Latest Odisha News

ଶୀତଳ ଷଷ୍ଠୀ ଯାତ୍ରା ବେଳେ ରାତି ଅଧରେ ଗାଁରେ ବୁଲିଲା ଖଣ୍ଡା

ଗାଁରେ ଶୀତଳ ଷଷ୍ଠୀ ଯାତ୍ରା ଚାଲି ଥିବାବେଳେ ଅନ୍ୟପଟେ ଗାଁରେ ରକ୍ତ ନଦୀ ବୁହାଇଛନ୍ତି ଦୁର୍ବୃତ୍ତ। ବିଳମ୍ବିତ ରାତିରେ ପୂର୍ବତନ ସରପଞ୍ଚଙ୍କ ସମେତ ୩ ଜଣଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଗଞ୍ଜାମ ଜିଲ୍ଲା ସଦର ଥାନା ଅନ୍ତର୍ଗତ ମସିହାଖାଲି ଗାଁରେ ଏହି ଘଟଣା ଘଟିଛି । ଦୁର୍ବୃତ୍ତଙ୍କ ଆକ୍ରମଣରେ ପୂର୍ବତନ ସରପଞ୍ଚ ମନୋଜ ସେଠୀ, ଶଙ୍କର ଜେନା, ଦୁର୍ଗା ପ୍ରସାଦ ପ୍ରଧାନ ଆହତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଗତକାଲି ରାତି ପ୍ରାୟ ୧ଟାରେ ମସିହାଖାଲି ଗାଁରେ ଶୀତଳ ଷଷ୍ଠୀ ଯାତ୍ରା ଚାଲିଥିଲା। ଏହି ସମୟରେ ପୂର୍ବତନ ସରପଞ୍ଚ ମନୋଜ ସେଠୀ ଓ ଅନ୍ୟ ୨ ଜଣ ଶଙ୍କର ଓ ଦୁର୍ଗା ଶୌଚ ପାଇଁ ଗାଁ ପୋଖରୀକୁ ଯାଇ ଫେରୁଥିଲେ । ପ୍ରାୟ ୨୨ ଜଣ ଯୁବକ ଏକାଠି ହୋଇ ଖଣ୍ଡାରେ ଏମାନଙ୍କ ଉପରେ ହଠାତ୍‌ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଚିତ୍କାର ଶୁଣି ଗାଁ ଲୋକେ ଦୌଡ଼ି ଆସିବାରୁ ଦୁର୍ବୃତ୍ତମାନେ ଛତ୍ରଭଙ୍ଗ ଦେଇଥିଲେ।

ଗୁରୁତର ଅବସ୍ଥାରେ ପୂର୍ବତନ ସରପଞ୍ଚ ଓ ଅନ୍ୟ ୨ ଜଣଙ୍କୁ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରାଯାଇଛି । ମନୋଜଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ତାଙ୍କ ଆଗୁଣ୍ଠି ଛିଣ୍ଡି ଯାଇଥିବାରୁ ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଛି ।

ଗତ ପଞ୍ଚାୟତ ନିର୍ବାଚନ ବେଳେ ଏହି ୩ ଜଣ ଗୋଟିଏ ଗୋଷ୍ଠୀଙ୍କୁ ସମର୍ଥନ କରିବାକୁ ବିଜେତା ସରପଞ୍ଚ ଗୋଷ୍ଠୀ ଏମାନଙ୍କ ଉପରେ ରାଗ ରଖିଥିଲେ। ଏଥିସହ ଗାଁ ଯାତ୍ରାରେ ମଧ୍ୟ ସାମାନ୍ୟ ବଚସା ହୋଇଥିବା ଆହତମାନେ କହିଛନ୍ତି ।

Comments are closed.