Latest Odisha News

କଙ୍ଗନାଙ୍କ ଅଫିସ ଭଙ୍ଗା ଉପରେ କୋର୍ଟ ଲଗାଇଲେ ରୋକ, ବିଏମ୍‌ସିକୁ ଜବାବ ତଲବ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ଅଫିସ୍ ଭାଙ୍ଗିବା ଉପରେ ଲାଗିଲା ରୋକ । ବମ୍ବେ ହାଇକୋର୍ଟ ଏହାଉପରେ ରହିତାଦେଶ ଲଗାଇଛନ୍ତି । ଏଥିସହ ଏନେଇ ‘ବୃହନ୍‌ମୁମ୍ବାଇ ମହାନଗର ନିଗମ’ (ବିଏମସି)କୁ ଜବାବ ତଲବ ମଧ୍ୟ କରିଛନ୍ତି ।

ଆଜି ପୂର୍ବାହ୍ନରେ ‘ବି‌ଏମ୍‌ସି’ କର୍ମଚାରୀମାନେ ପହଞ୍ଚି ପୋଷପାଲି ହିଲ୍ ଅଞ୍ଚଳରେ ଥିବା କଙ୍ଗନାଙ୍କ ମଣିକର୍ଣ୍ଣିକା ଫିଲ୍ମସ୍ କାର‌୍ୟ୍ୟାଳୟରେ ବେଆଇନ୍ ଭାବେ କରାଯାଇଥିବା କେତେକ ଢାଞ୍ଚାକୁ ଭାଙ୍ଗିବା ଆରମ୍ଭ କରିଥିଲେ । ଏହାପରେ କଙ୍ଗନା ଓକିଲଙ୍କ ମାଧ୍ୟମରେ ବମ୍ବେ ହାଇକୋର୍ଟରେ ରିଟ୍ ପିଟିସନ୍ ଦାଏର କରିଥିଲେ । ବିଚାରପତି ଏସ୍ କଠାୱାଲା ଏହି ଆବେଦନ ଶୁଣାଣି କରି ରହିତାଦେଶ ଜାରି କରିଥିଲେ। ସେତେବେଳକୁ ‘ବିଏମ୍‌ସି’ ତା’ର ଭଙ୍ଗା ଅଭିଯାନ ଶେଷ କରି ସାରିଥିଲା।

ସେପଟେ କଙ୍ଗନା ଆଜି ମନାଲିରୁ ମୁମ୍ବାଇରେ ପହଂଚିଛି । ତେବେ ସେ ମୁମ୍ବାଇରେ ପହଂଚିବା ପୂର୍ବରୁ ହିଁ ତାଙ୍କ ଅଫିସ୍ ଭାଙ୍ଗି ଦିଆଯାଇଥିବାରୁ ସେ ଟ୍ୱିଟ୍ କରି ତିବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଏପରିକି ସେ ମହାରାଷ୍ଟ୍ର ସରକାରଙ୍କୁ ବାବରଙ୍କ ସହ ତୁଳନା କରିଛନ୍ତି । ଏହାସହ ସେ ପୁଣି ଥରେ ମୁମ୍ବାଇକୁ ପାକିସ୍ତାନ ଅଧିକୃତ କାଶ୍ମୀର ସହ ତୁଳନା କରିଛନ୍ତି ।

ସେପଟେ ଜଣେ ବରିଷ୍ଠ ‘ବିଏମ୍‌ସି’ ଅଧିକାରୀ କହିଛନ୍ତି, ନୋଟିସ୍‌ର ଜବାବ ଦେବାକୁ ଆମେ ୨୪ ଘଣ୍ଟା ସମୟ ଦେଇଥିଲୁ, କିନ୍ତୁ ସେ ଉତ୍ତର ଦେଲେନାହିଁ। ସେ ପୁଣି କହିଲେ କି, କଙ୍ଗନା ରାଣାୱାତଙ୍କ କାର‌୍ୟ୍ୟାଳୟ ମଧ୍ୟରେ କେତେଗୁଡ଼ିଏ ବେଆଇନ୍ ଏବଂ ଅନଧିକୃତ ନିର୍ମାଣ ହୋଇଛି। ତେଣୁ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

Leave A Reply

Your email address will not be published.