Latest Odisha News

BREAKING NEWS

ପଦ୍ମପୁର ଓ ବରଗଡରେ ଏକକାଳୀନ ୮ଟି ସ୍ଥାନରେ ଜିଏସଟି ରେଡ୍

ପଦ୍ମପୁର: ସକାଳ ଇନକମ ଟ୍ୟାକ୍ସ ଡିପାର୍ଟମେଣ୍ଟ ପଦ୍ମପୁରର ତିନି ବିଜେଡି ନେତାଙ୍କ ଘରେ ରେଡ୍ କରିଥିଲା। ଆଉ ସଂଧ୍ୟାରେ ବିଜେପି ନେତାଙ୍କ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ରାଜ୍ୟ ସରକାରଙ୍କ ଜିଏସଟି ବିଭାଗ ରେଡ୍ କରିଛି। ଯାହା ରାଜ୍ୟ ରାଜନୀତିକୁ ଆହୁରି ସରଗରମ କରିଛି। ଦୁଇ ସ୍ବୟଂଶାସିତ ତଦନ୍ତକାରୀ ସଂସ୍ଥା ନିର୍ବାଚନ ତାତି ବେଳେ କେଉଁ ଇନପୁଟ ଆଧାରରେ ଏପରି ରେଡ୍ କରିଛନ୍ତି ତାହା ସ୍ପଷ୍ଟ କରିନାହାନ୍ତି। ହେଲେ ଏହାକୁ ନେଇ ବିଜେପି ଏବଂ ବିଜେଡି ମଧ୍ୟରେ ଟକରାଟକରି ହୋଇଛି।

ଜିଏସଟି ରେଡ୍ କରିଥିବା ସ୍ଥାନ ମଧ୍ୟରେ ବରଗଡର ୩ଟି, ପାଇକମାଳରେ ୨ଟି ଏବଂ ପଦମପୁରରେ ୨ଟି ଏବଂ ଝରାବନ୍ଧରେ ଗୋଟିଏ ସ୍ଥାନ ରହିଛି। ପଦ୍ମପୁରରେ ଥିବା ଜଗଦମ୍ବା ଲୁଗା ଦୋକାନ ଏବଂ ମୀନାକ୍ଷୀ ଗହଣା ଦୋକନାରେ ଜିଏସଟି ରେଡ୍ କରିଥିବା ବେଳେ ପାଇକମାଳରେ ଥିବା ନୃସିଂହ ପେଟ୍ରୋଲ ପମ୍ପ, ନୃସିଂହନାଥ ମେଡିକାଲ, ସେହିପରି ଝରାବନ୍ଧରେ ଥିବା ବିକାଶ ମିତ୍ତଲ ହାର୍ଡଓ୍ୱୟାର ଏବଂ ପଦ୍ମପୁରରେ ଥିବା ଉଦ୍ଦିପକ ଇଣ୍ଡେନ ଗ୍ୟାସ ଦୋକାନ ଇତ୍ୟାଦିରେ ରେଡ୍ ହୋଇଥିବା ସୂଚନା ରହିଛି।

ପଦମପୁରରେ ଥିବା ଏକ ଜଗଦମ୍ବା ଲୁଗା ଦୋକାନରେ ଜିଏସଟି ଅଧିକାରୀ ଚଢ଼ଉ କରିବା ନେଇ ବିଜେପି ନେତ୍ରୀ ପିଙ୍କି ପ୍ରଧାନ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଏଭଳି ଦୃଶ୍ୟ ସେ କେବେ ଦେଖିନଥିଲେ। ପଦ୍ମପୁରରେ ଶୀତ ଅଧିକ ଥିବାରୁ ସେ କମ୍ବଳ କିଣିବାକୁ ଆସିଥିଲେ ବୋଲି କହିଛନ୍ତି। କିନ୍ତୁ ସେ ଏଠାରେ ଯାହା ଦେଖିଲେ ତାହା ତାଙ୍କ କଳ୍ପନା ବାହାରେ ବୋଲି କହିଛନ୍ତି। ଜମ୍ମୁ କଶ୍ମୀରରେ ଆତଙ୍କବାଦୀଙ୍କ ଆଡ୍ଡା ଉପରେ ସେନାର ଚଢାଉ ସମୟରେ ଯେଭଳି ଜିଏସଟି ଅଧିକାରୀଙ୍କ ସହ ୨ ପ୍ଲାଟୁନ ପୋଲିସ ଫୋର୍ସ ରହିଛନ୍ତି ସେହିପରି ପଦ୍ନପୁର ଲୁଗା ଦୋକାନରେ ଦେଖିବାକୁ ମିଳିଛି।

ଏହା ପୂର୍ବରୁ ସୋମବାର ଆଜି ସକାଳେ ତିନି ବରିଷ୍ଠ ବିଜେଡି କର୍ମୀଙ୍କ ଘରେ ଆୟକର ବିଭାଗର ଅଧିକାରୀମାନେ ଏକକାଳୀନ ଚଢ଼ଉ କରିଛନ୍ତି। ଏହି ବିଜେଡି କର୍ମୀମାନେ ହେଲେ ବାହିଦରପଡାର ଏମଡି ସାଜିଦ, ସାହୁପଡାର ମାନଭଞ୍ଜନ ସାହୁ ଓ ପଦ୍ମପୁର ବଡପଡା ଅଞ୍ଚଳର ଗଜୁ ଅଗ୍ରଓ୍ୱାଲ। ସଶସ୍ତ୍ର ସିଆରପିଏଫ୍ ଯବାନଙ୍କ ଉପସ୍ଥିତିରେ ସକାଳୁ ଏହି ଚଢ଼ାଉ ଆରମ୍ଭ ହୋଇଥିଲା। କାହିଁକି ଚଢାଉ କରାଯାଇଛି ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ।

ଉଲ୍ଲେଖଯୋଗ୍ୟ, ଆସନ୍ତା ୫ ତାରିଖରେ ପଦ୍ମପୁର ଉପନିର୍ବାଚନ ପାଇଁ ମତଦାନ ହେବ। ଏହାପୂର୍ବରୁ ଏହି ରେଡ୍ ବେଶ ଗୁରୁତ୍ୱ ବହନ କରୁଛି।

Leave A Reply

Your email address will not be published.