Latest Odisha News

BREAKING NEWS

ଆପଣ ବି ବୁଲି ଦେଖି ପାରିବେ ଓଡ଼ିଶା ହାଇକୋର୍ଟ, ଜାଣନ୍ତୁ ପ୍ରକ୍ରିୟା…

କଟକ: ହାଇକୋର୍ଟ କମ୍ପ୍ଲେକ୍ସରେ କଣ ଅଛି ? କେଉଁଠି କେଉଁ ସୁବିଧା ମିଳେ । ଏଣିକି ଏ ସମସ୍ତ ବିଷୟରେ ଜାଣି ପାରିବେ ସର୍ବସାଧାରଣ । ଅଗଷ୍ଟ ୫ ତାରିଖରୁ କଟକ ସ୍ଥିତ ଓଡ଼ିଶା ହାଇକୋର୍ଟ କମ୍ପ୍ଲେକ୍ସରେ ଆରମ୍ଭ ହେଉଛି ଗାଇଡେଡ୍ ଟୁର୍ ।

ମିଳିଥିବା ସୂଚନା ଅନୁସାରେ, ଯେଉଁମାନେ ହାଇକୋର୍ଟ ଦେଖିବାକୁ ଇଚ୍ଛୁକ ଏବଂ କୋର୍ଟ କମ୍ପ୍ଲେକ୍ସରେ ଥିବା ବିଭିନ୍ନ ବିଭାଗ ବିଷୟରେ ଜାଣିବାକୁ ଆଗ୍ରହୀ । ସେମାନେ ପ୍ରତି ଶନିବାର ଛୁଟିଦିନ ବ୍ୟତୀତ ଗାଇଡେଡ୍ ଟୁରର ଲାଭ ନେଇ ପାରିବେ ।

ଗୋଟିଏ ଦିନରେ ୨ଟି ପର୍ଯ୍ୟାୟରେ ହାଇକୋର୍ଟ ବୁଲି ଦେଖି ହେବ । ପ୍ରତି ଭ୍ରମଣକାରୀ ଦଳରେ ସର୍ବାଧିକ ୪୦ ଝଣ ରହି ପାରିବେ । ପ୍ରଥମ ପର୍ଯ୍ୟାୟରେ ଦିନ ୧୦ଟାରୁ ୧୧ଟା ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଦିନ ୧୧ଟା ୩୦ରୁ ମଧ୍ୟାହ୍ନ ଗୋଟାଏ ଯାଇ ହାଇକୋର୍ଟ ପରିସର ବୁଲି ଦେଖି ପାରିବେ ।

ଗାଇଡେଡ୍ ଟୁରରେ କୋର୍ଟ ରୁମ୍ସ, ଐତିହ୍ୟ କୋଠା, ନୂଆ କୋଠା ସହ ହାଇକୋର୍ଟର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଦେଖି ପାରିବେ । ହାଇକୋର୍ଟର ଅଧିକାରୀ ଭ୍ରମଣକାରୀଙ୍କୁ ଗାଇଡ୍ କରିବା ସହ କାର୍ଯ୍ୟଶୈଳୀ ବାବଦରେ ଅବଗତ କରାଇବେ ।

ଏଥିପାଇଁ ଗୁରୁବାର ଠାରୁ ପଞ୍ଜିକରଣ ଆରମ୍ଭ ହୋଇଛି । ଆଗ୍ରହୀ ହାଇକୋର୍ଟର କପିଂ ସେକ୍ସନ ନିକଟରେ ଥିବା ଭିଜିଟର୍ ପାସ କାଉଣ୍ଟରରରୁ କାର୍ଯ୍ୟ ଦିବସରେ ଦିନ ୨ଟାରୁ ୫ଟା ମଧ୍ୟରେ ପଞ୍ଜିକରଣ କରି ପାସ୍ ପାଇ ପାରିବେ ।

ପାସ୍ ପାଇବା ଲାଗି ପଞ୍ଜିକରଣ ସମୟରେ ପରିଚୟ ପତ୍ର ଦେବାକୁ ପଡ଼ିବ । ତେବେ ହାଇକୋର୍ଟର ଗାଇଡେଡ୍ ଟୁର୍ ଲାଗି କୌଣସି ଦେୟ ଦେବାକୁ ପଡ଼ିବ ନାହିଁ । ଗାଇଡେଡ୍ ଟୁର୍ ଲାଗି ଅନଲାଇନ୍ ପଞ୍ଜିକରଣ ବ୍ୟବସ୍ଥା ଖୁବଶୀଘ୍ର କରାଯିବ ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.