ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମରେ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବେ ପ୍ଲାଷ୍ଟିକ ବଲରେ ଅଭ୍ୟାସ କରୁଛନ୍ତି । ଆଇପିଏଲ ୨୦୨୬ ପରେ ହାର୍ଦ୍ଦିକ ଆଘାତ ସମସ୍ୟା ଯୋଗୁ ଜାତୀୟ ଦଳରୁ ବାହାରେ ଅଛନ୍ତି । ସେ ସମ୍ପୂର୍ଣ୍ଣ ଫିଟ ହୋଇ ଦଳକୁ ଫେରିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । ବିସିସିଆଇ ସେଂଟର ଅଫ ଏକ୍ସିଲେନ୍ସରେ ରହି ସେ ଫିଟନେସସ୍ତର ସୁଧାରିବା ସହ ଅଭ୍ୟାସ ଜାରୀ ରଖିଛନ୍ତି । ପ୍ରତ୍ୟେକ ଦିନ ସନ୍ଧ୍ୟାରେ ସେ ୧୨ ଓଭରରୁ ଅଧିକ ବୋଲିଂ କରୁଛନ୍ତି । ବ୍ୟାଟିଂ ଅପେକ୍ଷା ସେ ବୋଲିଂ ପ୍ରତି ଏବେ ଅଧିକ ଫୋକସ କରୁଛନ୍ତି । ସେ ଟାଇଲ୍ସ ଓ କଂକ୍ରିଟ ଚଟାଣରେ ପ୍ଲାଷ୍ଟିକ ବଲରେ ବ୍ୟାଟିଂ ଅଭ୍ୟାସ କରୁଛନ୍ତି ।
ପ୍ଲାଷ୍ଟିକ ବଲ ତୀବ୍ର ବେଗରେ ଆସୁଥିବାରୁ ହାର୍ଦ୍ଦିକ ଏହା ମାଧ୍ୟମରେ ପଡିଆର ସବୁ ଦିଗକୁ କିପରି ଶଟ ମାରିହେବ ସେଥିପ୍ରତି ଯତ୍ନବାନ ହେଉଛନ୍ତି । ଆଇପିଏଲ ପରେ ହାର୍ଦ୍ଦିକ ଆଫଗାନିସ୍ତାନ ବିପକ୍ଷ ସିରିଜ ପାଇଁ ପ୍ରସ୍ତୁତି କରୁଥିବା ବେଳେ ପୂନର୍ବାର ଆଘାରପ୍ରାପ୍ତ ହୋଇଥିଲେ । ସେ ଏହା ପରେ ସିରିଜରୁ ବାଦ ପଡିଥିଲେ । ଅଧିକ ଅଭ୍ୟାସ କରିବା ପାଇଁ ସେ ମୁମ୍ବାଇ ବଦଳରେ ବେଙ୍ଗାଲୁରରେ ଆସି ରହିଛନ୍ତି ।