Latest Odisha News

BREAKING NEWS

କୋଲକାତା ନାଇଟ୍ ରାଇଡର୍ସରେ ଯୋଗଦେବେ ହାର୍ଦ୍ଦିକ! ହୋଇପାରନ୍ତି ଅଧିନାୟକ

ନୂଆଦିଲ୍ଲୀ: ଭାରତୀୟ ତାରକା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆଗାମୀ ଆଇପିଏଲ ସଂସ୍କରଣରେ ପୁଣି ଥରେ ଟିମ ବଦଳାଇବାକୁ ଯାଉଛନ୍ତି ।  ମୁମ୍ବାଇ ଇଣ୍ଡିଆନ୍ସର ନେତୃତ୍ୱ ନେଇଥିବା ହାର୍ଦ୍ଦିକ ଏବେ କୋଲକାତା ନାଇଟ୍ ରାଇଡର୍ସରେ ଯୋଗଦେବା ପ୍ରାୟ ପକ୍କା ହୋଇଛି । ଗତ ସଂସ୍କରଣରେ ବ୍ୟାଟର, ବୋଲର ଓ ଅଧିନାୟକ ଭାବେ ନିରାଶାଜନକ ପ୍ରଦର୍ଶନ ପରେ ସେ ମୁମ୍ବାଇ ଛାଡ଼ୁଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ହାର୍ଦ୍ଦିକ କୋଲକାତା ଟିମରେ ଯୋଗଦେବା ସହ ଦଳର ନୂଆ ଅଧିନାୟକ ଭାବେ ଦାୟିତ୍ୱ ସମ୍ଭାଳିପାରନ୍ତି । ପୂର୍ବରୁ ଚେନ୍ନାଇ ସୁପର କିଙ୍ଗସ ମଧ୍ୟ ହାର୍ଦ୍ଦିକଙ୍କୁ ନିଜ ଦଳରେ ସାମିଲ କରିବାକୁ ଚେଷ୍ଟା କରୁଥିବା ନେଇ ଆଲୋଚନା ହେଉଥିଲା, କିନ୍ତୁ ଦୁଇ ପକ୍ଷ ମଧ୍ୟରେ କୌଣସି ସହମତି ହୋଇପାରିନଥିଲା । ଯଦିଓ  ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଘୋଷଣା ହୋଇନାହିଁ, କିନ୍ତୁ ଏହି ଖବର ପାଣ୍ଡ୍ୟାଙ୍କ ପ୍ରଶଂସକଙ୍କ ମଧ୍ୟରେ ବେଶ୍ ଉତ୍ସାହ ସୃଷ୍ଟି କରିଛି ।

ନିକଟରେ କୋଲକାତା ଅଧିନାୟକ ଅଜିଙ୍କ୍ୟ ରାହାଣେ ଅବସର ଘୋଷଣା କରିବା ପରେ ଦଳରେ ଅଧିନାୟକ ପଦ ଖାଲି ପଡ଼ିଥିଲା । ରାହାଣେଙ୍କ ନେତୃତ୍ୱରେ ଗତ ଦୁଇଟି ସଂସ୍କରଣରେ କୋଲକାତା ସଂଘର୍ଷ କରୁଥିଲା । ୨୦୨୪ରେ ଶ୍ରେୟସ ଆୟରଙ୍କ ନେତୃତ୍ୱରେ ଟାଇଟଲ୍ ଜିତିବା ପରେ ସେ କୋଲକାତା ଛାଡ଼ିଥିଲେ । ଏହାପରେ ଗତ ଦୁଇ ସଂସ୍କରଣରେ କୋଲକାତା ପ୍ଲେ-ଅଫ୍‌ରେ ପ୍ରବେଶ କରିବାରେ ବିଫଳ ହୋଇଥିଲା । ଗତ କିଛି ଆଇପିଏଲ୍ ସଂସ୍କରଣରେ ହାର୍ଦ୍ଦିକଙ୍କ ପ୍ରଦର୍ଶନ ସାଧାରଣ ରହିଥିଲେ ବି ସେ ଅନ୍ୟତମ ପ୍ରଭାବଶାଳୀ ମ୍ୟାଚ୍‌-ୱିନର । ବ୍ୟାଟିଂ ଓ ବୋଲିଂ ଉଭୟ ବିଭାଗରେ ସେ ମ୍ୟାଚ୍‌ର ମୋଡ଼ ବଦଳାଇବାର ଦକ୍ଷତା ରଖିଛନ୍ତି । ଗୁଜରାଟ ଟାଇଟନ୍ସକୁ ପ୍ରଥମ ବର୍ଷରେ ହିଁ ଚାମ୍ପିଅନ୍ କରାଇଥିବା ହାର୍ଦ୍ଦିକଙ୍କ ଅଧିନାୟକତ୍ୱ ଦକ୍ଷତା କୋଲକାତାକୁ ସହାୟକ ହେବ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.