ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଖରାକୁ ଦେଖି ସ୍କୁଲ ଛୁଟି ଘୋଷଣା। ପ୍ରବଳ ତାତି ସାଙ୍ଗକୁ କଲବଲ କରୁଛି ଗୁଳଗୁଳି। ୪୦ ଡିଗ୍ରୀ ଉପରେ ରହିଛି ଅଧା ଓଡ଼ିଶା। ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଅସହ୍ୟ ତାତି। ଗତକାଲି ରାଜ୍ୟର ୧୪ଟି ସହରର ପାରଦ ୪୦ ଡିଗ୍ରି ଉପରେ ଥିଲା। ଆସନ୍ତା ୨୩ ତାରିଖ ଯାଏଁ ଲାଗି ରହିବ ତାତିର ପ୍ରଭାବ।
ଆସନ୍ତା କିଛି ଦିନ ପର୍ଯ୍ୟନ୍ତ ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ସହିତ କେତେକ ସ୍ଥାନରେ କାଳବୈଶାଖୀର ସମ୍ଭାବନା ରହିଛି। ଟିଟିଲାଗଡ଼ରେ ୪୨.୫, ଝାରସୁଗୁଡ଼ାରେ ୪୨.୪, ତାଳଚେରରେ ୪୨, ବଲାଙ୍ଗୀରରେ ୪୧.୮, ଅନୁଗୁଳରେ ୪୧.୭, ଭବାନୀପାଟଣାରେ ୪୧, ସୋନପୁରରେ ୪୦.୩, ରାଉରକେଲାରେ ୪୦.୨ ଡିଗ୍ରି ସେଲସିୟସ୍ ତାପମାତ୍ରା ଥିଲା । ପ୍ରବଳ ଖରା ଓ ରାତିରେ ପାରଦ ଅଧିକ ରହିବା ନେଇ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ ।
ଆଗାମୀ ୫ ଦିନ ପର୍ଯ୍ୟନ୍ତ ପ୍ରବଳ ଗରମ, ଗୁଳୁଗୁଳି ସହ ହିଟୱେଭ ଓ ଉଷ୍ମରାତି ନେଇ ୱାର୍ଣ୍ଣିଂ ଜାରି ହୋଇଛି । ଆଜି ପାଇଁ କନ୍ଧମାଳ, ଅନୁଗୁଳ, ବଲାଙ୍ଗୀର, ସମ୍ବଲପୁର, ସୁନ୍ଦରଗଡ଼କୁ ରାତିର ଗରମ ନେଇ ଚେତାବନୀ ଜାରି କରାଯାଇଛି । ଉପକୂଳବର୍ତ୍ତୀ ଅଞ୍ଚଳରେ ପୂର୍ବଭଳି ଗୁଳୁଗୁଳି ରାଜୁତି କରିବ କିନ୍ତୁ ପଶ୍ଚିମ ଓଡ଼ିଶାରେ ସର୍ବାଧିକ ତାପମାତ୍ରା ରହିବ । ଏପ୍ରିଲ ୨୨ରୁ ୨୫ ତାରିଖ ପର୍ଯ୍ୟନ୍ତ ହିଟୱେଭ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଅପରାହ୍ଣରେ କିଛି ସ୍ଥାନରେ କାଳବୈଶାଖୀର ସମ୍ଭାବନା ରହିଛି ।
Comments are closed.