Latest Odisha News

BREAKING NEWS

ଗୁରବେ ନମଃ

ସୁଷମା ପରିଜାଙ୍କ ସ୍ୱତନ୍ତ୍ର ଆଲେଖ୍ୟ…

ସେଦିନ ଅଫିସରେ କିଛି ଜରୁରୀ କାମ ସାରି ଘରକୁ ଫେରିବା ବେଳକୁ ରାତି ଆଠଟା ବାଜିଲାଣି। ଏଇ ସମୟଟା ବେଙ୍ଗାଲୁରୁରେ ଟ୍ରାଫିକ୍‌ ଜାମର ସମୟ। ପ୍ରତି ଟ୍ରାଫିକରେ ଅତି କମରେ ପନ୍ଦର ମିନିଟ୍ ଅଟକିବା ପାଇଁ ପଡିବ। ପଚିଶ କିଲୋମିଟର ଦୂରରେ ତା’ର ଘରମାନେ ଆହୁରି ଦେଢ ଦୁଇ ଘଣ୍ଟା ଡେରି । ମନେ ମନେ ବସର ସପ୍ତପୁରୁଷ ଉଝାଳି ପକାଇଲା ଅନୁପମ । ନିହାତି ବାଜେ ଲୋକଟା, ଠିକ୍ ଲାଷ୍ଟ୍ ଆୱାରରେ ତା’ର ସବୁ ଅର୍ଜେଣ୍ଟ୍ କାମ ମନେପଡେ , ରବିଶ୍ … ।
ଷ୍ଟିଅରିଂ ଉପରୁ ମୁହଁ ଉଠାଇ ଚାହିଁଲା ସେ, ଆଗରେ ପ୍ରବଳ ଭିଡ, କାର୍ ସବୁ ଲାଇନ ଲେଖିଛନ୍ତି, ଭିଡ ଆଗକୁ ଯିବାର ନାଆଁ ନେଉନି। ଇଆଡେ ଭୋକରେ ପେଟ ଜଳିଲାଣି । ଘରୁ ପ୍ରତି ଦଶ ମିନିଟ୍ ରେ ଥରେ ଆସୁଛି ଅମ୍ରିତା’ ର ଫୋନ୍ “ ଆଉ କେତେ ସମୟ ଲାଗିବ “ । ଅନୁପମ ଭାବିଲା ଆଗ ଟ୍ରାଫିକ୍‌ ସିଗ୍‌ନାଲରେ ସେ ଆଉ ସିଧା ରାସ୍ତାରେ ନ ଯାଇ ୟୁ ଟର୍ଣ୍ଣ ନେଇ ବୁଲିଯିବ। ମାରାଥଲିରୁ କିଛି ରସଗୋଲା ନେଇ ଯିବ ଘରକୁ । ନହେଲେ ଆଜି ଅମ୍ରିତା ହାତରୁ ନିସ୍ତାର ନାହିଁ ତା’ର। କଷ୍ଟେମଷ୍ଟେ ଅଧଘଣ୍ଟା ପରେ ଭିଡ କାଟି ମାରାଥଲି ରାସ୍ତାରେ ପହଞ୍ଚିଗଲା ସେ ।

ଆଉ କିଛି ବାଟ ଆଗେଇ ଗଲେ ଛକ, ଦୁଇଶହ ଫୁଟ୍ ଆଗରେ ବାମ ପଟକୁ ପଡିବ ” ରାଜ୍ ସୁଇଟସ୍ ଷ୍ଟଲ୍ “। ବେଙ୍ଗାଲୁରୁର ସବୁ ରସଗୋଲା ପ୍ରିୟ ମଣିଷଙ୍କର ଫେଭରାଇଟ୍ ହଟ୍ ସ୍ପଟ୍ ଏଇ ଜଳଖିଆ ଦୋକାନଟି। ସବୁବେଳେ ଗ୍ରାହକମାନଙ୍କ ଭିଡ ଲାଗି ରହିଥାଏ ସେଠାରେ , ଲାଇନ୍ ଲଗାଇ ଅର୍ଡର ଆଣିବାକୁ ପଡେ। କଳ୍ପନାରେ ରସଗୋଲା ପ୍ରିୟ ଅମ୍ରିତା ଓଠର ଚାରିଶହ ଚାଳିଶି ଭୋଲ୍ଟେଜର ହସକୁ ମନେ ପକାଇ ଛକ ଆଗକୁ ଗାଡି ବୁଲେଇଲା ଅନୁପମ । ହେତ୍ ! ଏଠି ବି ଭିଡରୁ ରକ୍ଷା ନାହିଁ । ଅଗତ୍ୟା ଛକରୁ କିଛି ଦୂରରେ ପାର୍କିଂରେ ଗାଡି ରଖି ପାଦରେ ଚାଲି ଚାଲି ଆଗକୁ ଚାଲିଲା ସେ। ଦଶ କଦମ୍ ଚାଲିଛି କି ନାହିଁ ଗୋଟିଏ ଲାଇଟ୍ ପୋଷ୍ଟ୍ ତଳେ ବସିଥିବା ଜଣେ ମହିଳାଙ୍କୁ ଦେଖି ପାଦ ଦୁଇଟା ଅଟକିଗଲା ତା’ର। ମହିଳାଙ୍କ ଜୀର୍ଣ୍ଣଶୀର୍ଣ୍ଣ ଶରୀର, ମଇଳା ଚିରା ଲୁଗାପଟା ଆଉ ଆଗକୁ ପ୍ରସାରିତ କରି ରଖିଥିବା ହାତ ସ୍ପଷ୍ଟ ଜଣାଇ ଦେଉଥିଲା କି ସେ ଜଣେ ଭିକାରୁଣୀ ବୋଲି। କିନ୍ତୁ ଅନୁପମଙ୍କୁ ଲାଗୁଥିଲା ସେ ସେଇ ମହିଳାଙ୍କୁ ଜାଣିଛନ୍ତି, କେଉଁଠି ଦେଖିଛନ୍ତି ଆଉ କିଛି ଅନ୍ୟ ରୂପରେ । ହେଲେ ସେ ଚେଷ୍ଟା କରି ମଧ୍ୟ ମନେ ପକାଇ ପାରୁନଥିଲେ ତାଙ୍କର ପରିଚୟ। ତାଙ୍କର ଅନ୍ତରାତ୍ମାରୁ ସ୍ୱର ଶୁଭୁଥିଲା “ ତୁମେ ତାଙ୍କୁ ଜାଣିଛ, ଖୁବ୍ ଭଲ ଭାବରେ ଜାଣିଛ ଅନୁପମ ! ଭଲ କରି ଦେଖ ନିଶ୍ଚୟ ଚିହ୍ନି ପାରିବ ତାଙ୍କୁ “ । ଅନୁପମ ଆଉ ଟିକିଏ ପାଖକୁ ଯାଇ ପୁଣି ନିରିଖେଇ ଦେଖିଲେ ସେଇ ମହିଳାଙ୍କୁ ।

ଏଥରକ ଝାପସା ଝାପସା ହୋଇ ଦିଶିଗଲା ତାଙ୍କୁ ପଚିଶି ବର୍ଷ ତଳର ସୁନ୍ଦର ମୁହଁଟିଏ। ସେ ମୁହଁ ଥିଲା ତାଙ୍କ ସ୍କୁଲର ମ୍ୟାଥ୍ ଟିଚର୍ ସରସ୍ବତୀ ମିସଙ୍କର। ହେଲେ ସେ କାହିଁକି ଏମିତି ଭାବରେ ଏଠି ବସିବେ ? ସିଏ ବା ଚେନ୍ନାଇ ଛାଡି ବେଙ୍ଗାଲୁରୁ କାହିଁକି ଆସିବେ ? ତାଙ୍କର ପିଲାମାନେ ନିଶ୍ଚିତ ବଡ ବଡ ଚାକିରୀ ବାକିରୀ କରି ତାଙ୍କୁ ଭଲରେ ରଖିଥିବେ । ତଥାପି ଅନୁପମଙ୍କର ମନ ମାନୁ ନଥିଲା । ସେ ଆଉ ଟିକିଏ ପାଖକୁ ଯାଇ ସେଇ ମହିଳାଙ୍କ ସମ୍ମୁଖରେ ବସି ପଡିଲେ, ତାଙ୍କୁ ଅଚିହ୍ନା ଆଖିରେ ଚାହିଁ ରହିଥିବା ସେଇ ମହିଳାଙ୍କୁ ଧୀର ସ୍ୱର ରେ ଡାକିଲେ “ ସରସ୍ବତୀ ଆମ୍ମା..”। ସରସ୍ବତୀ ଆମ୍ମା..”। ସରସ୍ବତୀ ଆମ୍ମା..”। ଏଥର ଚମକି ଉଠିଲେ ମହିଳା ଜଣକ ।

ଆଖିରୁ ଧାର ଧାର ହୋଇ ଲୁହ ଗଡି ପଡିଲା, ଖନ ଖନ ହୋଇ ପାଟିରୁ ବାହାରି ପଡିଲା..
— “ ହୁ ଆର୍ ୟୁ? ହାଓ କୁଡ୍ ୟୁ ନୋ ମି?”

ତାଙ୍କର ହାତ ଦୁଇଟିକୁ ମୁଠାଇ ଧରି ବାଷ୍ପାକୁଳ କଣ୍ଠରେ କହିଲେ ଅନୁପମ…..
—“ ଆଇ ଆମ୍ ଅନ୍ନୁ ! ଅନୁପମ ଆୟାର୍, ଇୟୋର୍ ଷ୍ଟୁଡେଣ୍ଟ୍ ଇନ୍ ମଦର୍ ମେରୀ ହାଇସ୍କୁଲ୍, ଚେନ୍ନାଇ, କ୍ୟାନ୍ ୟୁ ରିକଲ୍ ମି ମିସ୍ ! ଆଇ ୱାଜ୍ ଇୟୋର୍ ଫେଭରାଇଟ୍ ଷ୍ଟୁଡେଣ୍ଟ୍ ଥ୍ରୁ ଆଉଟ୍ ମାଇଁ ସ୍କୁଲ୍ ଡେ’ଜ ଦେୟାର୍ “ ।

କିଛି ସମୟ ଧରି ଅନୁପମଙ୍କୁ ଚାହିଁ ରହିଥିଲେ ମହିଳା ଜଣକ । ତା’ପରେ କାନ୍ଦି ଉଠିଲେ କଇଁ କଇଁ ହୋଇ, କହିଲେ…
— “ ଓଃ ! ଇଏସ୍, ଇଏସ୍, ଇଏସ୍, ଆଇ ଡୁ ରିମେମ୍ବର୍ ! ୟୁ ଆର୍ ଅନ୍ନୁ, ଦି ବ୍ରାଇଟ୍ ବୟ୍ ଅଫ୍ ଦି କ୍ଲାସ୍ ଇନ୍ ଦୋଗ୍ ଡେ’ ଜ୍ । ଆଇ ୱାଜ୍ ଇୟୋର୍ ମ୍ୟାଥ୍ ଟିଚର୍ । ୟୁ ଆର୍ ଗ୍ରୋନ୍ ଅପ୍ ନାଓ, ଆଣ୍ଡ୍ ସୋ ଅଲ୍ ସୋ ଆଇ । ହାଓ ଆର୍ ୟୁ ମାଇ ବୟ ! “

ଅନୁପମଙ୍କର ହାତ ଭିତରେ ଥରି ଉଠୁଥିଲା ବୃଦ୍ଧା ମହିଳା ଜଣଙ୍କର ହାତ, ତାଙ୍କ ଆଖିରୁ ଝରି ପଡୁଥିଲା ଆନନ୍ଦାଶ୍ରୁ । ଅନୁପମ ତାଙ୍କୁ କୋଳେଇ ନେଇ ଉଠାଇ ଆଣିଲେ ସେଠାରୁ । ଧୀରେ ଧୀରେ ଚାଲି ଚାଲି ନିଜର କାର୍ ପାଖକୁ ଆସି ତାଙ୍କୁ ପଛ ସିଟରେ ବସାଇ ଘର ଆଡକୁ ମୁହାଁଇଲେ । ଆଉ ଅମ୍ରିତା କି ରସଗୋଲା କିଛି ବି ମନେ ପଡୁଛି ନଥିଲା ତାଙ୍କର , କେବଳ ମନ ଭିତରେ ଖେଳି ବୁଲୁଥିଲା ସରସ୍ବତୀ ମିସଙ୍କୁ ନେଇ ଅନେକ ଜିଜ୍ଞାସା, ଯାହାକି ତାଙ୍କୁ ଅସ୍ଥିର କରି ଦେଉଥିଲା ।

ଆଉଟର୍ ରିଙ୍ଗ୍ ରୋଡ୍ ଦେଇ ସେ କାଏକୋଣ୍ଡା ହାଲି ସ୍ଥିତ ନିଜର ଫ୍ଲାଟ୍ ରେ ପହଞ୍ଚିଲେ। ପଛ ସିଟରୁ ସରସ୍ବତୀ ମିସଙ୍କୁ
ସେମିତି କୋଳେଇ ଧରି ଲିଫ୍ଟ୍ ରେ ଯାଇ ପହଞ୍ଚିଲେ ସପ୍ତମ ମହଲାର ନିଜ ଫ୍ଲାଟରେ। ଆସିବା ବାଟରେ ଅମ୍ରିତାଙ୍କୁ ଫୋନ୍ କରି ଏତିକି ଜଣାଇ ଦେଇଥିଲେ ଯେ କେହି ଜଣେ ପରିଚିତ ଅସୁସ୍ଥ ବ୍ୟକ୍ତି ତାଙ୍କ ସହିତ ଅଛନ୍ତି ଏବଂ ତାଙ୍କର ସହାୟତା ଏକାନ୍ତ ଆବଶ୍ୟକ । ଅମ୍ରିତା ଅପେକ୍ଷା କରି ବସି ରହିଥିଲେ । ସେ ଜାଣନ୍ତି ସ୍ୱାମୀଟି ତାଙ୍କର ଜଣେ ଖୁବ୍ ଦରଦୀ ମଣିଷ । କାହାର ଦୁଃଖ କଷ୍ଟ ଦେଖି ମୋଟେ ସହି ପାରନ୍ତି ନାହିଁ । ନିଜର ସାଧ୍ୟମତେ ତାଙ୍କୁ ସାହାଯ୍ୟ ସହଯୋଗ କରନ୍ତି । ଅନୁପମଙ୍କର ସେଇ ମଣିଷ ପଣିଆ ଦେଖି ତ ସେ ତାଙ୍କୁ ପ୍ରେମ କରି ବସିଥିଲେ । ଅନୁପମଙ୍କ ଭଳି ଜୀବନ ସାଥୀଟିଏ ପାଇ ନିଜକୁ ଭାଗ୍ୟବତୀ ମନେ କରନ୍ତି ଅମ୍ରିତା। କଲିଂ ବେଲର ଶବ୍ଦ ଶୁଣି ଧାଇଁ ଆସି ଦରଜା ଖୋଲିଲେ ଅମ୍ରିତା । ଅନୁପମଙ୍କ ସାଥିରେ ଥିବା ମହିଳାଙ୍କୁ ଦେଖି ସେ କିଛି ପଚାରିବା ପୂର୍ବରୁ ଅନୁପମ କହି ଉଠିଲେ ।

“ ସେ ମୋ’ର ସ୍କୁଲ୍ ଟିଚର ମିତୁ, କିଛି ଅସୁବିଧା ରେ ପଡି ଆଜି ରାସ୍ତା କଡ଼ରେ ବସି ଭିକ୍ଷାବୃତ୍ତିକୁ ଆପଣେଇବାକୁ ବାଧ୍ୟ ହୋଇଥିଲେ ବୋଧହୁଏ । ଈଶ୍ବରଙ୍କର ଆଶୀର୍ବାଦରୁ ମୋତେ ଆଜି ସୁଯୋଗ ମିଳିଛି ମୋ’ ଗୁରୁଙ୍କ ପାଇଁ କିଛି କରିବାକୁ । ସେଥିପାଇଁ ତୁମର ସାହାଯ୍ୟ ଚାହେଁ, ସାହାଯ୍ୟ କରିବ ମତେ ? ଅନୁପମଙ୍କର ଆଖିରେ ଲୁହ ଆଉ ତାଙ୍କ ମୁହଁରେ ଫୁଟି ଉଠୁଥିବା ମାନସିକ ଯନ୍ତ୍ରଣାର ଛାପ କୁ ସ୍ପଷ୍ଟ ଭାବରେ ପଢି ପାରୁଥିଲେ ଅମ୍ରିତା । ବିନା ବାକ୍ୟବ୍ୟୟରେ ସେ ଅନୁପମଙ୍କର କାନ୍ଧରେ ହାତ ପକାଇ ତାଙ୍କ ସାଥିରେ ଧରି ଧରି ବାଥ୍ ରୁମ୍କୁ ନେଇ ଗଲେ ମହିଳା ଜଣଙ୍କୁ। ଅନୁପମଙ୍କୁ ଫ୍ରେସ୍ ହେବାକୁ କହି ନିଜ କାମରେ ଲାଗିଗଲେ ସେ । ଅଧ ଘଣ୍ଟା ପରେ ଅନୁପମ ଫ୍ରେସ୍ ହୋଇ ଆସି ଡାଇନିଂ ଟେବୁଲ ଉପରେ ବସିବା ବେଳକୁ ସରସ୍ବତୀ ମିସଙ୍କୁ ମଧ୍ୟ ଫ୍ରେସ୍ ହୋଇ ସେଇଠି ବସିଥିବା ଦେଖି ଖୁବ୍ ଆନନ୍ଦିତ ହେଲେ । ସଫା ଲୁଗା ପଟା ପିନ୍ଧି ବେଶ୍ ସତେଜ୍ ଦିଶୁଥିଲେ ସରସ୍ବତୀ ମିସ୍ । ବୟସ ଭାରରେ କମ୍, ଦୁଃଖର ଭାରରେ ଅଧିକ ମହଳନ ପଡି ଯାଇଥିବା ତାଙ୍କର ଚେହେରା ଖୁବ୍ ଅସହାୟ ଦିଶୁଥିଲା ଅନୁପମଙ୍କର ଆଖିକୁ ।

ଅମ୍ରିତା ଡିନର୍ ପରଶି ଦେଲେ, ସମସ୍ତେ ସାଙ୍ଗ ହୋଇ ଖାଇ ସାରିବା ପରେ ଗେଷ୍ଟ ରୁମରେ ସରସ୍ବତୀ ମିସଙ୍କର ଶୋଇବା ବ୍ୟବସ୍ଥା କରିଦେଲେ ଅମ୍ରିତା। ବହୁତ ଦିନ ପରେ ବୋଧହୁଏ ପେଟ ପୁରା ଖାଇଥିଲେ ସରସ୍ବତୀ ମିସ୍, ତେଣୁ ଅଳ୍ପ ସମୟ ମଧ୍ୟରେ ଶୋଇଗଲେ ସେ। କାଲି ସକାଳ ହେଲେ ମିସ୍ ଙ୍କୁ ସବୁକଥା ପଚାରି ବୁଝିବେ ବୋଲି ସ୍ଥିର କରି ବିଶ୍ରାମ ନେବାକୁ ଚାଲିଗଲେ ପତିପତ୍ନୀ ଦୁହେଁ ।

ତା’ ପରଦିନ ସକାଳେ ଚାହା ଟେବୁଲ୍ ରେ ବସି ସରସ୍ବତୀ ମିସ୍ ନିଜ ତରଫରୁ ଶୁଣାଇଥିଲେ ତାଙ୍କର ଦୁଃଖ କାହାଣୀ……..

ସ୍କୁଲରୁ ରିଟାୟାରମେଣ୍ଟ୍ ନେଲା ବେଳକୁ ତାଙ୍କ ପାଖରେ କେହି ନଥିଲେ। ପୁଅ ଦୁଇଜଣ ଜଣେ ହାଇଦ୍ରାବାଦ୍ ଆଉ ଜଣେ ମୁମ୍ବାଇରେ ଚାକିରି କରି ନିଜ ପରିବାରର ହିତ ରହୁଥିଲେ। ତାଙ୍କ ସ୍ୱାମୀ ସଦାନନ୍ଦ ଗୌଡା ନିଜର ଛୋଟ କିରାଣୀ ଚାକିରୀରୁ ଅବସର ନେବା ବେଳକୁ ଯାହା ଟଙ୍କପଇସା ମିଳିଥିଲା, ତାହା ଦୁଇ ପୁଅଙ୍କ ପାଠ ପଢା ବାହାଘର ପାଇଁ କରିଥିବା ଋଣ ବାବଦକୁ ଗଲା। ସରସ୍ବତୀଙ୍କ ଦରମାରୁ ଘର ଋଣ ଶୁଝା ଚାଲିଥିଲା ଏବଂ ବଳକା ଟଙ୍କାରେ ସ୍ୱାମୀ ସ୍ତ୍ରୀ ଦୁହେଁ ଚେନ୍ନାଇରେ ଚଳୁଥିଲେ। ହଠାତ୍ ଦିନେ ହାର୍ଟ୍ ଆଟାକରେ ଦେହାନ୍ତ ହୋଇଗଲା ସଦାନନ୍ଦ ଗୌଡାଙ୍କର। ପୁଅ ଦୁଇଜଣ ଆସିଲେ, ବାପାଙ୍କର ସବୁ କ୍ରିୟା କର୍ମ କଲେ । ଯିବା ବେଳକୁ କଥା ଉଠିଲା ମାଆଙ୍କୁ କିଏ ସାଥିରେ ନେବ, କିଏ ତାଙ୍କ କଥା ବୁଝିବ। ବହୁତ ବିଚାର ବିମର୍ଶ ଚାଲିଲା ଦୁହିଁଙ୍କ ପରିବାର ଭିତରେ।

ମାଆଙ୍କର ତ ସରକାରୀ ଚାକିରି ନଥିଲା, ତେଣୁ ପେନସନର ପ୍ରଶ୍ନ ହି ନଥିଲା । ପୁଅ ବୋହୁମାନେ ନିଜ ଭିତରେ ଟଣା ଓଟରା ହୋଇ ଝଗଡା ଲାଗିଲେ, କେହି ମାଆଙ୍କ ଦାୟିତ୍ଵ ନେବାକୁ ରାଜି ହେଲେନି । ସରସ୍ବତୀ ଦୁଃଖରେ ଭାଙ୍ଗି ପଡିଲେ । କେତେ କଷ୍ଟ କରି ପିଲାଙ୍କୁ ମଣିଷ କରିଥିଲେ, ଭାବିଥିଲେ ସେମାନେ ବଡ ହୋଇ ତାଙ୍କର ଆଶ୍ରାବାଡି ହେବେ, ହେଲେ ଆଜି ସେମାନେ କେତେ ସ୍ୱାର୍ଥପର ହୋଇ ପଢିଛନ୍ତି । ତାଙ୍କ ମନ ମରି ଯାଉଥିଲା । ତଥାପି ସେ କହିଲେ ତୁମେମାନେ ଯିଏ ଯାହାର ଜାଗାକୁ ଯାଅ, ମୁଁ ଏଇଠି ସାଇ ପଡିଶାଙ୍କୁ ଧରି ଏକା ଚଳିଯିବି । ଆମ ଘରର ଗୋଟିଏ ଭାଗ ଭଡାରେ ଦେଇଦେବି, ଯାହା ଘରଭଡା ମିଳିବ ସେଥିରେ ମୁଁ ଆରାମରେ ଚଳିଯିବି। ପୁଅମାନେ ତାଙ୍କର ପରିବାର ଧରି ଫେରିଗଲେ ନିଜ ନିଜ ଜାଗାକୁ ।

କିଛିଦିନ ପରେ ବଡପୁଅ ଆସି ପହଞ୍ଚିଲା, କହିଲା “ ମା’ ତୁମକୁ ଏଠାରେ ଏକା ଛାଡି ଦେଇ ଆମେ ସେଠାରେ ନିଶ୍ଚିନ୍ତ ହୋଇ ରହି ପାରୁନାହୁଁ , ତେଣୁ ଆମେ ଦୁଇ ଭାଇ ସ୍ଥିର କରିଛୁ, ଦୁହେଁ ବେଙ୍ଗାଲୁରୁ ବଦଳି ହୋଇଆସିବୁ ଏବଂ ସେଇଠି ଦୁଇ ଭାଇ ଏକାଠି ରହିବୁ ତୁମକୁ ସାଥିରେ ନେଇ “। ସରସ୍ବତୀ ଖୁବ୍ ଖୁସିହେଲେ, ଯାହା ହେଉ , ପୁଅମାନେ ତାଙ୍କ କଥା ଭାବୁଛନ୍ତି ।


ପନ୍ଦର ଦିନ ପରେ ଦିନେ ରାତିରେ ବଡପୁଅ ସାନ ପୁଅକୁ ସାଥିରେ ନେଇ ଆସି ପହଞ୍ଚିଲା । ଦୁଇଭାଇ ଯାକ କହିଲେ “ ମାଆ ! ଆମର ଅଫିସ୍ ରୁ ଟ୍ରାନ୍ସଫର ନେଇ ବେଙ୍ଗାଲୁରୁ ଆସିଛୁ। ଆମେ ସମସ୍ତେ ସେଇଠି ଏକାଠି ଘରଭଡା ନେଇ ରହୁଛୁ। ଏବେ ତୁମକୁ ବେଙ୍ଗାଲୁରୁ ନେଇଯିବୁ, ତୁମେ ଆମ ପାଖରେ ରହିବ। ସରସ୍ବତୀ ଙ୍କର ଆନନ୍ଦ ର ସୀମା ରହିଲାନି। ଏବେ ସେ ଯାଇ ପୁଅ ମାନଙ୍କ ପାଖରେ ରହିବେ , ତାଙ୍କ ସହିତ ଦିନ କାଟିବେ, ସେଇ ଆଶାରେ ବିଭୋର ହେଲେ ସେ। ସେଦିନ ବହୁତ ସମୟ ଧରି ଦୁଇ ଭାଇ ବସି କ’ଣ କ’ଣ ସବୁ ଆଲୋଚନା କଲେ। ସରସ୍ବତୀ ଅତି ଆନନ୍ଦ ରେ ଭଲ ଭଲ ରୋଷେଇବାସ କରି ପୁଅ ମାନଙ୍କୁ ଖାଇବାକୁ ଦେଲେ। ରାତିରେ ଶୋଇବା ବେଳକୁ ବଡ ପୁଅ କହିଲା “ ଗୋଟିଏ କାମ କରିବା, ଏଇ ଭଡାଟିଆମାନଙ୍କୁ ଘରର ଦାୟିତ୍ଵ ଦେଇଯିବା, ଆମ ଅନୁପସ୍ଥିତିରେ ସେମାନେ ଘରର ଭଲ ମନ୍ଦ ବୁଝାବୁଝି କରୁଥିବେ ନହେଲେ ଘରଟା ବରବାଦ୍ ହୋଇଯିବ। ସରସ୍ବତୀ ଭାବିଲେ ଠିକ୍ କଥା, ସିଏ ଯଦି ଯାଇ ପୁଅମାନଙ୍କ ପାଖରେ ରହିବେ ତେବେ ଘରଟା ଏଠାରେ ଅବହେଳିତ ହୋଇ ପଡି ରହିବ ସିନା । ଦୁଇଭାଇ ଯାକ ଭଡାଟିଆ ମାନଙ୍କ ସାଥିରେ କଥାବାର୍ତ୍ତା କରି ଫେରିଗଲେ । କହିଗଲେ ଆଠଦିନ ପରେ ଆସି ତାଙ୍କୁ ନେଇଯିବେ ବେଙ୍ଗାଲୁରୁ।

ଆଠଦିନ ଗଲା, ପନ୍ଦର ଦିନ ଗଲା , ଏମିତି ମାସଟିଏ ଗଡିଗଲା ପଛେ ପୁଅମାନେ ଆସିଲେନି। ମାସ ପୁରିଲାରୁ ନିଜର ଖର୍ଚ୍ଚ ପାଇଁ ଭଡାଟିଆ ମାନଙ୍କୁ ଭଡା ମାଗିଲେ ସରସ୍ବତୀ । ସେମାନେ ଆଶ୍ଚର୍ଯ୍ୟ ହୋଇ କହିଲେ “ ତୁମେ ପାଗଳ ହେଲ କି ମାଉସୀ ? କୋଉ ଘର ଭଡା ମାଗୁଛ ? ତୁମ ଦୁଇ ପୁଅ ପରା ଆମକୁ ଏ ଘର ବିକ୍ରି କରି ଦେଇ ଯାଇଛନ୍ତି, ଆଉ କହି ଯାଇଛନ୍ତି ଅଳ୍ପ ଦିନ ପରେ ତୁମେ ଏ ଘରଛାଡି ଛାଡିଦେଇ ତାଙ୍କ ପାଖକୁ ଚାଲିଯିବ। ଆମେ ତ ତୁମର ଯିବାକୁ ଅନେଇଁ ବସିଛୁ, ଘର ଖାଲି କଲେ ଆମ ଜିନିଷ ପତ୍ର ରଖିବୁ ସେଠାରେ। ତୁମେ ଶିଘ୍ର ଘର ଛାଡିବାର ବ୍ୟବସ୍ଥା କର” । ଜଳଜଳ କରି ସେମାନଙ୍କ ମୁହଁ କୁ ଚାହିଁ ରହିଥିଲେ ସରସ୍ବତୀ । ତାଙ୍କର ପାଦତଳୁ ମାଟି ଖସି ଯାଉଥିଲା, ପେଟ ଭିତରୁ ହାବୁକା ହାବୁକା କୋହ ଆସି ତଣ୍ଟି ଅଠା ଅଠା ହୋଇ ରାଉଥିଲା, ଲୁହରେ ଆଖି ଜାଲଜାଲୁଆ ଦିଶୁଥିଲା। ସେ ଭାବି ପାରୁନଥିଲେ ଯେ ତାଙ୍କର ଜନ୍ମ କଲା ପୁଅମାନେ ତାଙ୍କ ସହିତ ଏମିତି ବିଶ୍ବାସଘାତକତା କରିବେ। ଜଣେ ଶିକ୍ଷକ ଭାବରେ ଶହ ଶହ ପିଲାଙ୍କୁ ମଣିଷ କରିଛନ୍ତି ସେ , ହେଲେ ତାଙ୍କ ନିଜ ପିଲାଏ ଏମିତି ଅମଣିଷ ହେଲେ କାହିଁକି ? କୋଉଠି ଭୁଲ୍ ରହିଲା ତାଙ୍କର ସେମାନଙ୍କୁ ପାଳନପୋଷଣ କରିବାରେ ? କାହାକୁ କହିବେ ସେ ଏକଥା? ଲୋକେ ଜାଣିଲେ କ’ଣ କହିବେ ତାଙ୍କୁ ? ଏବେ କୁଆଡେ ଯିବେ ସେ ? ତାଙ୍କର ମୁଣ୍ଡରେ କିଛି ପଶୁନଥିଲା। କାହାକୁ କିଛି ନକହି ଧୀରେ ଧୀରେ ପାଦ ପକାଇ ସେ ନିଜ ରୁମ୍ କୁ ଫେରିଲେ। ତାଙ୍କର ମାଆମନ ବିଳପି ଉଠିଲା, ତକିଆ ଉପରେ ମୁହଁ ମାଡି କାନ୍ଦି କାନ୍ଦି ହାଲିଆ ହୋଇ ଉପାସରେ ଶୋଇପଡିଲେ। ପରଦିନ ସକାଳୁ ଉଠି ପୁଅମାନଙ୍କୁ ଫୋନ୍ କଲେ, କାହାରି ଫୋନ୍ ଲାଗିଲାନି । କିଂକର୍ତ୍ତବ୍ୟବିମୂଢ ହୋଇ ସେ ସ୍ଥିର କଲେ ବେଙ୍ଗାଲୁରୁ ଯିବା ଲାଗି , ହେଲେ ପୁଅମାନଙ୍କ ଠିକଣା ଜଣା ନଥିଲା ତାଙ୍କୁ। ସେ ଭାବିଲେ, ସେଠାରେ ପହଞ୍ଚି ଯେ କୌଣସି ଥାନା କି ଅନୁସନ୍ଧାନ କେନ୍ଦ୍ର ଯାଇ ଖୋଜିବେ ତାଙ୍କ ପୁଅ ଦୁହିଁଙ୍କୁ । ଘରୁ ପୁଅ ମାନଙ୍କ ଫଟୋ ଆଉ ନିଜର ଅଳ୍ପ କିଛି ଆସବାବପତ୍ର ଧରି ସେ ଟ୍ରେନ୍ ଧରିଲେ ବେଙ୍ଗାଲୁରୁ ।

ବେଙ୍ଗାଲୁରୁ ଷ୍ଟେସନରେ ଓହ୍ଲାଇ ଥାନା ପୋଲିସରେ ଖବର ଦେଲେ, ନିଜ ପିଲାମାନଙ୍କୁ ଖୋଜି ଦେବା ପାଇଁ ଅନୁରୋଧ କଲେ । କିଛି ଫଳ ମିଳିଲାନି। ଏତେ ବଡ ସହରରେ ସେ କରନ୍ତେ ବା’ କ’ଣ ? ଦିନ ବେଳେ ଷ୍ଟେସନରୁ ବାହାରି ସହର ଆଡକୁ ଗଲେ ଆଉ ବିଭିନ୍ନ ଅଫିସ୍ ବୁଲି ବୁଲି ଫଟୋ ଦେଖାଇ ଖୋଜିଲେ ନିଜର ଦୁଇ ପୁଅଙ୍କୁ । ସେମାନଙ୍କର କିଛି ପତ୍ତା ତ ମିଳିନଥିଲା ତାଙ୍କୁ ବରଂ ସରସ୍ବତୀ ଙ୍କ ହାତରେ ଥିବା ସମସ୍ତ ପଇସା ସରି ରାଇଥିଲା। ସେଇ ପ୍ଲାଟଫର୍ମରେ ଶେଷରେ ନିଜର ଜୀବନ ବଞ୍ଚାଇବା ପାଇଁ ତାଙ୍କୁ ଭିକ ମାଗିବାକୁ ପଡିଲା। ଯିବା ଆସିବା ଲୋକେ ଭିକାରୁଣୀ ଭାବି ଟଙ୍କାଏ ଦି’ଟଙ୍କା ଫିଙ୍ଗିଦେଇ ଯାଉଥିଲେ, ସେଥିରେ ଦିନ କଟୁଥିଲା ତାଙ୍କର । ସବୁଠାରୁ ନିରାଶ ହୋଇ ସେ ନିଜକୁ ସଂପୂର୍ଣ୍ଣ ପାଶୋରି ଦେଇ ସେଇ ଭିକାରୁଣୀ ଜୀବନ ସହିତ ସାଲିସ୍ କରି ନେଇଥିଲେ ସରସ୍ବତୀ । ଆଜି ଯୋଗ କୁ ଅନୁପମ ର ହାବୁଡେ ପଡିବାରୁ ତା’ରି ସହାୟତା ରେ ନିଜକୁ ଆଉଥରେ ଚିହ୍ନି ପାରିଲେ ସେ।

ନିଜ ଦୁଃଖର କଥା କହୁ କହୁ ଜୋରରେ କାନ୍ଦି ଉଠିଲେ ସରସ୍ବତୀ, ତାଙ୍କ କଥା ଶୁଣି ଅବିରତ ଲୁହଧାର ବୋହି ଚାଲିଥିଲା ଅନୁପମ ଆଉ ଅମ୍ରିତାଙ୍କର ଆଖିରୁ । ଦୁହେଁ ଉଠିଆସି ଶ୍ରଦ୍ଧାରେ ଆଉଁସି ଦେଲେ ସରସ୍ବତୀ ମିସଙ୍କୁ । ଅନୁପମ ଆଶ୍ୱାସନା ଦେଲେ “ ଆପଣ ମୋଟେ ଚିନ୍ତା କରନ୍ତୁ ନାହିଁ ମିସ୍, ସିଏ ଦି’ଜଣ ନହେଲେ ନାହିଁ ଆପଣଙ୍କର ଆଉ ଗୋଟିଏ ପୁଅ ଅଛି ଏଇ ଅନୁପମ। ଆପଣ ପିଲାଦିନ ଏତେ ସ୍ନେହ ଶ୍ରଦ୍ଧା ଦେଇଥିଲେ ମୋତେ, ଗୁରୁ ଭାବରେ ମୋ’ର ମାର୍ଗଦର୍ଶନ କରିଥିଲେ ।ଆପଣ ଦେଇଥିବା ଜ୍ଞାନାଲୋକ ରେ ମୋ’ର ଜୀବନ ଉଜ୍ବଳ ହୋଇଛି , ସେଇ ଜ୍ଞାନର ଧନରେ ମୁଁ ଆଜି ଏତେ ବଡ କମ୍ପାନୀର ମ୍ୟାନେଜର ହୋଇଛି, ଏତେ ଟଙ୍କା ରୋଜଗାର କରୁଛି, ଏ ସବୁ ତ ଆପଣଙ୍କର ଦାନ ମିସ୍ । ମୋ’ର ମାଆ ନାହିଁ, ଆପଣ ଏଇଠି ମୋ’ର ମାଆ ହୋଇ ରହିବେ । କ’ଣ ମୋତେ ଆପଣଙ୍କ ସେବା କରିବାର ସେତିକି ସୁଯୋଗ ଦେଇ ପାରିବେନି ମିସ୍ ? ସରସ୍ଵତୀ ଆବେଗରେ ଥରୁଥିଲେ, ତାଙ୍କର ଆଖିରୁ ଆନନାଶ୍ରୁ ଝରିପଡୁଥିଲା, ସେ ଅନୁପମଙ୍କର ମୁଣ୍ଡରେ ହାତ ରଖିଲେ। ସେ ନିଜକୁ ଖୁବ୍ ଭାଗ୍ୟବତୀ ମନେ କରୁଥିଲେ ଏମିତି ସହୃଦୟ ଛାତ୍ରଟି ପାଇଁ ।

ତା’ପରଦିନ ଅନୁପମ ସୋସିଆଲ୍ ମିଡିଆରେ ନିଜର ସ୍କୁଲ୍ ସାଙ୍ଗମାନଙ୍କୁ ଖୋଜାଖୋଜି କରି ଏଇ ଘଟଣାଟି ଜଣାଇଥିଲେ ଏବଂ ଆର୍ଥିକ ସମ୍ପନ୍ନ ଥିବା ସମସ୍ତ ବନ୍ଧୁମାନଙ୍କୁ ଅନୁରୋଧ କରିଥିଲେ କିଛି କିଛି ଆର୍ଥିକ ସାହାଯ୍ୟ ସହଯୋଗ କରି ସରସ୍ବତୀ ମିସଙ୍କୁ ତାଙ୍କର ଚେନ୍ନାଇସ୍ଥିତ ନିଜ ଘରଟି କିଣି ତାଙ୍କୁ ଗୁରୁଦକ୍ଷିଣା ଭାବରେ ଦେଇ ଦେବା ପାଇଁ । ସମସ୍ତ ବନ୍ଧୁମାନେ ସାଦରେ ଗ୍ରହଣ କରିଥିଲେ ତାଙ୍କର ପ୍ରସ୍ତାବଟି। ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା ଅନୁପମଙ୍କର ଉଦାରତାର କାହାଣୀ । ଗୁରୁଶିଷ୍ୟ ସମ୍ପର୍କର ଏକ ଉତ୍କୃଷ୍ଟ ଉଦାହରଣ ଭାବେ ଖୁବ୍ ପ୍ରଶଂସିତ ହୋଇଥିଲା। ଆମେମାନେ ଉପନିଷ ରେ ତ ଅନେକ ମହାନ୍ ଗୁରୁ ଶିଷ୍ୟଙ୍କର କାହାଣୀ ପଢିଛେ କିନ୍ତୁ ଏଇ ଏକବିଂଶ ଶତାବ୍ଦୀରେ ଏମିତି ଗୋଟିଏ ଗୁରୁଶିଷ୍ୟଙ୍କର ସତ କାହାଣୀଟିଏ ପଢିଲା ପରେ ନିଜକୁ ଗର୍ବିତ ମନେ ହେଉଛି ଯେ ଆମ ଭାରତୀୟ ସଂସ୍କୃତି ଆଉ ସନାତନ ଧର୍ମ ଏବେ ମଧ୍ୟ ବଞ୍ଚି ରହିଛି ଆମ ଯୁବପୀଢ଼ିଙ୍କ ଭିତରେ ।

 

Comments are closed.