Latest Odisha News

BREAKING NEWS

ଗୁଡ଼ିଗୀତ ବଜାରକୁ ଆସିବା ପରେ କେବଳ ‘ଲଚକମାଣି ଗୁଡ଼ି’ ବିକ୍ରି ହେଉଥିଲା

ଉଡ଼ି ଉଡ଼ି ଉଡ଼ି… ଯା’ରେ ଗୁଡ଼ି

ସୂର୍ଯ୍ୟ ଦେଓ

ଖାସ କଟକିଆମାନଙ୍କ ଦୁଇଟି ସଉକ । ପାରା ଉଡ଼ାଇବା ଓ ଗୁଡ଼ି ଉଡ଼ାଇବା । ୧୯୮୬ ମସିହାର ‘କିଏ କାହାର’ ଚଳଚ୍ଚିତ୍ରରେ ଯେଉଁ ଗୁଡ଼ି ଗୀତଟି ସଂଯୋଗ କରାଗଲା ତାହାର ପ୍ରଚ୍ଛଦରେ ଯେଉଁମାନେ ଥିଲେ, କେବଳ ଜଣକୁ ଛାଡ଼ି ଅନ୍ୟମାନେ ଥିଲେ ଖାସ୍ କଟକିଆ । ଅର୍ଥାତ ଗାୟକ ଓ ସଂଗୀତକାର ଅକ୍ଷୟ ମହାନ୍ତିଙ୍କ ଜନ୍ମ ଓ ଶୈଶବ ଖାସ୍ କଟକରେ । ଗୁଡ଼ି ଗୀତରେ ଅଭିନୟ କରିଥିବା ସାଗର ଦାସ ମଧ୍ୟ ଖାସ୍ କଟକିଆ, କଟକ ସହରରେ ତାଙ୍କର ଜନ୍ମ ବଢ଼ିଛନ୍ତି ବି କଟକରେ । ‘କିଏ କାହାର’ର ନିର୍ଦ୍ଦେଶକ ନିତାଇ ପାଲିତଙ୍କ ରକ୍ତରେ କଟକ ଥିଲା । ବାକି ରହିଲେ ଆଉ ଜଣେ । ଗୀତିକାର ନାରାୟଣ ପ୍ରସାଦ ସିଂହ । ଜନ୍ମ ହୋଇଥିଲେ ଅସୁରେଶ୍ୱରରେ, ପାଠ ବି ପଢ଼ିଥିଲେ ସେଠି । ସେ କଟକ ଆସିଲେ ଏକାଦଶ ପାସ କରିବା ପରେ । ସେତେବେଳକୁ ତାଙ୍କର ବୟସ ସତର । ମାନେ କଟକର ଚାଲିଚଳଣ, ରୀତିନୀତି ସହ ପରିଚିତ ହେଲେ ପରେ, ଉଚ୍ଛନ୍ନ ଯୌବନରେ । ଅଥଚ ଖାସ୍ କଟକିଆ ଶବ୍ଦକୁ ନେଇ ସେ ଯେଉଁ ଗୁଡ଼ି ଗୀତ ଲେଖିଲେ, ତାହା ଜଣେ କଟକିଆର ଉନ୍ମାଦ ଶୈଶବକୁ ଚିହ୍ନାଇ ଦିଏ । ଏଥର ଗୀତ ପଛର ଗପରେ ଅଛି ‘ଉଡ଼ି ଉଡ଼ି ଉଡ଼ି ଯାରେ ଗୁଡ଼ି’ର ପ୍ରଚ୍ଛଦ କାହାଣୀ । ଏ ଗୀତ ସେତେବେଳେ ପପୁଲାର୍ ଥିଲା, ଆଜି ବି ପପୁଲାର୍ । ଅକ୍ଷୟ ମହାନ୍ତି ଏକଦା କହିଥିଲେ ‘ଏ ଗୀତ ବଜାରକୁ ଆସିବା ପରେ କେବଳ ଲଚକମାଣି ଗୁଡ଼ି ବିକ୍ରି ହେଉଥିଲା, ଅନ୍ୟ କୌଣସି ଗୁଡ଼ି ନୁହେଁ’ । ଆଜ କିନ୍ତୁ ପଢ଼ନ୍ତୁ ଗୁଡ଼ି ଗୀତର ଗୀତିକାର ନାରାୟଣ ପ୍ରସାଦ ସିଂହଙ୍କ ଶବ୍ଦ ସଂଗ୍ରହ ଓ ଗୀତ ରଚନାର କାରସାଦି, ଯାହା ସେ ଗୁଡ଼ି ଗୀତ ପାଇଁ କରିଥିଲେ ଏବଂ ଏକଦା କହିଥିଲେ । ଏଠାରେ ସଂଯୁକ୍ତ ହୋଇଛି ରେକର୍ଡିଂ ସମୟର ଛବି, ସେଠାରେ ଅବଶ୍ୟ ନାରାୟଣ ପ୍ରସାଦ ସିଂହ ନାହାନ୍ତି । କିଏ କାହାର ଓ ସ୍ତ୍ରୀ ଚଳଚ୍ଚିତ୍ରର ଗୀତ ରେକର୍ଡିଂ ଏକ ସମୟରେ କଲିକତାରେ ହୋଇଥିଲା ଓ ଏହା ସେହି ସମୟର ଛବି ।

ଗୁଡ଼ି ଗୀତରେ ସ୍ମୃତି ମାଞ୍ଜା : ନାରାୟଣ ପ୍ରସାଦ ସିଂହ ଯାହା କହିଥିଲେ

ନିତାଇ ଦା’ କହିଲେ ‘କିଏ କାହାର’ରେ ‘ଗୁଡ଼ି’ ଗୀତ ରଖିବା । ଅକ୍ଷୟ, ଉଜିର, ସିକନ୍ଦର୍ ଓ ତମେ ମିଶନାରୀ ସ୍କୁଲ୍ ପାଖ ମୁସଲମାନ ବସ୍ତିକୁ ଯାଇ ଗୁଡ଼ି ଉଡ଼ାଉଥିବା ପିଲାଙ୍କ ସହ ମିଶି ଗୁଡ଼ିଉଡ଼ା ଭାଷା, ଶବ୍ଦକୁ ଜାଣ ଓ ତା’କୁ ଗୀତରେ ଲେଖ । ଧୀର କହିଛି, ଆସନ୍ତା ମାସ ପ୍ରଥମ ସପ୍ତାହରେ ରେକର୍ଡିଂ ହେବ ।’ ତା’ପରେ ଗୁଡ଼ି ଗୀତ ପାଇଁ ଅକ୍ଷୟ, ଉଜିର୍, ସିକନ୍ଦର ଓ ମୁଁ ଅନେକଥର ମିଶନାରୀ ସ୍କୁଲ ପଡ଼ିଆକୁ ଯାଇଛୁ । ପିଲାମାନେ ଗୁଡ଼ି ଓ ନଟେଇ ଧରି ପ୍ରାକ୍ଟିସ୍ କଲାବେଳେ ମୁଁ ତାଙ୍କ ଭାଷାକୁ ଖାତାରେ ଟିପୁଥିଲି । ‘ଗୁଡ଼ି କାନି ଖାଇବା’, ‘ଲଚକମାଣୀ’, ‘ନମ୍ବରୀ ସୂତା’ ଓ ‘ମାଞ୍ଜା’ ଏମିତି ଶବ୍ଦ ଟିପି ଗୀତରେ ଲଗାଇଛି । ଯେମିତିକି କଲିକତି ନଟେଇ, ପେଂଚ ପଡ଼ିବା, ସୁର୍କି ଦେବା, ଲୋଟଣୀ ଖାଇବା । ସେମାନଙ୍କଠାରୁ ମୁଁ ଜାଣିଲିି ଗୁଡ଼ିର ବିଭିନ୍ନ ନାମ ଯେମିତିକି ଠିକିରି, ପଟାଦାର, ଗଙ୍ଗାଯମୁନା ଆଦି । ‘ମାଞ୍ଜା’ କ’ଣ ବୋଲି ପଚାରିବାରୁ ସେମାନେ କହିଥିଲେ ‘ଏକ ନମ୍ବର ସୂତାରେ କାଚ ଗୁଣ୍ଡ ଓ ଅଠା ଦେଇ ଖରାରେ ଶୁଖାଇ ‘ମାଞ୍ଜା’ ଦେବାକୁ ପଡେ଼ । ଏମିତି ଶବ୍ଦ ଶିଖିଶିଖି ଗୁଡ଼ି ଗୀତ ଲେଖା ହେଲା । ସପ୍ତାହକ ପରେ ଆମେସବୁ ଧୀର ଭାଇଙ୍କ ସାଙ୍ଗରେ ଚାଲିଲୁ କଲିକତାର ଟେକନିସିଆନ୍ ଷ୍ଟୁଡିଓକୁ । ଅକ୍ଷୟ ତ ଆଗରୁ ସ୍ୱର କରିଥିଲା, ଗାଇଲା ବି । ମନେଅଛି ବଙ୍ଗଳାର ବିଖ୍ୟାତ ଅଭିନେତା ଅସିତ ବରଣ ମଧ୍ୟ ଗୁଡ଼ି ଗୀତ ଷ୍ଟୁଡିଓରେ ଶୁଣିଥିଲେ । କହିଥିଲେ ‘ଗାନ୍ ଟା ଦାରୁନ୍ ହିଟ୍ କରବେ’ । ତାହା ହିଁ ହୋଇଥିଲା ।

ଗୀତ: ଯା’ ରେ ଉଡ଼ି ଏ ମୋର ଗୁଡ଼ି
ସିନେମା: କିଏ କାହାର, ୧୯୬୮
ପ୍ରଯୋଜନା: ପଂଚସଖା ପିକ୍ଚର୍ସ
ଗାୟକ: ଅକ୍ଷୟ ମହାନ୍ତି
ଗୀତିକାର: ନାରାୟଣ ପ୍ରସାଦ ସିଂହ
ସଂଗୀତକାର: ଅକ୍ଷୟ ମହାନ୍ତି

ଗୀତ:

ଉଡ଼ି ଉଡ଼ି ଉଡ଼ି ଉଡ଼ି
ଉଡ଼ି ଉଡ଼ି ଉଡ଼ି ଉଡ଼ି
ଯା’ରେ ଉଡ଼ି, ଏ ମୋର ଗୁଡ଼ି
ଖା’ନା ଖା’ନା ତୁ କାନି
ଏ ମୋର ଲଚକମାଣି…ମୋର ଲଚକମାଣି
ଏ ମୋର ଲଚକମାଣି…ମୋର ଲଚକମାଣି

କଲିକତି ଲଟେଇ ମୋର
ନମ୍ବରି ସୂତାରେ ମାଞ୍ଜା
ପଟାଦାର୍ ବନି ଯା’ ରାଣୀ
ମୋ ଠିକିରି ହେବ ତୋ ରାଜା
ଟିକିଏ ସୁର୍କି ନେଲେ
ନେଇ ଯା ଯା ଯା’ ଲୋଟଣୀ
ଏ ମୋର ଲଚକମାଣି… ମୋର ଲଚକମାଣି

ଆହା ଲୋ ଗଙ୍ଗା ଯମୁନା
ମୋ ଠିକିରି ତୋ’ରି ବାବା
ଆକାଶେ ବୁରୁନ୍ଦୁ ହୋଇ
ତତେ ମୁଁ କରିବି କାବା
ପଡ଼ିବ ପେଞ୍ଚ ତୋ ସାଥେ
ସାରି ଦେବ ତୋ ରଙ୍ଗ୍ ଜବାନୀ
ଏ ମୋର ଲଚକମାଣି… ମୋର ଲଚକମାଣି

ଉଡ଼ି ଉଡ଼ି ଉଡ଼ି ଉଡ଼ି
ଯା’ରେ ଉଡ଼ି, ଏ ମୋର ଗୁଡ଼ି
ଖା’ନା ଖା’ନା ତୁ କାନି
ଏ ମୋର ଲଚକମାଣି… ମୋର ଲଚକମାଣି
ଏ ମୋର ଲଚକମାଣି… ମୋର ଲଚକମାଣି

…………………
ସୂର୍ଯ୍ୟ ଦେଓ ଓଡ଼ିଆ ସିନେମା ଓ ସଂଗୀତର ଜଣେ ଯଶସ୍ୱୀ ଗବେଷକ ଓ ଲେଖକ

Leave A Reply

Your email address will not be published.