୍ଷିତ ଭାବେ ନେଇଯାଇଛନ୍ତି।

ଓଡ଼ିଶା ସରକାରଙ୍କ ସହଯୋଗରେ ଘରୋଇ ବିମାନ କମ୍ପାନୀଗୁଡ଼ିକ ଏହି ଛାତ୍ରଛାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ଅଣଯାଇଛି। ପ୍ରଥମ ବ୍ୟାଚରେ ୧୦ ଜଣ ଛାତ୍ରଛାତ୍ରୀ ଘରେ ପହଞ୍ଚି ସାରିଥିବା ବେଳେ ପରବର୍ତ୍ତୀ ବ୍ୟାଚରେ ୨୧ ଜଣ ଛାତ୍ରଛାତ୍ରୀ ଇଣ୍ଡିଗୋ ବିମାନ ଯୋଗେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି।

ଏହାପୂର୍ବରୁ ଗ୍ରୁପ୍ କ୍ୟାପଟେନ୍ ଦେବାଶିଷ ମଙ୍ଗରାଜ ଗତବର୍ଷ ସେପ୍ଟେମ୍ବର ମାସରେ ଭୁବନେଶ୍ୱର ଉପରେ ସୂର୍ଯ୍ୟକିରଣ ଏରୋବେଟିକ୍ସ ପରିଚାଳନା କରିବା ସହ ପଶ୍ଚିମ ଓଡ଼ିଶାର ୧୫ ଟି ଜିଲ୍ଲାକୁ ଏୟାର ସ୍କ୍ୱାର୍ଡନ ଏନସିସି ଆଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।

Leave A Reply

Your email address will not be published.