Latest Odisha News

BREAKING NEWS

ବରଗଡ଼ରୁ ଆଜି ପୁଣି ଜବତ ହେଲା ୬ ଲକ୍ଷରୁ ଅଧିକ ଟଙ୍କା

ବରଗଡ଼: ରାଜ୍ୟରେ ସାଧାରଣ ନିର୍ବାଚନକୁ କିଛି ଦିନ ବାକି ଥିବା ବେଳେ ବରଗଡରୁ ପୁଳାପୁଳା ଟଙ୍କା ଜବତ ହେଉଛି। ଗତକାଲି ୧୦ ଲକ୍ଷ ପରେ ଆଜି ପୁଣି ଜବତ ହୋଇଛି ୬ ଲକ୍ଷରୁ ଅଧିକ ଟଙ୍କା। ଝାରବନ୍ଧ ଥାନା ଡ଼ଭା ଛକରେ ଚେକିଂ ବେଳେ ଦୁଇ ବାଇକ ଆରୋହୀଙ୍କ ଠାରୁ ୬ ଲକ୍ଷ ୫୨ ହଜାର ୮୦୦ ଟଙ୍କା ଜବତ କରିଛି ପୋଲିସ। ବଲାଙ୍ଗୀରର ମିତ୍ରଭାନୁ ସାହୁ ଓ ମନୋଜ ସାହୁଙ୍କ ଠାରୁ ଏହି ଟଙ୍କା ଜବତ ହୋଇଛି ।

ରାଜ୍ୟରେ ନିର୍ବାଚନ ପୂର୍ବରୁ ନଗଦ ଟଙ୍କା ବେଆଇନ ପରିବହନକୁ ରୋକିବା ପାଇଁ ପୋଲିସ ପକ୍ଷରୁ କଡ଼ାକଡ଼ି ଭାବେ ଚେକିଂ ଚାଲିଛି। ପୋଲିସ୍‌ ଜବତ ଟଙ୍କା ସମ୍ପର୍କରେ ଯୁବକ ଦ୍ୱୟଙ୍କୁ ପଚାରିଥିଲା। ମାତ୍ର ସେମାନେ ସନ୍ତୋଷ ଜନକ ଉତ୍ତର ଦେଇପାରି ନଥିଲେ। ତେଣୁ ପୋଲିସ୍‌ ଟଙ୍କା ପ୍ୟାକେଟ୍‌ ସହ ଗାଡ଼ିକୁ ଜବତ କରିବା ସହ ଦୁଇ ବାଇକ ଆରୋହୀଙ୍କୁ ଅଟକ ରଖିଛି। ପୋଲିସ ସୂଚନା ଅନୁଯାୟୀ ନଗଦ ଟଙ୍କା ଗୁଡ଼ିକୁ ପ୍ୟାକେଟ୍‌ରେ ପ୍ୟାଙ୍କିଂ ହୋଇଥିଲା। ତେବେ ଯୁବକ ଦ୍ୱୟ ଏତେ ଟଙ୍କା ନେଇ କୁଆଡେ ଯାଉଥିଲେ ସେନେଇ ତନାଘନା ଚଳାଇଛି ପୋଲିସ ।

ବରପାଲିରୁ ସମ୍ୱଲପୁର ଯାଉଥିବା ବେଳେ ହଳଦୀପାଲି ଛକ ଠାରେ ପୋଲିସ ଭ୍ଯାନ ଯାଞ୍ଚ କରିବା ସମୟରେ ଟଙ୍କା ଜବତ କରିଥିଲା । ଏହା ପୂର୍ବରୁ ସୁବର୍ଣ୍ଣପୁରରୁ ପର୍ଯ୍ୟାପ୍ତ ପରିମାଣର ଟଙ୍କା ଜବତ ହୋଇଥିଲା। ଆନ୍ଧ୍ରପ୍ରଦେଶର କିଛି ବ୍ୟକ୍ତି ଏକ କାରରେ ଟଙ୍କା ନେଇ ଯାଉଥିବା ବେଳେ ପୋଲିସ ଧରିଥିଲା। ତେବେ ଏତେ ଟଙ୍କା କୋଉଠୁ ଆସୁଛି, ଆଉ କେଉଁ ଉଦ୍ଦେଶ୍ଯରେ ଆସୁଛି ସେନେଇ ସସପେନ୍ସ ଲାଗି ରହିଛି । ତଦନ୍ତ ପରେ ସ୍ପଷ୍ଟ ସୂଚନା ମିଳିପାରିବ ବୋଲି ପୋଲିସ କହିଛି ।

Leave A Reply

Your email address will not be published.