Latest Odisha News

BREAKING NEWS

ଏମଏସ୍‌ଏମଇ ବାଣିଜ୍ୟ ମେଳାରେ ମନ ମୋହିଲା ମୌସୁମୀଙ୍କ ହାତ ତିଆରି ଚକୋଲେଟ୍ ଓ ମିଠା ଦହି

ଭୁବନେଶ୍ୱର: ଚଳିତ ବର୍ଷ ଏମଏସ୍‌ଏମ୍‌ଇ ବାଣିଜ୍ୟ ମେଳାରେ ୩୬ ନମ୍ବର ଷ୍ଟଲରେ ଦେଖିବାକୁ ମିଳିଥିଲା ଭିଡ । ଷ୍ଟଲରେ ମିଳୁଥିଲା ହାତ ତିଆରି ଚକୋଲେଟ୍ ଓ ମିଠା ଦହି । ଯାହାକୁ ଖାଇବା ପାଇଁ ଲୋକଙ୍କ ମଧ୍ୟରେ ବେଶ୍ ଆଗ୍ରହ ଦେଖିବାକୁ ମିଳିଥିଲା । ଏହି ଷ୍ଟଲର ମାଲିକ ଥିଲେ ମୌସୁମୀ ପଟ୍ଟନାୟକ ।

ଶୈଳଶ୍ରୀ ବିହାରରେ ନିଜର ଚକୋଗ୍ୟାଲେରିଆ ଦୋକାନ ଖୋଲିଛନ୍ତି ମୌସୁମୀ । ନିଜ ହାତ ତିଆରି ଚକୋଲେଟ୍ ଯାହା କି କୌଣସି ରାସାୟନିକ ପଦାର୍ଥ ବ୍ୟବହାର ନ କରି ତିଆରି କରିଥାନ୍ତି ତାହା ଏଠାରେ ବିକ୍ରି ହୋଇଥାଏ । ବଜାରରେ ବିକ୍ରି ହେଉଥିବା ଚକୋଲେଟ୍ ଓ ହାତ ତିଆରି ଚକୋଲେଟ୍ ଭିତରେ ଫରକ ଯିଏ ଥରେ ଖାଇଛି ସେ ଜାଣିଛି ବୋଲି ମୌସୁମୀ କହନ୍ତି । ଥରେ ତାଙ୍କ ହାତ ତିଆରି ଚକୋଲେଟ୍ ଖାଇଲେ ଗ୍ରାହକ ବାରବାର ଏହାକୁ ନେବା ପାଇଁ ଇଚ୍ଛା କରିଥାନ୍ତି । ଏହି ଚକୋଲେଟର ଦାମ ୧୦ ଟଙ୍କାରୁ ଆରମ୍ଭ କରି ୪୦ ଟଙ୍କା ଯାଏଁ ରହିଛି ।

ଏହି ଚକୋଲେଟ୍‌ଗୁଡିକୁ ମୌସୁମୀ ଉଟି ଷ୍ଟାଇଲରେ ତିଆରି କରିଥାନ୍ତି । ସେଠାରେ ରହୁଥିବା ବେଳେ ସେ ଏହି ଚକୋଲେଟ୍ ତିଆରି ଶିଖିଥିଲେ । ଏଗୁଡିକ କୋକୋ ମଂଜିରୁ ତିଆରି ହୋଇଥାଏ । ତେଣୁ ଏହାର ସ୍ୱାଦ ଭିନ୍ନ ଥାଏ । ଏଥିପାଇଁ କଞ୍ଚାମାଲ ସେ ଉଟିରୁ ଆଣିଥାନ୍ତି ।

ନିଜ ସଉକ ପାଇଁ ଦିନେ ଚକୋଲେଟ୍ ତିଆରି ଶିଖିଥିବା ବେଳେ ଏହା ତାଙ୍କ ପାଇଁ ରୋଜଗାରର ପନ୍ଥା ପାଲଟିବ ବୋଲି ସେ କେବେ ଭାବି ନ ଥିଲେ । ଏ ନେଇ ମୌସୁମୀ କହନ୍ତି, ‘୨୦୧୫ରେ ଓଡିଶା ଆସିଥିବା ବେଳେ ଏକ ଦୁର୍ଘଟଣାରେ ସ୍ୱାମୀଙ୍କର ମୃତ୍ୟୁ ହୋଇଥିଲା । ଦୁଇଟି ପିଲାଙ୍କ ପାଠପଢା ସହ ଘର ଚଳାଇବା ପାଇଁ କରିବେ ତାହା ଚିନ୍ତା କରିବା ବେଳେ ଏହି ଚକୋଲେଟ୍କୁ ନେଇ ବ୍ୟବସାୟ କରିବା ପାଇଁ ନିଷ୍ପତ୍ତି ନେଇଥିଲି । ‘

୨୦୧୬ରୁ ଚକୋଲେଟ୍ ପ୍ରସ୍ତୁତ କରି ବିକ୍ରି ଆରମ୍ଭ କରିଥିବା ବେଳେ ଲକ୍ ଡାଉନ ବେଳେ ସେ ମିଠାଦହି ପ୍ରସ୍ତୁତ କରିବା ଆରମ୍ଭ କରିଛନ୍ତି । ଗୋଟିଏ ପଟେ ଖରାଦିନ ସାଙ୍ଗକୁ ପିଲାଠୁ ବଡ ସମସ୍ତେ ଦହି ଖାଇବା ପାଇଁ ପସନ୍ଦ କରୁଥିବା କଥାକୁ ଦୃଷ୍ଟି ରଖି ସେ ତିଆରି କରୁଛନ୍ତି । ମାଟି ପାତ୍ରରେ ତାଙ୍କ ହାତ ତିଆରି ମିଠା ଦହି ଓ ଏହାର ସୁନ୍ଦର ପ୍ୟାକେଜିଂ ବେଶ୍ ପସନ୍ଦ କରନ୍ତି ଗ୍ରାହକ ।

Leave A Reply

Your email address will not be published.