Latest Odisha News

ଘେନି ନୂଆ ସଜବାଜ

ଘେନି ନୂଆ ସଜବାଜ

ଜ୍ୟୋତି ପ୍ରକାଶ ମହାପାତ୍ର

ଗାଁରେ ରଜ ଆସେ ବାଲିଝରି ଛନ୍ଦାରୁ । ଆସ୍ତେ ଆସ୍ତେ ଚାପିଚୁପି । ବର୍ଷା ଓ ଓଦା ପଣତ ଢାଙ୍କି ହୋଇ । ବାଲିଝରି ଛନ୍ଦା କଡ଼କୁ ବାବାସାହି ଗାଁ । ନଈ ସେପାଖେ । ଗଛପତ୍ର ଭିତରେ ଭର୍ତ୍ତି ହୋଇ କୁନି, ବକୁଟେ ଗାଁ । ଗାଁ ତ ନୁହେଁ, ସାହିଟେ କହିଲେ ଚଳିବ । ତା’ ଆଗକୁ ବଢେଇ ସାହି । ସେ ଜାଗାରେ ନଈ କୂଳେ ଘଞ୍ଚ ଗଛ ଅଧିକ ଆଉ ନଈ ବି ଟିକେ ଗଭୀର ହୋଇ ଯାଇଛି । ସେଇଠି ନଈର ଗଣ୍ଡ ଅଧିକ । ମୁଁ ସବୁଦିନେ ନଈବନ୍ଧରେ ବସି ଅନେଇଲା ବେଳେ ମତେ ଲାଗେ- ରଜ ସେଇଠୁ ଉଠି ଆସୁଛି । କାଖରେ ପାଣି ମାଠିଆ ଧରି । ନଈବନ୍ଧ ବାଟେ ଦାଣ୍ଡ ଗଡ଼ିଆ ଦେଇ ଗାଁ ଭିତରକୁ ପଶୁଛି । ପଛରେ ତା’ ଦିହରେ ଗୁଡେ଼ଇ ହୋଇ ଆସୁଛି ଖାଲି ହସ, ଥଟ୍ଟାମଜା ଓ ମଉଚ୍ଛବର ଲମ୍ବା ପଣତ କାନି ।

ଏପଟେ ପୁଣି ମହାଦେବ ପାଖେ ନଈ କୂଳକୁ ଅନେଇ ବସିଥିବା ବେଳେ ଫେଣ ଭର୍ତ୍ତି, ମାଟିଆ ପାଣି ମାଡ଼ି ମାଡ଼ି ଆସେ । କୋଉ ବର୍ଷ ଆସେ । କୋଉ ବର୍ଷ ଆସେନା । ଡେରି କରେ ସେ । ବଢିପାଣି ତା’ ନାଁ । ବଢିପାଣି ନଈ ଛାତି ଭିତରେ ବୋହି ଆସୁଥିବ ଆଉ ଆମେ ସେ ପାଣି ଆଗେ ଆଗେ ଧାଉଁଥିବୁ ଗୋଟେ ତାଳ ବରଡ଼ା ଚକିରି ଧରି । ନୂଆସାହି ପାଖରୁ ଏ ଦଉଡ଼ା ଆରମ୍ଭ ହୋଇ ବାଲିଝରି ପାଖରେ ସରେ । ସେ ଗଛ ଭର୍ତ୍ତି ନଈ ଦଣ୍ଡାରେ । ଲାଗେ- ଦଉଡ଼ା ସରିବା ପରେ ରଜ ନରମ ପାଦରେ ଗାଁ ଭିତରେ ପଶୁଛି । ଅଲତା ରଂଗା ପାଦରେ । ପାଉଁଜି ରୁଣୁଝୁଣୁ ଶବ୍ଦରେ, ଖିଲିଖିଲି ହସରେ ।

ରଜକୁ ମୁଁ ଆଗେ ଫକୁନିନା’ଘରେ ଦେଖେ । ତାଙ୍କ ଲମ୍ବା ଖଞ୍ଜା ଆଉ ବାଡ଼ି ପାଖ ପିଣ୍ଡାରେ ରଜ ଆସି ବସେ କାନିରେ ଗଣ୍ଠି ପକେଇ । ନଈ ଆଡ଼କୁ ମୁହଁ କରି । ବାଳ ମୁକୁଳେଇ । ଫକୁନିନା’ ବୋଉ ସେ ଦେଈ ପତଳା ପତଳା ଚକୁଳି କରି ପାଛିଆରେ ଆଣି ଆମ ସାମ୍ନାରେ ରଖି ଦେଉଥିବ । ସାଙ୍ଗରେ ଥିବ ଦହି ଛେନାରେ ଗୁଡ଼ ପଡ଼ିକି ଜନ୍ତା । ଛେନା ସନ୍ତୁଳା । ଆଉ ପତଳା ପତଳା ସରୁ ସରୁ ଆଳୁଭଜା । ଏକାଥରେ ଆମେ ପାଞ୍ଚ ସାତ ଜଣ ସେଇଠି ଖାଉଥିବୁ । କ୍ରିକେଟ, କଲେଜ ଜୀବନ, ବଢିପାଣି ଗପ ଆଦି ଚାଲିଥିବ । ଗୋଟେ ଦୋଳିରେ ତକିଆ ପକେଇ ମୁଁ ବସି ଝୁଲୁଥିବି । ଥରେ ଝୁଲି ଆସି ପିଠା ଖଣ୍ଡେ ଖାଇଦେଇ ପୁଣି ଚାଲି ଯାଉଥିବି । ଦେଈ ଆକଟ କରୁଥିବ- ପୁପୁ, ତୁ ବସିକି ଖାଉନୁରେ । ଫକୁନିନା’ କହୁଥିବ- ସେ ଖାଉ ସେମିତି । ତୋର ଅସୁବିଧା କଣ?

ରାସ୍ତା ଏ ପାଖେ ମୀନା ବୋଉ ଘରେ ଦୋଳି ଲାଗିଥିବ । ମନ୍ଦାର ଗଛ ଭିତରେ ଦୋଳି ଝୁଲୁଥିବ । ମୀନା ବୋଉ କେତେବେଳେ ରାଗୁଥିବ ତ କେତେବେଳେ ହସୁଥିବ- ତମେ ତ ଆମ ଘରେ ଆଡେ଼ ଆସୁନା । ବାଇଆ (ତାଙ୍କ ପୁଅ) କଇଥିଲା ରଜୁକୁ ଆସିବ । କାଇଁ ଆଇଲାନି । ଅନେଇ ବଇଚି ମୁଁ । ତା’ପରେ ଦାଣ୍ଡ କୂଅ । ସେଇଠି କ୍ରିକେଟ ଚାଲିଥିବ । ଟୁକୁମ କକା, ଫିପି କକା, ବକୁ, ନାଲୁ, ସୁକୁଟି ନା’, କାଳିଆ ସବୁ କୂଅରେ ୱିକେଟ ଗାର ଟାଣି କ୍ରିକେଟ ଖେଳୁଥିବ । କେତେବେଳେ ବଲ ସାମ୍ନାରେ ବନା ଦା’ଙ୍କ ଗୁହାଳ ଭିତରେ ପଶି ଯାଉଥିବ । ଗୋବର ଓ କାଦୁଅ ବଲକୁ ଦାଣ୍ଡରେ କୋଉ ଗୋଟେ ଗଛରେ ପୋଛି ଦେଇ ପୁଣି ଖେଳ ଚାଲିଥିବ ।

ଆଉ ଟିକେ ଆଗକୁ ଦାଣ୍ଡ ଚଉଁରା । ୧୯୭୫ ମସିହାରେ ତିଆରି ହୋଇଥିଲା । ଗାଁ ସାରା ଝିଅ ସେଇଠି ଗୋଟେ ଜାଗାରେ କୁମାର ପୁନେଇଁ କରନ୍ତି । କାର୍ତ୍ତିକକୁ ମୁରୁଜ ପକାନ୍ତି । ଚଉଁରା ଉପରେ ଦଶିଆ ସାଆନ୍ତ ବସି କାହାକୁ ଡାକୁଥିବେ- ହଇଲୋ ଛଟକି, ତୋ ବୋଉ ପୋଡ଼ପିଠା କରିନି କି ? ଯାଉନୁ ଖଣ୍ଡେ ଆଣିବୁ ।

ସାମ୍ନା ଝିଅ ମୁହଁ ମୋଡ଼ି ଦେଇ ଯାଉଥିବ- ଉଁ, ବୁଢା ଯାଉନୁ ଲୋ, ତୋ ବୁଢୀକୁ କହିବୁ । ପୋଡ଼ପିଠା କରିଦେବ । ଦଶିଆ ସାଆନ୍ତ କୋଉ ଛାଡ଼ିବା ଜନ୍ତୁ । କହୁଥିବ- ମୋ ବୁଢୀ କିଏକି ଲୋ ? ତୁଇ ପା’ ଟୋକଳି । ମିଛ ରାଗରେ ତମତମ ହୋଇ ଚାଲି ଯାଉଥିବା ଗାଁ ଝିଅକୁ ସାଆଁନ୍ତ କହୁଥିବ- ଆଲୋ, ହାଲୁକା ଚାଲୁନୁ । ରଜଟାରେ ମାଟିକୁ କୁଦୋଉଚୁ । ସେ ଝିଅ ଫେରିଲା ବେଳକୁ କୃଷ୍ଣିଆ ବାରିକକୁ କହି କଦଳୀ ପଟୁଆରେ ଯୋଡେ଼ ଚପଲ କରି ରଖିଥିବ ଦଶିଆ ସାଆନ୍ତ । କହୁଥିବ- ଆଲୋ ହେଇ ଟୋକଳି, ନେଇ ଯାଆ । ଏଇଆକୁ ପିନ୍ଧିକି ରଜ ବୁଲିବୁ ଲୋ ଫୁଲେଇ । ମାଟିରେ ଜୋରରେ ଚାଲନ୍ତିନି ।

ଦାଣ୍ଡ ଚଉଁରାରୁ ଟିକେ ଆଗକୁ ଆସି ଡାହାଣକୁ ବୁଲିଲେ ଆମ ଘର । ରାସ୍ତା ଆର ପାଖରେ ବାଁ ପଟରେ ନିତା ଦେଈଙ୍କ ଘର । ନିତା ଦେଈଙ୍କ ଘରେ ଥିବେ କୁନି ଦେଈ ବା ନୁଥୁରି ଦେଈ, ଝୁନି (ମୋ ଭଉଣୀ), ମୀରା, ଚୁମି, କିଟୁ, ନାନୁଆ ଦେଈ, ଟିଲି ଦେଈ ଆଉ ସମସ୍ତେ । ତାଙ୍କର ପୁରୁଣା କାଳିଆ ନୂଆଁଣିଆ ଖଞ୍ଜା । ପୁଣି କେବେ କବାଟ ଲାଗି ନଥିବା ଘର ତାଙ୍କର । ଘର ପିଣ୍ଡାରେ ନଡ଼ିଆ ଚଟ ପକେଇ ନିତା ଦେଇର ବାପା ମଉସା ବସିଥିବେ । ମାଉସୀ ଗୋଟେ ବଡ଼ ସିନ୍ଦୁର ଟୋପା ପିନ୍ଧି ପିଢାରେ ବସି ସବୁ ଝିଅଙ୍କ ମୁଣ୍ଡ କୁଣ୍ଡେଇ ଦେଉଥିବ । ଖଞ୍ଜାରେ ଚୂଲି ପାଖକୁ ଥୁଆ ହୋଇଥିବ ହଳଦି ଗିନା ଓ ତେଲ ଗିନା । ତାକୁ ନେଇ ସମସ୍ତେ ଯିବେ ନିତା ଦେଈ ଘର ଛନ୍ଦାକୁ ଗାଧେଇବାକୁ । ନଈ ପହଁରା, ମନଖୋଲା ହସରେ ଯେମିତି ନଈ ଛାତି ଫାଟି ଯାଉଥିବ । ଦି’ ଫାଳ କରି ନଈ ପହଁରି ଯାଉଥିବେ ଝୁନି ଓ ମୀରା । ଗାଧେଇ ସାରିଲା ବେଳକୁ ସିଙ୍ଗିପୁର ବଜାରରୁ କିଣିକି ଅଣା ହୋଇଥିବା ଜାମା ଥିବ । କାହାର କିଣା ହୋଇପାରେ । କାହାର ଆସି ପାରେନି । ଯାହାର ନ ଆସିଥିବ ସେ ଗୋଟେ ଶାଢୀ ପିନ୍ଧି ପକେଇବ ।

ଦାଣ୍ଡ ଚଉଁରାରେ ବସି କୁଶ କକା ଡାକୁଥିବ- ବୁବୁଲି ଯାଇକି ଦେଖେ । ଏସବୁ ବାହାରିଲେ କି ନାହିଁ । କେତେ ବାଟ ହେଲାଣି ଟିକେ ଭାବନି!ମେଘ ହେଲେ କଣ ହେବ?

ପିଠା ଖାଇ ସାରି, ଦୋଳିରେ ବସି ମନଇଚ୍ଛା ଝୁଲିଲା ପରେ ଗାଁ ଝିଅ ବାହାରି ଯିବେ ବନ୍ଧୁ ଘରକୁ ବୁଲି । କୁଣିଆ ହୋଇ । କୁଶ କକା, ନବ କକା ତାଙ୍କ ସାଙ୍ଗରେ ଯାଉଥିବେ । କାହା ଘରକୁ ଯିବେ- କିଛି ଖବର ନଥିବ । ଖବର କେମିତି ଦିଆଯିବ ଯେ ! ଚିଠି କଣ ସେଇ ଦିନ ଯାଇ ପହଞ୍ଚିବ ? କୋଉ ଦେଈ ଘରେ ଆଠ ଦଶ କିଲୋମିଟରରେ ଚାଲି ପହଞ୍ଚିଲା ବେଳକୁ ନିଜ ଗାଁର ଏତେ ଝିଅ, ପୁତୁରା, ଝିଆରୀଙ୍କୁ ଦେଖି ବିହ୍ୱଳ ସେ ଦେଈ ବାଡ଼ି ପାଖେ ଯାଇ ସ୍ୱର ଧରି କାନ୍ଦୁଥିବ ।

ଏ କେଉଁ ରାଇଜେ ଦେଲ ହେ ମତେ ଚିହ୍ନା ମୁହଁ ଟିକେ ନାହିଁ
ଏ ପୋଡ଼ା କପାଳେ ଆଇଛନ୍ତି ଦେଖ କେତେକେତେ ଚାନ୍ଦ ମୁହିଁ

ସେଇଠୁ ଖାସି ମାଂସ ଝୋଳ ହେଉଥିବ । ବାଡ଼ି ପାଖ ଚୂଲିରେ ପଣତରେ ଲୁହ ପୋଛି ସେ ଦେଈ ରାନ୍ଧୁଥିବ ମାଉଁସ । ଗାଁ ଝଅ କଦଳୀ ପତ୍ରରେ ଖାଇ ଫେରିଲା ବେଳକୁ ତା’ ବୋଉ ପାଖକୁ ଚିଠି ଖଣ୍ଡେ ଲେଖି ସେ ଦେଈ ପଠେଇ ଦେଉଥିବ । କାହା ହାତରେ ପାଞ୍ଚ, ଦୁଇ ଟଙ୍କା ଗେଞ୍ଜି ଦେଉଥିବ । କାନ୍ଦି କାନ୍ଦି ଲୋଟି ଯାଉଥିବ । ପଣତ ତାର ଧୂଳିରେ ଲୋଟୁଥିବ । ତା’ ବଡ଼ ଯାଆ ଆକଟ କରୁଥିବେ- କାନେ୍ଦନି ଲୋ ପାଳିମୀ ଝୁଅ । ରଜଟା ପା ଆଜି । କାନେ୍ଦନି ଲୋ ମା’ । ପୁଣି ନିଜ ସାନ ଯାଆର ପଣତ ସମ୍ଭାଳି ଧରୁ ଧରୁ ବଡ଼ ଯାଆ କାନ୍ଦି ଉଠୁଥିବ । ବିଦାୟର କରୁଣ ରାଗ ଗୋଟେ ସ୍ମୃତିବୋଳା ଅପରାହଣରେ ସଜଳ ହୋଇ ଯାଉଥିବ ଏକାଥରେ ।

ଏପଟେ ଗାଁରେ ଜେଜେମା ପୋଡ଼ ପିଠା ପନିକିରେ କାଟୁଥିବ । ରଙ୍ଗୀବୋଉ ଘରୁ ଆସିଥିବା ଦହି ଛେନା, ପାର ବୋଉ ଦେଇଥିବା ନଡ଼ିଆ ପଡ଼ି ଗୁଆ ଘିଅ ବାସ୍ନାରେ ମହମହ ବାସୁଥିବ ପୋଡ଼ପିଠା । ପତ୍ର ସହ ତାକୁ କାଟିଲା ବେଳେ ଲାଗୁଥିବ- ନାରୀଟା ଏଇ ପୋଡ଼ ପିଠା ପରି । ସବୁଦିନେ ଚୂଲି ନିଆଁରେ ପୋଡ଼ି ହେଇ ସେକି ହେଉଥିବ । ଲୁହ ଲୁଚେଇ ସ୍ମିତ ହସୁଥିବ। ଠାକୁରଙ୍କ ଘରେ ଦିଅଁ ବି ନୂଆ କପଡ଼ା (କାଛିଆ)ରେ ଦାଉଦାଉ ଦିଶୁଥିବେ । ବଙ୍କା କା’ ବାଙ୍କୀକୁ କହୁଥିବେ- ଆଉ ଟିକେ ଫୁଲ ଆଣିଲୁ ନେଇଁ । ରଜଟାରେ ଠାକୁର ଫୁଙ୍ଗୁଳା ଦେଖାଯିବେ । ବାଙ୍କୀ ଆସି ଘରେ କହୁଥିବ- ବଡ଼ବୋଉ ଦେଖୁଚୁନା- ରଜ ଦିନ ବି ମତେ ଛାଡ଼ୁ ନାହାନ୍ତି । ଭିତରୁ କିଏ କହୁଥିବ- ଠାକୁରଙ୍କୁ ଫୁଲ ଆଣିଦିଅ ବାଙ୍କୀ । ଭଲ ବର ମିଳିବ । କୁଦିକୁଦି ବାହାରି ଯାଉଥିବ ବାଙ୍କୀ । ଜେଜେମା ପଲମରେ ଛାଣୁଥିବ ଘି ପିଠା (ଗାଁରେ ଆରିସାକୁ (ଘି ପିଠା କହନ୍ତି), ତିଆରି କରୁଥିବ ଛୁଞ୍ଚି ପତର । ପଣସ ଖୋସା ବାସ୍ନା ଦାଣ୍ଡ ଦୁଆରେ ଖେଳି ଯାଉଥିବ । କଟା ଆମ୍ବ ଟାକୁଆରେ ଖସି ଘର ଦାଣ୍ଡରେ କିଏ ଗୋଟେ କଚଡ଼ା ଖାଉଥିବ ।

ଆଉ ଟିକେ ଆଗକୁ ରଙ୍ଗୀ ବୋଉ ତିଆରି କରୁଥିବ ମଣ୍ଡା, ଗୀଜ (ଏଥିରେ ପୁର ଭାବେ ବଟା ବିରି ଓ ସେଥିରେ ଗୋଳା ହୋଇଥିବା କଟାକାଟା ପିଆଜ, କଞ୍ଚା ଲଙ୍କା ଦିଆଯାଏ) । ଅଥାର (ଯୋଉ ହାଣ୍ଡିରେ ପିଠା ହୁଏ) ବସେଇ ଥିବ ମଝି ଚୂଲିରେ । ମଝିରେ ମଝିରେ ଅଥାର ଭିତରେ ବାଉଁଶ ପତ୍ରରେ ଆଉ ଟିକେ ପାଣି ଦେଉଥିବ । ଗଇଁଠା ତିଆରି କରି ଥୋଇଥିବ ।

ଖତୁଆ ଦୋକାନ ଆଗରେ ପାନ ପାଇଁ ଭିଡ଼ ବଢୁଥିବ । ଇଆଡେ଼ ନୂଆ ବାହା ହୋଇ ଆସିଥିବା କୋଉ ଭାଉଜ ପାନ ଭାଙ୍ଗି ଦେଉଥିବେ ଖଣ୍ଡ ଖଣ୍ଡ କରି । ସେଇଠି ନଣନ୍ଦମାନଙ୍କ ଭିଡ଼ ଜମି ଥିବ । ଅଳତା ପିନେ୍ଧଇ ଦେଉଥିବ ସେ ନୂଆ ଭାଉଜ । ମୁଣ୍ଡରେ ଚନ୍ଦନ ଟିପା ଲଗେଇ ସାରିଲା ପରେ କୁଆଁରୀ ଝିଅ ଅଶୋକ କେଳା ବିକିଥିବା ବକୁଟେ ଆଇନାରେ ତାର ମୁହଁ ଓ ଚହଲା ମନକୁ ଦେଖୁଥିବ ବାରବାର । ପଛରୁ କିଏ କହୁଥିବ- ଏଇ ଆଷାଢକୁ କରିଦେବା ଲୋ ତୋର । ମୁଁ ସାନବାପାଙ୍କୁ କହିଦେବି ।

ଆର ଝିଅ ରାଗୁଥିବ- ଯାଃ, ତୁ ନିଜେ ବାହା ହୋଇଯାଆ ଲୋ ଗୋରୀ ।

ଉତ୍ତର ଆଉଥିବ- ମୁଁ ତ ତୋ ବାହାଘର କଥା କହିନି ଲୋ ସୁନ୍ଦରୀ ।

ସେଇଠି ହସରେ ଫାଟି ପଡ଼ୁଥିବ ସେ ଘର ଖଞ୍ଜା । ଭାଉଜ କଥା ଚଳେଇ ନେଉଥିବେ- ନାଇଁ ଆମ ସୁନ୍ଦରୀ ପାଇଁ ରଜା ପୁଅ ଖୋଜି ଆଣିବା । ଗହମ ରଂଗର ଗୋରା ପୁଅ ।

ପଶାଖେଳରେ କମ୍ପି ଉଠୁଥିବମହାଦେବ ମୁଣ୍ଡ । ବାପା, ଦାଦା ସବୁ ମିଶି ପଶା ଖେଳୁଥିବେ । ହାତୀ ଦାନ୍ତ ଦାନାକୁ ନେଇ ହେଇ ଗଲା ଗଲା ଡାକରେ ଫାଟୁଥିବ ମହାଦେବ ମୁଣ୍ଡ ଛକ । ସିଦିଆ ସାଆନ୍ତ ବସି ତାସ ଖେଳୁଥିବ ଆଉ ଟିକେ କଡ଼କୁଦୋଳ ମଣ୍ଡପରେ । ରଂଗ ଖେଳରେ ତା ବିରୋଧୀ ହେଇଥିବ ନୋକା ସାଆଁନ୍ତ । ସିଦିଆ ସାଆଁନ୍ତ ଷୋଅଳ ଡାକିଲା ବେଳକୁ ନୋକା ସାଆଁନ୍ତ ଡାକୁଥିବ- ଅଠେଇଶ । ନିତିଆ ପଣ୍ଡା କଡ଼ରୁ କହୁଥିବ- ଡବଲ । ନୋକା ସାଆଁନ୍ତ କହୁଥିବ- ରି ଡବଲ । ଆଉ ସାତ ପଟିଆ ଟାଣୁଥିବ । ପୁଣି ସେଥିରେ ଅଠେଇଶ ଖେଳ କରିଦେଇ ଚିଲୋଉ ଥିବ- ଯାଃ ଶାଲା ସିଦିଆ ମାଇଟା ଖେଳିବ ମୋ ସାଙ୍ଗେ ।

ବାଲିଝରି ଛନ୍ଦା କୂଳ କବାଡ଼ି ଖେଳରେ ଉଠୁଥିବ ପଡ଼ୁଥିବ । ଖେଳରେ କିଏ ସେ ଜିତୁଥିବ, କିଏ ସେ ହାରୁଥିବ ସାରାଦିନ ତାର ଇୟତ୍ତା ନଥିବ । କିନ୍ତୁ ଖେଳର କାଆଟି ମରୁ ନଥିବ ଯାହା (ସଚି ରାଉତରାୟଙ୍କ କବିତାର ଧାଡ଼ି ଅନୁସାରେ) । ସେଠିକି ପୋଡ଼ ପିଠା ନେଇ ଯାଉଥିବେ ଗାଁ ପିଲା ।

ସଂଜ ନଇଁ ଆସୁଥିବ । ଗୋଧୂଳି ବହଳିଆ ହୋଇ ଦିଗବଳୟକୁ ଆବୋରି ପକାଉ ଥିବ । ଆଳତି ଓ ଘଣ୍ଟ ଶବ୍ଦ ଛାତି ଭିତରେ ଚିରି ପଶି ଯାଉଥିବ । ଲକ୍ଷ୍ମୀ ପ୍ରତିମା ବୋଉ କାନି ଗୁଡେ଼ଇ ତୁଳସୀ ଚଉରା ମୂଳେ ସଂଜ ଦେଇ ସାରା ଦୁନିଆର ଶୁଭ ମନାସୁ ଥିବ । ହାଲୁକା ଅନ୍ଧରରେ ଗହଳ ହେଉଥିବ- ଝିଅଙ୍କ ରଜଗୀତ । ରାତି ବଢୁଥିବ । ନିହାତି ମଫସଲ ଗାଁରେ ଗାଢ ହେଉଥିବ ରଜ ମଉଜ । ପୁଣି ଗାଢ ନିଦ ସାଙ୍ଗରେ ସ୍ପପ୍ନ ଆବୋରି ନେଉଥିବ ଆଖି ହଳକ ।

ଏଇମିତିରେ ପାଞ୍ଚ ଦିନ ବିତି ଯାଉଥିବ । ମାଟି ମାଆର ପୂଜା ବସୁମତୀ ସ୍ନାନ (ଭୂଇଁ ନଅଁଣ) ବେଳେ କୃତଜ୍ଞତାର ଟୁକୁଡ଼ାଏ ପ୍ରଣତି କାନିରେ ଗୁଡେ଼ଇ ମୁଣ୍ଡିଆ ମାରୁଥିବେ ଜେଜେମା, ଖୁଡ଼ୀ, ବୋଉ, ଭାଉଜ ସଭିଏଁ । ହଳଦି ଗୁରୁଗୁରୁ ଶିଳପତା ସେମିତି ପିଢା ଉପରେ ଗଡ଼ୁଥିବ ।

ସ୍ମୃତି ଆଖି କଣରେ ଜକେଇ ରହିଥିବ । ଜଳଜଳ ହୋଇ । ପୁଣି ଆରବର୍ଷ । ନୂଆ ରଜକୁ ।

(ଲେଖକ ଢେଙ୍କାନାଳଠାରେ ଥିବା ଭାରତୀୟ ଜନସଂଚାର ସଂସ୍ଥାନରେ ସହକାରୀ ପ୍ରଫେସର ଭାବେ କାର୍ଯ୍ୟରତ । ତାଙ୍କୁ jajpuria@gmail.comରେ ଯୋଗାଯୋଗ କରିହେବ)

Leave A Reply

Your email address will not be published.